Unknown

 

 

 

 

 

 

 

 

 

ଶିବଭାଇ

ଶ୍ରୀ ଗୋପୀନାଥ ମହାନ୍ତି

 

ତା ନାଁଟି ସେଭଳି ମନେରଖିଲା ଭଳି ନୁହେଁ । ଯୋଡ଼ିଏ ଅକ୍ଷର ମୋଟେ - ଶିବ । ସେ ମଧ୍ୟ ମନେରହିଲା ଭଳି ଲୋକଟିଏ ନୁହେଁ । ଏକ ସାଧାରଣ କନ୍ଧ ଲୋକ । ଜଙ୍ଘତଳଯାକେ ତା ହାତକଟା ସୂତାର ମୋଟା ଖଦଡ଼ ଗାମୁଛାଟିଏ ପିନ୍ଧେ । ଦେହଟା ପଦାକୁ ଗଲେ ଫୁଙ୍ଗା ରଖେ ନାହିଁ, କାରଣ ସେ ଜଣେ ‘ଭଦ୍ରଲୋକ’ । ଖଦଡ଼ର ଅଧା କାମିଜ ଖଣ୍ଡେ ଗଳାଏ, କିନ୍ତୁ ତାର ସହଜେ ଫୁଲୁକା ବଳିଲା ବଳିଲା କନ୍ଧ ଦେହଟା ଯେପରି କି ଭଦ୍ରତାର ଚିହ୍ନ ଏ ଉପର ତଳ କନା ଘୋଡ଼ଣି ଦି’ ଖଣ୍ଡକୁ ଠେଲି ଠେଲି ଫୋପାଡ଼ି ଦେବାକୁ ମନକରେ, ଯେପରି କି ସେ ନିଜେ ଫୋପାଡ଼ି ଦିଏ ସବୁ, କାରଣ ସବୁ ବନ୍ଧନ । ଚାଳିଶି ବର୍ଷର ଡେଙ୍ଗା ଗୋରା କନ୍ଧ ଜଣେ ସେ, କିନ୍ତୁ ତା’ଠୁ ତ ଆହୁରି ଡେଙ୍ଗା ଲୋକ ଅଛନ୍ତି–ଯଥା ଅର୍ଜ୍ଜୁନ । ସେ ତ ଛ ଫୁଟ ଦି’ ଇଞ୍ଚ ହେବ । ଚିକ୍‌କଣ କଳା, ତା’ଠୁ ଆହୁରି ଗୋରା ସେହି ପାଖ ଗାଁ ଗଦ୍‌ବାଗୁଡ଼ାର ପୁରା ଶହେବର୍ଷ ବୟସର ଡୁମ୍ରି ବୁଢ଼ା, ବର୍ଣ୍ଣ ସାହେବ ପରି । ଅନେକ କନ୍ଧ ତ ଅତି ଗୋରା, ଯଥା ଆପେ ଶିବର ସ୍ତ୍ରୀ ମୁକ୍ତା । ମୁକ୍ତା ଭାରି ଗୋରା, ଭାରି ସୁନ୍ଦର, ନଉଁ ପଛେ ସେ ସୁନ୍ଦରପଣ ଜରରେ ସଢ଼ି ସଢ଼ି । ଏମିତି ଅନେକ ଅଛନ୍ତି ସେ ଗାଁରେ । କିନ୍ତୁ ତଥାପି ଶିବ ଭାଇ ବି ଜଣେ ମଣିଷ । ତାର ନାଁ ପଡ଼ୁ ପଡ଼ୁ ସିଧା ସଳଖେ ଆସି ସେ ସାମନାରେ ଠିଆହୁଏ–ଯେପରି କି ଧୋବ ଦାନ୍ତ ଦି’ପାଟିକୁ ଧୋବ ଖଦଡ଼ ସାଙ୍ଗକୁ ଗୋରା ଦେହ, ଆଉ ସବୁବେଳେ ତାର ଧୋବ ହସ । ଆଉ-ବାକି ରହିଗଲା ଟିକିଏ–ବାକି ରହିଗଲା ତାର ସେହି ଧୋବଲା ଆତ୍ମାଟି କଥା, ଯେଉଁ କଥା ଆମର ପଡ଼ିଥିଲା ।

 

କାରଣ ଅପା ଆସିଥିଲେ । ବେଢ଼ି ବସିଥିଲେ ପିଲାଏ ଆଉ ତାଙ୍କ ମା । ସେମିତି ସମସ୍ତେ ଛାଁକୁଛାଏଁ ଓଟାରି ହୋଇ ଯାଆନ୍ତି ଅପାଙ୍କ ଆଡ଼କୁ, ଚୁମ୍ବକ ଆଡ଼କୁ ଲୁହା ଗୁଣ୍ଡି ପରି, ଏଇ ଜ୍ୱରଦଗ୍‌ଧା ତିନି ହାତ ଉଞ୍ଚ ଟିକି ମଣିଷଟି ଆଡ଼କୁ–ଯାହାଙ୍କ ଘର ଉତ୍ତର ବାଲେଶ୍ୱର, କାମ କରନ୍ତି କୋରାପୁଟ ଜିଲ୍ଲା କନ୍ଧମାନଙ୍କ ଉନ୍ନତି ପାଇଁ । ଯଦି କୌଣସି ହାନିଲାଭରେ ମୋଟେ ପନ୍ଦର ମାଇଲ ଦୂର ରାୟଗଡ଼ାକୁ ତିନି ମାଇଲ ଚାଲି ଥେରୁବେଲି ଷ୍ଟେସନ୍‌ରେ ରେଲ୍‍ ଧରି ଆସିବାକୁ ହୁଏ, ତେବେ ସୁଦ୍ଧା ଡୁମ୍ରିଗୁଡ଼ାର କନ୍ଧମାନେ ଆଗ କରନ୍ତି ଅପାଙ୍କୁ । ଗାଁ ରାବଣଶର ପରି ଶାଳଗଛ ପରି ଡେଙ୍ଗା ଅର୍ଜ୍ଜୁନ କନ୍ଧ ବି ଛୋଟ ପିଲା ପରି ଅପାଙ୍କ ପଣତ ଧରି ପିଠିଆଡ଼କୁ ମୁହଁ ବୁଲେଇ ଦେଇ କହେ, ‘‘ଅପା ତୁ ଚାଲ । ଅଧିକାରୀକୁ ତୁ ସିନା କହିବୁ, ମତେ ଡରମାଡ଼ୁଛି, ଅପା ଚାଲ ତୁ ।’’

 

ଅପା ଆସିଥିଲେ । ମୁହଁ ସଞ୍ଜବେଳ । ଲାଗିଥିଲା ଗପ । ଏ ବିଦେଶକୁ କିଏ ସଙ୍ଖୋଳି ଆସିବ ଅପା ବିନା, ଦେଖିଆସିବ ପିଲାଏ କେମିତି ଅଛନ୍ତି । ଚାଲି ଚାଲି ଆସିବ ସେହି ସାନ ସାନ ପାଦରେ; ଯେ ବୁଲୁଥାଏ କଣ୍ଟାରେ ଝଣ୍ଟାରେ ବଣରେ ପର୍ବତରେ, ଆଣିଥିବ ତାର ସେ ମୋଟା ଖଦଡ଼ ଲୁଗା ପଣତରେ ବାନ୍ଧି କେବେ ହରଡ଼ ଛୁଇଁ ପୁଳିଏ, କେବେ ଗଣ୍ଡିଏ ବଡ଼ି, କେବେ ଦୋଟି ମକ୍‌କା ଖଇ ମୁଆଁ । କାରଣ ସେ କାହାରି ଅପା ନୁହେଁ, ସେ ଜଗତଯାକର ଅପା–ଯେମିତି ଶିବ କାହାରି ଭାଇ ନୁହେଁ, ସେ ଜଗତଯାକର ଭାଇ । ଏଇ ଜଗତରେ ତାର ଘର, ଉପରେ ଆକାଶ ତଳେ ମାଟି । ସାମନାରେ କର୍ମ ପରିସର, ସେ ହେଉ ପଛେ ଡୁମ୍ରିଗୁଡ଼ାରେ ଜାମ୍ବୁଗୁଡ଼ାରେ ମୁର୍ତ୍ତୁଲିରେ ଧାମୀଣିରେ କନ୍ଧ-ଉନ୍ନୟନ କି ଡାଙ୍ଗ୍‌ସୁରୁଡ଼ାରେ ଡିଲାଗୁଡ଼ିରେ ଭୂମିହୀନଙ୍କ ପାଇଁ ଭୂମିସଂଗ୍ରହ କାମ ।

 

ଡୁମ୍ରି ଗୁଡ଼ା ଆଶ୍ରମ ତାଙ୍କର ସେବା ଆଶ୍ରମ । ଶହେ ତିନି ଡିଗ୍ରି ଜର ଦେହରେ ଥାଇ ବି ମଝିରେ ମଝିରେ ସେହି ଷାଠିଏ କନ୍ଧ ଘରର ଅଗଣା ଓ ପିଣ୍ଡା ସଫାକରିବା, ଲିପିବା କାର୍ଯ୍ୟ ପଡ଼ିଯାଏ, ଯେତେବେଳେ ବସନ୍ତ ରୋଗ ଆସିଥିବାରୁ କନ୍ଧ ପ୍ରଥା ଅନୁସରି ଗାଁଲୋକ ସଫେଇ କରନ୍ତି ନାହିଁ । ଗାଁ ଲୋକ ଯେତେବେଳେ ଜଳସେଚନ ଯୋଜନାରେ ମାଟିଖୋଳା କାମରେ ପଥରବୁହା କାମରେ ମୂଲ ଲାଗୁଥିଲେ, ଅପା ସେତେବେଳେ ତାଙ୍କ ସଙ୍ଗେ ମିଶି ବୁଢ଼ାବୁଢ଼ୀଙ୍କ କାମ ଛଡ଼େଇ ନେଇ ମାଟି ପଥର ବୋହୁଥିଲେ । ‘ଅପାର ମାନ ଲୋଡ଼ା ନାହିଁ’–ଗାଁ ଲୋକେ କହନ୍ତି–କନ୍ଧ ପିଲାର ଘୁଅ ସେ ତ ନିର୍ବିକାରଭାବେ ହାତରେ ଗୋଟେଇ ନିଏ । ସଢ଼ାପଚା ଘା ଧୋଇଧାଇ ସଫା କରେ, ଗନ୍ଧ କି ଅସନା କିଛି ତାଙ୍କୁ ରୋକି ପାରେନାହିଁ । ନା, ତାର ମାନ ଲୋଡ଼ାନାହିଁ । ଗାଁକୁ କୁଣିଆ ଆସିଲେ ଅପା ଏକ ତସଲା ମୁଣ୍ଡେଇ ଘରୁ ଘର ମାଣ୍ଡିଆ ପେଜ ମାଗି ମାଗି ବୁଲେ । ହସି ହସି ଲୋକେ ଅଜାଡ଼ି ଦିଅନ୍ତି । ଅତିଥି ଖାଇ ଆହୁରି ବଳିପଡ଼େ ଗାଁ ପିଲାଙ୍କ ମଉଛବ ହେବାକୁ । ସେ ଯେମିତି ହସିହସି ମାଗିପାରେ ଥିବା ବାଲାଠୁ ନ ଥିଲା ଲୋକପାଇଁ, କୋଡ଼ିଏ ଥର ଧାଇଁପାରେ ଗୋଟିଏ ଗରିବ ପାଇଁ ନେହୁରି ହେବାକୁ ।

 

କାଲିପରି ତ ଲାଗୁଛି, ଅପା ଆସିଲା ଏ ଆଶ୍ରମକୁ । ଗାଁଲୋକେ ସକାଳେ ଦି’ ଘଣ୍ଟା ଯାଏ ଘରେ ବସି ବସି ଖାଲି ଘର ତଳଯାକ ଛେପ ପକୋଉଥିଲେ, ଅଳସ ଗପ କରୁଥିଲେ । ଅପା ସମସ୍ତଙ୍କ ପାଖେ ଥୋଇ ଆସିଲା ଗୋଟାଏ ଲେଖାଁ ପତ୍ର ଠୁଙ୍ଗା । କହିଲା, ‘‘ହଉ, ମୁଁ କହି କହି ତ କାମକୁ ଯାଉନ, ଏଇଥିରେ ଛେପ ପକାଅ, ମୁଁ ଫୋପାଡ଼ି ଦେଉଥିବି ।’’ ଥରକୁ ଥର ସତକୁ ସତ ନେଇ ଛେପ ଠୁଙ୍ଗା ଫୋପାଡ଼ି ଦେଇ ଆସିଲା । ତା’ପରେ ପଥର ତରଳିଲା, ଲୋକେ ଲାଜ ପାଇ କାମକୁ ଗଲେ । ଅଭ୍ୟାସ ହୋଇଗଲା ପାହାନ୍ତିଆରୁ ଉଠି କାମକୁ ଯିବାକୁ ।

 

ପୁଣି ସେତେବେଳେ–ପୂଜା ଓଝା କରି କନ୍ଧ ଗୋରୁ ହାଣୁଥିଲେ । ଅପା ମନାକଲା । ଆପେ ଯାଇ ବୁଢ଼ୀଗାଈକୁ ଓଗାଳି ଠିଆହେଲା । କନ୍ଧ ଏପରି ଗାଳିଦେଲେ ଯେ ଋଷି ବି ଜଟା ଛିଣ୍ଡେଇ ମରିବ । ଅପାର ଲୁହଧାର ଛୁଟିଲା, କିଛି କହିଲା ନାହିଁ । ଟାଙ୍ଗିଆ ଉଠିଲା । ଅପା ଅନେଇଲା ସେ ବୁଢ଼ୀ ଗାଈଟାକୁ । ଆଖିରେ ଆଖି ମିଶିଗଲା । ଅପା ତାର ବେକଉପରେ ହାମୁଡ଼େଇ ପଡ଼ିଲା । ‘‘ଦେଖ୍ ଅପା, ଆମର ଦୋଷନାହିଁ । ରିଷା ବେଳ ଘୁଞ୍ଚିଯା, ନଇଲେ ଆମ ଦୋଷ ନାହିଁ ।’’ ଅପା ଆଖି ବୁଜିଦେଲା । ମନେପଡ଼ିଗଲେ ମା, ବାପ ପନ୍ଦର ବର୍ଷରେ ଶାଶୁଘର କରି ଗଲାବେଳେ ଛ’ମାସ ପାଇଁ ଯେ ହୋଇଥିଲେ ତାର ସ୍ୱାମୀ, ହଇଜା ଓଟାରି ନେଲା ପୂର୍ବରୁ ଶାଶୁ ଆଉ ତାର ତିନି ଦେଢ଼ଶୁର, ଦେଢ଼ଶାଶୁ, ଝିଆରି ପୁତୁରା ମିଶି ଦଶଜଣ, ଆଉ ସେହି ପାଞ୍ଚ ବର୍ଷର ପିଲାଟି ଦେଢ଼ଶୁରର ପୁଅ, ତାର ମନ ଭୁଲେଇବା ପାଇଁ ଶାଶୁ ଯାହାକୁ ତା କୋଳକୁ ଟେକି ଦେଇଥିଲେ, କହିଥିଲେ, ‘‘ତୋ ପୁଅ’’ ଆଉ ଯେ ବୋଉ ବୋଲି ଡାକିଲେ ଅପାର ମୁଣ୍ଡରେ ନିଆଁ ଲାଗେ । ଅପା ତାକୁ ମାରେ । ମନେପଡ଼ିଲେ ଦେଢ଼ଶୁରଙ୍କ ବଡ଼ପୁଅ ଜଣେ କର୍ମୀ-ଯାହାଙ୍କଠୁଁ ଦେଶ ଓ ଦେଶ କାମ ଶୁଣି ଶୁଣି ଦେଶର ଏକ ବିରାଟ ସ୍ୱପ୍ନରେ ଓଟାରି ହୋଇ ଅପା ଚାଲି ଆସିଥିଲା ବରୀ ଆଶ୍ରମକୁ । ଦେଶକୁ ଚିହ୍ନିବାକୁ ଯାଇ ଏହି ଯେଉଁ ଏତେଦିନର ନିରଳସ କର୍ମର ବାଟ, ମନେପଡ଼ିଗଲେ ଏହି କର୍ମ ସଂସ୍ଥା ଭିତରେ ତା’ର କର୍ମ ଜୀବନରେ ‘ନୂଆ ମା’ ‘ନୂଆ ବାପା’ । ଦେଶଯାକର ବାପା ମା’ ଦାଦି ଖୁଡ଼ୀ ଯେ ଆପଣା ଆପଣା ଜୀବନକୁ ପାଣି ଛଡ଼େଇ ଦେଇଛନ୍ତି ପର ପାଇଁ, ଆଉ ସାମନାରେ ବୁଢ଼ୀ ଗାଈର ଛାଇ ଭର୍ତ୍ତି ଆଖି ଦି’ଟା ଖରାରେ ଚିକ୍‌ଚିକ୍ ଟାଙ୍ଗିଆ ଫାଳର ତେଜ । ଅପା ଆହୁରି ବିଛେଇ ହେଲା ବୁଢ଼ୀ ଗାଈ ଉପରେ, ଆହୁରି ଟାଣ ହେଲା, ଆଖି ବୁଜିଦେଲା । ‘‘ଆମର ଦୋଷ ନାହିଁ ଅପା, ଘୁଞ୍ଚିଲୁ ନାହିଁ ଯେତେ କହିଲେ ତୁ–ଉଠ, ଆମେ କହୁଚୁ ଯା, ଘୁଞ୍ଚି ଯା ।’’ ଆଖି ବୁଜିଦେଲା ଅପା–କିନ୍ତୁ କିଛି ହେଲା ନାହିଁ । ‘‘ହଉ, ତୋରି କଥା ହେଲା, ଅପା, ଗାଈକୁ ମାରିବୁ ନାହିଁ । ଦେବତା ଆମକୁ ଖାଇବ, ତୁ ଦେଖିବୁ ।’’ ଆରେ ତମକୁ କାହିଁକିରେ-ଖାଇଲେ ମତେ ଖାଇବ ।’’ ଦେବତା ଖାଇଲା ନାହିଁ, ଅପା ରହିଲା, ଗାଈମରା ବନ୍ଦ ହେଲା । ସବୁ ସହିପାରେ ଏ ଅପା ।

 

କିନ୍ତୁ ଟାଣ ବି ହୋଇପାରେ–ସେ କଥା ବି ଜାଣନ୍ତି ସେମାନେ–ଯେଉଁମାନେ ପରକୁ ନାଲି ଆଖି ଦେଖାନ୍ତି, ଆପଣାକୁ ବିଚାରନ୍ତି ସାଧାରଣ ନ୍ୟାୟ ନିକିତିଠୁଁ ଉଚ୍ଚରେ ଅଛନ୍ତି ବୋଲି । ସେମାନେ ଦେଖିଛନ୍ତି ଏଇ ଧୋବଲା ମୁହଁଟି ନିମିଷକେ କେମିତି ନାଲି ପଡ଼ିଯାଏ, ଏଇ ଶାନ୍ତ ଆଖି ଦିଇଟି କେମିତି କୁହୁଳିଉଠେ, ପାତଳ ଓଠ ଦିଫାଳ କାଠି ଗୋଟିଏ ନାଲି ଗାର ପରି ହୋଇଯାଏ, ଆଉ ଏ ଧୀର କଥା ବଡ଼ପାଟି ନ ହେଲେ ବି ତହିଁରେ ଏପରି ଗୋଟାଏ ଥମ୍ବିଲା ଟାଣପଣର ପରିଚୟ ବାହାରେ ଯାହାକୁ ଶୁଣିଲେ ଛାତି ଦବିଯାଏ । କେତେ ‘ମାମୁଲ’, କେତେ ବେଠି ବେଗାଡ଼ି, କେତେଫାଉ, କେତେ ଅବିଚାର ଉଠିଯାଇଛି ଏଇ ଅପା ଦାଉରେ, କେତେ ଅତ୍ୟାଚାରର ଅନ୍ଧାରି ଦୁର୍ଗ ଭୁଶୁଡ଼ି ପଡ଼ିଛି । ରେଲ୍‍ ଲାଇନ ପାଖିଆ ଗାଁ । ପ୍ରାୟ ପ୍ରତିଦିନ ଦେଖାଯାଏ ଗାଁର ଅନ୍ତତଃ ଗୋଟାଏ ଛେଳି ଦି’ଖଣ୍ଡ ହୋଇ କଟା ହୋଇ ରେଲ୍ ଲାଇନ ଉପରେ ପଡ଼ିଛି । ଗାଁ ଲୋକଙ୍କୁ ଦେଖେଇ ଦେଇ ରେଲ୍‌ଲାଇନ୍ କୁଲିଲୋକେ ତାକୁ ଉଠେଇ ନିଅନ୍ତି । କନ୍ଧମାନଙ୍କୁ ଆବହମାନ କାଳରୁ ବୁଝେଇ ଦେଇଛନ୍ତି–ରେଲ୍ ଲାଇନ୍‌ରେ ଜନ୍ତୁ କଟିଗଲେ ସେଇଟା ସେ ରେଲ୍‌ବାଲାଙ୍କର । ଅପା କହିଲା, ‘‘କୋଉ ଆଇନ୍‌ରେ ଏ କଥା ଲେଖାଅଛି ? ଏକେତ ଆମ ଛେଳିଟା ପ୍ରାଣରୁ ମଲା, ତହିଁରେ ତା ମାଂସଟା ବି ତମର ହେଇଯିବ ?’’ ଯେମିତି କଟା ଛେଳିର ମାମୁଲ୍ ତାଙ୍କୁ ଦେବାକୁ ମନାକରିଦେଲା ସେମିତି ଦେଖାଗଲା ଲାଇନ ଉପରେ ଛେଳି ଆଉ କଟି ପଡ଼ୁନାହାନ୍ତି-ଯେପରି କି ହଠାତ୍ ଛେଳିମାନେ ସତର୍କ ହୋଇଗଲେ । ସେହିପରି ଗାଁ ପାଖ ତେନ୍ତୁଳି ଗଛରୁ ତେନ୍ତୁଳି ତୋଳି ନେଇ ପଳାନ୍ତି ରେଲକୁଲି । କହନ୍ତି, ‘‘ଏଇଟା ଆମ ଗଛ ।’’ କନ୍ଧ ଆପତ୍ତି କରନ୍ତି ନାହିଁ । ଦିନେ ଦେଖାଗଲା ଅପା ନିଜେ ଚଢ଼ି ତେନ୍ତୁଳି ପାରୁଛି । ରେଲ୍‍ କୁଲି କଜିଆ କରିବାକୁ ଆସିଥିଲେ, ଅପାର କଥା ଶୁଣି ଚାଲିଗଲେ ।

 

ଲାଇନ୍‌ କରେ କରେ ରାୟଗଡ଼ା ଆସିଲାବେଳକୁ ନାଗାବଳୀ ନଦୀ ଉପରେ ରେଲ୍‍ପୋଲ ପଡ଼େ । ପୋଲ ଉପରେ ପାଦ ନ ଦେଉଣୁ ଜଗୁଆଳି କହେ, ‘‘ଆଗ ଦେ ଅଣାଏ ପଇସା ମାହାସୁଲ ।’’ କନ୍ଧ ଅଣ୍ଟାରୁ ଗଣ୍ଠି ଖୋଲେ । ଖାଲି କନ୍ଧ କାହିଁକି, କେତେ କେତେ କର୍ମୀ ଭାଇ ବି ଦେଇ ଦେଇଛନ୍ତି ।

 

ଜଗନ୍ନାଥ ଭାଇ ବି କହିଲେ, ‘‘ନେ ବାୟା ତୋ ପଇସା ଅଣାକ । ତେବେ ୟେ ମାହାସୁଲ ନୁହେଁ ଯେ, ଏ ତୋ ମାମୁଲ ।’’ ବାଇଗିଣିଆ କାମିଜ୍‌ ପିନ୍ଧା ଟିକିମଣିଷର ଧୋବଲା ଦାନ୍ତ ଦି’ପାଟି କଳା ମୁହଁରେ ଝିକ୍ କଲା, ସତେ ଯେପରିକି ସଞ୍ଜବେଳର ମଦ ଟୋପାକ ନିଶାରେ କହିଲା, ‘‘ବାବୁ, ମାସୁଲ କହ ମାମୁଲ କହ ଦେଲେ ହେଲା ।’’ କିନ୍ତୁ ଅପାକୁ ଯେତେବେଳେ ମାସୁଲ ମାଗିଲା ଅପା କହିଲେ, ‘‘ଆଉଦିନେ କାହାଠୁ ଅଣାଏ ପଇସା ନେଇଚୁ କି ସିଧା ପୁଲିସ୍‌ରେ କହିବି-।’’ ‘‘ଆଃ, ତମେ ନ ଦବ ତ ନ ଦବ, ଆଉ କିଏ ଦେଲା ନ ଦେଲା ତମର କ’ଣ ଅଛି ?’’ ‘କହିତ ଦେଲି ଥରେ, ମୋର କ’ଣ ଅଛି କି ନାହିଁ ତେଣିକି ତୁ ବୁଝୁ । ଖବର୍ଦ୍ଦାର !’’ ଗଲା ଏତିକିରେ ମାସୁଲ ନବା ଉଭେଇ ଗଲା । ପୁଲିସ୍‌ ବି ବୁଝିଲେ–ଅପା ଅଛି । କେବେ କେଉଁ ମକଦ୍ଦମା କିଏ ଲୁଚେଇ ଦେଇଥିଲା, କିଏ କ’ଣ କରିଥିଲା ଖୋଳି ଖୋଳି ଅପା ବାହାର କଲା । ତେଣିକି ଦାଣ୍ଡରେ ବାଟରେ ଦଣ୍ଡବତ, ଗାଁ ପାଖ ହେଲେ ମାଡ଼ିପଡ଼େ–ଅପା ଅଛି !

 

ବେଶି ଜବତ ହେଲା ବିଲୁଆପଡ଼ା ‘ରଜା’ । ସେ ଜଣେ ‘ମୋଖାସାଦାର’ । ଆଠଖଣ୍ଡି ଗାଁ ଲୋକଙ୍କୁ ଅଡ଼େଇ ନେଈ ଆପଣା କାମରେ ବେଠି କରାଉଥିଲା । ସବୁ ଘରୁ ଜଣକେ ବର୍ଷକୁ ସାତଦିନ ଲେଖା ତା ଜମିରେ ବେଠିରେ ହଳ କରି ଦେବାକୁ କାମ କରି ଦେବାକୁ ବାଧ୍ୟ । ୟା ଛଡ଼ା ବେଠିରେ ଜାଳେଣିକାଠ, ବେଠିରେ ଗୋରୁଗାଈ ଜଗା, ବେଠିରେ ବୋଲହାକ । ଯେ ନାହିଁକଲା କି ଡେରିକଲା ତା ପିଠିକି ମା ବାସୁଳେଈ ଭରସା । ରଜା ମଦପିଏ, ରାତିରେ ନିଆଁ ଚାରିପାଖେ ଡେଇଁ ଡେଇଁ ନାଚକରେ, ମାଇକିନିଆ ରଖେ, ଗୋଟାଏ ରଡ଼ି ଛାଡ଼ିଲେ କନ୍ଧଙ୍କ ପିଳେଇ ପାଣି ହୋଇଯାଏ । ବାଘ ସିନା ଜଣକୁ ଘୋଷାରି ଖାଇବ, ‘ରଜା’ ଝୁଣି ଖାଇବ ସମସ୍ତିଙ୍କି, ଅଥଚ ସେ ରଜା ନୁହେଁ କି ଜମିଦାର ନୁହେଁ । କେବେ ତାର ପୂର୍ବପୁରୁଷ ରଜାଘର ସିଂହଦୁଆରେ ପହରା କାମ କରୁଥିଲେ ବି କେତେଖଣ୍ଡ ଗାଁରୁ ଖଜଣା ଅସୁଲ କରି ଖାଇବାକୁ ଅଧିକାର ପାଇଥିଲେ । ସେ ବି ପଡ଼ିଲା ଅପା ହାବୁଡ଼େ–‘‘ଛି, ଲାଜନାହିଁ ତୁମକୁ–ଗରିବଙ୍କ ରକ୍ତ ଶୋଷି ପିଉଚ । ଦେଖୁଚ ସାହାବ ଗଲେ, ରଜା ଗଲେ, ଜମିଦାର ଗଲେ, ଦେଶ ସ୍ୱାଧୀନ ହେଲା, ବେଠି ଉଠିଗଲା, ବେଗାଡ଼ି ଉଠିଗଲା, ଆଉ ତମର ଲାଗିଚି ଏଇ ନାଟ ! ସେମିତି ମୁହଁ ଫୁଲଉଚ କ’ଣ ? ଏ ଗୋଜିଆ ଗୋଜିଆ ନିଶ ଦେଖେଇ ତମେ ମତେ ଡରେଇ ପାରିବ ନାହିଁ । ଭଲ ବୁଦ୍ଧି କର, ଭାଇ ଭାଇ ହେଇ ଚଳ, ମଦ ଅଫିମ ଗଞ୍ଜେଇ ଛାଡ଼, ଆପଣା ହାତରେ ହଳ କର, ନିଜ କାମ ନିଜେ କର ।

 

ଫେର୍‌ ଜୁଲୁମ୍ ଦେଖେଇଲେ ମକଦ୍ଦମା ଲାଗିବ । ଏ ଦଶଖଣ୍ଡ ମଉଜା ଲୋକ ତମ ବିରୁଦ୍ଧରେ ସାକ୍ଷୀ ଦେବେ, ହାତକଡ଼ି ପଡ଼ି ମାମୁଁ ଘର ଯିବ । ସେଉଠୁ କ’ଣ ହବ ତମ ଦଶା ?’’ ବିଲୁଆପଡ଼ା ରଜା ଆଖି ତଳକୁ କରିଥିଲା । କନ୍ଧ ଆଉ ତାକୁ ମାନିଲେ ନାହିଁ । ଅତିଶୀଘ୍ର କନ୍ଧଙ୍କ ସଙ୍ଗରେ କନ୍ଧ ବୋଲି ଦେଖେଇ ହେବାକୁ ସେ ଗୋଟିଏ କନ୍ଧୁଣୀ ବିଧବାକୁ ବିଭା ହୋଇ ପଡ଼ିଲା । ଆପଣା ପୁଅ ଦିହିଁକି ଡୁମ୍ରିଗୁଡ଼ା ଇସ୍କୁଲକୁ ପଠାଇଲା ।

 

ସେହି ଅପାଙ୍କ ଆଶ୍ରମ ଅଛି ଡୁମ୍ରିଗୁଡ଼ା ଗାଁ ଶେଷ ମୁଣ୍ଡରେ, ପାହାଡ଼ ଛାଇ ତଳେ । ଆଉ ଶିବ ଭାଇ ସେ ଆଶ୍ରମ ସହିତ ସଂଶ୍ଳିଷ୍ଟ ।

 

ତାହାରି କଥା ତ ପଡ଼ିଥିଲା । ଅପା ଆସିଥିଲେ । ପିଲାଏ ଆଁକରି ଅନେଇଁ ଶୁଣୁଥିଲେ । ପାଦଚଲା ବଣବୁଲା ଗାଁବୁଲା କର୍ମୀ ଜୀବନର କେତେ କେତେ କାହାଣୀ ଅପା କହିଯାଆନ୍ତି । ସେଥର କେମିତି ଥେରୁବେଲିରୁ ଯାଉ ଯାଉ ବାଟରେ ଭାଲୁ ଗୋଡ଼େଇ ଥିଲା ତାଙ୍କୁ । ଆଉ ଥରେ, ଭାଲୁର ଅର୍ଜ୍ଜୁନର ମହାଯୁଦ୍ଧ, ଧରାଧରି । ଆଉ କେମିତି ଡୁମ୍ରିଗୁଡ଼ା ଗାଁ ସେ କରେ ସାନ ମୁଣ୍ଡିଆରେ ଗୋଟାଏ ଗୁମ୍ଫା ଅଛି । ଆଠ ଦଶଥର ହେବ ଏପରି ହେଲାଣି ଯେ ତା ଭିତରେ ଚିତାବାଘ ପଶିଯାଏ । ଗାଁଲୋକେ ଗୁମ୍ଫା ମୁହଁରେ ପଥର ଦେଇ ପକାଇ ଉପର କଣାବାଟେ ଗୁମ୍ଫା ଭିତରେ ଜାଳିଣିକାଠ ଓ ନିଆଁ ପୂରେଇ ବାଘକୁ ତାତିରେ ସିଝେଇ ସିଝେଇ ମାରିପକାନ୍ତି । ଅପା କହୁଥିଲେ, ଦିନାକେତେ ହେଲା ବଡ଼ ମହାବଳ ବାଘ ଡୁମ୍ରିଗୁଡ଼ା ପର୍ବତ ଉପରେ କେବେ କେବେ ବୋବାଳି ଛାଡ଼ୁଛି । ସେହି ଯେଉଁଦିନ ରାତିରେ ମୁଁ ଆଉ ସେ ମୁହାଁମୁହିଁ ହୋଇଥିଲୁ ମୁଁ ପୋଖରୀପାଣି ବସିଲାବେଳେ ତା ମୁହଁ ଉପରେ ଟର୍ଚ୍ଚଲାଇଟି ଆଲୁଅ ପଡ଼ିବାରୁ ଆଖି ଦିଟା ଦିଶୁଥିଲା ଦିଟା ବଡ଼ ବଡ଼ ସାବ୍‌ଜା ତାରା ପରି । ସେ ଅତି ଧୀରେ ଧୀରେ ମୋ ଆଡ଼କୁ ଅଗ୍ରସର ହେବାର ଦେଖି ମୁଁ ପ୍ରାଣବିକଳରେ ଦୌଡ଼ିଆସିଲି, ଦଶ ହାତ ଦୂରରେ ଥିବା ଡ଼ୁମ୍ରିଗୁଡ଼ା ସ୍କୁଲକୁ । ସେହିଦିନଠୁ ହେଣ୍ଟାଳି ଲାଗିଛି ବାଘଟା ଯେ ରାତିରେ ସାହି ବାହାରକୁ ଯିବାକୁ ପିଲାଏ ଡରୁଛନ୍ତି । ଅବଶ୍ୟ ଅପା ଡରୁ ନାହାନ୍ତି । ‘‘ମୋର ଏ ଅଲୋଡ଼ା ଜୀବନକୁ କିଏ ପଚାରିବ ବା ?’’ ସେ ହସି ହସି କହିଲେ, ‘‘ଯମ ଯାହାକୁ ଛୁଉଁ ନାହିଁ ତା’ର ପରେଇ ଅଛି ବାଘକୁ ?’’

 

‘‘ଏ ତିରିଶି ବରଷରେ ଜୀବନଟା ଆଲୋଡ଼ା ହେଇଗଲା ଅପା ! ଜଗତଯାକର ଉପକାର କରୁଛ ଜୀବନ ମୂରୁଛି ଦେଇ । ତମ ଜୀବନ ଅଲୋଡ଼ା ତ ସାର କାହାର ?’’

 

‘‘ହଁ, ଏମିତି ତ କେତେ ଲାଗିଚନ୍ତି, ମୋ’ରି ଜୀବନଟା ଏକା ସାର କାହିଁକି ? ହେଇ ଦେଖ ଜଗନ୍ନାଥ ଭାଇଙ୍କି । ଓଳିଏ ଖାଆନ୍ତି, ସେ ପୁଣି ଯିଏ ଯାହା ଦେଲା । କନ୍ଧ ଘରେ ଆମ୍ବ ଟାକୁଆ ଚୂନା, ତେନ୍ତୁଳି ମଞ୍ଜି ଚୂନା ଯାଉ, ସଉରା ଘରେ ମାଣ୍ଡିଆ ଯାଉ, ବ୍ରାହ୍ମଣ ଘରେ ଡାଲି ଭାତ-। ମୁଣ୍ଡରେ ତେଲ ଲାଗିବ ନାଇଁ । ବିଭା ହେଲେ ନାଇଁ । ଶହେଦୁଇ ଡିଗ୍ରୀ ଜର ଥିଲେ ବି ଚାଲି ଚାଲି ବୁଲିବେ, ବଣ ଜଙ୍ଗଲ ଘାଟି ପାହାଡ଼, ଦିନକୁ ଦଶକୋଶ ନାଇଁ ପନ୍ଦରକୋଶ ନାଇଁ, ଯେଡ଼େ ବଡ଼ ବାଘ ଭୟ ହେଇଥାଉ, ହାତୀ ଭୟ ହେଇଥାଉ, ଏକୁଟିଆ ଚାଲି ଚାଲି ବୁଲିବେ ଗାଁକୁ ଗାଁ । ଲୋକଙ୍କ ଭଲ ମନ୍ଦ ବୁଝିବାକୁ ତାଙ୍କୁ ବାର ସହେ ନାହିଁ । ଧେଡ଼େଙ୍ଗା ହାଡ଼ୁଆ ଧିଅରେ କୁଆଡ଼ୁ ଏତେ ବଳ ଆସେ କେଜାଣି, ଖାଲି ଦିଟା ହାତେ ହାତେ ଲମ୍ବା ଚଟା ଚଟା ପାଦ, ତା ତଳେ ଯେ କେତେ ଆଁ କେତେ ଫାଟ କହିଲେ ନ ସରେ । ବରଷା ହଉ, ଶୀତ ହଉ ଖଣ୍ଡିଏ ଖଦଡ଼ ଚାଦରଠୁ ଦିଖଣ୍ଡ ନାଇଁ । ଶୁଆ ବି ଯୋଉଠି ମନ ସେଇଠି, କେତେବେଳେ ଗଛତଳେ ତ କେତେବେଳେ ଦିପାଖେ ବିଲ ମଝି ହିଡ଼ରେ, ଯୋଉଠି ଯାହା । ସାପକୁ ଭୟ ନାହିଁ କି ରୋଗକୁ ଭୟ ନାହିଁ । ଗୋଟାଏ ଲୋକ, ଲୋକଙ୍କୁ ବୁଝେଇ ମତେଇ ମାଗି ମାଗି କାହିଁ ଚାଳିଶ ହଜାର ଏକର ଜମି ସଂଗ୍ରହ କଲେଣି, ଜମି ନ ଥିବା ଲୋକଙ୍କୁ ବଣ୍ଟାହେବ ବୋଲି । ସତୁରିଖଣ୍ଡ ଗାଁର ଲୋକେ ସବୁ ସମ୍ପତ୍ତି ସବୁ ଜମି କୋଠ କରିଦେଲେଣି, ଯେପରିକି ଟିକିଏ ଟିକିଏ ସମସ୍ତେ ଖାଇ ବଞ୍ଚିବେ । କାଇଁକିନା ଲୋକଙ୍କର ସୁଖଦୁଃଖକୁ ସେ ନିଜର କରିଚନ୍ତି । ଚନ୍ଦ୍ରପୁର ବାଘହାତୀଙ୍କ ମାଳ ହେଇଚି ସତେକି ତାଙ୍କ ଚଲାବାଟ । ସେଠି ହେଲାଣି ପଚାଶ ଖଣ୍ଡ ସର୍ବସ୍ୱଦାନ ଗାଁ । ଯୁଆଡ଼େ ପହଞ୍ଚିଲେ ଲୋକେ ଗଦା ହେଇପଡ଼ନ୍ତି । ଛୁଆ ବୁଢ଼ା ସ୍ତ୍ରୀ ପୁରୁଷ ସମସ୍ତେ ଡାକନ୍ତି ‘ଆଜ୍ଞା’, ଆଉ ଅନ୍ୟ ନାଁ ନାହିଁ ।

 

କିନ୍ତୁ ପଡ଼ିଥିଲା ଶିବଭାଇ କଥା, ବାକି ସବୁ ଯେପରିକି ତାର ପୃଷ୍ଠପଟ ।

 

ଅପା କହୁଥିଲେ–ତା’ର କିଛି ପରିବର୍ତ୍ତନ ଦେଖାଯାଇଛି । ବମ୍ବେଇ ଆଡ଼ର କେଉଁ ଏକ ଠକ କୁମ୍ପାନୀ ଡାକରେ ତା’ର ଜାଲ ବିଛେଇ ଦେଇଛି । ଟଙ୍କାଏ ଦେଇ ସେ କୁମ୍ପାନୀର କୁପନ୍ ଖଣ୍ଡେ କିଣ ଆଉ କାହାଠୁ ସେ କୁପନ୍‌ରେ ନିଜ ନାଁ ଲେଖି କୁମ୍ପାନୀ ଠିକଣାରେ ଡାକରେ ପଠାଅ । କୁମ୍ପାନୀ ପଠେଇବ ନଅଟଙ୍କାର ‘ଭି: ପି:’ । ନଟଙ୍କା ଦେଇ ଡାକଘରୁ ମୁକୁଳେଇ ନିଅ । ଦେଖିବ ତହିଁରେ ଅଛି ଏକ ଫାଉଣ୍ଟେନ୍ ପେନ୍, ପ୍ଳାଷ୍ଟିକ୍ ତିଆରି ପଇସାରଖା ମୁଣି, ଦଶଟି ଟଙ୍କାକିଆ କୁପନ୍-। ସେ କୁପନ୍ ଦଶଟିକୁ ଅନ୍ୟ ଦଶଜଣଙ୍କୁ ଭାଲୁ ଧରେଇ ଆପେ ଖର୍ଚ୍ଚ କରିଥିବା ଦଶଟଙ୍କା ସଂଗ୍ରହ କର । ପୁଣି ସେମାନେ ପ୍ରତ୍ୟେକେ କମ୍ପାନୀକୁ କୁପନ୍ ପଠାଇ ନଟଙ୍କା ଲେଖାଏଁ ଖର୍ଚ୍ଚ କରି ଭି ପି: ମୁକୁଳାନ୍ତୁ–ତହିଁରେ ଥିବା ଫାଉଣ୍ଟେନ୍ ଓ ପଇସାମୁଣି ଓ ଦଶଟି କୁପନ୍ ବୁଝିପାଆନ୍ତୁ । ବେଶ୍ ଭଲ ଫିକର ! ଶିବଭାଇ ବି ଏ ଫିକରରେ ଧରାପଡ଼ିଛି । ଟଙ୍କାକର କୁପନ୍ କେଉଁଠୁ କାହାପାଖରୁ ହାଟରୁ କିଣିଆଣିଲା, ତା ପରେ ନ ଟଙ୍କା ଦେଇ ଭି.ପି: ମୁକୁଳେଇଲା । ଦଶଟଙ୍କା ଖର୍ଚ୍ଚକରି ତା ବଦଳରେ ଗୋଟାଏ ନକଲି ଫାଉଣ୍ଟେନ୍ ପେନ୍, ତା ଦାମ୍ ଟଙ୍କାଟାଏ ହେବ କି ନାହିଁ ଓ ପ୍ଳାଷ୍ଟିକର ଖଣ୍ଡେ ଟିକି ନାଲିଆମୁଣି, ବଜାରରେ କିଣିଲେ ଛଅଣା ଦି ପଇସା, କିନ୍ତୁ ସେତିକିରେ ଶିବ ଭାଇର ଆନନ୍ଦ କାହିଁରୁ କ’ଣ । ଫାଉଣ୍ଟେନ୍‌ଟି ମାରିବ ବୋଲି ସେ ରାୟଗଡ଼ା ବଜାରରୁ ତିନିଟଙ୍କା ଦେଇ ଗୋଟାଏ ଅଧାହାତ ହଳଦିଆ କୁରୁତା କିଣି ନେଇଛି । ସେଟା ତା ଦେହକୁ ପାଉନାହିଁ, କୌଣସିମତେ ଟାଣିଓଟାରି ଭର୍ତ୍ତି କରୁଛି; କିନ୍ତୁ ଛାତି ବୋତାମ ଖୋଲାରହୁଛି । ସେ ଏକ ଦୃଶ୍ୟ । ଟଙ୍କାକର ନୋଟ୍ ପଶି ପ୍ଳାଷ୍ଟିକ୍‌ର ନାଲିଆ ମୁଣିଟି ବି ସେହି ହଳଦିଆ କୁରୁତା ପକେଟ୍‌ରେ ରହୁଛି । ସେ ଲେଖି ଜାଣେନାହିଁ । ଫାଉଣ୍ଟେନ୍‌ ପେନ୍ ମିଳିଲା ପରେ ଲଗେଇଛି ସେ ପାଠପଢ଼ିବ । ପିଲାଙ୍କ ସାଙ୍ଗରେ ବସି ଅ ଆ ଚାରିଟା ବି ଶିଖି ସାରିଲାଣି, ସେଇଆକୁ ଗାରେଇବ ବୋଲି ଫର୍ଦ୍ଦ ଅଣାଏ ଲେଖା ଦେଇ ରାୟଗଡ଼ାରୁ ଚାରିଫର୍ଦ୍ଦ କାଗଜ କିଣିନେଇଛି । ପ୍ଳାଷ୍ଟିକ୍‍ର ନାଲିମୁଣିର ସେ ବ୍ୟବହାର ପରୀକ୍ଷା କରୁଛି । ଟଙ୍କାକିଆ ନୋଟ୍‌ ଛଡ଼ା କେତେବେଳେ ତହିଁରେ ଧୂଆଁପତ୍ର ଗୁଣ୍ଡ ଟିକିଏ, କେତେବେଳେ ତା’ର ଶାଳଗଛ କୋଷାପୋକ ଖୋଳପାର ଝକମକି ଖୋଳଟି ରଖିଦେଉଛି । କିନ୍ତୁ ଧୂଆଁପତ୍ର ପିକା ତ ରହେ ତା କାନ ସନ୍ଧିରେ, ମୁଣ୍ଡବାଳ ଭିତରେ, ଅଣ୍ଟାରେ । ଫାଉଣ୍ଟେନ୍ ପେନ୍ ଓ ନାଲିମୁଣି ହୋଇଛି ଡୁମ୍ରିଗୁଡ଼ାର ଏକ ଘଟନା । ତା’ର ନଅଟା କୁପନ୍ ବିକିବାକୁ ଶିବଭାଇ ୟାକୁ ତାକୁ ଗୋଡ଼ାଉଛି, କେହି ମଙ୍ଗୁ ନାହାନ୍ତି, କାରଣ ଅପା ଗାଳିଦେଉଛି, ଶିବର ସ୍ତ୍ରୀ ମୁକ୍ତା ଗାଳି ଦେଉଛି । ଶିବ ଛଳ କରୁନାହିଁ, କହୁଛି ‘ପଇସା ଦେଇ ଜିନିଷ ପାଇଲି ତ !’ କେହି ତାକୁ ଠକିଛି କି ଠକିପାରେ, ଏକଥା ତା’ର କଳ୍ପନାରେ ପଶୁନାହିଁ । କହୁଚି, ‘‘କାହିଁକି କିଏ ଆମକୁ ଠକିବାକୁ ଯିବ ? ଆମେ କାହାର କିଛି ଅନିଷ୍ଟ କରିଥିଲେ ନା ?’’ ଆପଣାକୁ ମାନ୍ୟାର୍ଥେ ‘ଆମେ’ ଛଡ଼ା ‘ମୁଁ’ ବୋଲି ସେ କେବେ କହିପାରେ ନାହିଁ । କୁକୁରକୁ ବି କହେ ‘ତୁମେ’ ।

 

ମୁକ୍ତା ପୁଣି ତା ପାଇଁ ଆଉ ଗୋଟିଏ ସ୍ତ୍ରୀ କେଉଁଠୁ ଧରିଆଣିଛି । ଗତ ସାତବର୍ଷ ହେଲା ମୁକ୍ତାର ଗୋଟାଏ ଜିଦି ଲାଗିଛି ତା’ର ସ୍ୱାମୀ ଆଉ ଗୋଟାଏ ବାହାହେଉ । ସେ ଆଉ କାମକୁ ପାରୁନାହିଁ, ତା ସାଙ୍ଗକୁ ଆଉ ଜଣେ ସାହା ଲୋଡ଼ା । କିନ୍ତୁ ମୁକ୍ତାର ହୋଇ ହୋଇକୁ ଶିବର ନାହିଁ ନାହିଁ । ଏ ଝିଅଟି ପନ୍ଦର ବର୍ଷର, ତା’ର ପିଲାଖେଳ ସରିନାହିଁ । ମୁକ୍ତା ତାକୁ କ’ଣ ବୁଝେଇଛି ଯେ, ସେ ତାର ଘର ଛାଡ଼ୁ ନାହିଁକି ବାପମାଙ୍କୁ ମନେପକାଉ ନାହିଁ । ଶିବ କାଳେ ଗାଳିଦେବ, ମାରି ଗୋଡ଼େଇବ ବୋଲି ସେ ଆସିବା ବେଳତକ ମୁକ୍ତା ତାକୁ ପଡ଼ିଶା ଘରେ ଲୁଚେଇ ରଖିଦିଏ, ଏଣେ ଶିବକୁ ତା’ର ଗୁଣଗ୍ରାମ କଥା ବୁଝାଇ ଲାଗିଥାଏ । ଶିବ ତଥାପି ଦବି ନାହିଁ, କିନ୍ତୁ ମୁକ୍ତା ଆଶା କରିଛି କାଳେ ସେ ବଦଳିବ ପରା । ବାରମ୍ବାର ଅପା ପଛରେ ଲାଗିଛି, ‘‘ଅପା, ତୁମେ ଟିକିଏ କହ, ତୁମ କଥା ସେ ରଖିବ । ମୁଁ କହିଲେ ସେ କ୍ଷେତକୁ ପଳୋଉଛି । ଥରେ କ୍ଷେତକୁ ବି ସେ ଟୋକୀକୁ ସାଙ୍ଗରେ ନେଇ ତା ପାଇଁ ମାଣ୍ଡିଆ ପେଜ ନେଇ ଯାଇଥିଲି । ଯେମିତି ତାକୁ ଦେଖିଲା କହିଲା-ମୁଁ ପର୍ବତକୁ ଯାଉଛି, ସେଠି ହରଡ଼ ଫସଲ ମାଙ୍କଡ଼ ଖାଇ ଯାଉଛନ୍ତି, ଜଗିବି । ସେଠିକି କେହି ଆସିବ ନାହିଁ, ଜାଣିଥା । ଏମିତି ଲାଗିଛି ପାଲା ସେଠି, ମଣିଷ କେତେ ହସିବ ! ସେ ଝିଅଟାର ବି ଯେପରି ଏ ଲୁଚୁକାଳି ଖେଳ ଭାରି ମନକୁ ପାଇଛି । ସେ ହସି ହସି ଗଡ଼ୁଛି । ସୁନ୍ଦର ଝିଅଟିଏ, ବଡ଼ ହେଲେ ମଝବୁତ୍ ମାଇପିଟିଏ ହେବ । ତାକୁ ବର ଅପ୍ରାପତ ନୁହନ୍ତି । କିନ୍ତୁ ସେ ସତେ କି ପାର୍ବତୀଟିଏ, ଏଇ ଶିବହିଁ ତାର ଦରକାର । ଆଖିରେ ଲୁହ ଟଳ ଟଳ କରେ । କେହି ନଥିଲାବେଳେ ଅପାଙ୍କ ଦେହକୁ ଆଉଜି ଯାଇ କହେ, ‘‘ସେହି ଏକା ମୋର ଲୋଡ଼ା ଅପା, ତାକୁହିଁ ମୋର ମନ, ଆଉ କାହାକୁ ନୁହେଁ-।’’ ‘‘ଆଲୋ ତୁ କେଡ଼େ ଫାଙ୍ଗୁଳିଟାଲୋ, ତାର ପିଲାଝିଲା ରହୁ ନାହାନ୍ତି ବୋଲି ସିନା, ନ ହେଲେ ତୋଠୁ ବଡ଼ ହୁଅନ୍ତାଣି ତା ବଡ଼ ଝିଅ ।’’ ‘‘ନାଇଁ ସେହି ଏକା ମତେ ଲୋଡ଼ା ଅପା ।’’ ‘‘ହଇଲୋ ପାଗଳୀ, କ’ଣ ଦେଖି ତା ଆଡ଼କୁ ତୋ ମନ ଢଳିଚି ?’’ ଏଡ଼େ ଭଲ ଲୋକଟିଏ କିଏ ଅଛି ଏ ଖଣ୍ଡକରେ ଅପା, ପରର ଉପକାର କରି କରି ବୁଲୁଥିବ, ସବୁବେଳେ ହସୁଥିବ, ଥକିବ ନାଇଁ-। ଆପେ ତ ଟୋପାଏ ନିଶା ଛୁଇଁବ ନାହିଁ, ଗାଁକୁ ଗାଁ କହି ବୁଲୁଥିବ, ନିଶା ଛୁଅଁ ନାହିଁ, ଗୋରୁ ଖାଅ ନାଇଁ, କପା ଲଗାଅ, ସୂତା କାଟ, ଗାଁ ସଫାରଖ, ପିଲାଙ୍କୁ ଇସ୍କୁଲକୁ ପଠାଅ, ନ ଥିବା ଲୋକଙ୍କୁ ସାହାଯ୍ୟ କର, କଳି କରନାହିଁ । ସବୁ ମଣିଷ ଭାଇ ଭାଇ । ଏମିତି କେତେ କଥା । ଶୁଣିବାକୁ କେଡ଼େ ଭଲଲାଗେ ଅପା ! ମନ ହଉଚି, ମୁଁ ବି ସେମିତି କାମ କରନ୍ତି । ଲୋକେ ତାକୁ କେଡ଼େ ଶରଧା କରନ୍ତି, କେଡ଼େ ମାନନ୍ତି । ଯୋଉ କଥାକୁ ଆଗ ହେଲେ ସେ ତା ପଛକୁ ସିନା ଲଚିଗା ଭଲ ବୁଦ୍ଧିଦବାକୁ ସେ–’’

 

‘‘ତତେ କିଏ ଏତେ ପାଠ ପଢ଼େଇଚିଲୋ ? ମୁକ୍ତା ପଢ଼େଇଚି କି ?’’

 

‘‘ମୁକ୍ତା କାହିଁକି ପଢ଼େଇବ ମ, ମଣିଷ ନିଜେ କ’ଣ ଜାଣିମ ନାଇଁ ? ହେଇ ତେମେ ଯେମିତି କହିଥାଅ ଭଲକଥା ! ଭଲ ବୁଦ୍ଧି କେହି ଶିଖାନ୍ତି ନାଇଁ, ତା ମନକୁମନ ଆକାଶରୁ ଝଡ଼ିପଡ଼େ–ଯେମିତି ଆଲୁଅ, ଯେମିତି ପବନ, ଯେମିତି ସତ୍‌ଜ୍ଞାନ, ମୁଁ ସେମିତି ଶିଖିଲି ଅପା ।’’

 

‘‘ଭଲକଲୁ, ଆଚ୍ଛାକଲୁ, ବେଶ୍‍କଲୁ, ହଉ କରୁଥା ତୋ ତପସ୍ୟା, କାଳେ ତା ମନ ତରଳିବ, କିଏ କହିପାରେ । ସେ ଯୋଉ ଏକବାଗିଆ ଲୋକ ଯେ, କହିଲେ ନ ସରେ– ।’’

‘‘ତମେ ଟିକିଏ କହନ୍ତ ନାଇଁ ଅପା, ତମ କଥାରୁ ସେ କ’ଣ ବାହାର ହେବ ?’’

ଅପା ହସି ହସି ଫାଟିପଡ଼ୁଥିଲେ, କହୁଥିଲେ, ‘‘ଦେଖ୍ ତ, ତାର କେଡ଼େ କଥା ମତେ କହୁଚି କହିବାକୁ–ଆଉ କାହାକୁ ପାଇଲାନାଇଁ ! ୟେତ ବଣଦେଶର ଝିଅ, ଆଉ ସହରିଆ ଝିଅ, ପାଠୁଆ ଝିଅମାନକୁ ଅଧିକ କ’ଣ କହିବା ?’’

‘‘ସବୁ ଝିଅ ସମାନ ଅପା, ସେ କହିଲେ, ମନଟା ଠିକ୍ କରି ପକେଇଲେ ଦଶବର୍ଷର ଝିଅ, ପଚାଶବର୍ଷର ବୁଢ଼ୀ ପରି କଥା କହେ ।’’

‘‘କେଜାଣି ଲୋ ।’’ ଅପା ହସୁ ହସୁ ହଠାତ୍ ଯେପରି କି ଅଟକିଗଲେ । ତା ପରେ କଥା ବୁଲେଇ ଦେଇ କହିଲେ, ‘‘ଯାହାକହ, ଭାରି ସରଳ ନିଷ୍କପଟୀ ଏମାନେ । ବିକାର ସିନା ପାପରୁ ଆସେ, ଏ ମନରେ ପାପ ନାଇଁ କି ବିକାର ନାଇଁ, ଝରଣା ପାଣି ପରି ମେଲା ଖୋଲା ଆଉ ପରିଷ୍କାର ।’’

ମେଲା ଖୋଲା ସତ । କାଲିକା କଥା–ଚନ୍ଦ୍ରପୁର ଫେରନ୍ତି ଡାଙ୍ଗସୁରୁଡ଼ା ଟପି ମତ୍ରାଗୁଡ଼ି ଗାଁ । ସେ କରେ ବଂଶଧାରା ନଈ ପାରିହେଲାବେଳେ ପଛକୁ ଅନେଇ ଦିଏ ତ କନ୍ଧଲୋକେ ନଈ ପାରିହେଉଛନ୍ତି । ଜଙ୍ଘତଳକୁ ପାଣି । ଦେହରେ ଲୁଗା ତ ନ ଥିଲା, ଖାଲି ଚାରିଆଙ୍ଗୁଳିଆ କୌପୁନୀ ଖଣ୍ଡେ ଖଣ୍ଡେ । ତିନ୍ତିଯିବ ବୋଲି ତାକୁ ବି ଖୋଲି ଦେଇ କାନ୍ଧରେ ପକାଇ ଦେଇଛନ୍ତି । ଆଗରୁ ହୁସିଆର୍–ପାଣି ପଛେ ଜଙ୍ଘତଳୁ ଉପରକୁ ନ ଉଠୁ । ଖୋଲା ଦେହ ପିଲା ଦେହ ପରି ଲଙ୍ଗଳା । ନାଲି ଖରାରେ ଆହୁରି ପିଲାଳିଆ ଦିଶୁଛି । ନିଶଦାଢ଼ି ଲମ୍ବେଇ ନିର୍ବିକାର ଭାବରେ ବେଶ୍ ଆମ ମୁହଁକୁ ଅନେଇଁ ଅନେଇଁ କଥା ଗପି ଗପି ଆସୁଛନ୍ତି । ହେତୁ ନାହିଁ ଯେ ଦେହକୁ ଲୁଗା ଦରକାର । ଆଉ ଜଳତର ହାଟରେ ଲାଞ୍ଜିଆ ସଓରା ଝିଅମାନେ, ନୂଆଲୋକ ଓ ମଟରଗାଡ଼ି ଉଭୟ କୁତୂହଳ-। ଦେଖିବାକୁ ପାଖକୁ ଆସି ଚାରିକରେ ବେଢ଼ିଯାଇ ଠେଲାଠେଲି କରୁଥିବେ, ଅଣ୍ଟା ଉପରକୁ ଆବରଣ ନାହିଁ, ଅଣ୍ଟାତଳେ ହାତେ ଓସାର ବେଢ଼ା । ତାଙ୍କୁ ଦେଖିଲେ ବି ଭୁଲରେ ସୁଦ୍ଧା ମନରେ କାହାରି ବିକାର ଆସେନାହିଁ, ବରଂ ଲାଗେ ଅଯଥା ଏଇ ସରଳ ସାଧାରଣ ମଣିଷ ଦେହ ଉପରେ ନାନା ପ୍ରକାର ଆଚ୍ଛାଦନ ଖଞ୍ଜି ଭାଗ ଭାଗ କରି ଦେଖାଇ ଲୁଚାଇ ମଣିଷ ଏକ ବିକାରଗ୍ରସ୍ତ ଅସୁସ୍ଥ କୁତୂହଳ ଗଢ଼ୁଛି । ଖୋଲା ଦେହ ଭିତରେ ଖୋଲା ମନ । ଯାହା ଭାବେ, ତାହା କହେ । ତେଣୁ ଧରିଚି ଅପାକୁ ।

‘‘ଧରିଲେ କଣ ହେବ ? ଭାରି ଏକବାଜିଆ ଲୋକ ସେ ଶିବ ଭାଇ । ତା ନାଁ ଦେଇଛନ୍ତି ପରା ବଣୁଆହାତୀ ! ମୁକ୍ତାର ଭାଇ ବିଶ୍ୱନାଥ କନ୍ଧ ଯେତେବେଳେ ଭେଣ୍ଡା ବୟସରେ ମରିଗଲା, ଶିବ ଭାଇ କହିଲା, ସେ ପୁଣି ଜୀଇଁବ । ଆରେ ବାଃ, ଆଶ୍ରମ କାମ ଆରମ୍ଭ ହେଉଚିକି ନାହିଁ, ଅଧାରୁ ଫୋପାଡ଼ି ଦେଇ ଏ ଘଟଭାଙ୍ଗି ପୁରୁଣା ଘଟ ଧରିବାକୁ ସେ ଖସି ଚାଲିଯିବ ? କଦାପି ହେବନାହିଁ । ତେବେ ଏ କାମ ସେ ଆରମ୍ଭ କଲା କାହିଁକି ? ସମସ୍ତେ ତ ନିଦରେ ଶୋଇଥିଲେ, ସେଇ ଆଗ ଦିଅକ୍ଷର ପାଠପଢ଼ି ଖବରକାଗଜ ପଢ଼ି ଅନ୍ୟ ଗାଁରେ ଏମିତି ଆଶ୍ରମ କାମ ଚାଲିଚି ବୋଲି ଆମକୁ ବୁଝେଇ ଜଗନ୍ନାଥ ଆଜ୍ଞାକୁ ଚିଠି ଲେଖି ତାଙ୍କ ପାଖକୁ ଯାଇ ତାଙ୍କୁ ଏ ଗାଁକୁ ଆଣିଲା, ପୁଣି ଗମାର ପୁଅ ନୀଳକଣ୍ଠ ଭାଇକି ଆଣିଲା । ପୁଣି ଆଜ୍ଞା ସାଙ୍ଗରେ ପଦାଦେଶକୁ ଯାଇ କାନ୍ଦି ବୋବେଇ ଗଡ଼ି ଏ ଗାଁରେ ବି ଆଶ୍ରମ ବସାଅ ବୋଲି ଝଗଡ଼ିଲା । ତା ପରେ ଆଶ୍ରମ ବସିଲା ଏ ଗାଁରେ । ଅପା ଆସିଲା । ପୁଣି ଢାମିଣିଗାଁରେ ଦୁର୍ଗାପାଖେ ପୁର୍‌ଝିଗୁଡ଼ା ପାହାଡ଼ ତଳେ ମୁର୍‌ତୁଲୀରେ, ପୁଣି ଜାମ୍ବୁଗୁଡ଼ା ବଣ ଭିତରେ । କାହିଁକି ଏ ନାଟ ଲଗେଇଲା ? ସେତେବେଳେ ତାକୁ କହିଥିଲି, ତୁ ମୁକୁତାର ଭାଇ ହେଇଥିଲୁ ଏବେ ଦେଶଯାକର ଭାଇ ହେଲୁ, ତୁ ଯୁଆଡ଼େ ମୁଁ ସିଆଡ଼େ । କାହିଁକି ଏ ମାୟାଡୋରି ଲଗେଇ ଦେଲା ? କଣ ଏମିତି ଅଧାରୁ ଖସି ପଳେଇବା ପାଇଁକି ? ତେଣୁ ମୁଁ ମଧ୍ୟ ପ୍ରତିଜ୍ଞା କରୁଚି ତାକୁ ପୁଣି ସାଙ୍ଗରେ ନେଇକରି ଆସିବି । ସେ ନଆସିବାଯାକେ ମୁଁ ଏ ଗାଁକୁ ଆଉ ଫେରିବି ନାଇଁ କି ଖାଦି ଖାଇବି ନାଇଁ, ଏଇ ପର୍ବତରେ ଯାଇ ତପସ୍ୟା କରୁଥିବି । ଦେଖ ଚାଲିଲି ମୁଁ ଡଙ୍ଗରକୁ-ତୁମେ ମତେ ଅଟକାଅ ନାହିଁ ।’

‘‘ଆରେ-ଆରେ-ଆରେ କ’ଣ କହୁଚିରେ ଶିବଭାଇ । ଶୁଣ ୟା କଥା, ତପସ୍ୟା କଲେ ମଲାମଣିଷ, ପୋଡ଼ା ହୋଇସାରିଲା ମଣିଷ ପୁଣି ଜୀଇ ଉଠିବ ?’’ ସମସ୍ତେ କହିଲେ ‘‘ଯେ ଗଲା ସେ ଗଲା, ଆମେ ଯେତେହେଲେ ଖଟିଖାଇବା ଲୋକ, ସକାଳୁ ଉଠିଲେ ଖାଇବା ଗଣ୍ଡାକ ଯୋଗାଡ଼ କରି ନ ବୁଲିଲେ ପେଟପାଟଣା ଚଳିବ ନାଇଁ । କିଏ କନ୍ଦାଖୋଳୁ କିଏ ଅବା ହଳ ବୁଲୋଉ, ତେଣୁ କାନ୍ଦି ବସିଲେ ଆମ କାମ ଚଳିବ ନାଇଁ । କାନ୍ଦିବାକୁ ମନଥିଲେ ମଲାଲୋକ ସାଙ୍ଗରେ ଆମେ ବି ମରିଯିବାର ଅଛି । ଯାଉ ବିଶ୍ୱନାଥ ବିଖ୍ୟାତ ‘ହୀକୋକା’ ଅର୍ଥାତ୍ ବଡ଼ସୁଆଁ ଗୋତ୍ରରେ ତାର ଜନ୍ମ । ‘ହୀକୋକା’ ବଂଶ ପବିତ୍ର ହେଲା ତାର ସାଧନାରେ, ତାର କାର୍ଯ୍ୟରେ । ଆଉ ତା ପାଇଁ ଶୋକ କରି କ’ଣ ହେବ ଶିବ ?’’

‘‘କିଏ ଶୋକ କରୁଚି ?’’ ନାଲି ଆଖି ଦେଖାଇ ଶିବଭାଇ କହିଲା । ଶୁଣିନ ‘ବାପା’ କହନ୍ତି, କର୍ମମୟ ଜୀବନରେ ଶୋକ ପାଇଁ ଅବସର ନାହିଁ, ଶୋକ ଏ ଆତ୍ମାକୁ ସାନ କରିଦିଏ । ଆଉ ଜାଣିଥା ମୁକ୍ତା, ମୁଁ ମଲେ ତୁ ମୋ ପାଇଁ ଶୋକ କରିବୁ ନାଇଁ, ମନକୁ ଖୁସି ରଖିବୁ, ମନ ହେଲେ ଆଉ ଜଣକୁ ବାହାହେବୁ, ମୁଁ ଯେଉଁଠି ଥାଏ ଭାରି ଖୁସିହେବି । ତୁ କାନ୍ଦିଲେ ମୋ ଆତ୍ମା ଛଟପଟ ହେବ, ତୁ ହସୁଥିଲେ ମନ ଖୁସିରେ ମୁଁ ଉଡ଼ୁଥିବି ବୁଲୁଥିବି, ମେଘ ନ ହେଲେ ମେଘଢାଳିବି, ପାଚି ନ ହେଲେ ପାଚି ଅଜାଡ଼ି ଦେବି । ‘ବାପା’ ଗୀତା ବୁଝାନ୍ତି, କହନ୍ତି, ଏ ଆତ୍ମା ଗୋଟିଏ ନୁହେଁରେ କୋଟିଏ, ସବୁ ଆତ୍ମା ମିଶି ଏକ ପରମବ୍ରହ୍ମ, ମହାସମୁଦ୍ର । କହନ୍ତି, ସାଧନା କଲେ ଅସମ୍ଭବ କିଛି ନାହିଁ । ଇଂରେଜି ଲୋକେ ଆମ ଦେଶ ଛାଡ଼ି ଯେ ଚାଲିଗଲେ ସେ ତ ଛୋଟିଆ କଥା, ସାଧନା କଲେ ଯୁଗ ଓଲଟି ଯିବ, ସତ ଉପୁଜିବ, ସ୍ୱାର୍ଥ କଟିଯିବ । ଦେଖନା କେମିତି ସାଧନା ବଳରେ କଳି ତୁଟୁଚି । ସତ୍ୟଯୁଗର ସିନ୍ଦୂରାଫାଟୁଚି । ଲୋକେ ମନକୁ ମନ ଜମି ଦେଉଛନ୍ତି, ଯେମିତିକି ଭୂମି ନ ଥିବା ଲୋକ ଭୂମି ପାଇବ । ଗାଁକୁ ଗାଁ ସବୁ ଜମି ମିଶେଇଦେଇ ଏକାଠି କୋଠ କରି ଦେଉଛନ୍ତି । ଯେମିତିକି ଗାଁ ଯାକ ମିଶି ଗୋଟିଏ ପରିବାର । ସାଧନା କରି ତୁଚ୍ଛ ମଲାମଣିଷଟେ ଜୀଇଁ ପାରିବ ନାଇଁ ତମେ କହୁଚ ? ଚାଲିଲି ମୁଁ ଡଙ୍ଗରକୁ ।’’

‘‘ନାଇଁ, ନାଇଁ, ମଲାମଣିଷ ବଞ୍ଚେନାଇଁ ଶିବଭାଇ ।’’ କାନ୍ଦି କାନ୍ଦି କହିଲା ଚନ୍ଦ୍ରମା, ମୁକ୍ତାର ସାନ ଭଉଣୀ । ‘‘ଦୁଃଖରେ ତୋର ମୁଣ୍ଡ ବିଗିଡ଼ି ଯାଇଚି ସିନା, ମଲାମଣିଷ ବଞ୍ଚେ ନାଇଁ, ଭଙ୍ଗା ଖପରା ଏକାଠି କରି ମାଠିଆ ଗଢ଼ିହୁଏ ନାଇଁ, ତୁ କି ବାୟା ହେଲୁ? ଚାଲିଲୁ, ଲେଖିବା ଚିଠି ‘ବାପା’ଙ୍କ ପାଖକୁ, ନୂଆମା’ଙ୍କ ପାଖକୁ, କେମିତି ତୁ ତପସ୍ୟା କରି ମଣିଷ ବଞ୍ଚେଇବୁ । ନୂଆମା’ କହେ, ଫୁଲଟି ଫୁଟିବା କେଡ଼େ ସୁନ୍ଦର, ଫୁଲଟି ଝଡ଼ିବା ବି ସୁନ୍ଦର, କାରଣ ସେ ଈଶ୍ୱରଙ୍କ ଦୟା, ଈଶ୍ୱରଙ୍କ ଇଚ୍ଛା । କିନ୍ତୁ ମଣିଷ ଯଦି ସେ ଝଡ଼ିଲା ପାଖୁଡ଼ା ଏକାଠି କରି ତା ଉପରେ ମନ୍ତ୍ରପାଣି ଛିଞ୍ଚି ସେଇ ପୁରୁଣା ଫୁଲଟା ଗଢ଼ିବାକୁ ଚେଷ୍ଟା କରେ, ତେବେ ତା ସୁନ୍ଦର ନୁହେଁ, ଯେଡ଼େ ବଡ଼ କିମିଆବଳ ହେଉ ସେ, କାରଣ ସେ ସତ ନୁହେଁ । ଯାହା ସତ ନୁହେଁ, ତା ସୁନ୍ଦର ନୁହେଁ, କାରଣ ତା ଈଶ୍ୱରଙ୍କ ଇଚ୍ଛା ନୁହେଁ ।

ନୂଆମା’ ଜାଣିଚି, ତାର ପେଟର ପୁଅ ସିନା ଛାଡ଼ି ଚାଲିଗଲା, କୋଳର ପୁଅଝିଅ ଅଗଣତି । କେତେ ପୁଅ କେତେ ଝିଅ । ଅଦିନରେ ଫୁଲ ଝଡ଼ିବାର ଦୁଃଖ କ’ଣ ସେ ଜାଣିଚି । ଫୁଲ ଫୁଟିବାର ସୁଖ ବି ସେ ଜାଣିଚି । ସେଇଥିପାଇଁ ତ ଖାଲି ପାଦରେ ଚାଲି ଚାଲି ବୁଲନ୍ତି ସେମାନେ ନଈନାଳ ପାରିହୋଇ ବଣପାହାଡ଼ ଚାରିଆଡ଼େ, ନଇଲେ ସୁଖ କରନ୍ତେ ନାହିଁକି ? ‘ବାପା’ କହନ୍ତି ଈଶ୍ୱରଙ୍କ ଇଚ୍ଛା ସଙ୍ଗରେ ଆମ ଇଚ୍ଛାଟା ମିଳେଇ ପାରିଲେ ସିନା ଚିହ୍ନାଚିହ୍ନି ହେବ, ସୁଖ ଉପୁଜିବ, ନହିଲେ କେମିତି ? ତୁ ଆଉ ବାୟା ହ’ ନା ।’’

ୟେ କହିଲେ, ‘‘କନ୍ଧୁଣୀ ଝିଅ ଏମିତି ବ୍ରହ୍ମଜ୍ଞାନତତ୍ତ୍ୱ କହିପାରେ ଅପା ?’’

‘‘କହି ନ ପାରିବ କାହିଁକି ? ବ୍ରହ୍ମଜ୍ଞାନ ଫେର୍ କେଉଁଠୁ ଆଇଲା ? ଏଇ ମଣିଷଜ୍ଞାନ ତ-? ମଣିଷ ଆତ୍ମା କଥା ନ ଜାଣିଲେ ମଣିଷ ମଣିଷ ଆତ୍ମା ଭିତରର ସମାନପଣ ଜାଣିପାରିବ କେମିତି ? ସେ ସମାନପଣ ନ ଜାଣିଲେ ମଣିଷ ମଣିଷର ଭାଇପଣ କେମିତି ବୁଝିବ, ବୁଝେଇବ, ସ୍ୱାର୍ଥ କେମିତି କଟେଇବ, ଆଲୁଅ କେମିତି ଲଗେଇବ ?’’

‘‘ରାଜନୀତିରେ ବ୍ରହ୍ମଜ୍ଞାନ ?’’

‘‘ରାଜନୀତି ନୁହେଁ, ମଣିଷ ଭାଙ୍ଗି ପଡ଼ିଚି, ତାକୁ ଗଢ଼ିବା ନୀତି, ସତ୍ୟଯୁଗ ତିଆରି କରିବା ନୀତି, ରାଜନୀତିଠୁ ଏ କାହିଁ କେତେଦୂରରେ । ହଁ, କ’ଣ କହୁଥିଲିଟି, –ଆଗ ଆତ୍ମା କଥା ଜାଣିବା ଦରକାର । ତାକୁ ନ ଜାଣି ତମେ ଯେତେ ଗଢ଼ ସେ ଭୁଶୁଡ଼ି ପଡ଼ିବ । ଦେଖୁନା, ସେଇଥିପାଇଁ ବିପ୍ଳବୀ ଅରବିନ୍ଦ ଧରିଲେ ଆଧ୍ୟାତ୍ମିକ ସାଧନା । ଦେଶପାଇଁ କେତେ ଲୋକ ଏପରି ଭାବିଛନ୍ତି କହ ? ସେଇଥିପାଇଁ ସ୍ୱୟଂ ମହାତ୍ମା ଗାନ୍ଧୀ ଧରିଲେ ରାମଧୁନ୍ । ତାଙ୍କ ଜୀବନର ଶ୍ରେଷ୍ଠତମ କାର୍ଯ୍ୟ ସେ । ଶେଷରେ ଏପରି ସଞ୍ଚରିଗଲା ରାମନାମ ତାଙ୍କଠି ଯେ ଗୁଳି ଯେତେବେଳେ ବାଜିଲା ସେ ଘଟରୁ ବାହାରିଲା ରାମ ରାମ । ଆଉ ଏଇ ଯେ ବାବାଜି ଏଡ଼େ ଆଶାରେ ଲାଗିପଡ଼ିଛି ସତ୍ୟଯୁଗ ତିଆରି କରିବାରେ, ଯାହା ଦେହରେ ସବୁ ରାଜନୀତି ଏକାଠି ରୁଣ୍ଡ ହୋଇ ଲାଗିଯାଉଛି ଶିବଙ୍କ ଦେହରେ ପାଉଁଶ ପରି, ସେ ତ ବିଶୁଦ୍ଧ ବାବାଜି ।’’

‘‘ମଣିଷ ଆତ୍ମା କଥା ନ ଜାଣିଲେ ମଣିଷ ମଣିଷ ଆତ୍ମା ଭିତରର ସମାନପଣ ଜାଣିପାରିବ କେମିତି ?’’

ଭଗବାନ୍ ବୁଦ୍ଧ ବି ସେ କଥା କହୁଥିଲେ । ସେ ଥିଲେ ବେନାୟିକ, ମହାବିପ୍ଳବୀ । କହିଥିଲେ ଭଗବାନ୍ ଶ୍ରୀକୃଷ୍ଣ ବି, ଗୀତା କହିଥିଲେ । ମହାପୁରୁଷହିଁ ଯୁଗପ୍ରବର୍ତ୍ତକ । ଯେଉଁ ରାଜନୀତିର ଅର୍ଥ କୂଟନୀତି ସେ ତ ପିଶାଚ ନୀତି, ସେ ମନୁଷ୍ୟନୀତି ନୁହେଁ ।

ମୁଗ୍‌ଧ ହୋଇ ସମସ୍ତେ ତାଙ୍କ କଥା ଶୁଣୁଥିଲେ ।

‘‘ତେବେ ଚନ୍ଦ୍ରମା ତ ସାଧାରଣ କନ୍ଧୁଣୀ ଝିଅ ନୁହେଁ !’’ ଅପା କହିଲେ, ‘‘ସେ ବିଶ୍ୱନାଥର ଉପଯୁକ୍ତ ଭଉଣୀ । ଆପଣା ଜାତିର ଉନ୍ନୟନ କାର୍ଯ୍ୟ କରିବାପାଇଁ ଜୀବନଟାକୁ ଉତ୍ସର୍ଗ କରିଛି । ସେଥିରେ ବାଧାଆସିବ ବୋଲି ବିଭା ବି ହେଲାନାହିଁ । ସମସ୍ତେ ଯେପରି କର୍ମୀ ଶିକ୍ଷାପାଆନ୍ତି, ସେ ବି ଶିକ୍ଷାପାଇଁ ଚାଲିଆସିଲା । କିନ୍ତୁ କେଡ଼େ ଚଞ୍ଚଳ ସବୁ କାମ ଶିଖି ପକାଇଲା ! ଗାଁ ପିଲାଙ୍କୁ ପାଠ ବି ପଢ଼ାଏ । ଓଡ଼ିଆ ପାଠ ଶିଖିଛି. ଓଡ଼ିଆ ପାଠରେହିଁ ତ ଭାଗବତ ପୁରାଣ ସବୁ ଅଛି, ତାର ଆଉ ଅଧିକା ଦରକାର କ’ଣ ?’’

ହଠାତ୍ ସେହି କାହାଣୀ ଭିତରୁ ଗୋଟିକିଗୋଟି ହୋଇ ବାହାରି ଆସୁଛନ୍ତି ରୂପ-ଯେପରି କି ଗୋଟିକୁ ସାମ୍ନାରେ ଟେକିଧରିଲେ ବଳେ ତା ପାଖରେ ଆଉ ପାଞ୍ଚଟି ବି ଆସିଯାଆନ୍ତି ଓ ସେମାନଙ୍କୁ ନ ଚିହ୍ନିଲେ ସେ ଗୋଟିକକୁ ବି ଚିହ୍ନିହୁଏ ନାହିଁ ।

କିନ୍ତୁ ପଡ଼ିଥିଲା ତାହାରି କଥା ।

‘‘ଚନ୍ଦ୍ରମା ମନାକରିବାରୁ ଶିବ କ’ଣ କଲା ଅପା ? ଶାଳୀର କଥା ରଖିଲା ?’’

‘‘ଶାଳୀର କଥାରେ ସେ ଶାଳଗଛ ବାନ୍ଧି ହୋଇ ପାରିଲା ନାହିଁ । କହିଲା, ‘‘ଚନ୍ଦ୍ରମା, ତୁ ଜାଣିନୋହୁଁ, ସାଧନା ବଳରେ ସବୁ ହୁଏ–ମଲା ମଣିଷଟାଏ ବଞ୍ଚାଇ ପାରିବା କ’ଣ ବଡ଼ କଥା ? ଆରେ ଆତ୍ମା କେବେ ମରେ ତୁ ଜାଣିଚୁ ? ଦେହଟା ସିନା ଫୋପଡ଼ା ହୁଏ, ଆତ୍ମାଟା ତ ଆଉ ଦେହ ନୁହେଁ, ମନହେଲେ ସେ ପୁଣି ଦେହଧରେ । ଆମେ ଖୋଜୁଚୁ ଆମ ବିଶ୍ୱନାଥଭାଇ ଯେମିତି ଚେହେରାର ଥିଲା, ସେମିତି ତା ଗାଁକୁ ଫେରିଆସୁ, ପାଠ ଶିଖୋଉ, ସୂତାକଟା ଶିଖୋଉ, ଗାଁ ଗାଁ ବୁଲି ଭଲ ବୁଦ୍ଧି ଦେଉ, ଗାଁ ଗାଁ ବୁଲି ସମସ୍ତଙ୍କ ସମ୍ପତ୍ତି ଏକାଠି ଠୁଳ କରି କରୁ ଏକ ପରିବାର-ଯେମିତି ସମସ୍ତେ ଭଲରେ ରହିବେ, ସମସ୍ତେ ବାଣ୍ଟି କୁଣ୍ଟି ଖାଇବେ, ଏ ଦେଶ ଉଜ୍ଜ୍ୱଳ ହେବ । ନ ହେଲେ କିଏ ସେ ଆମ କନ୍ଧମାନଙ୍କ ଭିତରେ ଏଡ଼େଟାଏ ଅଛି ? ତା’ର ଆତ୍ମାଟା ବଞ୍ଚିଛି, ବୁଲୁଥିବ ବାକି, ଖାଲି ନୂଆ ଖଦି ପରି ନୂଆ ଦେହଟେ ଦରକାର । ସେତିକି ହେଲେ ସେ ଚାଲିଆସିବ । ମାହାପୁରୁକୁ ମାଗିଲେ ସେ କ’ଣ ସେତିକି ହୁକୁମ କରିବ ନାହିଁ ? ନଇଲେ ସେ କାଇଁକି ମାହାପୁରୁ ନାଁ ଧଇଲା ? ତୁମେ ଆମେ କ’ଣ ମାହାପୁରୁ ହେଇପାରନ୍ତୁ ନାଇଁ ? ନାଁ, ତୁମେ ଦୁଃଖ କରନାଇଁ । ମୁଁ ଯିବି, ତପସ୍ୟା କରିବି । ମାହାପୁରୁ ବଳେ ଆମ ଡାକ ଶୁଣିବ । ସେ ବାପା ହେଇଚି–ଆମେ ଯେ ପିଲା । ସେ ପିଲାର ଡାକ ଶୁଣିବ ନାଇଁ ?’’

ଏଇ ସରଳ ବିଶ୍ୱାସରେ ସତେ ଅବା ଶିବ ଉଡ଼ିଆସି ଠିଆହେଲା ଆମ ପିଣ୍ଡାରେ । ପିଲାଏ ସେହି କଳ୍ପନାରେହିଁ ତ ମୁଗ୍‌ଧ ହୋଇ ବସିଥାନ୍ତି । ଟିକି ପିଲାମାନେ ଖୁଜୁବୁଜୁ ହେବା, କଳି କରିବା ବି ପାସୋରି ଯାଇଥାନ୍ତି ।

ଅପା କହିଗଲେ- ‘‘ଚନ୍ଦ୍ରମା ଆହୁରି କାନ୍ଦିଲା । ଶିବର ଶଶୁର ବୁଢ଼ା ନନ୍ଦ କନ୍ଧ, ଗାଁର ମୁଣ୍ଡିଆଳ–ସେ ଡେଙ୍ଗା ଗୋରା ପାକଲା ବୁଢ଼ା କାନ୍ଦି କାନ୍ଦି ଆକାଶକୁ ମୁହଁଟେକି କହିଲା- ‘ହେ ଧର୍ମ, ତୁଇ ଜାଣୁ । ପୁଅ ତ ମଲା- ଫେର୍‌ ଜୋଇଁଟିର ମୁଣ୍ଡ ଖରାପ କଲୁ । ବଣକୁ ପଳେଇବା ବାଘ ମୁହଁକୁ ଯିବା ଏକା କଥା ।’’ ଗାଁ ଲୋକ କେତେ ମନାକଲେ, କେତେ ବୁଝାଇଲେ-ସେ ଯାହା ଧରିଛି ସେଇଆ । ଗାଁ ସେପାଖେ ରେଲ୍ ଲାଇନ୍, ସେପାଖେ ଧାଡ଼ି ହୋଇ ଚାଲିଛି ପାହାଡ଼, ନିୟମଗିରି ପର୍ବତ ସଙ୍ଗେ ମିଶିଯାଇଛି । ବାଘର ଘର । ଦି ପାହାଡ଼ ମଝିରେ ପର୍ବତ ଉପରେ ଯେଉଁ ଟିକିଏ ଖାଲ ପରି ଦିଶେ, ଅରାଏ ଜାଗାରେ ବଣ ହାଣି ସଫା କରାହୋଇଛି, ଦି ଚାରିଟା ଝଙ୍କା ଝଙ୍କା ତେନ୍ତୁଳି ଗଛ ଅଛି, ସେହି ଅରାକ ଶିବର ହରଡ଼ ଲଗେଇବା ଜାଗା । ତା’ରି ଉପରେ ପାହାଡ଼ ତାଳୁରେ ଖଣ୍ଡେ ଚଟାପଥର ଅଛି, କତିକି ଲାଗିଆସିଛି ଭୀଷଣ ବଣ, କରକେ ପାତାଳ ଗହୀରରେ ଝୋଲା ଚାଲିଛି । ସେ ଚଟାଣରେ ବସିରହିଲା ଶିବ, ତେନ୍ତୁଳି ଗଛ ତଳେ । ଗାଁ ଲୋକ ଗଲେ, ତାଙ୍କୁ ଘଉଡ଼େଇ ଦେଲା । ଖିଆନାହିଁ ପିଆନାହିଁ, ହଲ୍‌ନାହିଁ ଚଲ୍‌ନାହିଁ-ଆଖି ବୁଜି ସେ ଲୋକଟା କାଠପରି ବସି ରହିଲା । ୟାରି ନାଁ ଶିବର ତପସ୍ୟା । ଏମିତି ସୋରିଷଫୁଲିଆ ଶୀତଦିନ । ସେ ଜାଗା ଏଡ଼େ ହେମାଳ ଯେ ରାତିରେ ପାଣି ଥାଳିଏ ରଖିଦେଲେ ସକାଳକୁ ସର ପଡ଼ି ଯାଇଥିବ । ଖଣ୍ଡେଦୂରରେ ବାଙ୍କ ଉହାଡ଼ରେ ପଲାମାରି ନିଆଁ ଜାଳି ଅର୍ଜ୍ଜୁନ, ଲଛମନ, ରାଧେନା ଆଉ ଗାଁର କିଛି ଲୋକ ଜଗିରହିଲେ, କିନ୍ତୁ ପାଟିତୁଣ୍ଡ ନାହିଁ, ଦେଖିଲେ ସେ ପୁଣି କୁଆଡ଼େ ଦଉଡ଼ି ପଳେଇବ । ପାଳି କରି ଜଗୁଥାନ୍ତି । କଥା ହୁରି ହେଇଗଲା । କେତେ ଲୋକ ଦେଖିବାକୁ ଧାଇଁ ଆଇଲେ । ଦୂରରୁ ଦେଖନ୍ତି, ଝୁଣାଧୂଆଁ ଦିଅନ୍ତି, ଦଣ୍ଡବତ କରନ୍ତି । ଲୋକେ ଭାବିଲେ କୋଉ ଦେବତା ତାକୁ ଆଶ୍ରା କରିଛି । ଚାରିଦିନ ଗଲା ପରେ ଲଛମନ ବାହାରକଲା ଏକ ଫସାଦ । ଗାଁ ପୂଜକ ଡ୍ରିମ୍ବା ଦିସାରିର ସାହାଯ୍ୟ ନେଲା । ବେଜୁଣୀ ବୁଢ଼ୀ, ଯାହାକୁ କୁଆଡ଼େ ଦେବତା ପ୍ରସନ୍ନ ହୁଏ, ସେ କାଳିସୀ ହୋଇ ନାଚେ–ସେ ବି ଦୁଆଦେଲା । ସେମାନେ କହିଲେ, ବିଶ୍ୱନାଥ ସପନେଇଚି, ଗାଁରେ ଅନାଚାର ହେଲା, ଶିବର ତପସ୍ୟା ବିଗିଡ଼ିଲା । ଆଉ ବିଶ୍ୱନାଥ ଆସିବ ନାହିଁ ।’ ସମସ୍ତେ ଏକାଠି ହୋଇଯାଇ ଶିବକୁ କହିଲେ । ସେ ଯେଉଁ ବିଶ୍ୱାସରେ ପର୍ବତ ଚଢ଼ିଯାଇ ବସି ରହିଥିଲା ସେହି ବିଶ୍ୱାସରେ ଗାଁକୁ ଫେରି ଆସିଲା । ପୁଣି ସୁସ୍ଥ ଲୋକ । ଖାଲି ବୁଲି ବୁଲି ଗାଁ ଲୋକଙ୍କୁ କହୁଥାଏ, ବିଶ୍ୱନାଥ ଭାଇକି ଆମେଇଁ ମାରିଛୁ, ଆମ ଗାଁ ଲୋକେ, ଆମର ଅନାଚାର ନ ହୋଇଥିଲେ ସେ କ’ଣ ଆସି ନ ଥାନ୍ତା ?’’

ହଠାତ୍ କୁଆଡ଼ୁ ଉଡ଼ି ଆସିଲା ଗୋଟାଏ ମସ୍ତବଡ଼ ଚିତ୍ରବିଚିତ୍ର ପ୍ରଜାପତି । ଦୁଇ ପଖି ମେଲେଇ ଦେଲାବେଳକୁ ମଣିଷର ଦୁଇ ହାତପାପୁଲି ମିଶି ଯେଡ଼ିକି, ସେଡ଼ିକି ବଡ଼ । ଏଡ଼େବଡ଼, ଏଡ଼େସୁନ୍ଦର ପ୍ରଜାପତି ମୁଁ କେବେ ଦେଖିନାହିଁ । ପିଲାଏ ଚହଳ କରି ଉଠିଲେ । ତାଙ୍କ ମା’ ବି ଧାଇଁଗଲେ ପାଖକୁ । ଅପା କାହାଣୀ ବନ୍ଦକରି ପ୍ରଜାପତି ଉପରେ ନଇଁପଡ଼ି କହିଲେ, ‘‘ଏଡ଼େ ସୁନ୍ଦର ପ୍ରଜାପତି ମୁଁ କେବେ ଦେଖିନାହିଁ ।’’ ପ୍ରଜାପତି ଯେପରି କି ତାଙ୍କ ପ୍ରଶଂସା ଗ୍ରହଣ କଲା ! ଗୋଲ୍‍ ଗୋଲ୍ ସୁନ୍ଦର ଡୋଳା ଦୋଟି ଟେକି ଧରିଲା ତାଙ୍କ ଆଡ଼କୁ । ପେଟ୍ରୋମାକ୍‌ସ ଆଲୁଅରେ କେଡ଼େ ସୁନ୍ଦର ଦିଶୁଛି ସେ, ବିଧାତାର ଆଶ୍ଚର୍ଯ୍ୟ ସୃଷ୍ଟି, ସୁନ୍ଦର ପ୍ରଜାପତି ।

ପ୍ରଜାପତି ତଳୁ ଉଡ଼ି ପିଲାମାନଙ୍କ ଉଦ୍ୟତ ହାତକୁ ଏଡ଼ିଦେଇ ସିଧା ବସିଲା ତାଙ୍କ ମା’ଙ୍କ କାନ୍ଧ ଉପରେ । ସେ ମୁହଁବୁଲେଇ ତାକୁ ଚାହିଁଲେ । ସେ ବି ଚାହିଁରହିଲା ତାଙ୍କୁ । ଯେପରିକି ପ୍ରଜାପତି ଆମ ସଙ୍ଗରେ ଏକ ସ୍ନେହର ସମ୍ବନ୍ଧ ପ୍ରତିଷ୍ଠା କରିବାକୁ ଖୋଜୁଛି, ସେ ଆଉ ଆମେ ଭାଇ ଭାଇ ।

ପିଲାଏ କହିଲେ, ‘‘ରଖିବା ବୋଉ ୟାକୁ–’’

ଅପା କହିଲେ, ‘‘ସେ ତ ତା ମନକୁ ଆସିଲାଣି, ଦେଖୁନ କ’ଣ କହୁଚି ତମ ବୋଉକୁ ।’’

ସମସ୍ତଙ୍କ ଦୃଷ୍ଟି ଯେତେବେଳେ ତାରିଠି ବାନ୍ଧି ହୋଇଛି, ହଠାତ୍ ସେ ପଖି ହଲେଇ ହଲେଇ ଉପରକୁ ଉଡ଼ିଗଲା । ଚାହୁଁ ଚାହୁଁ ବିଜୁଳି ବେଗରେ ମୁଣ୍ଡଖୋଲା ପେଟ୍ରୋମାକ୍‌ସ ଆଲୁଅ ଚାରିକରେ ଦିଘେରା ବୁଲି ଆଲୁଅ ଉପରବାଟେ ଭିତରକୁ ଖସିପଡ଼ି ଜଳିଉଠିଲା । ଆଖି ପିଛୁଡ଼ାକେ ପାଉଁଶ ମେଞ୍ଚାଏ ତଳକୁ ଝଡ଼ିପଡ଼ିଲା–ସେତିକି ।

ପାଞ୍ଚଟି ପିଲା, ମା, ଅପା ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ କେହି ପାଟି ଫିଟେଇଲେ ନାହିଁ । ସତେ ଯେପରି କି ନିଶ୍ୱାସ ଅଟକି ରହିଲା ।

ତା’ପରେ ପିଲାଏ ଚିତ୍କାର କଲେ । ତାଙ୍କ ମା’ ବି କାନିରେ ମୁହଁ ପୋଛିଲେ । ଗୋଦରା ପାଟିରେ କହିଲେ, ‘‘କାହିଁକି କୁଆଡ଼ୁ ଦି’ଦଣ୍ଡ ପାଇଁ ଉଡ଼ିଆସି ମାୟା ଲଗେଇଦେଇ ଆମରି ଆଗରେ ଝାସଦେଲା ? କିଏ ତାକୁ ଡାକି ଯାଇଥିଲା ? କାହିଁକି ଫେର୍ ମୋରି କାନ୍ଧରେ ବସିଲା ?’’

ଅପା ଦୀର୍ଘଶ୍ୱାସ ପକାଇଲେ । କହିଲେ, ‘‘ସତେ ! ଦେଖ ତ ! ଏ କଥା କ’ଣ ଆମେ ଜାଣି ନ ଥିଲୁ ଯେ ନୂଆ କରି କହିବାକୁ ଆସିଥିଲା ? ସଂସାର ଦିଦିନିଆ ।’’ ତାଙ୍କ ଆଖିରେ ବି ଲୁହ ଚିକ୍‌ ଚିକ୍ କରୁଥାଏ ।

ଟିକିଏ ଆଗରୁ ହେଇ ସେଠି ସେ ବସିଥିଲା–ଆଉ ସେ ନାହିଁ । ଅନ୍ଧାରରୁ ଉଡ଼ି ଆସିଥିଲା–ପୁଣି ହଜିଯାଇଛି ।

ମଣିଷର ଛାତିରେ ମରଣର କାକର ହାତ ବାଜି ଛାତି ଥରି ଉଠିଥିଲା । ମୃତ୍ୟୁ ! ଓଃ !

ଡୁମ୍ରିଗୁଡ଼ାରେ ସେ ଦିନ ଦି’ପହରରେ ଖବର ଆସିଲା ଯେ, ମାଙ୍କଡ଼ ପଲ ଶିବର ବଡ଼କାନ୍ଦୁଲ କ୍ଷେତରେ ପଡ଼ିଛନ୍ତି । ବଡ଼କାନ୍ଦୁଲ ଏକପ୍ରକାର ବଡ଼ ହରଡ଼, ତାହା ପର୍ବତ ଢାଲୁରେହିଁ ହୁଏ । ଗାଁଠୁ କୋଶେ ବାଟରେ ରେଲ୍‍ ଲାଇନ୍ । ସେପାଖେ ବଡ଼ ଡଙ୍ଗରରେ ଶିବ ତାର କାନ୍ଦୁଲ ଲଗେଇ ଥିଲା । ପାହାଡ଼ରୁ ଓହ୍ଲେଇପଡ଼ି, ଡାକେ ବାଟ ଗଲେ ବୁରୁନ୍ଦା ବାଡ଼ି ଗାଁ । ହରଡ଼ଗଛ ବଢ଼ିଛି ଜଙ୍ଗଲ ପରି । ଗୋଟାଏ ଗୋଟାଏ ଗଛ ଆଠହାତ ଦଶ ହାତ ଉଞ୍ଚ । ପ୍ରତି ମଞ୍ଜି ଆପଣା ହାତରେ ପର୍ବତ ସନ୍ଧିରେ ତେଣ୍ଟାରେ ଖୋଳି ଖୋଳି ଲଗେଇଛି । ପ୍ରତିଗଛ ପାଇଛି କୋଡ୍‌କି-ତାଷର ସୁବିଧା-। ପର୍ବତ ଢାଲୁରେ ଗଡ଼ିଆସୁଥିବା ସଢ଼ାପତ୍ରର ଖତ । କଳା ମିସ୍‌ ମିସ୍‌ ହୋଇ ଉଲୁସି ଉଠିଛି । ତା ପାଖରେ ପର୍ବତ ଉପରେ ତାର ଜଡ଼ାକ୍ଷେତ, ଏରଣ୍ଡ ହୋଇଛି ମହାଦ୍ରୁମ । ଢାଲୁ ତଳକୁ ବାଜ୍ରା ବଢ଼ିଛି-। ତା ତଳକୁ ସୁଆଁ । କନ୍ଧର ସମ୍ପତ୍ତି ପାହାଡ଼ ଉପରେ । ବାହାରର ଲୋକ ତଳର ଜମି ଦଖଲ କରିଛନ୍ତି ନାନା ଫିକରରେ, ପାହାଡ଼କୁ ସେମାନଙ୍କର ବଳ ନାହିଁ । ସେଠି କନ୍ଧହିଁ ମାଲିକ । ସେଠିକି ହଳ ପହଞ୍ଚିବ ନାହିଁ, ଟ୍ରାକ୍ଟର ପହଞ୍ଚିବ ନାହିଁ । ଖାଲି କନ୍ଧର ପାଦ । ଯେ ତୀଖ ପାହାଡ଼କୁ ଝିଟିପିଟି ପରି ଚାପି ଧରେ । ଆଉ ତା’ର କୋଡ୍‌କି (କୋଡ଼ି), ଟାଙ୍ଗିଆ । ସିଧାସଳଖ ମୁଣ୍ଡବୁଲା ପାତାଳକୁ ଅନେଇଲେ ବି କନ୍ଧର ଗୋଡ଼ ଖସେନାହିଁ । ସେ ସେହି ପୋଛିଦେଲା ପରି ସଳଖ ଢାଲୁରେ ଧାଁଦଉଡ଼ କରିପାରେ । ଉଞ୍ଚରେ ଚଢ଼ି ବାଘ, ମେଡ଼ା, ଇଗଲ୍, ଚଢ଼େଇ, ଶାଳବଣ, ବାଉଁଶ ବଣ ସଙ୍ଗରେ ଏକ ହୋଇ ନାନା ବର୍ଣ୍ଣର ଚିତ୍ରବିଚିତ୍ର ଢେଉଢେଉକା ପାହାଡ଼ ମାଳ କୋଠିକୋଠିକା କ୍ଷେତ ଓ ଗାଁକୁ ଚାହିଁ ରହି ଉପରର ସେହି ସ୍ୱାଧୀନ ମାଳୁଆ ପବନରେ ଛାତି ଭର୍ତ୍ତି ନ କଲେ କନ୍ଧକୁ କନ୍ଧ ପରି ଲାଗେ ନାହିଁ ।

 

ମାଙ୍କଡ଼ ତାର ହାଡ଼ଭଙ୍ଗା ପରିଶ୍ରମର ଫଳକୁ ଖାଇଯାଉଛି । ଶିବ ଭାଇ ଆଉ ଅପେକ୍ଷା କଲାନାହିଁ । ସମ୍ପର୍କରେ ତାର ଭଣଜା ହେବ ବାର ବର୍ଷର ଟୋକା ଟିମା । ଟିମାକୁ ସାଙ୍ଗରେ ଧରି ପାଟିରେ ଫୁଙ୍କିବାକୁ ଶିଙ୍ଘା ଓ ବଜେଇବାକୁ ଦି’ଟା ଢୋଲ ନେଇ ଶିବ ଚାଲିଗଲା ତା’ର ତାଷ ପର୍ବତକୁ ।

 

ମଣିଷକୁ ଦେଖି ମାଙ୍କଡ଼ ହୁରୁଡ଼ିଲେ । ଟେକା ପକାଇ ଢୋଲବଜେଇ ଶିଙ୍ଘାଫୁଙ୍କି ଅତି ଅଳ୍ପ ସମୟ ଭିତରେ ଶିବ ଆପଣାର ଅସ୍ତିତ୍ୱ ଜାରି କରିଦେଲା । ଚାରିଆଡ଼ ସତେକି ମଣିଷ ମଣିଷ ଚିତ୍କାର କରିବାକୁ ଲାଗିଲା । କେବଳ ମାଙ୍କଡ଼ ପଳେଇବା ଦେଖି ଶିବ ସନ୍ତୁଷ୍ଟ ରହିପାରିଲା ନାହିଁ, ହରଡ଼ କ୍ଷେତ ଭିତରେ ଅନ୍ଦିକନ୍ଦି ଖୋଜି ଖୋଜି ବୁଲିଲା, କାରଣ ସେ ଜାଣେ ମାଙ୍କଡ଼ ମଣିଷ ପରି ଚତୁର, ଗଛତଳେ ଗାଲେଇପଡ଼ି ଛପିରହିଥିବ, ମଣିଷ ପିଠି ବୁଲେଇଦେଲେ ପୁଣି ଖାଇବାକୁ ଆରମ୍ଭ କରିବ । ଖୋଜୁ ଖୋଜୁ ଆହୁରି ଭିତରକୁ ଭିତରକୁ । ଟିମା ପାଟିକଲା, ‘‘ମାମୁଁ ଚାଲିଆ ! କାହିଁ କୁଆଡ଼େ ଗଲୁ, ମୁଁ ଏକୁଟିଆ ପଡ଼ିଗଲି ଯେ । କୁଆଡ଼େ ଗଲୁ ମାମୁଁ, କାହିଁ ତୁ ଦିଶୁନାହୁଁ ।’’ ଟିମା ପାହାଡ଼ ତଳେ ରହିଛି, ଠିକ୍ ପାହାଡ଼ର ଢାଲୁ ତଳେ । ଉପରକୁ ଅନାଇଁ କାଉଳି ହେଉଛି । ବଡ଼ ହେଲେ ସେ ବି ତ ଏକୁଟିଆ ହୋଇ ପର୍ବତରେ ଚଢ଼ିବ, ବଣ ହାଣିବ, ତାଷ କରିବ, ତାଷ ଜଗିବ, ଆଜିଠୁ ଏମିତି ଛାନିଆଁ ହେଲେ ଆଉ ଶିଖିବ କେବେ ? – ଶିବ ଭାବିଲା । ଉପରୁ ରଡ଼ିଛାଡ଼ିଲା, ‘‘ଟିକିଏ ରଇଥା, କେତେ କଅଁଳ ହରଡ଼ ଛୁଇଁ ତୋ ପେଇଁ ଛିଣ୍ଡେଇ ଛିଣ୍ଡେଇ ନଉଚି, ଭାରି ବଡ଼, ଭାରି କଅଁଳ । ଟିକିଏ ଦମ୍ଭଧରି ଠିଆହେଇଥା, ମୁଁ ଯାଉଛି ।’’ ଛାଇ ଲେଉଟି ଗଲାଣି, ଏଥର ସୂର୍ଯ୍ୟାସ୍ତ । ଉପରୁ କାନ୍ଦୁଲବଣ ଭିତରୁ ମାମୁଁର ଢୋଲବଜା ଶବ୍ଦ ଶୁଭୁଛି । ହେଇ ଶୁଭୁ ଶୁଭୁ ବନ୍ଦ ହୋଇଗଲା । ‘‘ହା’ ହେ ହେ ହେ, -ହୀ-ହେ ହେ ହେ’’ ମାମୁଁ କୁହାଟ ମାରୁଛି, ବେଶି ଦୂରରେ ନାହିଁ, ଠିକ୍ ଏଇ ଢାଲୁର ତାଳୁରେ ଯଦିଚ ତା ମୁହଁଟା ଦିଶୁନାହିଁ । ଛାଇଗୁଡ଼ାକ କେଡ଼େ ଲମ୍ବା ଲମ୍ବା ହୋଇଗଲାଣି । ପଶ୍ଚିମ ଦିଗଟା କେଡ଼େ ଲାଲ । ବଣରେ ସବୁ ନୂଆ ନୂଆ ଦିଶୁଛି । କେତେ କଥା ଉଜ୍ଜ୍ୱଳ ସୂର୍ଯ୍ୟ ଆଲୁଅରେ ଦିଶୁ ନ ଥିଲା, ଯେପରିକି ଆଉଟି ହୋଇ ଖରାଧାସରେ ମିଶିଯାଇଥିଲା, ଅଥଚ ଲମ୍ବା ଛାଇବେଳର ଏଇ ସୂର୍ଯ୍ୟାସ୍ତ ସମୟରେ ସେ ଦିଶୁଛି ପରିଷ୍କାର । ଟିମା ସେହି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବାରେହିଁ ବ୍ୟସ୍ତଥିଲା–ହଠାତ୍ ତାର ନିଘା ପଡ଼ିଲା, ଏକ ପ୍ରକାଣ୍ଡ ମହାବଳବାଘ କରପଟିଆ ବଣରୁ ବାହାରିପଡ଼ି ତା’ର ମୁଣ୍ଡ ଉପରେ ପାହାଡ଼ ମଝିରେ ଏକ ଲଣ୍ଡା ପଥର ଉପରେ ଠିଆହୋଇ ଚାରିଆଡ଼କୁ ନିଘା କରିବାକୁ ଲାଗିଲା । ଗଛ ଉହାଡ଼ରେ ଲେପେଟେଇ ପଡ଼ି ଟିମା ଅନେଇଁ ରହିଲା ସେହି ମହାବଳକୁ । କି ସୁନ୍ଦର ! ପୁଣି କି ଭୟାନକ । ମହାବଳ ପବନରେ ନାକ ଗେଞ୍ଜି ଦେଇ ଚାରିଆଡ଼କୁ ଅନାଇଁ ଅନାଇଁ ଦୃଶ୍ୟ ଉପଭୋଗ କରୁଛି ଓ ଖବର ନେଉଛି । ଆକାଶରେ ରକ୍ତ ପରି ନାଲି ଚହଟି ଯାଇଛି । ବାଘର ଲକ୍ଷ୍ୟ ନାହିଁ ତଳକୁ ଅନାଇଁ ଅନାଇଁ ଟିମା ଆଶ୍ୱସ୍ତ ହେଲା, ବାଘ ତା’ର ସନ୍ଧାନ ପାଇନାହିଁ । କିନ୍ତୁ ମାମୁଁର ! କୁଦାଟାଏ ମାରି ମହାବଳ କାନ୍ଦୁଲ ବଣ ଭିତରେ ଅଦୃଶ୍ୟ ହେଲା । ‘‘ମାମୁଁ, ବାଘ ଗଲା । ବାହାରି ଆସ ମାମୁଁ, ବାଘ ଗଲା ।’’ ବହୁତ ସାହସରେ ବୋବାଳି ଛାଡ଼ି ଦେଇ ଟିମା ବୁଦାଗହଳି ଭିତରେ ଛପି ରହି ଅପେକ୍ଷା କଲା । ହଠାତ୍ କାନ୍ଦୁଲ ବଣ ଭିତରେ ଠାଏ ଅତି ଜୋର୍‌ରେ ହଲି ଉଠିଲା, କେ କରି ଗୋଟାଏ ଶବ୍ଦ, ଆଉ କିଛି ନାହିଁ । ‘‘ମାମୁଁ, ମାମୁଁ–’’ ସୋର ଶବ୍ଦ ନାହିଁ । ଟିମା ପିଲା, ଭେଁ କିନା କାନ୍ଦି ପକାଇଲା । କାନ୍ଦି କାନ୍ଦି ଏକମୁହା ହୋଇ ଗାଁକୁ ଦୌଡ଼ି ପଳେଇଲା । ମୁହଁ ସଞ୍ଜବେଳେ ଗାଁରେ ଖବର ଦେଲା । ଅପା ନାହିଁ, ଯାଇଛି ରାୟଗଡ଼ା । ଚାହୁଁ ଚାହୁଁ ଅନ୍ଧାର ଘୋଟିଗଲା । ଶିବର ସ୍ତ୍ରୀ ମୁକ୍ତା ଗଡ଼ି ଗଡ଼ି ମୁଣ୍ଡ କୋଡ଼ିହୋଇ କାନ୍ଦୁଛି, ତା ସହିତ ଚନ୍ଦ୍ରମା, ଆଉ ସେ ନୂଆ ଟୋକୀଟି, ଗାଁର ଆଉ କେତୋଟି ସ୍ତ୍ରୀଲୋକ । ଗାଁଲୋକ ଦାଣ୍ଡରେ ଗଦା ହୋଇ ହାୟ ହାୟ କରୁଛନ୍ତି ।

 

ଶିବଭାଇକୁ ବାଘ ଖାଇଛି ।

ପ୍ରାୟ ସେତିକିବେଳେ ରାୟଗଡ଼ାରେ–

 

ପ୍ରଜାପତିଟି ଜଳି ଯାଇଛି । ଚୁପ୍‌ଚାପ୍‌ ହୋଇ ବସି ରହିଛନ୍ତି ସମସ୍ତେ । ସାମ୍ନାରେ ଏହି କାହାର ଅନ୍ତ୍ୟେଷ୍ଟିକ୍ରିୟା ସଦ୍ୟ ସମାପ୍ତ ହୋଇସାରିଛି । ତା’ର ଦେହଟା ଥିଲା, ଆଉ ନାହିଁ । ଧିମେଇ ଧିମେଇ ଟିକି ଚିତାଟି ନିଭି ନିଭି ଆସୁଛି, ହେଲାଣି ନାଲି । ଆଖି ଯେତେଦୂର ଯାଉଛି କି ନ ଯାଉଛି ଯେପରି କି ପଡ଼ିରହିଛି ବାଲି, କାକର ବାଲି, ତା ଉପରେ ଅନ୍ଧାର ଲଦି ହେଉଛି । ଯେପରି କି ସମସ୍ତେ ଗୁମ୍‌ହୋଇ ଚାହିଁଛନ୍ତି ସେହି ଶୀତୁଆ ଅନ୍ଧାରି ବିସ୍ତୃତି ଆଡ଼କୁ । ନିଭି ଆସିଲା ଚିତାର ଫିକାନାଲି ଯେପରି କି ସେହି ବିସ୍ତୃତିର କ୍ଷତଚିହ୍ନ, ସେହି ମହାନିଦ୍ରାର ଯୋଗପଥ । ଆଖିରେ ନାଲି ଚହଟୁଛି ନାଲି ନାଲି ନାଲି ଚାରିଆଡ଼େ ନିଆଁ, ଜଳି ଜଳି ପାଉଁଶ ହୋଇ ଝଡ଼ିପଡ଼ିବ ସବୁ ରୂପ, ସବୁ ଛବି, କେବଳ ଢେଉଢେଉକା ବାଲି ଉପରେ ଅନ୍ଧାରି ବିସ୍ତୃତି ।

 

ଆଉ କେଉଁଆଡ଼କୁ ନିଘା ନ ଥିଲା କାହାରି । କେତେବେଳେ ପେଟ୍ରୋମାକ୍‌ସ ଆଲୁଅଟା ଧକ୍‌ ଧକ୍ ହୋଇ ତା ଉପରବାଟେ ନିଆଁ ଉଠିଲାଣି । ନିଆଁ ନିଭି ଭିତରର ମ୍ୟାଣ୍ଟେଲ ହେଲାଣି ନାଲିଆ । ପୁଣି ସେ ନାଲି ମଧ୍ୟ ଛାଡ଼ି ଛାଡ଼ି ଯାଇ ଶେଷକୁ ଆଲୁଅଟା ନିଭିଗଲାଣି ।

 

ଶେଷଆଡ଼କୁ ସମସ୍ତେ ଚମକି ପଡ଼ିଲେ । ଆରେ ଏ କ’ଣ, ଆଲୁଅଟା ନିଭିଗଲା ଯେ ! ‘‘ବେହେରାଏ, ହୋ ନାରଣ ବେହେରା, ଆସିଲ ଟିକିଏ, ଲଣ୍ଠଣଟା ଦେଇଗଲ, ଆଉ ଏ ପେଟ୍ରୋମାକ୍‌ସକୁ ଟିକିଏ ଲଗେଇ ଆଣ ।’’

 

ମଣିଷର ଦୃଷ୍ଟି ଆପଣା ମନ ଗହୀରରୁ ଆହୁରି ଉପର ଆଡ଼କୁ ଉଠି ଆସିଛି । ଏଥର ସେହି ପ୍ରଜାପତି ବିଷୟରେ ଚର୍ଚ୍ଚା, ଅର୍ଥାତ୍ ପ୍ରଜାପତିକୁ ପତିଆରା ଦେଇ ହାଉଲେ ହାଉଲେ ବର୍ତ୍ତମାନ ଉପରେହିଁ ଚର୍ଚ୍ଚା ।

 

‘‘ଭାରି ସୁନ୍ଦର ପ୍ରଜାପତି !’’

‘‘ଏଡ଼େ ବଡ଼ ପ୍ରଜାପତି କେହି କେବେ ଦେଖି ନ ଥିଲୁ ।’’

‘‘ବଡ଼ୁଟାଏ ।’’

‘‘କେମିତି ମଣିଷ ପରି ସେ ଅନାଇଁଥିଲା ।’’

‘‘କୁଆଡ଼ୁ ଆସିଲା ? କୁଆଡ଼େ ଯାଉଥିଲା ?’’

 

‘‘ନା, ତାର ଗତିପଥରେ ସେ ଠିକ୍ ଚାଲିଛିହିଁ ଅଦ୍ୟାପି, କେବଳ ଆମ ଆଖିକି ତା’ର ରୂପ ବଦଳି ଯାଇଛି–’’ ଅପା କହିଲେ, ‘‘ସେ ମାୟା କାଟିବାକୁ କାୟା ବଦଳାଇଛି ।’’

 

କାହିଁକି ଏପରି ସେ କହିଲେ? ଖାଲି ଯୁକ୍ତିର କଥା ନା ସେହି ସେ ପନ୍ଦରବର୍ଷ ତଳର କ୍ଷତ ଏହି ବୈରାଗ୍ୟମୟ ଦର୍ଶନ କଥାଛଳରେ ପଦାକୁ ଆସିଲା, ଯେପରିକି ଅନ୍ଧାରି ଗହୀର କୂଅର ପାଣି ଉପରକୁ ଉପୁଜିଛି, ସେଥିରେ ପଡ଼ିଛି ସକାଳର ବର୍ଣ୍ଣ ।

 

ମୁଁ କହିଲି, ‘‘ଏ ତ ପରମାର୍ଥର କଥା ଅପା, ସେମିତି ଭାବିଲେ କେହି ମରେନାହିଁ । ଆମ ଚାରିପାଖେ ଅସରନ୍ତି ଜୀବନ, ଯାହା ଆମେ ଦେଖି ପାରୁଛୁ ତାଠୁ କେତେଗୁଣ ବଳି । ଯାହା ଆମେ ଦେଖି ନ ପାରୁଛୁ ସେମିତି ଜୀବନ ଆହୁରି ଅଧିକ । କିନ୍ତୁ ରକ୍ତମାଂସର ଦେହ ଧରି ଆମର କାରବାର କେବଳ ସେହି ଜୀଅନ୍ତାମାନଙ୍କ ସଙ୍ଗରେ ଯେଉଁମାନଙ୍କୁ ଆମେ ଦେଖିପାରୁଁ, ଅନ୍ୟମାନଙ୍କ ସଙ୍ଗରେ ନୁହେଁ । ତେଣୁ ପ୍ରଜାପତିଟି କୁଆଡ଼େ ଯାଉଥିଲା, କାହାକୁ ଭେଟିବାକୁ ଧାଇଁଥିଲା, ଯାଇଥାନ୍ତା ଶହ ଶହ କୋଶ ପରା ! ଟିକିଏ ଆଗରେ ସେ ଥିଲା, ଅଇଛା ନାହିଁ । ଯଦି ସେ ସୂକ୍ଷ୍ମରୂପରେ ଅଛି କି ଅରୂପ ହୋଇ ଆତ୍ମା ହୋଇହିଁ ଅଛି ସେ, ତାକୁ ଆମଚେତନା ସ୍ପର୍ଶ କରିପାରିବ ନାହିଁ । ସେଥିରେ ଆମର କାମ ନାହିଁ, ସମ୍ପର୍କ ନାହିଁ ।’’

 

ଅପା ହସିଲେ, କହିଲେ, ‘‘ଦୁନିଆଟା ଖାଲି ନଗଦାନଗଦି କାରବାର ପରା ! ଯେ ଆମ ଆଗରେ ଅଛି, ସେ ଏହି ଘଡ଼ିକି ଲାଗୁଛି ସତେକି ଚିରକାଳଯାକ ଥିଲା, ଚିରକାଳଯାକ ଥିବ । ଯେ ନାହିଁ, ସେ ଯେପରି କି କେବେ ନ ଥିଲା, କେବେ ରହିବ ନାହିଁ ।’’

 

‘‘ନଗଦାନଗଦି କାରବାର, ହଁ ଅପା–’’ ଅଭିମାନ ସୂଚାଇ ୟେ କହିଲେ, ‘‘ଯାହାତକ ଏ ଦେହଟା ନିରୋଗ ଅଛି, ସେଥିରେ ବଳ ଅଛି, ପାଖରେ ଧନ ଅଛି, ତାହାତକ ଏ ସଂସାରରେ ତୁମେ ଜଣେ, ନଇଲେ ତମେ କେହି ନୁହଁ । ଲୋକେ ଗୋଡ଼ରେ ଦଳିଦେବେ । ଯମଦୁଆରେ ପହଞ୍ଚିଲେ ମଣିଷ ସମସ୍ତିଙ୍କି ପରଖି ପାରିବ ।’’

 

ଅପା କହିଲେ, ‘‘ଦୁନିଆଟା ଏମିତି ହେଇଚି ସତ, ଖାଲି ସ୍ୱାର୍ଥ ଆଉ ହିଂସାର ଘର । ଦେବତାଙ୍କୁ ମଣିଷ ବାନ୍ଧି ଦେଇଛି କାଷ୍ଠାପାଷାଣ ଘଟରେ ଖାଲି ନୁଖୁରା ଦଣ୍ଡବତଟାଏ ପକାଇବାକୁ-। ଯାହାକୁ ମାନୁଛି, ଯାହାକୁ ଧୋଇ ପାଦୁକ ପିଉଛି, ସେ ଦେବତା ନୁହେଁ–ସେ ଧନ ।

 

ଏତେ ଥାଇ କି ସୁଖ ହେଉଛି ? ଯାହାର ଏତେ ଅଛି, ସେ ସଞ୍ଚୁଛି । ଯାହାର ନାହିଁ, ସେ ଗଡ଼ି ମରୁଛି, ଥିଲାବାଲା ଉପରେ ଦାନ୍ତ ରଗଡ଼ୁଛି, ବେଳକାଳ ପାଇଲେ ସାଧିନେବ ଦାଉ । ଖାଲି ହତିଆର ପଜାପଜି ଲାଗିଛି, ମାରଣ ଅସ୍ତ୍ର ଗଢ଼ାଗଢ଼ି । ମଣିଷ ପରସ୍ପର ପ୍ରତି ସନ୍ଦେହରେ ଈର୍ଷାରେ କାମୁଡ଼ା କାମୁଡ଼ି ଲଗାଇ ଦେବାକୁ ତିଆରି । ଏ ମନ, ଏ ଅବସ୍ଥା ନ ବଦଳିଲେ ଦୁନିଆଟା ହିଂସାରେ ଜଳିଯିବ ଯେ, ପାଉଁଶ ହୋଇଯିବ । ଏବର ଜୀବନ ତ ଟୋକାଟୋକୀଙ୍କୁ ବି ବୋଝ ଲାଗୁଛି: ସେମାନେ ବଞ୍ଚିବାକୁ ଚାହାନ୍ତି ନାହିଁ ।

 

ଦୀର୍ଘଶ୍ୱାସ ପକାଇ ୟେ କହିଲେ, ‘‘ସଂସାର କହିଲେ ମୋର ମନପଡ଼େ ଅପା ସେହି ଦିନଗୁଡ଼ାକ, ଯେତେବେଳେ କଟକରେ ବେମାର ହୋଇ ପଡ଼ିଥିଲି । ମାହାପୁରୁ ସତେ କି ଚିଆଁ ଦେଇ ଦେଇ ଚିହ୍ନେଇ ଦେଉଥିଲେ, ଏ ସଂସାରଟାକୁ ଦେଖ୍‌ ଦେଖିନେ, ଏମିତିପରା ତୁ ସ୍ନେହରେ ଭାସିଯାଉ, ଲୋକଙ୍କୁ ଏତେ ଭଲପାଉ, ୟାରି ନାଁ ସେବା, ୟାରି ନାଁ ସ୍ନେହ, ୟାରି ନାଁ ବନ୍ଧୁକୁଟୁମ୍ବ । ଚିକିତ୍ସାଘରେ ରାତିରେ ପଡ଼ି ପଡ଼ି ଦେଖୁଥିଲି ବୁଲାକୁକୁର ଆମ ଖଟତଳେ ବୁଲିବୁଲି ଆଲମାରିରୁ ପାଉଁରୁଟି ଓଟାରି ଓଟାରି ଖାଉଥିଲେ; ତଳେପଡ଼ିଥିବା ପ୍ରସୂତିଙ୍କ ଶେଯରୁ ପିଲାଙ୍କ କନାପଟା ଓଟାରୁଥିଲେ । ଓଃ ! କି ଭୟଙ୍କର ! ମୋର ତ ସେତେବେଳେ ଏଡ଼େ ନିରକ୍ତିଆ ଦେହ ଯେ ହାତଟା ଟେକିଲେ ବି କାଟୁଥିଲା । ସକାଳୁ ନର୍ସ ଦେଖେଇ ଦେଲା–ପାଇଖାନାକୁ ଯା । ଗୁରୁଣ୍ଡି ଗୁରୁଣ୍ଡି ଖଣ୍ଡେ ବାଟ ଯାଇ ଲାଗିଲା ପ୍ରାଣ ଛାଡ଼ିଯିବ, ଛାତି କ’ଣ ହୋଇଯାଉଚି, ଓଠ ଶୁଖିଯାଉଚି । ଭାବିଲି, ମରିବି ତ ମରିବି ପାଇଖାନାରେ କାହିଁକି ? ଘୁସୁରି ଘୁସୁରି ଖଟକୁ ଫେରିଲି । ଡାକ୍ତର ଡାକି ପଠାଇଲି । ଡାକ୍ତର କ’ଣ ପାଖରେ ? ୟେ ପାଇଲେ ଜଣେ ଟୋକା ଡାକ୍ତରକୁ । କେତେ ନେହୁରି ହେଲେ, କହିଲେ ଟିକିଏ ଆସନ୍ତୁ, ରୋଗୀଟା କ’ଣ ହୋଇଯିବ କାଳେ ! ଡାକ୍ତର ଜମା ହଲିଲା ବି ନାହିଁ । କହିଲା ‘ଯାହା, ହୋଇଗଲେ ମୁଁ କ’ଣ କରିବି ? ସେ ମୋ ଦାୟିତ୍ୱ ନୁହେଁ । ଏକା ଘର ହେଲେ କ’ଣ ହେଲା-ଡାହାଣପାଖ ଖଟରେ ଯେଉଁ ରୋଗୀ ଅଛନ୍ତି ମୁଁ ସିନା ତାଙ୍କୁ ଦେଖିବି, ବାଁପାଖ ଖଟରେ ଯେଉଁ ରୋଗୀ ସେଥିପାଇଁ ଭିନେ ଡାକ୍ତର ଅଛନ୍ତି, ମୁଁ କାହିଁକି ସେ ରୋଗୀଙ୍କୁ ଯିବି ଦେଖିବାକୁ ?’’

 

ଘଣ୍ଟାଏ ପରେ ବଡ଼ ଡାକ୍ତରାଣୀ ଆସି ପହଞ୍ଚିଲେ । ଦିନକୁ ଥରେ ଲେଖାଁ ସେ ଆସି ବୁଲି ଯାଆନ୍ତି । ତିନିଦିନ ରହି ସାରିଥାଏ । ପହଲି ଥରକ ସେ ମୋ ଛାତିରେ ତାଙ୍କ ଛାତି ପରଖା ନଳିର ଚକତି ଲଗେଇ ଦେଲେ, କହିଲେ ଆପଣ ଭାରି ଦୁର୍ବଳ ଅଛନ୍ତି, କିନ୍ତୁ ଆପଣ ଯାଆନ୍ତୁ ବାହାରି, ଅନ୍ୟ ରୋଗୀ ଏ ଖଟକୁ ଆସିବେ । ମୁଁ ବି କହିଲି, ମୁଁ ଏଠି ଦଣ୍ଡେ ରହିବି ନାହିଁ, ମରିବି ତ ଘରେ କାହିଁକି ନ ମରିବି, ଏଠିଟାରେ କାହିଁକି ମରିବି, ଯେଉଁଠି ବୁଲାକୁକୁର କନାଘୋସାରେ, ଘରଚଟାଣରେ ଗାର ପଡ଼ିଚି ଯେ ଏ ଡାକ୍ତର ଗାର ଡେଇଁ ସେପାଖକୁ ଯିବନାହିଁ । ସୂତିକା ଜର ନେଇ ଫେରି ଆସିଲି । ବସାରେ ଖଟରେ ପଡ଼ି ରହିଲି ସାତମାସ । ସେଠିବି ଦେଖିଲି ଡାକ୍ତର, ସେମାନେ ଭିନ୍ନେ ପ୍ରକାରର, ପଇସା କଉଡ଼ିକି ଆଶାନାହିଁ, ଖାଲି ଲାଗିପଡ଼ିଥାନ୍ତି କେମିତି ମତେ ବଞ୍ଚେଇବେ ।

 

ପଡ଼ିଥାଏ ଏକୁଟିଆ । ମନ ଖୋଜୁଥାଏ–ଯାହାକୁ ଆପଣାର ବୋଲି ମଣିଥିଲି, ବଳଥିଲାବେଳେ ଯାହାଙ୍କ ପାଇଁ କରିଥିଲି, କୁଆଡ଼େ ଗଲେ ସେମାନେ ? ସମସ୍ତିଙ୍କର ଏକାବେଳକେ ଯେମିତି କି ମନେପଡ଼ିଲା, କିଏ ଚାଲିଗଲେ ତାଷଗାଁକୁ । କିଏ ବି ପନ୍ଦରଦିନେ ଥରେ ଲେଖାଏଁ ମତେ ଦେଖିବାକୁ ଆଇଲେ–କାଳେ ସେମାନେ ନ ଆଇଲେ ବୋଲି ମୁଁ ପଦେ କହିବି ! ତେବେ ଲୋକେ କ’ଣ ଆଇଲେ ନାହିଁ ? ଆଇଲେ । ଯାହା ସଙ୍ଗରେ ତମର କିଛି ସ୍ୱାର୍ଥ ନ ଥିବ, ସେହିମାନେ ତମର ଦୁଃଖ ଦେଖି ଛାକୁ ଛାଏଁ ଆସି ସ୍ନେହ ଆଦର ଅଜାଡ଼ି ପକାନ୍ତି । ସାମ୍ନାରେ ଥିଲା ରାଣ୍ଡୀଦୁଃଖୀ ଛେଟୀମାଇପିଟି–ସଖୀ ମା’, ବଳେ ବଳେ ଆସି ରାନ୍ଧିବାଢ଼ି ଦିଏ, କାମ କରିଦିଏ-। ଧାଇଁ ଆସନ୍ତି କେତେ ସ୍ନେହୀ ପରିବାର, କିଏ ମୁଣ୍ଡ ବାନ୍ଧିଦିଏ, କିଏ ଫଳରସ ଚୁପୁଡ଼ି ଦିଏ । ସବୁବେଳେ ଜଗିଥାନ୍ତି ଅଶୀ ବରଷର ଜଣେ ‘ଦାଦା’–ସତେ କି ମୁଁ ତାଙ୍କର କେଉଁ ଜନ୍ମର ଝିଅ । ସେତେବେଳେ ଦେଖିଛି, ଏ ସଂସାରରେ ଅନାଦର ଥାଉପଛେ ସ୍ନେହ ଅଛି ପ୍ରଚୁର ।

 

ପଡ଼ି ପଡ଼ି ଦିନ ଗଣୁଥିଲି–କେବେ ସରିବ ଏ ଯନ୍ତ୍ରଣା ! ମରିଗଲେ ତରିଯାନ୍ତି ।

 

କୁଆଁରପୁନେଇଁ ରାତି ହୋଇଥାଏ । ମୁଁ ତ ଖଟରୁ ଉଠିପାରୁ ନ ଥାଏ । ଏ କ’ଣ କଲେ ନା ଦର୍ପଣକୁ ଦର୍ପଣ ଦେଖାଇ ଚନ୍ଦ୍ର ଛବି ପକାଇଲେ ଆଣି ମୋ ମୁହଁଆଗରେ ବଡ଼ଦର୍ପଣରେ । ଭାବିଥିବେ ପରା, ଉଠିତ ପାରୁନାହିଁ, କାଳେ ମରିଯିବ, ଦେଖିଥାଉ ପୂନେଇଁଜହ୍ନ । ସେଥର ଛମାସରେ ଜହ୍ନ ଦେଖିଲି, ଆକାଶ ଦେଖିଲି । ମନଟା କୁଆଡ଼େ ଭାସିଯାଉଥାଏ । ସେତେବେଳେ ଭାବିଲି, ଏ ସଂସାରଟା କେଡ଼େସୁନ୍ଦର ! କାହିଁକି ସୁନ୍ଦର ଭିତରେ କୁତ୍ସିତ, ସ୍ନେହ ଭିତରେ ନିଷ୍ଠୁରତା ମଣିଷର ଅନ୍ତରଭିତରେ ଜନ୍ମେ ?

 

‘‘ସେହି ପ୍ରଶ୍ନ ପଚାରିଛନ୍ତି ମହାପୁରୁଷମାନେ’’, ଅପା କହିଲେ, ‘‘ସେହି ନିଷ୍ଠୁରତାକୁ, ସ୍ୱାର୍ଥପରତାକୁ, ହିଂସାକୁ ବିନାଶ କରିବାକୁ ଯୁଗେ ଯୁଗେ ସେମାନେ ଧର୍ମଯୁଦ୍ଧ ଚଳେଇ ଆସିଛନ୍ତି ମଣିଷର ମନକୁ ଆକ୍ରମଣ କରି କରି । ଯେତେଦେଶର ଯେତେଶାସ୍ତ୍ରପୁରାଣ ସବୁ କହୁଛନ୍ତି ମଣିଷକୁ ଭଲ ପାଅ, ମଣିଷର ସେବାକର, ହୃଦୟକୁ ଚିହ୍ନିଲେ ଠାକୁରଙ୍କୁ ଚିହ୍ନିଲ । ଆଜି ପୁଣି ସେହି କଥା କହି କହି ଚାଲି ଚାଲି ଭାରତର ଏ ମୁଣ୍ଡୁ ସେ ମୁଣ୍ଡୁ ବୁଲୁଛନ୍ତି ବିନୋବା ବାବାଜି । କହୁଛନ୍ତି, ମଣିଷକୁ ଭଲପାଅ; ଗାଁଯାକ ମିଶି ହୁଅ ଏକ ପରିବାର । ପାଣି ପବନ ଆଲୁଅ ପରି ଭୂମି ମଧ୍ୟ ଈଶ୍ୱରଙ୍କ ସୃଷ୍ଟି । ତାର ମାଲିକ ତାର ସ୍ୱାମୀ କେହି ନୁହନ୍ତି, ଲୋକେ କେବଳ ତାର ପୁତ୍ର ହୋଇପାରନ୍ତି । ଯେ ଭୂମିର ସେବା କରିବେ, ସେଠୁ ଖାଦ୍ୟ ପାଇବେ । କହୁଛନ୍ତି ସବୁସମ୍ପତ୍ତି ମତେ ଦାନ କରିଦିଅ । ମୁଁ ସମସ୍ତିଙ୍କ ଆବଶ୍ୟକ ଅନୁସାରେ ବାଣ୍ଟିଦେବି । ‘ମୋର’ ଏ ପଦଟା ଲୋପ କରିଦିଅ । ତା ହେଲେ ପୃଥିବୀ ଏକହେବ । ମଞ୍ଚରେ ସ୍ୱର୍ଗରାଜ୍ୟ ବସିବ, ଆଉ ହିଂସା ରହିବ ନାହିଁ କି ଯୁଦ୍ଧ ରହିବ ନାହିଁ କି ଅଭାବ ରହିବ ନାହିଁ ।

 

ସମସ୍ତେ ଚୁପ୍ ହୋଇ ରହିଲେ,–ସାନପିଲାବି, ଯେପରିକି କାହାକୁ ଅପେକ୍ଷା ଅଛି–କେଉଁ ଓଜନ ଗମ୍ଭୀର ଘଟଣାକୁ ।

 

ଆଉ ଘଟନାର ଏପଟେ ହାଲୁକାହୋଇ ପ୍ରଜାପତିଟିଏ ଯେ ଅଳ୍ପ କେତେସମୟ ହେଲା ପାଉଁଶ ହୋଇ ଝଡ଼ିପଡ଼ିସାରିଛି ।

 

ଟିକିଏ ପରେ ଅପା କହିଲେ, ‘‘କଣ କହୁ କହୁ କୋଉଠି ଉଠିଲେଣି ଆମେ । ଆରମ୍ଭ ହୋଇଥିଲା ଶିବ କଥାରୁ ଆଉ ଆସିଲେଇଁ ଏଯାକେ ।’’

 

ମୁଁ କହିଲି, ‘‘ମଣିଷ କ’ଣ କହିବାକୁ ଆରମ୍ଭ କରେ, ଆଉ କହି ହୁଏ କ’ଣ ! ଅନ୍ୟ କାମପରି କଥା କହିବାଟା ବି ଗୋଟାଏ ସ୍ୱାଭାବିକ ପ୍ରକ୍ରିୟା । ଯେଉଁ ଭାବ ଯେତେବେଳେ ପ୍ରକାଶପାଇବାକୁ ମନକରେ ସେ ପ୍ରକାଶ ପାଇବଇଁ ପାଇବ, ବିଷୟଟା କେବଳ ଉପଲକ୍ଷ୍ୟ ।’’

 

ଅପା କହିଲେ ତାଙ୍କୁ, ‘‘ଦେଖିଛୁ ତ ଶିବକୁ । ତମକୁ ସବୁ କେଡ଼େ ଭଲପାଏ । ଏଠୁ ଯେତେଥର ଘରକୁ ଫେରେ, ସେଇଠୁ ଗପେ କାହାଣୀଖାଲି ତୁମକଥା । ମୁଁ ସେଇଆ କହେ କି, ମଣିଷ ମଣିଷ ଭିତରେ ଭଲ ପାଇବାଟା ଏମିତି ହୁଏ । କାହିଁ ଶିବକନ୍ଧ, କାହିଁ ତୁମେ । କେତେଦିନର ବା ଚିହ୍ନାଜଣା, ତଥାପି ସେ ତ କହେ ତମୁକୁ ସବୁ ସେ ଶହ ଶହ ବର୍ଷ ହେଲା ଚିହ୍ନିଛି ।’’ ଅପା ହସିଲେ । କହିଲେ, ‘‘ଭାବି ଦେଖିଲେ ଲାଗିବ ଯେ ମନରୁ ଯେତେବେଳେ ସ୍ୱାର୍ଥକଟିବ, କଳୁଷ ତୁଟିଯିବ, ସେତେବେଳେ ସମସ୍ତିଙ୍କ ମନ ଏମିତି ମିଶିଯାଇ ପାରିବ । ପାଣି ପାଣିକି ଚିହ୍ନିଲା ପରି ଆତ୍ମା ଆତ୍ମାକୁ ଚିହ୍ନିବ ।’’

 

ମୁଁ କହିଲି, ‘‘ତେବେ ଯାଇ ଦୁନିଆଟା ଏକ ହେବ । ସମସ୍ତେ ହେବେ ଭାଇଭାଇ ।’’

 

ଅପା କହିଲେ, ‘‘ହେବେ । ଯୁଗ ଡାକୁଛି, କାହିଁକି ନ ହେବ ?’’ ସେ କହିଲେ–‘‘ହେବ । ଛନ୍ଦମନ୍ଦ ନାଇଁ, ସମସ୍ତେ ସମସ୍ତିଙ୍କି ଭଲ ପାଇବେ ।’’ ସମସ୍ତେ କହିଲେ, ‘‘ପୃଥିବୀ ଏକ ହେବ, ସମସ୍ତେ ହେବେ ଭାଇ ଭାଇ ।’’ ଜଣକ ମୁହଁରୁ ଆଉ ଜଣକ ମୁହଁକୁ ଗୋଟି ଗୋଟି କରି ଅନାଇଁ ଗଲି । ଏଇ ଅପା, ଘର ଛାଡ଼ିଛନ୍ତି, ପୃଥିବୀର ମଙ୍ଗଳ କରିବା ତାଙ୍କର ଏକମାତ୍ର ବ୍ରତ । ଏଇ ୟେ, ଗୃହଜଞ୍ଜାଳରେ ବାନ୍ଧିହୋଇ ଆପଣା ସ୍ୱାମୀ ଓ ସନ୍ତାନଙ୍କ ମଙ୍ଗଳ କରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ । ପୁଣି ଆଉ ଏକ ଦୃଷ୍ଟିରୁ–ଏଇ ଅପା ଯେ ଇଚ୍ଛା ନ କରି ଦୋଷ ନ କରି ପରର ରୁଚିରେ ଚାଲି ପରର ଆଇନ୍‌ରେ ହୋଇଥିଲେ ବିଧବା । ଏଇ ୟେ, ଆପଣା ଦୁଃଖେକଷ୍ଟେ ଚଳିଲେ ସୁଦ୍ଧା ଯାହାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା, ଚେତନାରେ ଚିଆଁ ରହିଯାଇଛି । ଆଉ ଏଇ ସାନପିଲାମାନେ, ଭବିଷ୍ୟତ ଦୁନିଆଁର କାରିଗର ଏମାନେ, ଚେତନାରେ ଚିଆଁଦାଗ ଲାଗିନାହିଁ, ଲାଗିବ ବା କେବେ, ୟାଙ୍କରି ସମୟରେହିଁ ପୃଥିବୀ ହେବ ସ୍ୱର୍ଗ । ଯୁଗଯୁଗର ସାଧକମାନଙ୍କ ଆଦର୍ଶ ସତେ ସଫଳ ହେବ ୟାଙ୍କରି ସମୟରେ, ୟାଙ୍କରି ହାତରେ ଯେତେବେଳେ ଯୁଦ୍ଧ ନ ଥିବ, ହିଂସା ନ ଥିବ, ମଣିଷ ଭିତରେ ବାଡ଼ ନ ଥିବ, ଜଣେ ଭୋଜିକଲେ ବି ଆଉ ଜଣେ ଉପାସ ଶୋଉ ନ ଥିବ, ସତ ହେବ ଏଇ ପିଲାଙ୍କ ଦିହାତିରେ ।

 

ସ୍ଥାନକାଳପାତ୍ର ବଦଳି ଯାଇଥିଲା । ସେପାଖେ ସେ ନାକୁଆପାହାଡ଼, ଦିଶୁଛି ଯେପରି ଏକ ପ୍ରକାଣ୍ଡ ମଣିଷ ଘୋଡ଼ିପୁଡ଼ି ହୋଇ ଶୋଇରହି କେଉଁ ଅନାଗତ ଉଷାର ସ୍ୱପ୍ନ ଦେଖୁଛି । ଆଉ ଏପାଖେ ସେହି ଗର୍ଜିତ ସ୍ପର୍ଦ୍ଧିତ ଦୋମାହାଲା କୋଠା, ସମସ୍ତିଙ୍କ ଉପରେ ମୁଣ୍ଡଟେକି ମଦୋଦ୍ଧତ ଠିଆ ହୋଇଛି ଯେପରିକି ଏକ ଦସ୍ୟୁଦୁର୍ଗ । ତରଳିଯାଇ ଉଡ଼ିଯାଇଥିଲା ସେ । ସାମ୍ନାରେ ଏକ ସେବା ଓ ତ୍ୟାଗର ଆଦର୍ଶ, ଯେଉଁଠି ସବୁ ମଣିଷ ଭାଇ ଭାଇ ।

 

ତହିଁଆରଦିନ ତିନିଟାବେଳେ–

 

ରାୟପୁରରୁ ବିଶାଖାପାଟଣା ଚାଲୁଥିବା ରେଲ୍‍ଗାଡ଼ି ଆସି ଚାଲିଯାଇଥାଏ–ସେହି ଗାଡ଼ିଟି ଯେଉଁଥିରେ ଦିନବେଳା ବିଷମକଟକରୁ ଡୁମ୍ରିଗୁଡ଼ାରୁ ରାୟଗଡ଼ା ଆସିହୁଏ ।

 

ଫାଟକବାଟେ ଆସୁଛନ୍ତି ଦିଶିଲା ଡୁମ୍ରିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଜେନିଫର୍‍ ମେରୀ ଓ୍ୱାଲ୍‍ବର୍‌ଫୋର୍ସ ହ୍ୟାମିଲୁନ, ଚିକ୍‌କଣ କଳା ଖ୍ରୀଷ୍ଟିୟାନ୍ ଡମ୍ବଯୁବତୀ, ଘର କୋଟ୍‌ପାଡ଼୍‍, କୋରାପୁଟ ଜିଲ୍ଲା ।

 

ଜେନିଫର୍ ମେରୀ ଓ୍ୱିଲ୍‌ବର୍‌ଫୋର୍ସ ହ୍ୟାମିଲୁନ୍‌ ନାଁଟି ପରିଚୟ ଦିଏ ଏକ ବନ୍ଧୁସ୍ନେହୀ ବାପାଙ୍କର, ଯେ କାହାରି କଥା ଭାଙ୍ଗିବାକୁ ଚାହାନ୍ତି ନାହିଁ, କାଳେ କାହା ମନରେ କଷ୍ଟ ହେବ ବୋଲି-। ନିଜେ ସେ ଥିଲେ ବେତନ ଭୋଗୀ ଧର୍ମପ୍ରଚାରକ-ମାଥିଅଗୁରୁ କହିଲେ ସମସ୍ତେ ଜାଣନ୍ତି-। ଝିଅଟିଏ ଜନ୍ମହେବାରୁ ମନେପଡ଼ିଲା ଦଶବର୍ଷ ତଳେ ଦେଖିଥିବା ଖ୍ରୀଷ୍ଟିଆନ୍ ସାହେବଙ୍କ ଝିଅର ନାଁ-। ମାଥିଅ ନା ଦେଲେ ଜେନିଫର୍-। ଝିଅର ମାମୁଁ ଆସି ନାଁ ଦେଲେ ମେରୀ । ନୂଆ ପାଦଡ଼ି ସାହେବ, ଟୋକାଲୋକ । ଦେଖିଚାହିଁ ଗୁରୁଝିଅର ନା ଦେଲେ ଓ୍ୱିଲ୍‍ବର୍‍ଫୋର୍ସ-ହ୍ୟାମିଲୁନ୍ । ମାଥିଅ ଦେଖିଲେ କାହା ନାଁ ରଖିବା କାହା ନାଁ କାଟିବା ଏକ ବିଷମସମସ୍ୟା । ସମସ୍ୟାର ସମାଧାନ ପାଇଁ ସବୁଯାକ ନାଁ ରଖିଦେଇ ଯୋଡ଼ିଦେଲେ । ତେଣୁ ତାର ନାଁ ଅନେକଗୁଡ଼ିଏ ନାଁର ସମ୍ମିଶ୍ରଣ–ଯେପରି ତାର ବ୍ୟକ୍ତିତ୍ୱ ମଧ୍ୟ ଅନେକଗୁଡ଼ିଏ ବ୍ୟକ୍ତିତ୍ୱର ସମ୍ମିଶ୍ରଣର ଫଳ, ଦିନକର ନୁହେଁ, ଯୁଗଯୁଗର ।

 

କାଲିପରି ଲାଗୁଛି, କନ୍ଧମାନଙ୍କୁ ପାଠପଢ଼ାଇବା କାର୍ଯ୍ୟ କରିବା ଲାଗି ଉପସ୍ଥିତ ହେଲେ ଜେନିଫର୍‍ ମେରୀ ଓ୍ୱିଲ୍‍ବର୍‍ଫୋର୍ସ ହ୍ୟାମିଲୁନ୍ । ସାହେବୀ ନାଁ, କୋରାପୁଟ ଦେଶର ବିଶିଷ୍ଟତା ଯେଉଁ ଆଂଶଆଂଶିଆ ଭଙ୍ଗାଭଙ୍ଗା ବଙ୍କାଢଙ୍କା ଓଡ଼ିଆ ଅକ୍ଷର, ସେଇଥିରେ ଲେଖାହୋଇଛି ଚେନାଏ ଧଳା କାଗଜରେ । ଦେଖାହେଲା । ଗୋଟାସୁଦ୍ଧା ଓଡ଼ିଆଝିଅ, ଯାହାର ନାଁ ହୋଇପାରିଥାନ୍ତା କମଳା, କି ସରସ୍ୱତୀ, କି ହାରାମଣି, କି ଆଶାଲତା, କି ଅବା ଚନ୍ଦ୍ରବଦନୀ । ଉଚ୍ଚତା ପାଞ୍ଚଫୁଟ ତଳକୁ । ପାଣିକାଢ଼ିବା ପାଇଁ, ଘରଧନ୍ଦା ତୁଲେଇବା ପାଇଁ ବଳିଲା ବଳିଲା ବାହାଦୋଟି । ମାଉଁସିଆ ଗୋଲ ମୁହଁ, ଚିକ୍‌କଣ ମୁଗୁନୀ ପରି । ସେ ଅଧିକ ଆଶା କରେ ନାହିଁ, ନିରାଶ ହୁଏ ନାହିଁ, ଜାଣେ ବଞ୍ଚିବା ଅର୍ଥ ସହିବା । ସେ ମୁହଁରେ ଭାବାନ୍ତର ବାରିହୁଏ ନାହିଁ ।

 

କିନ୍ତୁ ବିଦେଶୀସଂସ୍କାର ତାର ନାଁ ବଦଳେଇ ଦେଇ କରିଦେଇଛି କିଟିମିଟିଆ । ଖାଲି ନାଁ ନୁହେଁ ଭେକରେ ବି ସେହି ସ୍ୱତନ୍ତ୍ରତାର ବଡ଼େଇକରି ଉଡ଼ିବୁଲେ କୋଟ୍‌ପାଡ଼୍‍ର ଝିଅ । ତା ମୁଣ୍ଡରେ, ସୁନ୍ଥାରେ ସାମ୍ନାରୁ ପଛକୁ ରୁଲ୍‌ବାଡ଼ିରେ ଗାର ପକେଇଲା ପରି ବହୁତ କଲି । ମୁଣ୍ଡବାଳରେ ଶସ୍ତା ଗାଟାପଚାର ଗୋଲାପୀ ସାବ୍ନା ହଳଦିଆ ବହୁତ ପ୍ରଜାପତି ଚରୁଛନ୍ତି । ବହୁତ ରଙ୍ଗଫିତାର ପତାକା ଉଡ଼ୁଛି । ସେ ଝୋଟତିଆରି ନକଲି ରେଶମର ଚିକ୍ ଚିକ୍ ସାବ୍ନା ବ୍ଳାଉଜ୍ ପିନ୍ଧିଛି ଦେହର ଚମପରି ଚିପା । ଗୋଲାପୀ ସାୟା ଉପରେ ଜାଲପରି ଶୁଆପଖିଆ ଶାଢ଼ି । କଣ୍ଟା ବବୁରଗଛର ଫୁଲର ବାସ୍ନା ପରି ଏକ ଶସ୍ତାବାସ୍ନା ତାକୁ ଢାଙ୍କି ରଖିଛି ଅଦେଖା ମେଘର ବାମ୍ଫ ପରି । ପାଦରେ ଚଟର ଚଟର ଧୋବ ଚଟି । ଚାହାଣି ଚଞ୍ଚଳ, ଅସ୍ଥିର ।

 

‘‘ଶୁଣ ମିସ୍‌ ଜେନିଫର୍‍ ଇଲିଅଟ୍ ଗାବ୍ରିଏଲ୍ ମିଲ୍‌ଟନ୍–’’

‘‘ମୋ ନାଁ ଜେନିଫର୍‍ ମେରୀ ଓ୍ୱିଲ୍‌ବର୍‍ଫୋର୍ସ ହ୍ୟାମିଲୁନ୍ ଆଜ୍ଞା !’’

‘‘ନାମରେ କିଛି ଯାଏ ଆସେନାହିଁ, ଶୁଣ ଜେନିଫର୍‍, ଶୁଣ ମେରୀ–’’

‘‘ମୋ ନାଁ ଜେନୀ–’’

 

‘‘ବେଶ୍‌, ଶୁଣ ଶ୍ରୀମତୀ ଜେନୀ, ବଡ଼ ଅସାଧ୍ୟ ସେ କାମ-କନ୍ଧଙ୍କୁ ପାଠ ପଢ଼େଇ ଯିବା । ପର୍ବତବାଟରେ ହଳକୁ ହଳ ଜୋତା ଘୋରିହୋଇ ଛିଣ୍ଡି ଯାଏ । ଚଟିହଳକର ବା କେତେ କରାମତି–ଆଉ ଏ ଯେଉଁ ପାତଳଲୁଗା ବଣ ବାଟରେ ଚାଲିଲେ ଟିକିଏ କେଉଁ ଝାଟିରେ ଲାଗିଗଲେ ଯିବ ଚିରି ଫୁର୍‌ରୁ କରି । ଏ କାମରେ ସଉକ୍‌ ନାହିଁ, ସୁଖ ନାହିଁ, ମଉଜ ନାହିଁ, ମଜୁଲିସ୍‌ ନାହିଁ କିଛିନାହିଁ, ଏ ଏକ କଠୋର ସନ୍ନ୍ୟାସ । ତହିଁକି ତୁମର ଏ କଅଁଳବୟସ, ମନରେ କେତେ ଘରକରଣା ଆଶା ସ୍ୱପ୍ନ । ହନ୍ତସନ୍ତ ହୋଇ ନିଜେ ସନ୍ତୁଳି ହେବ, ନ ହେଲେ ଆଉ କାହାକୁ ଜାଳିବ । ଏ କାମ କଲେ ଦେହଟା ଅଛି ବୋଲି ଭୁଲିଯିବାକୁ ହେବ । ପିନ୍ଧିବ ମୋଟା, ଖାଇବ ମୋଟା । ଜାଣିଶୁଣି ଦୁଃଖକଷ୍ଟ ବରଣ କରି ବଣରେ ମୁହଁମାଡ଼ି ପଡ଼ି ରହିବାକୁ ହେବ । ପାରିବ ?’’

 

‘‘ହଁ ପାରିବି ।’’

ପନ୍ଦର ଦିନ ପରେ–

 

ପିନ୍ଧିଛି ମୋଟା ଗେରୁଆ ଖଦଡ଼ । ମୁଣ୍ଡବାଳ ସାଧାରଣ ପ୍ରକାରେ କୁଣ୍ଡା ହୋଇ ଗଣ୍ଠି ପଡ଼ିଛି । ମୁହଁରେ ସ୍ନୋପାଉଡ଼ର ବୋଳା ହୋଇନାହିଁ । ଚାହାଁଣି ଚଞ୍ଚଳ ନୁହେଁ ସ୍ଥିର । ଅପାଙ୍କ ପାଖରେ ସତେ ଅବା ଆଉ ଜଣେ ସାନଅପା । ଅପା ବି ତା’ର ନା ସଂକ୍ଷେପ କରି ଡାକୁଛନ୍ତି ‘ଜୁନୀ’-। କହିଲେ, ‘‘ଆଶ୍ଚର୍ଯ୍ୟ ପିଲାଖଣ୍ଡେ । ଯେତେ କାମ କଲେ ହାତଗୋଡ଼ ଘୋଳି ହେଉନାହିଁ କି ମୁହଁରୁ ହସ ଛାଡ଼ନାହିଁ । ହାତରେ ପାଇଖାନା ସଫାକରୁଛି, ଗାଁ ଯାକ ପିଲାଙ୍କୁ ଘସି ଘସି ଗାଧୋଇ ଦେଉଛି-। ଗାଁ ଦାଣ୍ଡ ଗୋଟାକଯାକ ଲିପୁଛି ପୋଛୁଛି । ଏମିତି ହସେଇ ଖେଳେଇ ପାଠପଢ଼ୋଉଛି ଯେ ଆଖପାଖ ପାଞ୍ଚଖଣ୍ଡି ଗାଁରୁ ପିଲା ଆସୁଛନ୍ତି । ଚାହୁଁ ଚାହୁଁ ହେଲେଣି ଅଶୀଜଣ ପିଲା । ତା ପଛକୁ ତା ପଛ ଧାର ଲାଗିଛନ୍ତି । ଏଣେ ସବୁ ବିଷୟରେ ଗୋଟାସୁଦ୍ଧା ଆମ ଆଶ୍ରମ ନୀତି, ସୂତା କଟା ସହିତେ । ଏକାଠି ତ ଖାଉଛୁ, ଏକାଠି ଶୋଉଛୁ-ଲାଗୁଛି ଯେମିତି କି କାହିଁ କେତେବର୍ଷର ପୁରୁଣା କର୍ମୀଟିଏ, ଯେମିତି ଏକାଠି ଆମେ କାମ କରି ଆସିଛୁ । ଆଉ ଜାଣନ୍ତି, ଛୁଟିଦିନ ହେଲେ ସେ ବି ଆମ ସଙ୍ଗରେ ବୁଲୁଛି ଭୂମିହୀମଙ୍କ ପାଇଁ ଭୂମିଦାନ ସଂଗ୍ରହ କରିବାକୁ । ଏଡ଼େ ସୁନ୍ଦର ଭୂଦାନ ଗୀତ ବୋଲୁଛି...’’

 

‘‘ସତେ ! ତେବେ ସେ ଆପଣଙ୍କ ସାନ୍ନିଧ୍ୟର ପ୍ରଭାବ !’’

‘‘ନାଇଁ, ଆପଣ ବିଶ୍ୱାସ କରନ୍ତୁ, ସେ ଭାରି ଭଲ କର୍ମୀଟିଏ ହେଲାଣି ।’’

 

ଆଶ୍ରମର ପ୍ରଭାବ ପଡ଼ି ଜେନିଫର୍‌ ମେରୀ ଓ୍ୱିଲ୍‍ବର୍‌ଫୋର୍ସ ହ୍ୟାମିଲୁନ୍ ହେଲା ଡୁମ୍ରିଗୁଡ଼ାର ଜୁନୀଅପା । ସେ ପିଲାଙ୍କୁ ପଢ଼ାଏ, ଗାଁ ଲୋକଙ୍କ ହାନିଲାଭ ପାଇଁ ମାଗଣା ଦରଖାସ୍ତ ଲେଖେ । ସେ ଗାଁ ଆଖପାଖ ଗାଁର ଉନ୍ନୟନ ପାଇଁ ପରିଶ୍ରମ କରେ, ସୂତାକାଟେ, ଭୂଦାନ ପ୍ରଚାର କାର୍ଯ୍ୟରେ ବୁଲି ବୁଲି ଲୋକଙ୍କୁ ବୁଝାଏ । ସେ ଆନନ୍ଦରେ ବାଘୁଆବଣ ବାଟରେ ଦିନକୁ ପାଞ୍ଚ ସାତ କୋଶ ଚାଲିଯାଏ । ତା’ର ଖାଲି ପାଦ, ଖଦଡ଼ ଲୁଗା, ମନରେ ସେବା ମନୋବୃତ୍ତି ।

 

ସେ ବି ଆସନ୍ତା ସ୍ୱର୍ଗରାଜ୍ୟ ଗଢ଼ିବା ପାଇଁ ଜଣେ ଅନାମିକା କାରିଗର । ଜଣେ ଆବାହିକା ସେହି ଉଷାର, ମାନବ ଇତିହାସର ଅନ୍ଧାରିଯୁଗ ଶେଷରେ ଯାହା ଉଇଁ ଆସୁଛି, କିନ୍ତୁ ଆସିନାହିଁ ।

 

ପିଲାଏ ଧାଇଁଗଲେ–‘‘ଜୁନୀଅପା, ଜୁନୀଅପା !’’ ସବୁଦିନ ପରି ସେ ୟାକୁ କାଖା, ତାକୁ ଆଉଁସୁ, ତାକୁ ଗେଲକର, ଏପରି କଲାନାହିଁ । ଗମ୍ଭୀର ହୋଇ ଚାଲିଆସିଲା । ନମସ୍କାର କଲା ।

 

କହିଲା, ‘‘କାଲି ସଞ୍ଜରେ ଶିବଭାଇଙ୍କୁ ବାଘ ଖାଇଗଲା ।’’ ଥେରୁବେଲି ରେଲ୍‍ଷ୍ଟେସନରେ ଓହ୍ଳେଇବା ମାତ୍ରେ ଅପା ଖବର ପାଇଲେ, ଅଧ ରାତିରେ । ଷ୍ଟେସନ ପାଖେ କବିରାଜେ ଚିକିତ୍ସାଳୟ ଖୋଲିଛନ୍ତି, ସେଇ କହିଲେ । ରାତି ସାଢ଼େ ଏଗାରଟା । ଡୁମ୍ରିଗୁଡ଼ା ଅଛି ତିନିମାଇଲ ବାଟ । ପାଖକେ ଲାଗିବ ବାଘୁଆପର୍ବତ । ରାତିରେ ଓହ୍ଲେଇ ପଡ଼ିଲେ । ସାଙ୍ଗସାଥି ନ ଥିଲେ । ଡୁମ୍ରିଗୁଡ଼ାର କର୍ମୀମାନେ କେବେ କେବେ କବିରାଜଙ୍କ ଚିକିତ୍ସାଳୟରେ ବିଶ୍ରାମ କରି ପାହାନ୍ତାରୁ ଉଠି ଚାଲିଯାଆନ୍ତି । କବିରାଜ ଟୋକାଲୋକ । ଘର ପୁରୀଜିଲ୍ଲା । ଅର୍ଥର ପନ୍ଥା ଖୋଜି ଏତେଦୂର ଆସିଲେ ବି ହୃଦୟ କୋମଳ ରହିଛି ଦୁଃଖୀରଙ୍କୀଙ୍କ ପାଇଁ । ଆୟୁର୍ବେଦ ଶାସ୍ତ୍ରରେ ଯେତେଦୂର ତାଙ୍କର ଜ୍ଞାନ ଅଳ୍ପହେଉ କି ବେଶିହେଉ, ତାଙ୍କର ଇଚ୍ଛା ସାଧ୍ୟାନୁସାରେ ସବୁ ଜ୍ଞାନ ପ୍ରୟୋଗ କରି ରୋଗୀ ଭଲ କରନ୍ତେ । କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସାଳୟଟି ଛୁଆଣି ହୋଇପାରେନାହିଁ, କନ୍ଧଠି ପଇସା ନାହିଁ ।

 

ସଂକ୍ଷେପରେ ଡୁମ୍ରିଗୁଡ଼ାର ଖବର କହିସାରି କବିରାଜେ ଅପାଙ୍କ ପାଇଁ ରହଣି ବନ୍ଦୋବସ୍ତ କରିବାକୁ ଆରମ୍ଭ କରିଦେଲେ । ଅପା ଥକ୍‌କା ହୋଇ ପଦାରେ ପଦାରେ ଟିକିଏ ଠିଆହୋଇ ରହି ଗଣ୍ଠୁରି ଉଠେଇ ନେଲେ । କହିଲେ, ‘‘ହଉ, ମୁଁ ଯାଉଛି ।’’

 

‘‘ଏଇ ରାତି ରାତି ?’’

‘‘କ’ଣ ହେଲା-ମୋଟେ ଘଣ୍ଟାକର ବାଟ ତ ।’’

‘‘କିନ୍ତୁ…..’’

 

‘‘ବାଘ ସତେ ବା ଅପେକ୍ଷା କରିଚି ମତେ ଖାଇବ ବୋଲି ? ଜଣକୁ ତ’ ନେଇଚି, ଖାଇସାରୁ ଆଗ ।’’

 

କବିରାଜ ଉଚ୍ଚବାଚ କଲେନାହିଁ । ସେ ଦେଖିଛନ୍ତି, ଆପତ୍ତି କଲେ କିଛି ଫଳ ହୁଏ ନାହିଁ-। ସାଧାରଣ ଲୋକର ମନ ଯଦି ଆପଣାକୁ ଆଗ ନିରାପଦ ରଖିବା, ଏ କର୍ମୀମାନଙ୍କ କାମ ଆଗ ଆପଦକୁ ଘରକୁ ଡାକି ଆଣିବା । ସାଧାରଣ ଲୋକ ଯଦି ସଂସାରଯାତ୍ରା କରେ ଧନସମ୍ପଦ ସାଇତିବାକୁ, ଏମାନେ ସଂସାରଯାତ୍ରା କରନ୍ତି ସବୁ ଉଜାଡ଼ି ଦେବାକୁ । ସାଧାରଣ ଲୋକ ଖୋଜେ ଆପଣା ଶରୀର ସୁସ୍ଥି, ଏମାନେ ଖୋଜନ୍ତି କାମ କରି ଶରୀରଟାକୁ ଭସ୍ମ କରିଦେବାକୁ । ହୁଏତ ଅପା ବାପ ପେଟରେ ଥାଇ ଅହିଂସା ଓ ଭୂକ୍ରାନ୍ତି ପ୍ରଚାର କରିବେ । ବାଧାଦେବ କିଏ ? ସେ ବାହାରିଛନ୍ତି ଯିବେ ।

 

କବିରାଜ କହିଲେ, ‘‘ଯିବେ ଯେବେ ଯାଉନ୍ତୁ, କିନ୍ତୁ ସାଙ୍ଗରେ ଅନ୍ତତଃ ପାଞ୍ଚଜଣ ଲୋକ ଓ ଦିଟା ନଲଟଣ ନେଇଯାଆନ୍ତୁ । ରହନ୍ତୁ, ଠିକ୍ କରି ଦେଉଛି ।’’

 

କବିରାଜ ଲୋକ ସଜାଡ଼ି ଦେଲେ । ପାଞ୍ଚଜଣ ନୁହେଁ, ବାହାରିପଡ଼ିଲେ ପନ୍ଦରଜଣ କନ୍ଧ-। ଦୁଇଟା ନଲଟଣ, ଆଠଟା ନିଆଁ ହୁଳା, ଜଣକ ପଛେ ଜଣେ ହୋଇ ଗୋଟାଏ ପଟୁଆର । ଅପା ଡୁମ୍ରିଗୁଡ଼ାଆଡ଼େ ଚାଲିଲେ ।

 

ବାଟେ ବାଟେ ରହିରହିକା ଦିଶିଯାଉଛି ତା’ରି ମୁହଁ, ତାରି ହସ-ଶିବଭାଇର । ଖବର ପାଇଥିଲେ ସେ ଷ୍ଟେସନରୁ ପାଛୋଟି ନେଇଥାନ୍ତା । ତା’ର ଡରଭୟ ନାହିଁ । ହେଉ ସେଥରକ, ଯେତେବେଳେ ଉଧାର ଦିଆଯିବ ବୋଲି ସରକାରି ଧାନ ଆସିଲା ଅଥଚ ବାଟ ଅସୁବିଧାରୁ ଡୁମ୍ରିଗୁଡ଼ା ଯାଇପାରିଲା ନାହିଁ, ପୁଣି ଡୁମ୍ରିଗୁଡ଼ାରେ ଖମାରକୋଠା ତୋଳା ସରି ନ ଥାଏ ବୋଲି ସେଥର ସବୁଯାକ ଧାନ ଏହି ଥେରୁବେଲ୍ଲିରେ ବିଡ଼ିପତ୍ର ବେପାରି ଯୋଷୀବାବୁ ଘରେହିଁ ରଖାହୋଇଥିଲା । ତାକୁ ଜଗିବା ପାଇଁ ନିତି ରାତିରେ ଶିବଭାଇ ଆସି ପହଞ୍ଚେ, କହେ ଏ କେତେ ଲୋକଙ୍କର ଉପକାର ହେବ ବୋଲି ଆସିଛି । ତାକୁ ଜଗିବା ତ ସମସ୍ତିଙ୍କର କାମ, ନ ହେଲେ କେମିତି ହେବ ? କଷ୍ଟକୁ ଡରେ ନାହିଁ, ପରିଶ୍ରମକୁ ଡରେ ନାହିଁ । ଡାକଟାଏ ମାରିଦେଲେ ଧଡ୍‌କରି ଉଠି ଆସିବ ।

 

ଆଜି ସେ ନାହିଁ ।

କାହିଁ ଏପରି ତ’ କେଭେ ଘଟି ନାହିଁ । ଦୁନିଆଟା ଶୂନ୍ୟ ଲାଗୁଛି ।

 

‘ଆମ ଚା’, ‘ଆମ ଲୋକ’....ଅପାଙ୍କୁ ଲାଗୁଥିଲା ଡୁମ୍ରିଗୁଡ଼ା ତାଙ୍କ ଜନ୍ମଭୂମି-ହୋଇଥାଉ ପଛେ ତାଙ୍କ ଜନ୍ମ ପୁରୀଜିଲ୍ଲାରେ । ଲାଗୁଥାଏ, ଯେପରିକି ଶିବଭାଇ ମରିବା ସଙ୍ଗେ ସଙ୍ଗେ ତାଙ୍କର ସେ ଆଶ୍ରୟ ବି କାହିଁ ଉଡ଼ି ପଳେଇଲା, ତା ସହିତ ସେ ନିଜେ, ଯେପରିକି କଳା କିଟିକିଟି ଅନ୍ଧାର ରାତିରେ ରାଉ ରାଉ ପବନରେ ସେ ଠିଆହୋଇ ଚାହିଁ ରହିଛନ୍ତି, ଆଶ୍ରୟ ନାହିଁ ।

 

ମଣିଷ ମରିଯାଏ...କୁଆଡ଼େ ଯାଏ ସେ ? ଦେହଟାକୁ ବାଘ ଖାଇଲା କିମ୍ବା ଘାତକ ଗୁଳିରେ କଣା କରି ପକାଇଲା, ଆତ୍ମା ତ ଅବିନଶ୍ୱର, କୁଆଡ଼େ ସେ ଯାଏ ? ନା ଆତ୍ମା ବି ଯଦି ବିନାଶପାଏ ତେବେ ଏ ବୃଥା ସ୍ତୋକବାକ୍ୟ ମଣିଷ କାହିଁକି ସୃଷ୍ଟିକରି ତାକୁ ଶାସ୍ତ୍ର ଆଖ୍ୟା ଦେଲା ?

 

ମନ ଭିତରେ ସେହି ପୁରାତନ ପ୍ରଶ୍ନ । ଅନ୍ଧାର ଲଦାଲଦି ପାହାଡ଼ ଖାଲ ଓ ଜଙ୍ଗଲରେ ତା’ର ଉତ୍ତର ନାହିଁ । ଅପା ତା’ର ଉତ୍ତର ଖୋଜିବାକୁ ଆପଣାଠିହିଁ ବୁଡ଼ି ରହିଥିଲେ । ପାଦ ଚାଲୁଥିଲା ତା’ର ଆପେ ଆପେ ।

 

ହଠାତ୍ ଆଗର ଲୋକ କ’ଣ ଗୋଟାଏ କିଳିକିଳା ବୋବାଳି ଛାଡ଼ିଲା । ହୁଲର ହେଲା, ବାଘ ବାଘ । ପନ୍ଦରଜଣ ଲୋକ ଯେ ଯୁଆଡ଼େ କିଲିକାଲିଆ ହୋଇ ଧାଇଁ ପଳାଇଲେ । ନିମିଷକେ ସବୁ ଶୁନ୍‌ଶାନ୍ । ସମସ୍ତିଙ୍କ ଦେଖାଦେଖି ଅପା ବି ଟିକିଏ ଦଉଡ଼ିଲେ । ଅନ୍ଧାରରେ ଝୁଣ୍ଟିପଡ଼ି ପାଦର ବଳାଗଣ୍ଠି ଅଳ୍ପକେ ମୋଡ଼ି ହୋଇଗଲା । ସେହି ଟିକିଏ ଯନ୍ତ୍ରଣାରେ ଚିଆଁ ଚେତନା ଝଣଝଣେଇ ଉଠିଲା । ଅପା ନିଜକୁ ନିଜେ ମନେ ମନେ ତିଆରିଲେ-ଛି ! ଶେଷରେ ମୁଁ ବି ଦୌଡ଼ିଲି ! ବାଘ ଖାଇବ ବୋଲି ! ପ୍ରାଣକୁ ଏତେ ଲୋଭ ! ଆପଣା ଜୀବନକୁ ଯାହାର ଏତେ ଲୋଭ ସେ ଏ ସବୁ କାମ କରିବା ପାଇଁ ବଣକୁ ଆସିବା ଉଚିତ ନୁହେଁ । ଭୟକୁ ହୃଦୟରେ ସାଇତି ଗାଁ ଡିହରେ ନିଜ ଘରୋଇ ଧନ୍ଦାରେ ପଡ଼ି ରହିବାହିଁ ଉଚିତ ଥିଲା । ଛି, ଏ କଥା ଶୁଣିଲେ ଜଗନ୍ନାଥଭାଇ କ’ଣ କହିବେ ! କହିବେ ଡରିଗଲ ଅପା ? ବାପା କ’ଣ କହିବେ ! କହିବେ ଏଇଥି ପାଇଁ ପଦାକୁ ଗୋଡ଼ କାଢ଼ିଥିଲୁ ? ଏଇଆ ଶିଖି ଆସିଲୁ ମୋ ଆଶ୍ରମରୁ କ’ଣ ନାଁ ‘ଚଚ୍ଚା ପହେଲେ ଅପ୍‌ନା ବଚା’, ଲାଙ୍ଗୁଡ଼ ଟେକି ପଳାୟନ ?

 

ସାନ ପାଟିରେ ଯେପରି କି ମନ ଭିତରେ କିଏ ଉତ୍ତର ଦେଲା-କିଏ କହିବ ? ଶୁଣିବ ବା କିଏ ? ବାଘର ବଡ଼ ବଡ଼ ଦାନ୍ତ, ବଡ଼ ବଡ଼ ନଖ ! ମରିଗଲେ ସରିଗଲା- ଭସ୍ମି ଭୂତେଷୁ ଦେହେଷୁ ପୁନରାଗମନଂ କୁତଃ ? କୁତଃ !

 

ପ୍ରବଳଭାବେ ପ୍ରତିବାଦ କଲା ଆଦର୍ଶବାଦୀ ସଂସ୍କୃତି–ଆତ୍ମା ମରେ ନାହିଁ, ବିଚାର ମରେ ନାହିଁ ।

 

ଦେହଟା ମରିଯାଏ ସିନା, କଥା ରହିଯାଏ କାଳକାଳକୁ ।

 

ଏ ବିଚାର ଯେଉଁମାନଙ୍କର ସେମାନଙ୍କର ଦେହ ଆଉ ନାହିଁ ସତ, ବିଚାର ରହିଯାଇଛି । ବିଚାର ରହିଯାଇଛି ମନୁଷ୍ୟ ଜାତିର ପରମ୍ପରାଗତ ସ୍ମରଣରେ, ହୃଦୟରେ ।

 

ନା, ପତାକା ନୁଆଁଯିବ ନାହିଁ, ନୀତିର ହେବ ନାହିଁ କେବେ ଅବସାନ, କର୍ମୀ ଜୀବନରେ ପଳାୟନ ମନା ।

 

ଅପା ଉଠିପଡ଼ି ଚାଲିବାକୁ ଆରମ୍ଭ କଲେ । ଲାଗିଲା, ଅନ୍ଧାର ଉପରେ ଅଗଣତି ତାରା ଯେପରି କି ସେହି ସଦ୍‌ବିଚାରର ପ୍ରତୀକ । ସକାଳ ହେଲେ ପ୍ରତୀକ ତା’ର ସୂର୍ଯ୍ୟ । ଜିକିଜିକି ତାରା ଅଭିନନ୍ଦନ ଜଣାଇଲେ । ସଦ୍‌ବିଚାର ଅପ୍ରତିହତ । ଅଥଳ ଅକୂଳ ଦରିଆରେ ପ୍ରେତ ଜାହାଜ ପରି ସେହି ଢାଲୁଢାଲୁଆ ଅନ୍ଧାରି ପତ୍ତନ ଉପରେ ଯେପରିକି ଭାସୁଛି ଅନ୍ଧାର ମୁଣ୍ଡା ମୁଣ୍ଡା ବଣପାହାଡ଼ । ସେହି ଅନ୍ଧାର ଯେପରିକି ଭୟରହିଁ ଘର, ଚାରିଆଡ଼େ ବାଘ, ବାଘ, ବାଘ !

 

କିନ୍ତୁ ଅପା ଚାଲିଥାନ୍ତି ବିଚାର ଉପରେ ଲୟ ରଖି ।

 

ଧୀରେ ଧୀରେ ବାଘର ଧାରଣା ମନ ଭିତରୁ ଅପସରି ଯାଉଛି । ତା ପରିବର୍ତ୍ତେ ଆସୁଛି ମଣିଷଙ୍କ ଧାରଣା ଓ ଛବି । ସେହି ଅଗଣତି ନରନାରାୟଣଙ୍କର-ଯାହାଙ୍କୁ ଧ୍ୟାନ କରି କରି ଘର ସଂସାର ସ୍ତ୍ରୀ ବାଳକ ପଛରେ ପକାଇଦେଇ ଡୋର କୌପୁନୀ ମାରି ବାହାରି ଚାଲିଯାଇଛନ୍ତି ଅନେକେ, ମଣିଷଙ୍କ ସେବା କରିବେ ବୋଲି ।

 

ଚାଲିଛି ଭାବନା–କେଡ଼େ ଚଞ୍ଚଳ, କେଡ଼େ ଜଟିଳଭାବେ ଛନ୍ଦାଛନ୍ଦି ।

 

ଏଇ ବଣ ଦେଶରେ-ବଣ କାଟି ପଥର ତାଡ଼ି ଆପଣା ହାତରେ ତିଆରି କରିଥିବା ଜମିକୁ କଳେ ବଳେ କୌଶଳେ ସାହୁକାର ଚିଲାମାରି ନେଇଛି । କନ୍ଧ ସଓରା ଆପଣା ଜମିରେ ମୂଲିଆ । ଆପେ ଭେଇଥିବା ଫସଲ ପାଖେ ଋଣଗ୍ରସ୍ତ । ତଳର ଜମିକୁ ଭୂତ ଖାଇବାକୁ ଛାଡ଼ିଦେଇ ପାହାଡ଼ ଉପରକୁ ଚଢ଼ିଲେ ବାଘ ବୋହି ନେଉଛି । ଯେପରି କି ଗରିବ ହେଲେ ତିନି ପୁରରେ କେଉଁଠି ହେଲେ ଠାବ ନାହିଁ । ଅଭାବରୁ ଅଜ୍ଞାନ, ଅଜ୍ଞାନରୁ ଅଭାବ-ବୁଲି ଲାଗିଛି ଚକ । ତେନ୍ତୁଳିମଞ୍ଜି ଜାଉ, ଶଳପଗଛ ଗୁଣ୍ଡର ଜାଉ, ଆମ୍ବ ଟାକୁଆର ଜାଉ କେବେ କେଉଁ ଯୁଗରେ ଅଭାବରୁ ଖାଦ୍ୟ ହୋଇ ହେଲାଣି ଆସି ପ୍ରଧାନଖାଦ୍ୟ । ଘରେ ଗଣ୍ଡିଏ ଚାଉଳ ଥିଲେ ବି ଏଇଆହିଁ ଖାଦ୍ୟ । ଚାଉଳ କେବଳ ଭୋଜିଭାତ ପାଇଁ ନ ହେଲେ ରୋଗୀ ପାଇଁ ପଥି ହେବାକୁ । ବଳୁଆ ଖାଦ୍ୟ ଖାଇଲେ ଆପେ ବୁଦ୍ଧି ବାହାରେ, ସେହିପରି–ନିର୍ବଳିଆ ଖାଦ୍ୟ ଖାଇଲେ, ଭୋକ ଉପାସରେ ପଡ଼ିଲେ ଥିଲା ବୁଦ୍ଧି ବି ହଜିଯାଏ । ଆଃ ! ଦାରିଦ୍ର୍ୟ କେଡ଼େ ଚଞ୍ଚଳ ମଣିଷକୁ ପଶୁ କରିଦିଏ ।

 

ଆଜି ଯେଉଁମାନଙ୍କୁ ଦେଖୁଥାଇଁ ଏତେ ଅଜ୍ଞ ଅଶିକ୍ଷିତ ଅଧଃପତିତ-କିଏ କହିପାରେ ଅତୀତ କାଳରେ ସମୃଦ୍ଧିରେ ଥିଲାବେଳେ ହୁଏତ ସେମାନେ ସଭ୍ୟହିଁ ଥିଲେ । ଆଜିର ଓଡ଼ିଶାକୁ ଅନାଇ ଦେଖିଲେ-ଏଇ ଦୁର୍ବଳ ସ୍ୱାସ୍ଥ୍ୟ, ଦରିଦ୍ର ସୁସ୍ଥିପ୍ରିୟ ସାନ ସାନ ଆକୃତିର ମଣିଷଟି ମାନ; ଯେ ପାନ ଭାଙ୍ଗିବାରେ ଖଟର ଖଟର କରି ଗୁଆ କାଟିବାରେ, ବସି ବସି ଅଳସେଇ ଅଳସେଇ ଗଳ୍ପ କରିବାରେ ସମୟ ଲୋକସାନ୍ କରିଦିଅନ୍ତି; ଦୈନିକ କାର୍ଯ୍ୟ କରନ୍ତି ଭାରତର ଅନ୍ୟାନ୍ୟ ଜାତିଙ୍କଠୁଁ ଯଥେଷ୍ଟ କମ୍-ଚାଷରେ ହେଉ ବା ମୂଲରେ ହେଉ । ଯାହାଙ୍କ ରୋଷଘର ସାକ୍ଷାତ୍ ଗୋଟାଏ ଭାଟି । ଯେ ଯେଉଁଠି ପଞ୍ଜାବୀ କି ପଶ୍ଚିମା ଲୋକ ତାର ଚପାତି ଆଉ ସୋରିଷ ଶାଗ କି ଆଚାର କି ଶୁଖିଲା ସନ୍ତୁଳାରେ ଖାଦ୍ୟପର୍ବ ଶେଷକରି ହାତ ଧୋଇଦେଇ ଉଠିଯାଏ । ଯେଉଁଠି ଆନ୍ଧ୍ର ତାର ଅରୁଆଭାତ ଆଉ ତେନ୍ତୁଳି ପାଣି ଆଉ ପରିବା ତେନ୍ତୁଳି ଡାଲି ଏକାଠି ଗୋଳିଆଗୋଳି ‘ସମ୍ବର’ ଚୁଟ୍‌କିନା ଚୁଲିରୁ ଓହ୍ଲେଇନେଇ ଖିଆପିଆ ଶେଷ କରି ବାସନ ଧୋଇଦେଇ ଓରାରେ ଥୋଇଦିଏ, ସେଠି ଓଡ଼ିଆ ଘରର ରୋଷେଇ ଲାଗି ରହିଥାଏ, ସକାଳୁ ଦିନ ଗୋଟାଏଯାକେ, ପୁଣି ସଞ୍ଜରୁ ରାତି ଅଧଯାକେ । ଆଉ ଓଡ଼ିଆ ଘରର ନାରୀର ଜୀବନରୁ ତିନିଭାଗରୁ ଭାଗେ ପାନ ଭଙ୍ଗା, ତିନି ଭାଗରୁ ଦେଢ଼ଭାଗ ରୋଷେଇ କରିବା । ବାକି ଯାହା ବଳିଲା ସେ ସନ୍ତାନ ଲାଳନ । ଆଜି ଏ ଯେଉଁ ଜାତି-ପୁଅ ତିନି କୋଶ ବାଟରେ ଚାକିରି କରିବାକୁ ଗଲେ ବିଦାବିଦିଟା ହୁଏ ଅନ୍ତିମ ବିଦାବିଦି; ନ ହେଲେ ବି ଦୂର ପ୍ରବାସ ପ୍ରୟାଣ ବେଳର ପରି । ଆଈ କାନ୍ଦେ, ଆଉ ମା କାନ୍ଦେ, ଆଉ ଘରେ ମାଇପେ କାନ୍ଦନ୍ତୁ ନ କାନ୍ଦନ୍ତୁ ସୁଁ ସୁଁ ହୁଅନ୍ତି । ପୁଅ ବି ଲୁଗା କାନିରେ ମୁହଁ ପୋଛେ । ଆଉ ମା କହେ, ‘‘ଯାଉଚୁରେ ପୁଅ ବେଉରା ବଟୋଉଥିବୁ । ଦିହପା’କୁ ନିଘା ଦବୁ । ଭାରି ହୁସିଆରରେ ଚଳିବୁ । ମା ବାସୁଳେଇ ମୋ ପୁଅକୁ ଘଣ୍ଟ ଘୋଡ଼େଇ ରଖ ।’’ ଆଜିର ଏଇ ଓଡ଼ିଶାକୁ ଅନେଇଁ ଦେଖିଲେ କିଏ କହିବ ଏଇ ସେଇ ଐତିହାସିକ ଓଡ଼ିଆ ଜାତି ଯେ ତା ସଭ୍ୟତା ପ୍ରଚାର କରିଥିଲା ବ୍ରହ୍ମ ଦେଶରୁ ଚୀନ୍ ଦେଶଯାକେ । ଜାଭା ବାଲି ସୁମାତ୍ରା ସବୁ ଦ୍ୱୀପ ମାଳିକାରେ ଏକଦା ପୃଥିବୀରେ ଥିଲା ଏକ ଶକ୍ତି ଭାରତ ଇତିହାସକୁ ଗୌରବୋଜ୍ଜ୍ୱଳ କରିଥିଲା । ତାର ଦୈହିକ ମାନସିକ ଖର୍ବତା ଘଟିଛି ଦାରିଦ୍ର୍ୟ ଓ ଖାଦ୍ୟଭାବ ଯୋଗୁଁ । ମାତ୍ର ଶହେଟା ବର୍ଷରେ ତା’ର ଦେଶଟାକୁ ବି ନେଲେ କାଟି କାଟି । ଗଲା ମେଦିନୀପୁରଳ ଗଲା ସିଂହଭୂମି, ବସ୍ତର, ପାର୍ବତୀପୁର, ମାଡ଼ଗୁଲ । ଦରିଦ୍ର ସେ ପ୍ରତିବାଦ ବି ଟାଣକରି ଲଗାଇ ନାହିଁ । ଅଧା ଉପାସ, ପଖାଳ ଓ କାଞ୍ଜିପାଣିରେ ଯେତେ କରାଯାଇପାରେ ତା’ଠୁଁ ସହସ୍ରେ ଗୁଣ ଅଧିକା କରି ବଞ୍ଚି ରହି ପାରିଛି ଓଡ଼ିଆ କେବଳ ମନ ଜୋର୍‌ରେ, ତା ଚେମେଡ଼ା ପଣ ଯୋଗୁ ସିନା, ନ ହେଲେ ହୋଇ ନ ଥାନ୍ତା । ଶିଶୁପାଇଁ କ୍ଷୀର ନାହିଁ, ଜାତିପାଇଁ ପୃଷ୍ଟିକର ଖାଦ୍ୟ ନାହିଁ, ରୋଗୀପାଇଁ ଔଷଧ–ତେଣୁ ଏ ଦେଶ ପଛରେ ପଡ଼ି ରହିଛି । ଉଚିତ ପରିମାଣରେ କୌଶଳ କି ଉତ୍ସାହ କି ବୁଦ୍ଧି କି ପ୍ରତିରୋଧକାରୀ ଶକ୍ତି ଏଠି ଉପୁଜି ପାରୁନାହିଁ । ଲୋକେ ତାର ଜମିଦାରି, ତାର ମାଟି ପିଣ୍ଡକୁ ବାଛିକରି ନେଇ ବି ସନ୍ତୁଷ୍ଟ ରହିନାହାନ୍ତି । ଲୋକେ ଲୋଡ଼ିଥିଲେ ତାର ପ୍ରାଣଟାକୁ ଆତ୍ମସାତ୍ କରିବାକୁ, ତା’ର ଭାଷା ସଂସ୍କୃତି ଲୋପ ପାଇବାକୁ । ତା’ର ଐତିହ୍ୟକୁ ନିଜର କରିବାକୁ ତାଙ୍କ ପାଟିରେ ବାଟୁଳି ବାଜି ନାହିଁ । ଏ ଦେଶର ସୁଯୋଗ ସୁବିଧାରେ ବାହାରର ଲୋକ ଧନୀ ହେଲେ ବି ଏ ଦେଶର ଲୋକ ତା’ର ସଦ୍‌ବ୍ୟବହାର କରିବାକୁ ତା’ର ଧନ ନାହିଁ କି ବଳ ନାହିଁ । କୋଠା ଥିଲେ ସେ ଭଡ଼ାଟିଆ । ପରର ଜମି ଥିଲେ ସେ ମୂଲିଆ । ପର ହାତରେ ଶିଳ୍ପ କାରବାର-ସେ କାରଖାନାର କୁଲି । ଆଉ ତାରି ପ୍ରତି ତାରି ଲୋକଙ୍କ ଅବସ୍ଥା ତାଚ୍ଛିଲ୍ୟ । ତାଙ୍କ ଆଖିରେ ଓଡ଼ିଶା ବାହାରର ଲୋକେ ଦିଶନ୍ତି ଦକ୍ଷ, ଦାମୀ, ବଡ଼ । ଆଉ ଦେଶଯାକ ଅଭାବର ବିକାର-ପରର ଶିରୀ ଆଖିରେ ଯିବ ନାହିଁ, ସୁବିଧା ପାଇଲେ ଦି’ପଦ ବଜେଇବାକୁ ଭୁଲିବ ନାହିଁ । ଦଳ ଭିତରୁ ଜଣେ ଉଠିଲେ ସମସ୍ତେ ତା ଗୋଡ଼ ଧରି ହାତ ଧରି ଦିଅ ଓଟାରି । ବିଦେଶୀ ଦେଖିଲେ ହୁଏତ ଗୌଣ ମନୋବୃତ୍ତି ହେତୁ ତାକୁ ଅତି ବଡ଼ ବୋଲି ଭାବ । ଭାବେ ଏ ଦେଶରେ ମଣିଷ ନାହାନ୍ତି । ବିଦେଶୀ ନ ଆସିଲେ ଏ ଦେଶର ମୁକ୍ତି ନାହିଁ । ନ ହେଲେ ଭାବ ତାକୁ ଯୁଦ୍ଧରେ ପ୍ରତିପକ୍ଷ ବୋଲି, ତାଠୁଁ ନିଜକୁ ବଡ଼ ବୋଲି ପ୍ରମାଣ କରିବାକୁ ଇତିହାସ ବଖାଣ । ଗୌଣ ମନୋବୃତ୍ତି ହେତୁ ସବୁବେଳେ ଅନାଇବା ସ୍ୱଭାବ ଅତୀତକୁ–ଆମେ ଏହା ଥିଲୁ–ବର୍ତ୍ତମାନକୁ ଭବିଷ୍ୟତକୁ ନୁହେଁ । ସମସ୍ୟା....ସମସ୍ୟା...ସମସ୍ୟା–ଚାରିଆଡ଼େ ବାଘଠୁଁ ବଳି ଭୟଙ୍କର, ବାଘଠୁ ବଳି କ୍ଷୟକାରୀ । ସମୂହ ଅଭାବ, ସମୂହ ହିଂସା, ସମୂହ ଅଜ୍ଞାନ ଯେଉଁଠି ମୁହାଁମୁହିଁ ସେଠି ଆପଣା ଅସ୍ତିତ୍ୱ ହିଁ ଅପା ଭୁଲିଯାଇଥିଲେ । ଦୂରରୁ ପାଟି ଶୁଭିଲା, ‘‘ଅପା, ଅପା, ଅପାଲୋ, କୁଆଡ଼େ ଗଲୁ ଲୋ ।’’ ପାଖ ହୋଇ ଆସୁଛି । ଦୂରେଇ ଦୂରେଇ ଆଲୁଅ ସବୁ ଯେପରି କି ଅନ୍ଧାରରେ ପହଁରି ପହଁରି ଚାଲିଆସୁଛି ତାହାରି ଆଡ଼କୁ, ଆଉ ଚାରିଆଡ଼ୁ ସେହି ଆର୍ତ୍ତ ଚିତ୍କାର–‘‘କୁଆଡ଼େ ଗଲୁ ଲୋ ଅପା ?’’ ବାଛୁରୀ ଖୋଜୁଛି ମାଆକୁ । ଅପା ମନକୁ ମନ ହସିଦେଲେ । ଭାବିଲେ, ଆହା ବିଚରା ପିଲାଏ, ଧରିନେଇଛନ୍ତି ଅପାକୁ ବାଘ ଖାଇଲାଣି କି କ’ଣ ! ଖାଉ ପଛେ ଅପାକୁ ବାଘ, ତୁମେ ପିଲାଏ ସୁଖରେ ଥାଅ । ଧାଇଁ ଧାଇଁ ସେମାନେ ସିଧା ଡୁମ୍ରିଗୁଡ଼ା ଗାଁରେ ପହଞ୍ଚି ଯାଇସାରିଛନ୍ତି । ପାଗଳ ପରି ଖୋଜି ଲାଗିଛନ୍ତି ଡ଼ୁମ୍ରିଗୁଡ଼ାର ଲୋକେ । ହେଇ କିଏ କାନ୍ଦି କାନ୍ଦି ଡାକିଲାଣି, ‘‘ଅପା ଲୋ, ତୁ କାହିଁ ? ତୁ ବଞ୍ଚିଛୁଟି !’’ ସତେ ତ, ମା’ପେଟର ଭାଇ କ’ଣ ୟାଙ୍କଠୁଁ ବେଶି ନିଜର ?

 

ଜନ୍ମର ସମ୍ବନ୍ଧଠୁ ବଳି ଟାଣ ସ୍ନେହରେ ସମ୍ବନ୍ଧ । ଭଗବାନ୍ ବୁଦ୍ଧଙ୍କ ଦୀକ୍ଷା ମୈତ୍ରୀ, କରୁଣା, ଚୈତନ୍ୟ ମହାପ୍ରଭୁଙ୍କ ଦୀକ୍ଷା ପ୍ରେମ ଏକ ହୋଇ ମିଶି ଯାଏ । ପୃଥିବୀର ରକ୍ଷାକବଚ ଏହି ମଣିଷ ପ୍ରତି ସ୍ନେହ । ତାହାରି ଭିତ୍ତି ଉପରେ ଭୂଦାନଯଜ୍ଞର ଦୁନିଆଁ, କପୋଳକଳ୍ପିତ ନୁହେଁ, ଦୂର ନୁହେଁ, ହାତପାଆନ୍ତିରେ-ମଣିଷ ତେଣେ ଚାହିଁଲେହିଁ ହେଲା ।

 

‘‘ଅପାଲୋ !’’

 

ଅନ୍ଧାର ଉପରେ ଲହରେଇ ଲହରେଇ ଛାଡ଼ି ଦେଇଛନ୍ତି ଯାଉଁଳି ପାଟି ବିଲଖାଲ ଉପରେ, ପାହାଡ଼ରେ ପ୍ରତିଧ୍ୱନି କରି କରି।

 

ସେଇ ପାହାଡ଼ରେ ଅଛି ବାଘ । ଥାଉ ହିଂସାର ପ୍ରତୀକ, ପୁଞ୍ଜୀଭୂତ ଅନ୍ଧାରର ଦୂତ ।

 

ହୃଦୟରେ ହୃଦୟ ଛନ୍ଦା ମଣିଷ ଗୋଷ୍ଠୀର ନିହିତ ଥାଇତାପଣର ସେ କିଛି କରିପାରିବ ନାହିଁ, ହିଂସା ନିଭିବହିଁ ।

 

‘‘ଆରେ ମୁଁ ହେଇଟିରେ-ମୁଁ ଯାଉଛି ଯାଉଛି ଚାଲ ।’’ ଅପା ପାଟି କଲେ । ସେ ପାଖରୁ ଶୁଭିଲା ହଷରୋଳ । ଏକାଠି ଗୋଛାହୋଇ ଲୋକେ ଧାଇଁଆସିଲେ…..‘‘ଅପା…..ଅପା…..ଅପା’’ ।

 

‘‘ଆରେ ହଁରେ, ତମଠୁଁ କ’ଣ ବାଘର ବେଶି ଟାଣ ଅପା ଉପରେ’’ ? ସ୍କୁଲ ଘର ପାଖେ, ସରକାରୀ କୋଠ ଗୋଦାମ ଘରପାଖେ ଗାଁଯାକ ଲୋକ ଠିଆ ହେଇଛନ୍ତି, ପିଲା ବୁଢ଼ା ସ୍ତ୍ରୀ ପୁରୁଷ ସମସ୍ତେ । ରାତି ଗୋଟାଏ ବେଳ ହେବ । ଶୀତ ରାତି । ନିଦରୁ ଉଠିଆସିଛନ୍ତି ଅପାକୁ ବାଘ ଗୋଡ଼େଇଛି ବୋଲି ଶୁଣି, ଛୁଆମାନେ, ଝିଅମାନେ, ମା’ମାନେ, ଚାରିଆଡ଼ୁ ଅପାକୁ ଚିପି ଆସୁଛନ୍ତି । କିଏ ମୁଣ୍ଡ ଆଉଁଶି ଦେଉଛି, କିଏ, ଗାଲ ଆଉଁଶି ପକୋଉଛି, କିଏ ହାତ ଧରି ପକୋଉଛି, କିଏ ପିଠିଆଡ଼େ ବାହା ବଢ଼େଇ ଦେଉଛି । ତାହାରି ଭିତରେ ମୁହାଁମୁହିଁ ଆସି ଠିଆହେଲା ମୁକ୍ତା-ଶିବର ସ୍ତ୍ରୀ । ବାଳ ଖୋଲିଯାଇ ଏକର ସେକର ଓହଳିଛି । ଆପଣା ନଖରେ ଖଣ୍ଡିଆ କରି କରି ମୁହଁଯାକ ପଟା ପଟା କଟାଦାଗ । କେରା କେରା ଲୁହ ବୋହିଯାଉଛି । କାନ୍ଦି କାନ୍ଦି କହିଲା-

 

‘‘ଅପା ତୁ ଆଇଲୁ !’’

ଭେଁକିନା କାନ୍ଦିଉଠି ଅପା ତାକୁ ଛାତି ଉପରକୁ ଓଟାରି ନେଲା ।

ଗାଁଯାକ କାନ୍ଦି କାନ୍ଦି ଅପାକୁ ନେଇ ସାହିକୁ ଚାଲିଲେ ।

ନିଶା ଅନ୍ଧାରରେ ଝଙ୍କାରି ଉଠିଲା ବେଦନାର ଝରଣା ।

ଏଇ ତାର ଗାଁ । ଆଜି ଖରାବେଳେ ବି ଶିବ ଏଠି ଥିଲା ।

ବିଶ୍ୱାସ ହେଉନାହିଁ ନାହିଁ ବୋଲି ।

 

ଜଗନ୍ନାଥ ଭାଇ ସେତେବେଳେ ଚନ୍ଦ୍ରପୁର ମାଳ ଅଞ୍ଚଳରେ । ଆଜି ଏଠି କାଲି ସେଠି । ତାଙ୍କର କାମ କହିପୋଛି ଲୋକଙ୍କ ହୃଦୟ ତରଳେଇ ଭୂମିହୀନଙ୍କ ପାଇଁ ଭୂମିଦାନ ସଂଗ୍ରହ କରିବା, ସୁଖଦୁଃଖରେ ବାଣ୍ଟିକୁଣ୍ଟି ଖାଇବାକୁ ଶିଖେଇ ଲୋକଙ୍କ ମନରୁ ସ୍ୱାର୍ଥପରତା ଦୂରକରି ଗାଁକୁ ଗାଁ ଭୂମି ସମ୍ପତ୍ତି କୋଠ କରେଇଦେବା–ଯେପରି ଗୋଟିଏ ଗୋଟିଏ ଗାଁ ଗୋଟିଏ ଗୋଟିଏ ପରିବାର କରି ଏକାଠି ଚଳିବେ ।

 

୩୦ ମାଇଲ୍ ଲମ୍ବା ୧୦ ମାଇଲ୍ ଓସାର ପ୍ରାୟ ପନ୍ଦରହଜାର ଲୋକ ବାସକରୁଥିବା ଏହି ଚନ୍ଦ୍ରପୁରମାଳ ଓଡ଼ିଶାର ଭୌଗୋଳିକ ବିସ୍ତୃତି ମଝିରେ କେଉଁଠି ଛପିରହିଛି । ମଣିଷଖିଆ ବାଘ ଓ ଅରଣା ହାତୀ ଏଠି ବଣେ ବଣେ । ଘଞ୍ଚ ଶାଳବଣ ବାଉଁଶବଣ, ପାହାଡ଼ ତଳିଆ ପଦର ଉପରେ ୬।୭ ହାତ ଉଞ୍ଚର ବହଳ ଶିକୁଳିଘାସ–ତାହାରି ତଳେ ତଳେ ମହାବଳ ଲୁଚି ରହେ । ମଣିଷ ପାଟି ଶୁଣିଲେ ହାତୀ ବି କାଠ ପରି ଠିଆହୁଏ । ପହିଲି ସଞ୍ଜରେ ଶାଳଗଛ ହାତୀଗୋଡ଼ କିଏ ବାରି ହୁଏ ନାହିଁ । ବହଳ ଘାସରେ ଶାଳଗଛ ତଳେ ମଣିଷ ଚାଲି ଚାଲି ଗଲାବେଳେ ହଠାତ୍ ଶାଳଗଛଟା ଉପରକୁ ଟେକି ହୋଇଯାଇ ମଣିଷ ଉପରେ ମାଡ଼ିହୋଇ ବସେ । ହାତୀ ଗୋଡ଼ତଳେ ମଣିଷ ଚଟଣି ହୋଇଯାଏ ।

 

ସେହି ଅଞ୍ଚଳ ୟେ । କେତେକଷ୍ଟରେ କେତେ ପରିଶ୍ରମରେ ମଣିଷ ଉପୁଜାଏ ଫସଲ । ଆଶା ରଖିଥାଏ କାଟିବି, ଖାଇବି ଛ’ମାସ । ଫସଲ କ୍ଷେତ ଚାରିକରେ ବାଘୁଆ ବଣ । ଢେଉ ପରି ଭଉଁରି ବୁଲିଛି ସାନ ସାନ ପାହାଡ଼ । ସେଠି ଜନ୍ତୁଙ୍କ ଖଣି, ଶମ୍ବର, ଚିତଳ, ନୀଳଗାଈ, କୁଟ୍ରା, ବାର୍‌ହିଆ, ଏପରିକି ଗୟଳ, ବଣପୋଢ଼ । ଫସଲ ପାଚିଆସିଲେ ସେମାନଙ୍କ ସହିତ ଅହରହ ଲୁଚକାଳି ଖେଳି ଏକରୁ ଗୋଡ଼େଇ ନେଇ ସେକରୁ ଲେଉଟି ଆସିଲାବେଳକୁ ଏକରେ ଲୁଚିଥିବା ଜନ୍ତୁ ବାହାରି ଫସଲ ଖାଇବାକୁ ଆରମ୍ଭ କଲେଣି । ବାଘ ନେଇଯିବ ବୋଲି ଖୁବ୍ ଉଞ୍ଚ ଗଛରେ ଜଗିବା ପଲା ବାନ୍ଧିବାକୁ ପଡ଼େ । ରାତିଯାକ ଚେତା ରହି ଶିଙ୍ଘା ଫୁଙ୍କ, ବାଜା ବଜାଅ । ଏମିତି ଏମିତି ହୋଇ ଫସଲ କଟା ଦିନ ପାଖ ହେବ । ତା’ପରେ ଦିନେ ଦେଖିଲା ବେଳକୁ ହାତୀ ଚରିଯାଉଛି । ଯେତେ କାନ୍ଦିଲେ ବୋବେଇଲେ, ଯେତେ ହଲା ହଟା କଲେ ହେଲେ କିଛି ଫଳ ନାହିଁ-। ହାତୀ କ୍ଷେତରେ ଥରେ ମୁହଁ ପୂରେଇଲେ ପାଖରେ ଥାଇ ଢାଇଢାଇ କରି ଓଡ଼ିଆନଳି ଫୁଟେଇଲେ ବି ଚମକିବ ନାହିଁ କି ଘୁଞ୍ଚିବ ନାହିଁ ।

 

ଏହି ସେ ଅଞ୍ଚଳ ଯେଉଁଠି ହାତୀ ଭୟରେ ବାଘ ଭୟରେ ବର୍ଷକୁ ବର୍ଷ ଗାଁ ଭାଙ୍ଗିଯାଏ । ଫଲଫଲିଆ ନଈ ଉପରେ ରାଇବିଜି ଥିଲା ଗୋଟିଏ ବଡ଼ ଗାଁ-ଡାମୁରୁଡାରୁ ଚନ୍ଦ୍ରପୁର ଯିବା ବାଟରେ । ଆଗ ଗଲା ରାଇବିଜି ଡାକବଙ୍ଗଳା । ଜଣେ ସାହାବ ବଙ୍ଗଳା ପଛଆଡ଼ ଦାଆଫାଳିଆ ଶାଳବଣରେ ଗୋଟାଏ ହାତୀକୁ ଗୁଳି କଲେ ବୋଲି ପଲେହାତୀ ଆସି ଗଜା ଶାଳଗଛ ଓପାଡ଼ି ତାକୁ ବାଡ଼ି ପରି ବ୍ୟବହାର କରି ପିଟି ପିଟି ସେ ବଙ୍ଗଳାକୁ ଭାଙ୍ଗି ପକେଇଲେ, ଗୋଡ଼ରେ ମନ୍ଥି ଚକଟି କୁଦିଦେଲେ ତାକୁ ଭୂଇଁରେ ସମାନ କରି । ବାରମ୍ବାର ହାତୀ ଫସଲ ଖାଇଲେ, ବାଘ ମଣିଷ ଖାଇଲେ ଯେ ଚାରି ପାଞ୍ଚବର୍ଷ ହେବ ଭାଙ୍ଗି ଉଠିଗଲାଣି ସେ ଗାଁ । ବର୍ତ୍ତମାନ ଫଲଫଲିଆ ନଈ କରେ କରେ ପଡ଼ିରହିଛି ଗାଁ ଓ ଗାଁର ଚାଷଜମି । କାହିଁ ଆଠହଜାର ଏକର, ଶିକୁଳି ଘାସ ହାତୀଏ ଉଞ୍ଚରେ ଠିଆ ହୋଇଛି । ଠିକ୍‌ ନଈ ଆରକରେ କୁର୍ଲିବାଲି ଗାଁ । ସେ ଗାଁ ବି ବାଘ ହାତୀ ଭୟରେ ତିନିବର୍ଷ ହେଲା ଭାଙ୍ଗିଲାଣି । ହନୁମନ୍ତପୁର ବୁଢ଼ୁବେଲି ମଝିରେ ଅଛି ପତନାଗୁଡ଼ି ଗାଁ । ଆଗେ ଥିଲେ ତିରିଶଘର କନ୍ଧ । ହାତୀ ବାଘ ଭୟରେ ଯେଣେ ତେଣେ ପଳେଇ ରହିଲେଣି ମାତ୍ର ପାଞ୍ଚୋଟିଘର । ଏତେଦୂର କାହିଁକି, ଡାଙ୍ଗସୁରୁଡ଼ା ତ ଚଲା ବାଟରେ-ରେଲ୍‍ଷ୍ଟେସନଠୁ ମୋଟେ ବାରମାଇଲ ବାଟ । ଡାଙ୍ଗସୁରୁଡ଼ା ପାଖରେ ଏକଦା ଥିଲା ଗୋତିଗୁଡ଼ାଗାଁ । ପଛଆଡ଼େ ନଈ, ଦୁଇକରେ ପାହାଡ଼ ଥାଇ ସୁନ୍ଦର ଉପତ୍ୟକା, ଅତି ଉର୍ବରାଭୂମି । ବାଘ ଭୟରେ ଗଲାଭାଙ୍ଗି ସେ ଗାଁ, ଖାଲି ହାତୀଆ ଘାସ ଓ କୁର୍‌ହେଇ ଗଛର ବଣ ହୋଇଛି ।

 

ଏହି ମାଳ ଅଞ୍ଚଳରେ, ବିଜୟନଗର ରାୟପୁର ଲାଇନ୍‌ର ମୁନିଗୁଡ଼ା ରେଲ୍‍ଷ୍ଟେସନରୁ ଓହ୍ଲେଇ ପୂର୍ବକୁ ଚାଲି ଚାଲି ଗଲେ ବଂଶଧାରା ନଈକୁ ତିନିଜାଗାରେ ପାରିହୋଇ ଆଉ କେତେ ନଈ ନାଳ ଗଲେ ତିରିଶ ମାଇଲରେ ପଡ଼େ ଚନ୍ଦ୍ରପୁର । ସେପାଖେ ପାରଳାଖେମୁଣ୍ଡି ବାଟେ ଆସିଲେ ଗୁଣୁପୁରରେ ଓହ୍ଲେଇ ଦୁଇଜାଗାରେ ବଂଶଧାରା ନଈ ପାରିହୋଇ ଉତ୍ତରକୁ ୨୪ ମାଇଲ୍ ଗଲେ ଗୁଡ଼ାରି, ପୁଣି ଉତ୍ତରକୁ ପୂର୍ବକୁ ହୋଇ ୩୦ ମାଇଲ୍ ଚାଲିଲେ ଚନ୍ଦ୍ରପୁର । ସେଠୁ ତିରିଶ ମାଇଲ୍ ଭିତରେ ଡାକ୍ତରଖାନା ନାହିଁ, ଡାକଘର ନାହିଁ, ଦୋକାନ ବଜାର ନାହିଁ, ହାଟ ନାହିଁ । ବର୍ଷାଦିନେ ନଈ ବଢ଼ି ଉଠେ ଯେ ବାଟ ମିଳେନାହିଁ । ଖାଲି ବାଘହାତୀଙ୍କ ବଣପାହାଡ଼, ତାହାରି ମଝିରେ ବଂଶଧାରା ନଦୀର ଅତି ଉର୍ବର ଉପତ୍ୟକା । ପାହାଡ଼ ଘେରେଇ ଖାଲ ମଝିରେ ତାଷଜମି ଓ ଗାଁ ।

Unknown

 

ଯୁଆଡ଼େ ଚାହିଁଲେ ପୋଲାଖିଆହିଁ ଅଧିକ-ଜଗନ୍ନାଥଭାଇ ଭାବୁଥିଲେ । ଏପାଖ ମାଳରେ ମଣିଷ ହାତର କରଣିକୁ ପୋଲାରେ ଖାଉଛି ହାତୀ । ସେ ପାଖ ମାଳରେ ପୂର୍ବପଟେ–ଲାଙ୍ଗୁଡ଼ପରି ଫେର ଓହଳିଥିବା କୌପୁନି ପିନ୍ଧା ଲାଞ୍ଜିଆ ସଓରା ଯେତେ ଫସଲ ଉପୁଜାଏ ତାକୁ ଖାଇଯାଆନ୍ତି ତା’ର ପୂର୍ବପୁରୁଷଙ୍କ ଆତ୍ମା, କାରଣ ସେ ବିଶ୍ୱାସ କରେ, କାଶସର୍ଦ୍ଦିଠୁ ଜ୍ୱର ପର୍ଯ୍ୟନ୍ତ ସବୁ ରୋଗ ହୁଏ ସେହି ଅତୃପ୍ତଆତ୍ମାଙ୍କଦ୍ୱାରା । ତାଙ୍କୁ ମଇଁଷି ବଳି ନ ଦେଲେ ରୋଗ ଭଲ ହେବନାହିଁ । ତେଣୁ ସେ ବର୍ଷକେ ପାଞ୍ଚ ଦଶଟି ମଇଁଷି କିଣିଆଣି ହାଣେ । ତା’ର ରୋଜଗାର ଯାଏ ସେହି ବାଟରେ ।

 

ଏ ପାଖେ ହାତୀ, ସେପାଖେ ହଜିଲା ପୂର୍ବପୁରୁଷଙ୍କ ଅଦେଖା ଆତ୍ମା, ଅନ୍ୟସ୍ଥାନରେ ପୋଲାଖିଆ ସାହୁକାର । ମଦ ଋଣଦେଇ, ଟଙ୍କା ଋଣଦେଇ, ସାମାନ୍ୟ ଧାନ କରଜ ଦେଇ, କେତେ ଫିକର କରି ସେମାନେ କନ୍ଧ ସଓରା ତିଆରି କରିଥିବା କ୍ଷେତକୁ ନିଜର କରିନେଇ ସାରିଛନ୍ତି । ଗାଁ ଯାକ ଅନ୍ୟ ଲୋକଙ୍କର ଗୋବେ ବୋଲି ଜମିନାହିଁ ।

 

ଖାଲି ଆଦିବାସୀ ଅଞ୍ଚଳ ବୋଲି କାହିଁକି, ନାନା ଉପାୟରେ ପୃଥିବୀର ସର୍ବତ୍ର ଲାଗିରହିଛି ସେହି ଶୋଷଣ । ଜଣେ ଭୂମିର ମାଲିକ ବୋଲାଇ ପରିଶ୍ରମ ନ କରି ଫସଲର ବଡ଼ଭାଗ ଖାଉଛି । ଆଉ ଜଣେ ଲଙ୍ଗଳ ଧରି ଜମିରେ ଦେହ ମେହେନତ୍ କରି ଫସଲ ଉପୁଜେଇ ବି ଫସଲର ଅଧିକାରୀ ହୋଇ ପାରୁନାହିଁ ।

 

ବଡ଼ ପୁରୁଣା ଏ କଥା, ଅଥଚ ନିତି ନୂଆ ।

 

ହେଇ ଦେଖାଯାଉ ମହନି ପାତ୍ର କଥା । ପୋଷାକରେ ଭଦ୍ରତାର ଛାପା । ବେକଠୁ ଆଣ୍ଠୁଯାକେ ଲମ୍ବା ହଳଦିଆ କୋଟ୍‌ରେ କେଉଁଠି ଗୋଟିଏ ବୋତାମ ବି ଖୋଲା ନାହିଁ । ମାପି ଚୁପି ଗଣି ଗଣି କଥା, ମୁହଁର ସେ ଭାବ, ମଝିରେ ମଝିରେ ହସିଲାପରି ବାଙ୍କଓଠ ସବୁ ଯେପରି କି ମପାଚୁପା, ଯେ ଓଠର ବାଙ୍କଟା ଯିବ କେତେ ଦୂର ଯାକେ । ବିଧବା ରୁକ୍‌ମିଣୀ ଦେବୀଙ୍କ ଆମ୍‍ମୁକ୍ତାର୍‍ ହୋଇ ମହନି ପାତ୍ରଙ୍କ ଜୀବନ ଆରମ୍ଭ । ତାଙ୍କ କଥା ଯେ ଯାହା କହନ୍ତୁ ସେ’ତ ଆଖିରେ ନ ଦେଖିବା କଥା, କିନ୍ତୁ ଆମ୍‌ ମୁକ୍ତାର୍‌ ହେଲା ପରେ ଯେ ଆପଣା ଗାଁରେ ମହନି ପାତ୍ର ଦି’ସାହାଲା କୋଠା ଠିଆକଲେ, ତାଷଜମି ଏକା ଚକରେ ଶହେ ଏକର ଭେଇନେଲେ ଓ ଖାଉନ୍ଦଙ୍କ ବାଳୁତ ଦୁହିଁଙ୍କ ସ୍ୱାର୍ଥ ରଖୁଛି କହି ଆପେ କେତେ ଗାଁର କନ୍ଧଙ୍କୁ ଚିତାକାଟି ନାନା କୌଶଳରେ କନ୍ଧଙ୍କ ଜମି ନେଇଯାଇ କନ୍ଧଙ୍କୁ ଖପରାରେ ଖୋଇଦେଲେ, ଏ’ତ ଆଖିରେ ଦେଖିବା କଥା । ଧମକେଇବା, ଡରେଇବା, ଠକିବା, ଜାଲ୍‍ କରିବା, ମିଛ କହିବା, ପିଟିଶନ ପକେଇବା, ମକଦ୍ଦମା ଲଗେଇବା, ମଦ ଲାଞ୍ଚ ଦେଇ ଗୁଣ୍ଡା ଲଗେଇ ପିଟେଇବା, ଘର ଜୁରେଇବା ସବୁ ଦୁଷ୍ଟାମିରେ ଥାଇ କେଉଁଥିରେ ନିଜେ ଚିହ୍ନା ନ ପଡ଼ିବା ଏ ତ ତାଙ୍କର ନିତିଦିନର କାର୍ଯ୍ୟ । ଦଳ ଗଢ଼ିଲେ ବଳ ବଢ଼େ ଏଇ ନୀତିରେ ମହନି ଗୋଟିଏ ଦଳର ନେତା । ହାତରେ ଖଣ୍ଡେ ଖବରକାଗଜ ବି ଅଛି- ‘ନିଜ ସମ୍ବାଦଦାତା’ ଯାହା କହିଲେ ତା ଛାପିଦେଇ ପାରିବେ, ନ ଥାଉ ସେ ଖବରକାଗଜର ବେଶି କାଟ୍‌ତି-। ଗୋଟାଏ ପ୍ରଶ୍ନକୁ ଦି’ଟଙ୍କା ହିସାବରେ ଦେଇଦେଲେ ମନଇଚ୍ଛା ପ୍ରଶ୍ନ ପଚାରିବାକୁ ଲୋକ ଅଛନ୍ତି, ହେଉ ପଛେ ସେ ପ୍ରଶ୍ନ ଯେତେ ଅମୂଳକ, ପଚାରି ଦେଲେହିଁ ହେଲା । ତେଣିକି ଲୋକେ କୁହାକୋହି ହେଉଥାନ୍ତୁ ସତମିଛ ବିଷୟରେ । ଭଦ୍ରଲୋକଙ୍କୁ ଭାଣ୍ଡିଆ କରିବାକୁ ଯାହାକିଛି ଗୋଟାଏ ଅପବାଦ ସୃଷ୍ଟି କରିଦେଲେହିଁ ହେଲା । ସେହି ହିଂସାର ଅବତାର ପିନ୍ଧେ ଧୋବଲା ପଇତା, ଚୌକିରେ ବସି ମୁଣ୍ଡଟୁଙ୍ଗାରେ, ମାମଲତ ଭାଙ୍ଗେ, ଦେଶର ପ୍ରତି ବଡ଼ ବଡ଼ ବିଷୟରେ ବି ବିବୃତି ଦିଏ । ଦଳର ଲୋକ କହନ୍ତି, ‘‘ପାତ୍ରଙ୍କୁ ପଚାର,’’ ପାତ୍ରଙ୍କ ମତ ଏହିପରି ।’’ କନ୍ଧ କେବଳ କହେ ‘ମହନି’.....ସେହି ପଦେ କଥାରେ ଅତ୍ୟାଚାର ମୂର୍ତ୍ତିମନ୍ତ ହୋଇ ଠିଆହୁଏ ।

 

ସେହିପରି କେତେ ଶୁଣ୍ଢି ମହାଜନ, କେତେ କୁମୁଟି, ବେପାରି, କେତେ ଥିଲାବାଲା । ଗରିବଙ୍କ ପାଇଁ ଆଖିରୁ ଲୁହ ଗଡ଼ାଇ ବକ୍ତୃତା ଦିଅନ୍ତି ଗୋବର୍ଦ୍ଧନ ପାଢ଼ୀ । ସେହି ପୁଣି କରାନ୍ତି ଯେତେ ବେଠିବେଗାଡ଼ି । କୋଠିଆକୁ ମୂଲ ଦେଲାବେଳକୁ ମାସକୁ ଛଟଙ୍କା ସାତଟଙ୍କା, ଟଙ୍କା କରଜ ଦେଲେ ସୁଧ ଟଙ୍କାକେ ଟଙ୍କାଏ । ସେମାନେ ଉପରେ ଉପରେ କନ୍ଧ ସଉରାଙ୍କ ହାତରେ ବଣହଣାଇ ଜମି ତିଆରି କରାଇ ନିଅନ୍ତି । କହନ୍ତି ‘‘ୟେ ଆମ ବଣ, ତୁମେ ସଫାକର ଖାଅ, ଯାଉ ଦିବର୍ଷ, ଯାହା କିଛି ସାମାନ୍ୟ ଖଜଣା କରିଦେବା । ତୁମେ ଜମି ତିଆରି କର, ଏଠି ଘରଦୁଆର କର-। ଜମି ସଫାହୋଇ ଠିକଣା ହୋଇ ସାରିଲା ପରେ ଦିଅନ୍ତି ସେମାନଙ୍କୁ ତଡ଼ି, ଜମି ମାଡ଼ିବସନ୍ତି-। ଅଣେ ବଣେ କଣେ ଶିରାଏ ଶିରାଏ ବସା ବାନ୍ଧିଛନ୍ତି ଛାରପୋକଦଳ, ଡିମ୍ବଠୁ ବଡ଼ଯାକେ, ସେହି ଯେଉଁମାନେ ରାତିକାରାତି ଟଙ୍କାକୁ ପାଞ୍ଚଟଙ୍କା କରିବାକୁ ଇଚ୍ଛା କରନ୍ତି । କିଏ କିରାସିନ ତେଲ ଚାରିପଇସାର ବିକିଲେ ପଳାଏ କମ୍ ଦିଏ । କିଏ ଲୁଗା ଖଣ୍ଡେ ବିକିଲେ ଟଙ୍କାକେ ସାତଣା ଅଧିକା ହାଙ୍କେ । କିଏ ଟଙ୍କାଟିଏ କରଜଦେଲେ କହେ ସୁଧ ବାବତକୁ ବର୍ଷକୁ ନେବି ତିନିସେର ଛ’ସେର କି ବାରସେର ସୋରିଷ । ସେତକ ‘ଫାଇଦା’ କିଏ, ଠକିବା ପାଇଁ ସାନମାଣରେ ବିକେ, ବଡ଼ମାଣରେ କିଣେ । ‘ଚିନ୍ନମୀ’ ଅର୍ଥାତ୍ ‘ସାନଝିଅ’ ବୋଲି ହାଙ୍କିଲେ ଚାକର ସାନମାଣ ଆଣି ପହଞ୍ଚାଏ । ‘‘ପେଦ୍ଦାମୀ’ ଅର୍ଥାତ୍ ‘ବଡ଼ଝିଅ’ ବୋଲି ହାଙ୍କିଲେ ସେ ଆଣେ ବଡ଼ମାଣ, ଯହିଁରେ ତିନିସେର କହି ଚାରିସେର ମାପି ନେଇହୁଏ । କେଉଁଠି ଗୁଣୁପୁରରେ ବେପାରି ଲାଞ୍ଜିଆ ସଓରା ସଙ୍ଗେ ମିତ ବସେ, କାରଣ ମିତ ମାଗେଣାରେ ଭାରଥୋର ବୋହି ଲାଗିଥିବ ମିତଘରକୁ । ହରଡ଼, ମୁଗ, ସୋରିଷ, ସୁଆଁ, ଯେତେ ଯାହା କରେ ସବୁ । ତା ବଦଳରେ ରାତିଏ ମୁଠିଏ ଭାତ; ପୁଣି ମିତଘରେ ମାଂସ ଖାଇବା ମନା । ଆଉ କେଉଁଠି ବିଷମକଟକରେ, ମିନିଗୁଡ଼ାରେ ବେପାରି ଅବିକଳ ସେଇଆ କରେ ଡଙ୍ଗ୍ରିଆ କନ୍ଧକୁ । କିଏ ଜମି ବନ୍ଧା ରଖୁଛି କହି ବିକ୍ରୀ ଲେଖେଇଦିଏ, ଦସ୍ତକତ୍ କରେଇନିଏ । କିଏ ଭଗତାଷୀଠୁ ଭାଗ ଧାନରସିଦ ନେଉଛି କହି ମିଥ୍ୟାରେ ଖାଲି କାଗଜରେ ଟିପ ନେଇ ନେଇ କାଗଜରେ ତମସୁକ ଭର୍ତ୍ତି କରିଦେଇ ମକଦ୍ଦମା ଦାଏର କରେ । କିଏ ଭାଗ ଚାଷୀକୁ ଜମିରୁ ଜବରଦସ୍ତି ଉଚ୍ଛେଦ କରେ....ଏଣେ ସଭାରେ ବୋଲାଏ ନେତା । କିଏ ହାତରେ ନ ମାରି ଭାତରେ ମାରେ, ଭାଗ ଦେବାରେ ଠକେ । ଚାଷର ସବୁ ଖର୍ଚ୍ଚ ସୁଧ ସହିତ ତା ଭାଗରୁ ବଡ଼ମାଣରେ ମାପି ମାପି କାଟିନେଇ ସାନମାଣରେ ତା’ଭାଗ ଦିଏ । କିଏ ଭାଗ ପରିବର୍ତ୍ତେ ‘ରାଉ’ ବା ସଞ୍ଜା ଦିଏ । ପାଞ୍ଚମହଣ ପାଚିବା ଜମିକୁ ଦଶମହଣ ପାଚେ ବୋଲି ମିଛରେ କହି ପାଞ୍ଚମହଣ ପାଇବ ବୋଲି କଥାକରି କାଗଜ ଲେଖାଇ ନିଏ । ଶେଷରେ ତାକୁ ଭଷ୍ମକରେ । କିଏ, ମୂଲିଆଠୁ ଓଳିକର କହି କଚିକାଚି ଦିନକର ଶ୍ରମ ଅସୁଲ କରି ତାକୁ ଦିଏ ଚାଳିଶତୋଳା ଚାଉଳ ହେଲାପରି ଧାନ । କିଏ ନାଲିଆଖି ଦେଖାଇ ଅବା ଗୋଗୋଛବାଡ଼ିଆ କରି ଡରେଇ ହରେଇ ଜବରଦସ୍ତି ପରର ଚାଷଜମି ଦଖଲକରେ, ମଣିଷଙ୍କୁ ଛେଳି କରେ, ବନ୍ଧୁକ ଧରି ବୁଲେ । କିଏ ଏହିସବୁ ଦୁରାତ୍ମାମାନଙ୍କ ସଙ୍ଗେ ସଲାହୋଇ ତୋଳା ଉଠାଏ, କାଗଜ ବଦଳାଏ, ଦୁଇପକ୍ଷରୁ ପଇସା ଖାଏ, ପାଖେ ଅଭୟ ଦେବା ପାଇଁ ପାଖେ ଭୟ ଦେବା ପାଇଁ ଏବଂ ବଣୁଆ ମାଳ ଭିତରେ ବୁଢ଼ୀଆଣୀ ଜାଲ ପରି ସଡ଼କ ଛକିରେ ଧୋବଲାକୋଠା ଠିଆ ହୁଅନ୍ତି ଶୋଷଣ ପାଇଁ, ପେଣ୍ଠଜାଗାରେ କୋଠା ଓ ଝିଙ୍କର ଘର ଠିଆ ହୁଅନ୍ତି ଜକାଜକି ହୋଇ, ସେଠି ବୁଢ଼ିଆଣୀମାନେ ଧୋବଲୁଗା ପିନ୍ଧନ୍ତି, ଗଣ୍ୟମାନ୍ୟ ବୋଲାନ୍ତି, କିଛି ଦାନପୁଣ୍ୟ ବି କରନ୍ତି । କାଦୁଅ ନ ଚକଟିଲେ ଯେପରି ଧାନ ହୁଏ ନାହିଁ, ସେହିପରି ମନ୍ଥନ ଦୋହନ ଶୋଷଣ ନ କଲେ, ଫଳରେ ଘାଣ୍ଟି ନ ହେଲେ ପିଟି ହୁଏନାହିଁ ରାତିକା ରାତି କୋଠା । ସେମାନେ ଶୋଷଣକାରୀ ସମାଜ ଗଢ଼ନ୍ତି, ପୁଣି ପରସ୍ପରକୁ ବି ଶୋଷନ୍ତି । ତେଣୁ ସେହି ଧୋବଧାଉଳିଆ ସହରରେ ବେଉସା ଚଳାନ୍ତି ଠକକୁ ଠକିବାକୁ ଆହୁରି ବଡ଼ଠକ, ଗୁଣ୍ଡାଙ୍କୁ ଆୟତ୍ତ କରିବାକୁ ଆହୁରି ବଡ଼ଗୁଣ୍ଡା, ଆଉ ଚୋର, ଡକାୟତ୍, ବେଶ୍ୟା । ଆଉ ସେଠି ଶୋଷଣକାରୀମାନେ ହିଁ ସହରର ମୁଣ୍ଡିମାଳ । ସେମାନଙ୍କ ସୁଦୃଶ୍ୟ ହର୍ମ୍ୟ ସାଙ୍ଗକୁ ସୁଦୃଶ୍ୟ ପୋଷାକ, ତାଙ୍କ ପିଲାଏ ଉଚ୍ଚଶିକ୍ଷା ପାଆନ୍ତି ସ୍କୁଲକଲେଜରେ, ସେମାନେ ଲେଖାପଢ଼ା ଜାଣିବା ଲୋକ, ତେଣୁ ତାଙ୍କ ମତର ଶକ୍ତି ଅଛି, ତାଙ୍କର ଭାଷଣ ଓ ବିବୃତିର ଓଜନ ଅଛି, ତାଙ୍କ ମତ କାଏମ୍ କରିବାକୁ ଓ ତାଙ୍କ ପାଇଁ ସୁବିଧା ଅସୁଲ କରିବାକୁ ତାଙ୍କର ପୋଷା ଗୁଣ୍ଡା ଓ ଦଲାଲ ଥାଆନ୍ତି, ହାନିଲାଭକୁ ଥାଏ ଟଙ୍କା, ଆଇନ ସଙ୍ଗେ ଲଢ଼ିବାକୁ ଥାଆନ୍ତି ଓକିଲ । ଅଥଚ ତାଙ୍କର ବାହାରି ଉଡ଼ଙ୍ଗ ପଛଆଡ଼େ ସବୁବେଳେ ଭୟ ଓ ଦୁଶ୍ଚିନ୍ତା । ଗୋଡ଼ରୁ ମୁଣ୍ଡଯାକେ ଅଳଙ୍କାର ଲଦିହୋଇ ଗୁଣୁପୁରରେ ବ୍ୟବସାୟୀର ସ୍ତ୍ରୀପିଲା ରାତିରେ ଘର ଦୁଆର ମୁହଁରେ ପିଣ୍ଡା ଉପରେ ଝାଡ଼ାବସନ୍ତି । ସେଥିପାଇଁ ରାସ୍ତା କରେ କରେ ଘର ଦୁଆରମୁହଁ ପିଣ୍ଡାରେ କରିକିଆ ହୋଇ ଗୋଟିଏ ଲେଖାଏଁ ଗୋଲ କଣା, ଆବର ପାଇଁ ଅଧା କାନ୍ଥ, ତଳେ ରାସ୍ତାକରର ନର୍ଦ୍ଦମା । ବହୁ ପୁରୁଣା ରୀତି ଏ । ସେହି ପ୍ରକାଣ୍ଡ କୋଠାମାନଙ୍କ ଆଗରେ ଜେଲ୍‌ଖାନାର ଲୁହା ବାଡ଼ ପରି ଲୁହା ବାଡ଼, ବନ୍ଦ ଥିଲେ ଦିଶେ ପିଞ୍ଜରା ପରି । ତାଙ୍କର ପୋଷା ଦଲାଲ ବେଳେ ବେଳେ ପୋଷା କୁକୁର ବାୟା ହେଲାପରି ହୁଏ ତାଙ୍କ ଆତଙ୍କ, ଯେପରି କି ଗୁଣୁପୁରର ଗୁଣ୍ଡା ଏକ ହାତବିହୀନ କେମ୍ପାୟା ବା କେମ୍ପେଶ୍ୱର ରାଓ, ଯେ ସବୁ ବେପାରିଙ୍କ ପାପକର୍ମ ଜାଣେ, ଡରେଇ ଡରେଇ ପଇସା ଅସୁଲ କରେ, ନିଜେ ଚିହ୍ନା ନ ପଡ଼ି ବାଉରି, ରେଲି, ଘାସି ପେଶିଦେଇ ବେଜିତ୍‌ କରାଏ । ମାଡ଼ ମରାଏ, ମୋଟା ବେପାରି ରାତିରେ ନିଦରେ ସେହି ଏକହାତଖଣ୍ଡିଆ ଜୀର୍ଣ୍ଣଶୀର୍ଣ୍ଣ ସାନ କଳାମଣିଷର ମୂର୍ତ୍ତିକୁ ସ୍ୱପ୍ନ ଦେଖେ, ଆଉ ଭୟରେ ବିଳିବିଳେଇ ଉଠେ, କାରଣ ସେ ଯେତେ ମଦ ପିଉ ଯେତେ ଯାହା ହେଉ ସେ ଗରିବ ନୁଖୁରା ମୁଣ୍ଡିଆଙ୍କ ପଟନେଇ ବେପାରି ବିରୁଦ୍ଧରେ ଅଭିଯାନ ଚଳାଏ । ତାର ପ୍ରଖର ବୁଦ୍ଧି । ସେ କଳାବଜାରି ଫାଉମରା ଭଦ୍ରଲୋକମାନଙ୍କର ସବୁ ଦୁର୍ବଳତା ଏପରି ଭଲଭାବେ ଜାଣେ ଯେ ଯେତେବେଳେ ପାରେ ସେତେବେଳେ ଆଙ୍ଗୁଠି ବଢ଼େଇ ତାକୁ ଚିହ୍ନେଇ ଦେଇପାରେ; କାରଣ ସେମାନେହିଁ ତାକୁ ପୂର୍ବେ ବିଶ୍ୱସ୍ତ କରି ପୋଷି ରଖି ବିପକ୍ଷ ଦଳଙ୍କ ବିରୁଦ୍ଧରେ ପେଶୁଥିଲେ-

 

ଏ ସମସ୍ତଙ୍କ ହୃଦୟକୁ ବି ପରିବର୍ତ୍ତନ କରିବାକୁ ପଡ଼ିବ–ଧୂର୍ତ୍ତ ଗୁଣୁପୁର, ସାଲକମ୍ବା, ଉକାମ୍ବା, ଡମ୍ବସରା, ବ୍ରାହ୍ମଣୀ, ଗୁଡ଼ାରି, ବିଷମକଟକ ମୁନିଗୁଡ଼ା, ସିଂପୁର, ନିଷ୍ଠୁର ପାଷାଣହୃଦୟ ପଦ୍ମପୁର, ନାଇରା, ଆଉ ବଙ୍ଗାରପୁବାଣ୍ଡି (ଅର୍ଥାତ୍‌ ସୁନାଶଗଡ଼) ଗେଧଲସ୍ୱାମୀ ଶୁଣ୍ଢି, ଆଉ ପାଟ ବିଶୋଈ, ମେଧର ଶୁଣ୍ଢି, ଆଉ ଇଭିନିଙ୍ଗୀ ରସୁଲ କୋମଟି, ଆଉ ଦେଓର ସେଟି କୁମୁଟି, ଆଉ ସୁନାମୁଦିଆ ପେଟା ସେନାପତି ଶୁଣ୍ଢି, ଆଉ ଚତୁର୍ଭୁଜ ପାତ୍ର, ଆଉ ହରିସିଂ ପାଣିଗ୍ରାହୀ, ଆଉ କାରିଣୀ ପାଢ଼ୀ, ଆଉ ମହନି ପାତ୍ର ଆଉ କେମ୍ପେଶ୍ୱର ରାଓ ଅସଂଖ୍ୟ ତାଙ୍କର ନାମ ଯଦିଚ ରୂପ ଏକ ।

 

ବଦଳାଇବାକୁ ହେବ ଏମାନଙ୍କ ହୃଦୟକୁ । କିପରି ହେବ ?

 

ଭାବିଲେ ଲାଗେ ଏ ଅସମ୍ଭବ । ସ୍ୱାର୍ଥର ମୋହ ଏତେ ଅଧିକ ଯେ ସନ୍ତାନ ହେଲେ ସମ୍ପତ୍ତି ଭୋଗକରିବ ବୋଲି ଅଶୀ ବରଷରେ ହରିବନ୍ଧୁ ସାହୁ ତାଙ୍କ ଶାଳୀର ଷୋଳବର୍ଷର ଝିଅକୁ ବିଭା ହୋଇପଡ଼ିଲେ । ସେ କ’ଣ ସତେ ଛାଡ଼ିବେ ତାଙ୍କ ପାଞ୍ଚଶହ ଏକର ଜମିରୁ କାଣିଚାଏ, ସଓରା ଖାଇ ବଞ୍ଚିବ ବୋଲି ? ପ୍ରକାଣ୍ଡ ଆକାର ବୈଶ୍ୟ ରାଜୁ ଭାଗା ରାଜୁ ଆପେ ତାଙ୍କ ଚୁଲିର ପାଉଁଶକୁ ଧୋଇ ଅଙ୍ଗାର ସାଇତନ୍ତି । ମକଦ୍ଦମାରେ ହାରି ମାଣେ ଜମି ଭାଗଚାଷୀ ହଳ ହୋଇଗଲା ବୋଲି ସେ କଚିରି ଘରୁ ଭୋ ଭୋ କାନ୍ଦି କାନ୍ଦି ଗାଁକୁ ଫେରିଲେ, ଉପାସ ରହିଲେ ଦି’ଓଳି-ସେ ଛାଡ଼ିବେ ଜମି ? ସମ୍ପତ୍ତି ଛାଡ଼ିବ ଇଭିନିଙ୍ଗୀ ରାମୁଲୁ କୋମଟି ?

 

ଲାଗେ ଅସମ୍ଭବ ।

 

ଜଗନ୍ନାଥଭାଇ ତଥାପି ଭାବିଲେ, କିଛି ଅସମ୍ଭବ ନୁହେଁ । ଏ ଯେଉଁ ଅନ୍ଧାର ମାଡ଼ିଆସୁଛି ଦିନ ଶେଷରେ, କିଏ ଭାବନ୍ତା ଏ କେବେ ସରିବ ବୋଲି ? ଅଥଚ କାଲି ସକାଳେ ଖୋଜିଲେ ଏ ଅନ୍ଧାରର ଲେଶମାତ୍ର ମିଳିବ ନାହିଁ । ଯେତେବେଳେ ବାହାରିଥିଲେ ଧର୍ମପ୍ରଚାରକମାନେ ସେତେବେଳେ ପ୍ରତିଷ୍ଠିତ ଧର୍ମବିଶ୍ୱାସର ଆସନ ଦୃଷ୍ଟିରୁ ସେମାନଙ୍କ ଉଦ୍ୟମ ଲାଗୁଥିଲା କେଡ଼େ ସାନ ! କେତେଜଣ ବା ଶୁଣିବାକୁ ଆସୁଥିଲେ ! ତା’ପରେ ସେମାନଙ୍କ ଧର୍ମ ଚାରିଆଡ଼େ ବ୍ୟାପିଥିଲା-। ସତ୍ ବିଚାରର ପ୍ରକାଶ ସୂର୍ଯ୍ୟର ପ୍ରକାଶ ପରି । ସେ ତାର ନିଜ ଗୁଣରେ ବ୍ୟାପି ଚାଲିବ, ଆଲୁଅର ପ୍ରଚାର ପାଇଁ ବିଜ୍ଞାପନ ଆବଶ୍ୟକ ହୁଏନାହିଁ । ଏମାନଙ୍କ ହୃଦୟର ବି ପରିବର୍ତ୍ତନ ହେବ । କେହି ମନ୍ଦ ନୁହେଁ, ସମସ୍ତଙ୍କ ହୃଦୟରେ ପରମେଶ୍ୱର ଅଛନ୍ତି ।

 

ଦୂରପାହାଡ଼ ଉପରେ ସଞ୍ଜର ସିନ୍ଦୂରଗାରକୁ ଚାହିଁ ଜଗନ୍ନାଥଭାଇ ଧ୍ୟାନସ୍ଥ ହୋଇପଡ଼ିଥିଲେ । ଆପଣା ପାଇଁ ଭାବିବାକୁ କିଛି ନାହିଁ । ସେ ଓଳିଏ ଖାଆନ୍ତି, ରାତିଓଳି ଉପାସ । କହିଲେ କହନ୍ତି-ଯେଉଁଠି ସବୁଲୋକେ ଦିଓଳି ଖାଇବାକୁ ପାଆନ୍ତି ନାହିଁ ସେଠି ନିଜେ ଦିଓଳି ଖାଇବାକୁ କାହାରି ଅଧିକାର ନାହିଁ । ଖାଦ୍ୟରେ ସ୍ୱାଦ ତାଙ୍କର ଲୋଡ଼ାନାହିଁ । କେଉଁ କନ୍ଧଘରୁ ମାଣ୍ଡିଆଭାତ କି ଆମ୍ବ କୋଇଲି ଗୁଣ୍ଡର ପିଠା କି ଶାଳଗଛର ଧୂଳିର ଜାଉ ଯାହା କିଛି ମାଗିଲେ, ଉଦର ଭର୍ତ୍ତି କଲେହିଁ ହେଲା । ପାନ ବିଡ଼ି ଚାହା କଫି ସେ କେବେ ଚାଖି ନାହାନ୍ତି । ଖୋଲା ଦେହ-। ଝୁଲାମୁଣିରେ ଖଣ୍ଡେ ଖଦଡ଼ ଚାଦର ଅଛି । ଯେଡ଼େବଡ଼ ଶୀତହେଉ ଚାଦରଖଣ୍ଡି ଘୋରିହୋଇ ମୁହଁ ଘୋଡ଼ିହୋଇ ପଡ଼ିଲେହିଁ ହେଲା । ବିଭା ହେଲେନାହିଁ । ମୁକ୍ତ ସ୍ୱାଧୀନ ପୁରୁଷ । ଜୀବନର କାର୍ଯ୍ୟ କେବଳ ଗୋଟିଏ-ପରୋପକାର ।

 

ବଡ଼ ସରଳ ତାଙ୍କ ଇତିହାସ । କେବଳ କାହାର ପୁଅ, କାହା ଭାଇ ହୋଇଥିଲେ । ମ୍ୟାଟ୍ରିକୁଲେସନ୍ ସେକେଣ୍ଡକ୍ଳାସରେ ପଢ଼ୁଥିଲେ । ସତ୍ୟାଗ୍ରହ ଆନ୍ଦୋଳନ ସିଧା ଜେଲ୍‌କୁ ଓଟାରି ନେଇଗଲା । ନାନାସ୍ଥାନ ବୁଲି, ଅନେକ ଥର ଜେଲ୍‌ ଯାଇ, ଆଶ୍ରମର ତାଲିମ ପାଇ ସେ ମାଳ ଅଞ୍ଚଳରେ କାମ କରିବାକୁ ଗୋଟିଏ ଆଶ୍ରମରେ ରହିଗଲେ । ସେଠି ତାଙ୍କ କାମ–ଲୋକଙ୍କୁ ଭଲବୁଦ୍ଧି ଦେବା, ନିଶାଖିଆ ଛଡ଼େଇବା, ସୂତାକଟା, ପରିଚ୍ଛନ୍ନତା ଓ ନୀତି ଶିଖାଇବା, ଶୋଷଣ ଅତ୍ୟାଚାର ଲୁଣ୍ଠନ ବନ୍ଦ କରିବା, ସବୁ ଉପାୟରେ ତାଙ୍କର ଉନ୍ନତି କରିବା । ସେ କାମ ଲାଗି ରହିଛନ୍ତି । ତା’ପଛକୁ ଆସିଲା ନୂଆଢେଉ ବିନୋବା ଓ ଗୋପବାବୁଙ୍କ ଡାକ-ବୁଲି ବୁଲି ଲୋକଙ୍କୁ ବୁଝାଇବାକୁ ପଡ଼ିବ-ଭୂମିହୀନ ପାଇଁ ଭୂମି ଦିଅ, ସମ୍ପତ୍ତି ଲୋଭ ଛାଡ଼, ସମସ୍ତଙ୍କ ସମ୍ପତ୍ତି କୋଠ କରିଦିଅ ଯେ ବାଣ୍ଟି କୁଣ୍ଟି ସମସ୍ତେ ଚଳିବେ, କେହି ଭୋକରେ ରହିବେ ନାହିଁ, କେହି କାହାକୁ ଶୋଷିବେ ନାହିଁ କି ଧନ ସଞ୍ଚିବେ ନାହିଁ ନିଜ ପାଇଁ, ଗାଁଯାକ ଏକ ପରିବାର ହୋଇ ଚଳ ଯେ ଆଗ ସମସ୍ତିଙ୍କ ଭଲ ପାଇଁ ଭାବିଲେ ପଛେ ନିଜକଥା ।

 

ଜଗନ୍ନାଥଭାଇ ଲାଗିପଡ଼ିଲେ । ଲୋକଙ୍କର ତାଙ୍କ କଥାରେ ବିଶ୍ୱାସ ହେଲା, ଲୋକେ ବୁଝିଲେ । ଚାହୁଁ ଚାହୁଁ ବଣ୍ଟନ ପାଇଁ ଲୋକେ ଆପଣା ଜମିକୁ କାଟି ଜମି ଦେଇଦେବାକୁ ଆରମ୍ଭ କଲେ ଯେ ସବୁଯାକ ହେଲା ପଇଁଚାଳିଶ ହଜାର ଏକର । ପଚସ୍ତରିଖଣ୍ଡ ଗାଁର ଲୋକେ ଆପଣାର ସବୁ ଜମିବାଡ଼ି କୋଠକୁ ଦାନ କରିଦେଲେ, ନିଜ ପାଇଁ କିଛି ରଖିଲେ ନାହିଁ, କାରଣ ଗାଁର ସବୁ ଜମି ଲୋକଙ୍କ ଆବଶ୍ୟକ ଅନୁସାରେ ସମସ୍ତିଙ୍କୁ ବାଣ୍ଟି ଦିଆଯିବ । ବଣ୍ଟନ ବି ଆରମ୍ଭ ହୋଇଗଲା । ବଡ଼ମୁଲୁଗାଁ ଗ୍ରାମରେ ଭୂଦାନର ସମାଜ ଦର୍ଶନ ପ୍ରାଚୀନ କନ୍ଧ ଦର୍ଶନ ସହିତ ଖାପିଗଲା । କନ୍ଧ ଦେଶ ମାତିଉଠିଲା ଭୂଦାନ ସର୍ବସ୍ୱଦାନ ନିଶାରେ ।

 

ଏଇ ଶାଳବଣ ବାଉଁଶବଣ ଉହାଡ଼ରେ ସରଳ ହୃଦୟ ମଣିଷ ସମସ୍ତିଙ୍କ ପାଇଁ ଗଢ଼ୁଛି ସତ୍ୟଯୁଗ । ଏତେ ଦର୍ଶନଶାସ୍ତ୍ର ବୁଝିବାକୁ ଯେ ମୁଣ୍ଡ ଖର୍ଚ୍ଚ କରେନାହିଁ । ସେ ସାଧାରଣ ସତ୍ୟର ସାର୍ବଜନୀନ ସର୍ବବାଦୀ ସମ୍ମତ ବିଚାରକୁ ହିଁ ଧରିଛି । କୋଆଟି କନ୍ଧଭାଷାରେ କହୁଛି–ପାହାନ୍ ତିଞ୍ଜାରା-ବାଣ୍ଟି କୁଣ୍ଟି ଖାଇବା-ଯେମିତିକି ଝୋଲାର ପାଣି ।

 

ଧର୍ତ୍ତନୁମାତା ପୃଥିବୀ ସମସ୍ତଙ୍କର ମା’ । ସେ ସବୁ ପିଲାଙ୍କୁ କୋଳରେ ଧରିଚି । ମାହାପୁରୁ ସବୁ କଲା । ଆଗେ ଥିଲା ଅନ୍ଧାର, ମାହାପୁରୁ ଆଲୁଅ କଲା । ସେଇଠୁ ଗଢ଼ିଲା ନର ମାଈ, ଦୁଇ ଭାଇଭଉଣୀ । ଭୂତମାନେ ତାଙ୍କୁ ଖାଇ ଗୋଡ଼େଇଲେ । ମହାପୁରୁ ତାଙ୍କୁ ଶିମିଳିଗଛ କାଠର ଡଙ୍ଗାରେ ବସାଇ ଭସାଇ ପାଳିଲା । ମହାପୁରୁ ସେଇଠୁ ମାଟି କଲା, ଗଛ କଲା, ଡଙ୍ଗାକୁ କୂଳରେ ଲଗାଇଲା । ତାଙ୍କୁ କହିଲା ତୁମେ ଏଥର ବିଭାହୁଅ, ଘରସଂସାର କର ।

 

କେମିତି ଆମେ ବିଭାହେବୁଁ ? ଆମେପରା ଭାଇଭଉଣୀ-ସେମାନେ କହିଲେ । ଆଛା ଦେଖୁଥା, ମାହାପୁରୁ କହିଲା । ସେଉଠୁ ନରକୁ ଏବାଟେ ମାଈକୁ ସେବାଟେ ଅଲଗା ଅଲଗା ନେଇ ବଣ ଭିତରେ ନାନା ବଙ୍କାଢଙ୍କା ବାଟରେ ଅମୁହାଁ କରି ବୁଲେଇ ବୁଲେଇ ପୁଣି ଏକାଠି ଭେଟାଭେଟି କଲା । ସେମାନେ ପରସ୍ପରକୁ ଚିହ୍ନି ପକାଇଲେ-ଏଇଟା ମୋ ଭାଇ ଏଇଟା ମୋ ଭଉଣୀ । ଏମିତି ସାତଥର ନେଇ ବୁଲେଇ ବୁଲେଇ ମାହାପୁରୁ ତାଙ୍କୁ ଭେଟାଭେଟି କଲା, ସେମାନେ ତଥାପି ଚିହ୍ନାଚିହ୍ନି ହେଲେ । ମାହାପୁରୁ ଆଉ ବୁଦ୍ଧି ନ ପାଇ ଠାକୁରାଣୀ ମା’କୁ ସ୍ମରଣ କଲା । ଦୁଇଜଣଙ୍କୁ ବସନ୍ତ ରୋଗ ହେଲା । ପୁଣି ଆଉଥରେ ନେଇ ବୁଲେଇ ବୁଲେଇ ଏକାଠି କଲାବେଳକୁ କେହି କାହାକୁ ଚିହ୍ନିପାରିଲେ ନାହିଁ । ଘର ସଂସାର କଲେ । ମଣିଷ ଜାତି ସୃଷ୍ଟି ହେଲା ।

 

ଏ ସବୁ ତ ମାହାପୁରୁ କଲା, ମଣିଷ ନିଜେ ତ ନିଜର ନୁହେଁ ଆଉ କୋଉ ସମ୍ପତ୍ତିଟା କାହାର ? ଯେତେ ଦିନଯାକେ ଏ ସଂସାରରେ ଥିବା ସମସ୍ତେ ସମସ୍ତିଙ୍କର ହୋଇ ଚଳୁଥିବା, କାମ କରିବା, ଖାଇବା । ମିଳିଲେତ ସମସ୍ତେ ଖାଇବା, ନ ମିଳିଲେ ସମସ୍ତେ ଉପାସ ରହିବା । ଜଣେ ଖାଉଥିବ ଆଉ ଜଣେ ଅନେଇଁଥିବ ସେଇଟା ପାପ ନାହିଁକି ?

 

କନ୍ଧ ଗାଁରେ ସବୁଘର ମିଶି ଗୋଟିଏ ଖଞ୍ଜା । ମୁହାଁମୁହିଁ ଦୁଇ ଧାଉଡ଼ି ଘର, ମଝିରେ ଅଗଣା, ଚାରିକରେ ବାଡ଼ ବୁଜା ହୋଇଛି । ଧାଉଡ଼ିର ଏମୁଣ୍ଡୁ ସେମୁଣ୍ଡୁ ସତେକି ଗୋଟିଏ ସେଣି, ତଳେ ଗୋଟିଏ ପିଣ୍ଡା ଏମୁଣ୍ଡରୁ ସେମୁଣ୍ଡ । ସେଥିରେ ସାନ ସାନ ଅଧାକାନ୍ଥି ଦିଆହୋଇ ଜଣଜଣକର ବାଟମୁହଁର ଚିହ୍ନ-କେଉଁଠି ତା ବି ନାହିଁ । ସମସ୍ତେ ମିଶି ସତେ ଅବା ଏକ ଅଖଣ୍ଡ ମନୁଷ୍ୟ ପରିବାର ।

 

ଗାଁ ପୁରୋହିତ ‘ଜାନି’, ଗାଁ ସିଦ୍ଧାନ୍ତୀ ‘ଦିସାରି’, ଗାଁର ବୁଢ଼ୀ କାଳିସୀ ‘ବେଜୁଣୀ’ ଦେବତାକୁ ପୂଜା ଦେଲାବେଳେ ଯେଉଁ ମନ୍ତ୍ର ବୋଲନ୍ତି ସେ ସମସ୍ତଙ୍କର ମଙ୍ଗଳ ପାଇଁ, ଜଣକ ପାଇଁ ନୁହେଁ ।

 

‘‘ସମସ୍ତେ ସୁଖରେ ଥାଉନ୍ତୁ, ସମସ୍ତେ ଶାନ୍ତିରେ ଥାଉନ୍ତୁ

କାହାରିକି ରୋଗ ନ ହେଉ, ବାଘ ନ ଖାଉ

କାହାରି କିଛି କ୍ଷତି ନ ହେଉ ।’’

ବଣରେ ଶିଆଳିଲଟା ମାଡ଼ିଲା ପରି ଗାଁଯାକର ତାଷ ମାଡ଼ିଯାଉ ।’’

 

ପାଖେ ବଣ୍ୟପ୍ରକୃତି, ପାଖେ ମନୁଷ୍ୟ । ସେ ଏକଜୁଟ ନ ହେଲେ ପ୍ରକୃତିଠୁ ସୁବିଧା ଆଦାୟ କରିବା କଷ୍ଟ । ସଭ୍ୟତା ଗୋଷ୍ଠୀର ସଂରକ୍ଷଣ ଓ ବିକାଶପାଇଁ ଆରମ୍ଭ ହୋଇଥିଲା । ସେଠି ସେ ବହୁଦିନୁଁ ଆବିଷ୍କାର କରିଥିଲା ବ୍ୟକ୍ତି ଗୋଷ୍ଠୀର, ଗୋଷ୍ଠୀ ବ୍ୟକ୍ତିର । ବାହାରର ଲେଖାପଢ଼ା ଧୋବଧାଉଳିଆ ବିଚାର ବ୍ୟକ୍ତିର ହିତକୁ ଗୋଷ୍ଠୀର ହିତଠୁଁ ଅଲଗା କରି ଥୋଇଥିଲା । ଆଣିଥିଲା ସ୍ୱାର୍ଥ, ଲୋଭ ଓ ଭେଦର ସୁବିଧାଖୋର ହୁଗୁଳା ରୋଗୀଣା ସମାଜ; ଯେଉଁଠି ମଣିଷ ନିଜର ଲାଭ ପାଇଁ ପରର ତଣ୍ଟି ଚିପିବାକୁ ପଛାଏ ନାହିଁ । ଭୂମି ଦାନ ଦେଇ ମଣିଷ ପୁଣି ପବିତ୍ର ହେଉଛି ତ୍ୟାଗବଳରେ, ପୁଣି ବଣ ହେଉଛି ତପୋବନ । ସେଠି ଧର୍ମର ଉଦୟ ହେଉଛି । ମଣିଷ ଦେଖୁଛି ବୈଦିକ ଯୁଗର ଗୋଷ୍ଠୀ ପଟୁଆର ଯେତେବେଳେ ଜଗତଟା ଥିଲା ତା ଘର, ଜଗତ ଯାକ ଥିଲେ ତାର ବଂଶ । ଆଉ ଭାବୁଛି–‘‘ଉପରେ ଧର୍ମ, ତଳେ ଦର୍ତ୍ତନୁ, ମଝିରେ ମୁଁ !’’ ।

 

ମୁଁ କେଡ଼େ ବଡ଼, କେଡ଼େ ପରିବ୍ୟାପ୍ତ, ସବୁତ ମୁଁ, ସମସ୍ତେ ମୋର । ଯେଉଁଠି ମଣିଷ ସବୁଠି ମୋର ଘର, ଭାଷାର ବାଡ଼, ରଙ୍ଗର ବାଡ଼, ଦେଶର ବାଡ଼ ଆଉ ମଣିଷକୁ ମଣିଷଠୁଁ ଅଲଗା କରିପାରିବ ନାହିଁ । ବଣ ଭିତରେ ଲାଗିରହିଛି ସେହି ଋଷିଯୁଗର ପୁନରାବୃତ୍ତି ।

 

ଚାଲିଛି ପଟୁଆର, ଲାଗିରହିଛି ପଦଯାତ୍ରା ବିନୋବାର ପଦଯାତ୍ରା ! ପଦଯାତ୍ରା ! ଯୁଗେ ଯୁଗେ ଭାରତ ଭୂଇଁ ପବିତ୍ର ହୋଇଛି ମହାପୁରୁଷଙ୍କ ପଦଯାତ୍ରାରେ । ଦିନେ ବୁଲୁଥିଲେ ରାମ ଦଣ୍ଡକାରଣ୍ୟ ପଥରେ ଏହି ବଂଶଧାରା କୂଳେ କୂଳେ–ପଡ଼ିଥିବ ପରା ତାଙ୍କ ପାଦ । ପାରଳାଠୁ ରାମଗିରି ଦେଇ ଗୁଣୁପୁର ପଦ୍ମପୁର ଗୁଡ଼ାରି ସମତଳ ଓ ପାହାଡ଼ ମାଳହିଁ ତ ପ୍ରାଚୀନ ଶବରଭୂମି । କିଏ କହିପାରେ, ଏହି ବଂଶଧାରା କୂଳରେ ହୁଏତ ଶବରୀ ରାମଙ୍କ ଚରଣଧୋଇ ଦେଇଥିଲା–କିଏ କହିପାରେ, ଏଇ ବଇରୁ ଗମାଂ ନୀଳକଣ୍ଠ ଗମାଂ, ମଧୁସୂଦନ ଗମାଂ, ଗୋବର୍ଦ୍ଧନ ଗମାଂ, ପୂର୍ଣ୍ଣ ଗମାଂ ଲାଳିଆ ଗମାଂ, ଆଉ ମେଟୁଖିଲିଂରାଇର ସନିଆ ଗମାଂ, ଏହି ଗମାଂ ଅର୍ଥାତ୍ ସଓରା ଗାଁ ମୁଣ୍ଡିଆଳମାନଙ୍କ ପୂର୍ବପୁରୁଷ ଗମାଂମାନେ ରାମଚନ୍ଦ୍ରଙ୍କ ଚରଣଧୂଳି ମୁଣ୍ଡରେ ମାରି ପବିତ୍ର ହୋଇଥିଲେ, ଯେଣୁ ସେମାନେ ବଂଶଧାରା ଉପତ୍ୟକାର ‘ଶୁଦ୍ଧ-ପୁତସ ।’ ଯେଉଁଥିପାଇଁ ବଂଶଧାରା ହେଲେ ପବିତ୍ର ନଦୀ, ବଂଶ ଉଦ୍ଧାରଣ । ଦିନେ ବୁଲୁଥିଲେ ବୁଦ୍ଧଦେବ, ଆଉ ବୌଦ୍ଧ ପରିବ୍ରାଜକମାନେ, ମହାବୀରମାନେ; ସତ୍ୟ ଅହିଂସାର ମଶାଲ ଧରି ହିଂସା ଓ ଅଜ୍ଞାନର ଅନ୍ଧାର ଦୂର କରୁଥିଲେ । ଏହି ମାଟିରେ ଚାଲି ଚାଲି ବୁଲୁଥିଲେ ଚୈତନ୍ୟ ମହାପ୍ରଭୁ, ପଦଯାତ୍ରା କରିଥିଲେ ଗୋଦାବରୀ କୂଳକୁ । ଆଉ କେତେ ସନ୍ଥ, କେତେ ମହାପୁରୁଷ । ଏ ମାଟିରେ ସବୁ ପୁଣ୍ୟାତ୍ମାଙ୍କ ପାଦର ସ୍ପର୍ଶ ।

 

ଆଉ ସେହିପରି ବୁଲୁଥିଲା ସେ ଦିନ ଦୁଇଟି ଶୀର୍ଣ୍ଣପାଦ । ଖଣ୍ଡେ ବାଉଁଶ ବାଡ଼ିର ମୂଳ, ହିଂସାର କଣ୍ଟା ଉପରେ । ନିଆଁ ମୁଣ୍ଡା ଉପରେ ଚାଲି ଚାଲି ବୁଲୁଥିଲା ସେ ଦୁଇପାଦ । କାଲିକା କଥା ତ, ରାମନାମ ଗାଇ, ସତ୍ୟ ଓ ଅହିଂସାର ବାଣୀ ଗାଇ, ମହାମାନବିକତାର ମନ୍ତ୍ର ଗାଇ ଗାଇ ବୁଲୁଥିଲା ଆତତାୟୀର ଗୁଳିଚୋଟରେ ଦେହଟା ଝଡ଼ିପଡ଼ିବାଯାକେ ।

 

ଆଜି ବୁଲୁଛନ୍ତି ଋଷି ବିନୋବା, ବୁଲୁଛନ୍ତି କେତେ ସନ୍ଥ ପୁରୁଷ ଓ ସ୍ତ୍ରୀ । ସତ୍ୟଯୁଗର କାରିଗର ସେମାନେ ।

 

ବୁଲୁଛନ୍ତି, ନିଜ ପାଇଁ ନୁହେଁ, ଖାଲି ଭାରତ ପାଇଁ ନୁହେଁ, ଏ ଜଗତ ପାଇଁ । ଜଗତରେ ରାମରାଜ୍ୟ ସ୍ଥାପିତ ହେବ, ରହିବ ନାହିଁ ହିଂସା, ଯୁଦ୍ଧ, ଅଶାନ୍ତି, ଅଭାବ । ଜଗନ୍ନାଥଭାଇ ବି ବୁଲୁଛନ୍ତି-

 

ଘୋର ବନସ୍ତ ଭିତରେ ଦଶଟି ଘର ଥାଇ ଛୋଟ ଗାଁଟିଏ । ଏଠି ଥାନ୍ତି କୋଟିଆ କନ୍ଧ । ବୁଡ଼ୁବେଲିରୁ ଚନ୍ଦ୍ରପୁର ଯାଉଁ ଯାଉଁ ଗାଁଟି ପଡ଼େ । ବୁଡ଼ୁବେଲି ପଟେ ଏତେ ଉଞ୍ଚ ଘାସ ଯେ ହାତୀ ଲୁଚିଯିବ । ଚନ୍ଦ୍ରପୁର ଆଡ଼କୁ ଖଣ୍ଡେ ପାହାଡ଼ ଗାଁ ଉପରକୁ ସତେ କି ଝୁଙ୍କି ପଡ଼ିଛି । ରାତିହେଲେ ମହାବଳ ବାଘ ଦୁଆରେ ବୁଲେ । ଗାଁର ପ୍ରଧାନ ଲୋକ ବା ‘ମାଝି’ ଗୋଗୋରଙ୍ଗା ଗୋତ୍ରର ମଣ୍ଡଳ କନ୍ଧ । ପୂରା ନାଁ ଗୋଗୋରଙ୍ଗା ମଣ୍ଡଳ ମାଝି । ତାର ପୁଅ ଦିହେଁ ମୁଦୁରା ଓ ଜୁରିଙ୍ଗା ହିଙ୍ଗୁ । ତା ନାତି ସାନମାଝି ଓ ଅନ୍ୟମାନେ । ସମୁଦାୟ ଦଶଜଣଙ୍କ ବାର୍ଷିକ ଖଜଣା ତିନିଟଙ୍କା ଘରକେ ୩ ପୁଟିରୁ ୫ ପୁଟିଯାକେ ଧାନ ଆୟ କରନ୍ତି । ପୁଟିକ ଦେଢ଼ମହଣ । ଫସଲ ସରିଲେ ଚିରକାଳର ଖାଦ୍ୟ ଆମ୍ବ ଟାକୁଆ, ତେନ୍ତୁଳି ମଞ୍ଜି । ବୁଢ଼ା ମଣ୍ଡଳ ମାଝି ଡେଙ୍ଗା ଧଳାଜାତିଆ ଲୋକ । ଗୋଟିଏ ଆଖି ବସନ୍ତ ରୋଗରେ ନଷ୍ଟ ହୋଇଛି । ଦଶଘର ହେଉ ପଛେ ଗୋଗେରଙ୍ଗା ବଂଶ କନ୍ଧଙ୍କର ଏ ଗୋଟିଏ ନାମି ଗାଁ । ଆହୁରି ଗୋଗେରଙ୍ଗା ବୁଡ଼ୁବେଲି, ବାଲିମଝକି, ଜର୍ଜିହୋଁ, ମୂଲଡାକା, ପେନାଗାଉ. ଆମ୍ବଡ଼ିମାହା ଗାଁମାନଙ୍କରେ ତାଙ୍କ ବିଭାଘର ଚଳେ-ଅନ୍ୟ ଗୋତ୍ର ସହିତ, ଯେପରି ଚନ୍ଦ୍ରପୁର, ବାନ୍ଦିରି, ଆଦିପାଙ୍ଗାର, ତାଙ୍ଗାରାଙ୍ଗା କି କୁତାମା ଗାଁର ତ୍ୱେଡ଼ାକା ବଂଶର । ଏଠି ବସା କରିବାକୁ କେବଳ କନ୍ଧଘର ପିଣ୍ଡା । ପିଣ୍ଡା ପାଞ୍ଚହାତ ଓସାର, କିନ୍ତୁ ପଦାରୁ ଦିଶେ ଚାଳ ନଇଁ ଆସିଛି, ନଇଁ ନଇଁ ଭିତରେ ପଶିବାକୁ ହୁଏ । ପିଣ୍ଡା କରରେ ଚାଳରୁ ତଳକୁ ଗୋଟା ଗୋଟା କାଠ ପୋତାହୋଇ ବାଡ଼ ହୋଇଛି । ଘର ଦୁଆର ମୁହଁରେ ପିଣ୍ଡା ଫାଟକ । ବଣ ଜନ୍ତୁ ଭୟରେ ଘର ପିଣ୍ଡାରେ ବାଡ଼, ତେଣୁ ମଧ୍ୟ ପିଣ୍ଡାଯାକ ତୀବ୍ର ମୁତଗନ୍ଧ । ପିଣ୍ଡା ତଳକୁ ଅସନା, ଅଳିଆ, ବାଘକୁ ଡରି । ପିଣ୍ଡା ମଝିରେହିଁ କନ୍ଧ ଏଠି ରାତିରେ ପରିସ୍ରା କରେ । ଗନ୍ଧ ସଙ୍ଗେ ମିଶିଯାଏ ଧୂଆଁ ଗନ୍ଧ । ଘର ଭିତରେ ସବୁବେଳେ ନିଆଁ ଜଳୁଥିବ ।

 

ନାନାଜାତି ଘର ସଙ୍ଗେ ଅଭ୍ୟସ୍ତ ଜଗନ୍ନାଥଭାଇ ସତେକି ସବୁ ତାଙ୍କ ନିଜଘର, ଅସୁଖ ବାରିବାକୁ କିଛି ନାହିଁ । ଏମିତି କେତେ ଘୁଅ କେତେ ମୂତ, ଘରଭିତରୁ ସଢ଼ାମାଂସର ଗନ୍ଧ ବାହାରୁଥିବ । କେଉଁଠି ବସିଲାବେଳକୁ ମୁଣ୍ଡଉପରୁ ଗୋରୁ ଫରିଆ ଝୁଲୁଛି, କେଉଁଠି ବସିଛନ୍ତି କୁଷ୍ଠରୋଗୀ, ୟଜ୍‌ରୋଗୀ । କେଉଁଠି ଆପେ ହଇଜା ମଳୁକୁ କୋଡ଼ରେ ଧରି ବସିରହିଛନ୍ତି, ଝାଡାବାନ୍ତି ବୋହିଯାଉଛି, ବିକାର ନାହିଁ । ଅସନା ଗନ୍ଧ ମଇଳା ସେ ଭଲ ପାଆନ୍ତି ନାହିଁ । ଲୋକଙ୍କୁ ବୁଝାନ୍ତି ୟଜ ଛାଡ଼, ସଫାସୁତୁରା ହୁଅ, ଭଲ ହୁଅ, ମଦ ଖାଅନା, ଗୋରୁ ମାରନା । ତା ବୋଲି ଅସନା ହୋଇଛି ବୋଲି ମଣିଷକୁ ସେ ଘୃଣା କରନ୍ତି ନାହିଁ । ନହିଲେ କହନ୍ତି, ମଇଳାଟା ସଫା କରିବାକୁ ଅସନାଟାକୁ ପରିଷ୍କାର କରିବାକୁ ସମୟ ଲାଗିବ ନାହିଁ । ମଣିଷଟାହିଁ ଅସଲ, ତାକୁ ନାକ ଟେକିଲେ ଦୂର୍ ଦୂର୍ କଲେ ତ ସବୁ ସରିଗଲା । ମଣିଷକୁ ଭଲପାଏ ବୋଲି ତୁଣ୍ଡରେ କହି ମିଛ ମାଳା ଜପି ବାହାରିଲେ ସେ କେବଳ ଭଣ୍ଡାମି ସିନା ଆଉ କିଛି ନୁହେଁ ।

 

ମଳିମୁଣ୍ଡିଆର ଠିକ୍ ଏହି କଥାହିଁ ଅଭିଯୋଗ ଧୋବଧାଉଳିଆ ବିରୁଦ୍ଧରେ । ପୁଅ ଏ ବିଦେଶୀ ପାଠ ପଢ଼ିଲେ ପୋଷାକଟା ସଫା କି ମଇଳା ଖାଲି ସେତିକି ଚିହ୍ନେ, ମଣିଷଟାକୁ ଭୁଲିଯାଏ । ସୁତୁରାଂ ଲୋକେ ମଳିମୁଣ୍ଡିଆର ପ୍ରତିନିଧିତ୍ୱ କରିବାକୁ ଯାଇ ଦର୍ଜିଘରେ ସିଲେଇ ହୋଇଥିବା ପୋଷାକର ହିଁ ପ୍ରତିନିଧିତ୍ୱ କରିଆସନ୍ତି-ଥିଲାବାଲାର ଆସନ ସୁଦୃଢ଼ ରହେ ।

 

ଏମିତି ଧୀରେ ଧୀରେ ତିଳେ ତିଳେ ଆପଣାକୁ ତିଆରି କରିବାକୁ ହୋଇଛି ତାଙ୍କୁ । କର୍ମୀ ମୁହୂର୍ତ୍ତକରେ ତିଆରି ହୋଇଯାଏ ନାହିଁ । କର୍ମୀ ପକ୍ଷରେ ଜୀବନ ବଞ୍ଚିବାହିଁ ଆପେ ଆପେ ଏକ ସାଧନା; ତହିଁରେ ସେ ସଦ୍‌ଗୁଣମାନଙ୍କର ଅନୁଶୀଳନ କରିଥାଏ । ଏ ଦୀକ୍ଷାରେ ଅ ଆ ହେଉଛି, ସରଳ ହେବା, ସାଧାରଣ ମଳିମୁଣ୍ଡିଆ ଓ ନିଜ ଭିତରେ ପ୍ରଭେଦ ନ ରଖିବା, ଅଣ୍ଟା ଉପରକୁ ଫୁଙ୍ଗା ରଖି ଆଣ୍ଠୁ ଲୁଚିବ ନାହିଁ ଲୁଗା ପିନ୍ଧିବା, ଖାଲି ପାଦରେ ଚାଲିବା, ଲୁଗା କାନିରେ ବଜାର ସଉଦା ବାନ୍ଧି ଗଣ୍ଡିରା କାନ୍ଧରେ ପକାଇ ବସାକୁ ଫେରିବା, ଚୌକିରେ ନ ବସି କୋଠାଘରେ ରହିଲେ ବି ତଳେ ଚେକାପକେଇ ବସିପଡ଼ିବା, ବାଟରେ ଯାଉ ଯାଉ କିଛି ଲେଖିବା ଦରକାର ପଡ଼ିଲେ ରାସ୍ତାକଡ଼ରେ କି ଘାସ ଉପରେ ବସିପଡ଼ି ଯୋଡ଼ା ଆଣ୍ଠୁକୁ ପଟାପରି ବ୍ୟବହାର କରି ଲେଖା ଆରମ୍ଭ କରିଦେବା, ରେଲ୍‍ଷ୍ଟେସନ ଯିବା ଦରକାର ପଡ଼ିଲେ ଆପଣା ବାକ୍‌ସ ବିଛଣାକୁ ଠେକାବାନ୍ଧି ମୁଣ୍ଡ ଉପରେ ଥୋଇ ଗଣ୍ଠ୍ରି ମୁଣ୍ଠ୍ରି କାନ୍ଧେଇ ବୋହି ବଜାର ଭିତରେ ଚିହ୍ନାଜଣା ବନ୍ଧୁମାନଙ୍କ ମଧ୍ୟରେ ରେଲ୍‍ଷ୍ଟେସନକୁ ଚାଲି ଚାଲି ଯିବା, ନିଜର ସବୁ କାମ ନିଜ ହାତରେ କରିବା, ପ୍ରାର୍ଥନା ସଭା ହେଲେ ସମସ୍ତିଙ୍କ ଆଗରେ ବସ୍ତାନି ଭିତରୁ ଖଞ୍ଜଣି କାଢ଼ି ଖଞ୍ଜଣି ବଜାଇ ଗଳାର ଭଲମନ୍ଦ ଚିନ୍ତା ନ କରି ଭଜନ ଛାଡ଼ିଦେବା ।

 

‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’’ ଭାଷାରେ ବାଛି ବାଛି କଞ୍ଚା ଓଡ଼ିଆ କହିବା, ମଫସଲି ଓଡ଼ିଆ, ଭୁଲରେ ବି ପଦେ ଇଂରେଜୀ କି ବିଦେଶୀ ଶବ୍ଦ ଯେପରି ନ ବାହାରେ ପାଟିରୁ–ଏହିଠୁଁ ଆରମ୍ଭ ହେଲା ଏ ସାଧନା-ବି:ଏ, ଏମ୍ ଏ: ଡିଗ୍ରୀର ପିତୃଶ୍ରାଦ୍ଧ । ମୁଣ୍ଡର ଆବର୍ଜନା ଉପରେ ସମାର୍ଜ୍ଜନୀ ଚାଳନା ଓ ଗୋମୟ ଲେପ ।

 

ତା ପରେ ବିଚାରର ଦିନ ବଦଳିଯାଏ । ମଣିଷ ମଣିଷ ପରି ଭାବିବାକୁ ଆରମ୍ଭ କରେ । ମୌଳିକ ଚିନ୍ତା କରେ ଓ ପ୍ରଶ୍ନ ପଚାରେ–ଚାହା କାହିଁକି ଖାଇବି ? ଦୁଧ ଚିନି ଭଲ, କିନ୍ତୁ ଶୁଣିଲା ସଢ଼ା ପତ୍ରକୁ ସିଝେଇ ପାଣି । ଖବରକାଗଜରେ ବାହାରେ ଗୁଣ୍ଡ ଚାହାରେ ମିଶାଇବାପାଇଁ ଶହ ଶହ ବସ୍ତା ଗୁଣ୍ଡ ଗୋରୁ ଚମଡ଼ା ବି ବେପାରି ଲୁଚେଇ ରଖିଥାନ୍ତି, ଧରାପଡ଼େ । ନିଶାଦ୍ରବ୍ୟ କି ଉତ୍ତେଜକ ଦ୍ରବ୍ୟ କାହିଁକି ବ୍ୟବହାର କରିବି ? ସାମୟିକ ଉତ୍ତେଜନାପାଇଁ ଦେହ ଆପଣା ପାଣ୍ଠିରୁ ଯେତିକି ଖର୍ବ କରିଥିବ ଫେରେ ସେତିକି ତାର ଅଭାବ ଅନୁଭବ କରିବ । ସିଗାରେଟ୍ କାହିଁକି ଫୁଙ୍କିବି ? ସ୍ୱାସ୍ଥ୍ୟର କ୍ଷତିକାରକ, ମୁହଁରେ ସିଗାରେଟ୍ ଆଉ ମସ୍ତିଷ୍କତଳେ ଜଳନ୍ତା ନିଆଁ ବେଶି ତଫାତ୍ ନୁହେଁ । ପାନ କାହିଁକି ଖାଇବି ? ପଇସା ଖର୍ଚ୍ଚ କରି ମୁହଁ ଭିତରକୁ ଅସନା ନର୍ଦ୍ଦମାରେ ପରିଣତ କରିବା କି ପ୍ରୟୋଜନ ? ଗୁଡ଼ାଖୁ କାହିଁକି ଘଷିବି ? ନାକ କାନ ଫୋଡ଼ି ଅଳଙ୍କାର ନାଇବି କାହିଁକି ? ସ୍ନୋ ମାଖିବ କାହିଁକି ? ସେଥିରେ ଗୋରୁଚର୍ବି କି ଘୁଷୁରିଚର୍ବି ପଡ଼ିଛି କିଏ ଦେଖିଚି ? ବାସ୍ନାତେଲ ଲଗାଇବି କାହିଁକି ? ସେ ତ ବିଶୁଦ୍ଧ ହୋଇଥିବା ଧୋବ ଖଣିତେଲ । ଲିପ୍‌ଷ୍ଟିକ୍‌ ଲଗାଇ ଓଠକୁ ମାଙ୍କଡ଼ କରିବି କାହିଁକି? ଦିନାକେତେ ଗଲେ ଓଠ ଓଗେର ଛଉଛଉକା ହୋଇଯିବ । ସମ୍ପତ୍ତି ସମ୍ପାଦିବି କାହିଁକି ? କାମ କଲେ ଖାଅ, କାମ ନ କଲେ ନାହିଁ । ସନ୍ତାନସନ୍ତତିଙ୍କପାଇଁ ଆଳସ୍ୟର ଉପକରଣଗୁଡ଼ିଏ ରଖି ନ ଯାଇ ଅଭାବୀର ଅଭାବ ଦୂରକରିବାହିଁ ଭଲ । ବଞ୍ଚିବାର ଅର୍ଥ କ’ଣ–ଯଦି ପରୋପକାର ନ କଲି ଭୂମିର ମାଲିକ କିଏ ? ସେହି ଭୂମି ପଡ଼ିରହିଛି, କେତେ ଆସୁଛନ୍ତି କେତେ ଯାଉଛନ୍ତି, ଭୂପୁତ୍ର ଫେର୍‌ ଭୂସ୍ୱାମୀ ହେବ କିପରି ? ସ୍ୱାଧୀନତା କ’ଣ-ଯଦି ରିପୁ କବଳରୁ ସ୍ୱାଧୀନତା ମିଳିନାହିଁ, ଚିନ୍ତାରେ ଅନୁଭୂତିରେ ସ୍ୱାଧୀନତା ନାହିଁ, ସ୍ୱାଧୀନତା ମିଳିନାହିଁ ସମସ୍ତିଙ୍କି ଅଭାବ ଅନାଟନରୁ !

 

ଜଗନ୍ନାଥଭାଇ ଯେପରି କି ଏ ସବୁ ବାଟଦେଇ ଆଗକୁ ଆସିଛନ୍ତି, ତଥାପି ଚାଲି ବନ୍ଦନାହିଁ । ଏହି ବାଟରେ ଚାଲିଛନ୍ତି ସାନ ସାନ ଭାଇମାନେ, ଭଉଣୀମାନେ । ବଣେ ବଣେ ବୁଲି ଦୁସ୍ଥ ଲୋକର ଦୁଃଖକୁ ଆପଣାର କରି କଳ୍ପିତ ସ୍ୱର୍ଗରାଜ୍ୟ ଉଦ୍ଦେଶ୍ୟରେ କାର୍ଯ୍ୟ କରିଯାଉଛନ୍ତି । ସୁମିତ୍ରା ଦେବୀ କୁଷ୍ଠ ରୋଗୀକୁ ଇଞ୍ଜେକ୍‌ସନ୍ ଦେଉଛନ୍ତି, କୁଷ୍ଠ ଛଉ ଉପରେ ଜୋର୍‌ରେ ହାତ ପାପୁଲିଦ୍ୱାରା ମାଲିସ କରୁଛନ୍ତି ଇଞ୍ଜେକ୍‌ସନ୍ ଦେଇସାରି । ପାହାଡ଼ ତଳେ ଶଙ୍ଖଳପଦର ଭଙ୍ଗା ଗାଁରେ ଆଶ୍ରମ । ରାତିରେ ମଣିଷଖିଆ ବାଘ ହେଣ୍ଟାଳ ଛାଡ଼େ ପଦାରେ । ସୁମିତ୍ରାଦେବୀ ଓ ତାଙ୍କର ଛୋଟିଆ ଛୁଆଟି ଏକୁଟିଆ । ସେ ବି କଲେଜରେ ପଢ଼ିଥିଲେ । ଆଉ ତାଙ୍କର ସ୍ୱାମୀ ଜନରଞ୍ଜନ ବାବୁ ଡାକ ନାମ ଜନୁଭାଇ, ବି.ଏ. ପାଶକଲେ, ବି.ଏଲ୍ ଶେଷ କଲେ, ଉତ୍ତର ବାଲେଶ୍ୱରରେ କୋଠାବାଡ଼ି ଜମି ଜମିଦାରୀ । ସବୁ ଛାଡ଼ି ଧାଇଁଆସିଲେ ଏ ପାହାଡ଼ ମାଳରେ ମଣିଷର ସେବା କରିବାକୁ । ବଣେ ବଣେ ବୁଲୁ ବୁଲୁ ଜଗନ୍ନାଥ ଭାଇ ଭାବନ୍ତି-ଏ ପୁଣ୍ୟ ଦେଶରେ କର୍ମୀ ଅଛନ୍ତି ସବୁଦିନେ । ଜଗନ୍ନାଥ ସେବାର ପ୍ରତୀକ । କାଲି ପରି ଲାଗୁଛି, ଆଗେ ଗଲେ ଗୋପବନ୍ଧୁ, ପାଣି କାଦୁଅ ଚକଟି, ବଢ଼ି ବାଡ଼ି ମଡ଼କ ଭିତରେ କାନ୍ଦି କାନ୍ଦି ଚାଲି ଚାଲି । ଡଭାର, ବାଲିଘାଇ, ବ୍ରହ୍ମଗିରି, ଗୋପ୍ …..ଭାବନ୍ତି–ଏଇବାଟେ ଚାଲିଛନ୍ତି ପୂଜ୍ୟ ଗୋପବାବୁ କର୍ମୀମାନଙ୍କ ପଥପ୍ରଦର୍ଶକ । ଋଷି ପରି ଧଳା ଦାଢ଼ି ଧଳା ନିଶ, ତୀକ୍ଷ୍‌ଣ ନାକ, ଓସାର ଛାତି, ଘର ଛାଡ଼ି ବାଟକୁ ଧରିଛନ୍ତି, କ୍ଷମତା ଛାଡ଼ି ସେବାକୁ ଧରିଛନ୍ତି । ଏଇ ଅଛନ୍ତି ପୂଜ୍ୟ ଋଷିପ୍ରତିମ ଆଚାର୍ଯ୍ୟ ମହାଶୟେ–ମନୁଷ୍ୟ ପ୍ରତି ସ୍ନେହର ଅବତାର । ଆଉ ରମାଦେବୀ, ସାତ୍ତ୍ୱିକତା ମୂର୍ତ୍ତିମତୀ, ଯେ ଭାଷଣ ଆରମ୍ଭ କଲାମାତ୍ରେ ସେହି କ୍ଷୀଣ ସ୍ୱଳ୍ପ ଦେହକୁ ବୁଡ଼ାଇ ଦେଇ ବାହାରେ ଏକ ବିରାଟ ଆତ୍ମା, ଯେପରି କି ଭାରତର ଯୁଗଯୁଗର ନାରୀ କଥା କହେ । ଆଉ ଚାଲିଛନ୍ତି ମାଳତୀ ଦେବୀ, ଦଳିତ ଅତ୍ୟାଚାରୀର ନୂଆ ମା’-। ଆଉ ସେହି ସୁଅରେ ଚାଲିଛନ୍ତି ଆହୁରି କେତେ କର୍ମୀ । କାହାର କୀର୍ତ୍ତି ପଦାକୁ ଫୁଟିଛି, କାହାର ଅଛି ଭବିଷ୍ୟତ ପାଇଁ ଅନ୍ତଃସଲିଳା ଫଲ୍‌ଗୁ ପରି । ଜଗନ୍ନାଥଭାଇ ଧରିନେଇଛନ୍ତି ଏହିମାନେ ହିଁ ଆଦର୍ଶ, ଏ ପନ୍ଥା ଠିକ୍ । ଯେତେବେଳେ ବାଟ ଲାଗେ ବୋଝ ବୋଝ, ପାଦ ତଳ ଜଳେ, ଗୋଡ଼ର ଶିରଗୁଡ଼ାକ ଠିଆ ହୁଅନ୍ତି, ସେତେବେଳେ ଏହି ଆଦର୍ଶମାନେ ହିଁ ବାଟ କଢ଼ାନ୍ତି । ବିଶ୍ୱାସରୁ ଦମ୍ଭ ଆସେ । ଜଗନ୍ନାଥଭାଇ ଭାବୁଥିଲେ, ଦିନେ ଏ ଦେଶରେ ଗଢ଼ାହେଉଥିଲେ ପଥର ଦେଉଳ, ଯେଉଁଠି ପାରି ସେଇଠି । ଜଗତର ବିସ୍ମୟ ଜନ୍ମାଇ, କାରୁକାର୍ଯ୍ୟର ଶୋଭା ସମ୍ପଦ ଧରି ଦେଉଳ ମାଳ ମାଳ । ଆଜି ଯେପରି କି ପଥରର ଯୁଗ ଚାଲିଯାଇଛି, ମଣିଷର ଯୁଗ ଆସିଛି । ଆଜି ବି ଚାରିଆଡ଼େ ଦେଉଳ । ସେ ଦେଉଳ ମଣିଷ ବ୍ୟକ୍ତିତ୍ୱର, ସେ କାରୁକାର୍ଯ୍ୟ ମଣିଷ ସଦ୍‌ଗୁଣର, ସେ ଠାକୁର ମଣିଷର ଅପରାଜେୟ ଆତ୍ମାର, ଯେ ସତ୍ୟ ଯୁଗ ଗଢ଼ିବାକୁ ପ୍ରୟାସ କରେ, ବିଶ୍ୱାସ ରଖେ-

 

ଚନ୍ଦ୍ରପୁର ଯିବାକୁ ଡାଙ୍ଗସୁରୁଡ଼ାରୁ ବାହାରିବାକୁ ହୋଇଥିଲା । ଡାଙ୍ଗସୁରୁଡ଼ା ଦେଢ଼କୋଶ ଥାଇ ବଣ ଆରମ୍ଭ । କନ୍ଧ ଦେଶରେ ହିନ୍ଦୁ ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ ଆଦିପୀଠ ସେହି ଡାଙ୍ଗସୁରୁଡ଼ାର ଗୋଜିଆ ପାହାଡ଼ । କିମ୍ବଦନ୍ତୀ ଅଛି, ମାଣିକେଶ୍ୱରୀ ଏଠି କନ୍ଧ ଘରେ ଜନ୍ମ ହୋଇଥିଲେ, ପଛେ ବିଭାହେଲେ ଦକ୍ଷିଣ ଓଡ଼ିଶାର ଗଙ୍ଗବଂଶୀ ରାଜାଙ୍କୁ-ଯାହାଙ୍କ ରାଜଧାନୀ ଥିଲା ଗୁଡ଼ାରି ସେପଟେ ବଂଶଧାରା ଆରପାରି, ଯେଉଁ ନଅର ଢିପ ଅଛି ସେଇଠି, ଜଙ୍ଗଲ ଘୋରିହୋଇ ପଡ଼ିଛି ।

 

ଡାଙ୍ଗସୁରୁଡ଼ାରେ ଭୂମିଦାନ ସଂଗ୍ରହ କାର୍ଯ୍ୟ ଲାଗିଛି । ବର୍ଷା ଦିନକୁ ବାଛି ବାଛି ଠିକ୍ କରିଛନ୍ତି କର୍ମୀମାନଙ୍କ ‘ବାପା’ ଏହି ଚନ୍ଦ୍ରପୁର ଡାଙ୍ଗସୁରୁଡ଼ା ମାଳ ଭିତରେ ଗସ୍ତ କରିବା ଲାଗି ।

 

ଯେତେବେଳେ ମେଘ ରାଉ ରାଉ ଡାକେ, ନଈ ନାଳ ଫୁଲି ଉଠେ, ତିନିଜାଗାରେ ବଂଶଧାରା ପାରି କୁଟ୍ରାଗୁଡ଼ାରୁ ଡାଙ୍ଗସୁରୁଡ଼ା ନ ଆସୁଣୁ; ବଢ଼ି ହେଲେ ପାଣି ଚାହୁଁ ଚାହୁଁ ପାଣି ଦି’ପୁରୁଷ, ସୁଅ ଯେ ନାଗମୁଣ୍ଡ କଟିଯିବ, ଯିବାଆସିବା ବନ୍ଦ । କୁଟ୍ରାଗୁଡ଼ା ପହଞ୍ଚିଲେ ସିନା ବଡ଼ ରାସ୍ତା ଧରିହେବ, ସେଠୁ ମୁନିଗୁଡ଼ା ରେଲ୍‍ଷ୍ଟେସନ ଚାରି ମାଇଲ ବାଟ । ଟିକିଏ ପାଣି କମିଲେ ବାଉଁଶ ଧରି ଧରି ନଈ ପାରି । ଜଣେ ପୁଳାଏ ବାଉଁଶ ଧରି ଭାସୁଥିବ, ଆଉ ଜଣେ ପୁଳାଏ ବାଉଁଶ ଉପରେ ଭରାଦେଇ ପହଁରି ପହଁରି ତାକୁ ହାବୁକାଏ ଲେଖାଏଁ ମାରି ମାରି ଆଗକୁ ଠେଲୁଥିବ–ନଈପାରିର ଉପାୟ ଏହିପରି । ତେଣୁ ନଈ ନାଁ ଥିବ ‘ବାଉଁଶଧରା’, ପରେ କିଏ ପଣ୍ଡିତ ତାକୁ କରିଦେଇଛି ବଂଶଧାରା–ତା’ ପରେ ଯେତେ ବିଶେଷଣ ଯୋଡ଼ା ଯାଇପାରେ–ବଂଶ ଉଦ୍ଧାରଣ, ସପ୍ତ ପୁରୁଷ ଉଦ୍ଧାରଣ ଇତ୍ୟାଦି । ନଈ ପାରି ହେଉ ହେଉ ବାଉଁଶରୁ ଖସିଗଲେ ସଙ୍ଗେ ସଙ୍ଗେ ଆତ୍ମା ଉଦ୍ଧାର ହୋଇଯିବ । ପ୍ରତି ବର୍ଷ ଉଧୁରନ୍ତି ବି କେତେ ।

 

ତା’ପରେ ଡାଙ୍ଗସୁରୁଡ଼ାରୁ ହନୁମନ୍ତପୁର ଯାଉ ଯାଉ ହନୁମନ୍ତପୁର କୋଶେ ଥାଇ ବିଖ୍ୟାତ ଚାଉଳଧୁଆ ନଈ, ବଂଶଧାରାର ଏକ ବଡ଼ ଶାଖା, ବହୁତ ପାଣି ବହୁତ ସୁଅ । ଘନ ଜଙ୍ଗଲ ଭିତରେ ଚାଲିଛି, ଦୁଇ ପାଖେ ଉଞ୍ଚ ଉଞ୍ଚ ଅତଡ଼ା । ସୀତାଦେବୀ ଏଠି ଚାଉଳ ଧୋଇଥିଲେ କି ନା ଜଣାନାହିଁ, କିନ୍ତୁ ନଈ କୂଳରେ ଗଛମୂଳେ ଚୁଲିକଳାଲଗା ପଥର ପଡ଼ିଛି । ବାଟୋଇଙ୍କର ଏ ଗୋଟିଏ ରନ୍ଧା ବସା । ଆଉ ଏହି ଗଡ଼ା ବାଘର ଗଡ଼ା, ହାତୀର ଗଡ଼ା । ସେମାନଙ୍କର ପାଣି ପିଇବା ଜାଗା । ଯେତେବେଳେ ଦେଖିଲେ ଜଙ୍ଘେ ପାଣି । ବର୍ଷା ଅସରାଏ ହେଲେ ତ ସତେ କି ସୁ ସୁ ହୋଇ ଅସୁର ମାଡ଼ିଆସେ ଏ ନଈରେ । ଆଉ ଏ ନଈରେ ଭୟ-ଲୋକେ କହନ୍ତି ଏଥିରେ କେବେ କେବେ ଆସେ ଷାଠିଏ ହାତ ଲମ୍ବା କୋଇଲି ସୂତା ପରି ‘ଷାଠି’ ସାପ, ଗୋଡ଼ରେ ଗୁରେଇ ହୋଇଯାଏ । ମଣିଷ କି ଜନ୍ତୁ ଦେହର ଆଖି ନାକ ପ୍ରଭୃତି କଅଁଳ କଅଁଳ ଅଂଶ ତାଡ଼ି ଖାଇଯାଏ, ରକ୍ତ ଶୋଷି ଖାଏ । କହନ୍ତି ହାତୀକୁ ବି ବାନ୍ଧି ଅଟକାଇଦିଏ ‘ଷାଠି’ ସାପ । ଦୁଇପାଖେ ଭୀଷଣ ଅରଣ୍ୟ, ନାନା ପ୍ରକାର ଜନ୍ତୁଙ୍କ ଖଣି । ଶାଳ ଗଛ ପାଖକୁ ପାଖ ଲଗାଲଗି । କେଉଁଠି ବୋବାଉଛି ଭୃଙ୍ଗରାଜ ଚଢ଼େଇ । ସବୁ ପଶୁପକ୍ଷୀଙ୍କ ବୋଲିକୁ ଅନୁକରଣ କରେ, ବଡ଼ କଜଳପାତୀପରି, ମୁଣ୍ଡରେ ଚୁଳ, ଲମ୍ବ ଲାଞ୍ଜ । ସେ ଏହି ଅତି ଘନ ଅରଣ୍ୟରହିଁ ବାସିନ୍ଦା । ମୟୂର, ସାରୀ, ଶ୍ୟାମା, ଶୁଆ ଏମାନେ ତ ପଲ ପଲ ।

 

ଆରପାଖେ ଆହୁରି ଭୀଷଣ ଅରଣ୍ୟ । ଶାଳଗଛଗୁଡ଼ିକ ପାଖକୁ ପାଖ ଉଠିଛି ଛତୁ ପରି, ଉର୍ବର କଳା ମାଟିରେ ଉପରକୁ ଉଠିଯାଇଛି ଦେବଦାରୁ ପରି । ଘଞ୍ଚ ହାତୀଆ ଘାସ, ଶିଂକୁଳି ଘାସ ପୁରୁଷେ ଦେଢ଼ପୁରୁଷ ଉଞ୍ଚ, ଫୁଲଛାଞ୍ଚୁଣି ଘାସ, ଅରଣ୍ୟର ଯେତେ ବୁଦ ଲଟା, ଦିନେବଳେ ବି ଅନ୍ଧାରୁଆ । ଗଛ ସନ୍ଧି ସନ୍ଧି ସରୁ ବାଟ ବାଟ, ବି ଉଞ୍ଚ ଘାସତଳେ କାହିଁ ଛପିରହେ । କିଛି ଦୂର ଗଲେ ରାଇବିଜି ଗାଁର ପଡ଼ିଆ ପଦର । ସେଠି ପୁରୁଷେ ଉଞ୍ଚର ଘାସ । ଡାହାଣ କରେ କରେ ଅସଂଖ୍ୟ ସାନ ସାନ ଜଳପ୍ରପାତ ସୃଷ୍ଟି କରି ପାହାଡ଼ ତଳେ ତଳେ ଚାଲିଛି ‘ଫଲଫଲିଆ’ ନଈ ବଂଶଧାରାର ଏକ ଶାଖା । ଏ ଜାଗା ବାଘର ଘର, ହାତୀପଲଙ୍କ ରହିବା ଛାଉଣି । ତାପରେ କୁଟ୍ରାନାଳ ବା ମୁଣ୍ଡମୁହାଣ, ବାଟ କାଟି କାଟି ତରତରରେ ଅଜାଡ଼ି ହୋଇଛି ଫଲଫଲିଆରେ । ତାପରେ ବର୍ଚ୍ଛିଗୁଡ଼ାର ନାଳ, ତାପରେ ଗଦାରଗଡ଼ି ନାଳ ଚାଲିଲା ନଈ ନାଳ-ତାପରେ ଚନ୍ଦ୍ରପୁରର ପବିତ୍ର ପଣ୍ଡୁନଦୀ ।

 

ବଣଦେଶରେ ଉନ୍ମତ୍ତ ଉଲ୍ଲାସରେ ଓହ୍ଳେଇବ ଯେତେବେଳେ ବର୍ଷା ନଈ, ନାଳ, ଗଛ, ବଣ ଜନ୍ତୁ ସମସ୍ତେ ମିଶି ଗର୍ଜନ କରୁଥିବେ । ସେହି ସମୟ ପ୍ରଶସ୍ତ ହେବ ଏ ଅଞ୍ଚଳରେ ଗସ୍ତ କରିବାପାଇଁ ବୋଲି କର୍ମୀମାନଙ୍କ ବାପେ ନିଷ୍ପତ୍ତି କରିଛନ୍ତି । କହିଲେ–କ୍ଷତି କ’ଣ ? ଢୁ ଢୁ ବରଷାରେ ହିଁ ତ ଚାଷୀ କାମ କରେ । ସେ କାମ ନ କଲେ ତ ସମସ୍ତେ ଉପାସ ରହନ୍ତେ । ବର୍ଷା ହେଉଛି ବୋଲି ସେ ଜଗତଯାକକୁ ଉପାସ ରଖିବାକୁ ବ୍ୟବସ୍ଥା କରେନା ବରଂ ବେଶି କାମ କରେ-? ଶରୀରଟା ତ ହୋଇଛି କାମ କରିବାକୁ, ତାକୁ ଛାଇତଳେ ଶୁଣିଲାରେ ସାଇତି ସାଇତି ତ ସେଇଟା ଶେଷରେ ଅକାମି ହୋଇଯିବ, ପଚିବ ହିଁ ତ ଶେଷରେ, ତେଣୁ ସମୟ ଯାଉଛି, ଅନର୍ଥକ ତାକୁ ନଷ୍ଟ କରନାହିଁ । ତାପରେ ଆହୁରି ଦେଖ, ବନ୍ଧୁ ସଙ୍ଖୋଳି ଯିବ ବନ୍ଧୁର ଦୁର୍ଦ୍ଦିନରେ ଦୁର୍ଗମ ପାଗରେ ହିଁ ତ ! ସେତେବେଳେ ତୁମେ ବହୁତ ଲୋକଙ୍କୁ ଗାଁରେ ପାଇବ । ଲୋକେ ଯେତେବେଳେ ଦେଖିବେ ବରଷା ଋତୁରେ ମଧ୍ୟ ବାହାରୁ ଲୋକେ ଯାଆସ କରୁଛନ୍ତି, ସେମାନେ ଆଉ ନିରାଶ ହେବେ ନାହିଁ କି କେହି ବରଷା ଓ ଦୁର୍ଗମ ବାଟର ସୁବିଧା ନେଇ ତାଙ୍କୁ ହରବର କରିବେ ନାହିଁ ।

 

ଡାଙ୍ଗସୁରୁଡ଼ାରେ ଭୂମି ସଂଗ୍ରହ କାମପାଇଁ ବରଗା ହୋଇଛନ୍ତି ବୁଧିନାଥ ଭାଇ । ସେ ବାନର ସେନାରେ ମିଶି କାର୍ଯ୍ୟ ଆରମ୍ଭ କରିଥିଲେ । ଜେଲ ଫେଲ୍ ଯିବା ତ ସେତେବେଳର ମାମୁଲି କଥା, ସେସବୁ ସାରି ମହାତ୍ମାଙ୍କ କତିରେ ସାବରମତୀରେ ରହିଗଲେ ବହୁବର୍ଷ । ତାପରେ ପଦାକୁ ବାହାରିଲେ । ବୟାଳିଶ ବର୍ଷଯାକେ ବ୍ରହ୍ମଚର୍ଯ୍ୟାଶ୍ରମ ପାଳନ କରି ତେୟାଳିଶ ବର୍ଷରେ ଗାର୍ହସ୍ଥ୍ୟାଶ୍ରମରେ ପ୍ରବେଶ କରିଚନ୍ତି । ଶିଶୁପୁତ୍ରକୁ ପତ୍ନୀଙ୍କ ପାଖରେ ଦୂର କଟକ ଜିଲ୍ଲାରେ ଛାଡ଼ିଦେଇ ନିଜେ ଏକୁଟିଆ ପହଞ୍ଚିଛନ୍ତି ଏ ମାଳରେ । ଦିଥର ଦଶଦିନ ଲେଖାଁ ମାଳଜର ହୋଇ ଛାଡ଼ି ଗଲାଣି । ଡେଙ୍ଗା ଧେଡ଼େଙ୍ଗା ଦେହଟି ଆହୁରି ହାଡ଼ୁଆ ହୋଇଯାଇଛି । ମୁହଁ ଉପରେ ଧଳା କଳା ରୁଢ଼ ତଳେ ତଳେ ଆଂଶଆଶିଂଆ ଦାଢ଼ି । ଓସାର କପାଳଟା, ଆଉ ଉଜ୍ଜ୍ୱଳ ଆଖି, ସେଥିରେ ଆଶା ଓ ବିଶ୍ୱାସ । ଆଉ କର୍ମୀର ବିଶେଷତ୍ୱ ନଳିଗୋଡ଼ ଆଉ ପାଦ ଦିଟା ଯେ କେବେ ଥକେ ନାହିଁ, ଚାଲିଥାକ ଗୋଟାଏ ପରେ ଗୋଟାଏ–ଶିର ଗଣ୍ଠି ପଛେ ଫୁଲି ଫୁଲି ଉଠୁ ।

 

କିନ୍ତୁ କର୍ମୀ ବୁଧିନାଥଙ୍କର ସବୁ ବୀରତ୍ୱ ପାଣି ଫଟେଇ ଦେଇ ରାସ୍ତାରେ ଆଗେ ଆଗେ ପାରିହୋଇଗଲା ମହାବଳ ବାଘ; ରାସ୍ତାକରରେ ବସି ବସି ଅପେକ୍ଷା କଲା । ପାଖେ କର୍ମୀ, କୋଡ଼ିଏ ହାତ ଆଗକୁ ମହାବଳ । ତା’ର ଫୁଲୁକା ମୁହଁ ଅଳ୍ପ ହସିଲା ପରି । ତାର ଜଳନ୍ତା ଦୃଷ୍ଟି ସ୍ଥିରହୋଇ ଲାଖି ରହିଛି କର୍ମୀ ମୁହଁ ଉପରେ । ଗଛମୂଳେ ଗଦା ହୋଇଛି ହାଡ଼ଚମହୋଇ କର୍ମୀଟିଏ । ସେ ଘର ତୋଳିନାହିଁ, ଜମି କିଣିନାହିଁ, ସଂସାରି ଲେଖାରେ କିଛି କରିନାହିଁ. ଯେଉଁଥିସକାଶେ ତା ନାରେ ସ୍ମୃତିସ୍ତମ୍ଭ ଗଢ଼ା ହେବ । ସେ ସୂତାକଟାରେ ଦକ୍ଷତା ଅର୍ଜିଛି, ଲୁଗା ବୁଣିଛି, ବଢ଼େଇ କାମ କରିଛି, ଆଶ୍ରମରେ ଗାଈ ଦୁହିଁଛି, ପାହାନ୍ତିଆରୁ ଝାଡ଼ୁ ଧରି ବାଲ୍‌ଟି ବାଲ୍‌ଟି ଘୁଅ ସଫା କରି ବୋହିନେଇ ଫୋପାଡ଼ିଛି, ରାନ୍ଧିବାଢ଼ି ଖାଇବାକୁ ଦେଇଛି । ଥକି ନ ଯାଇ ଖରାଏ ତରାଏ ବୁଲି ବୁଲି ସ୍ପଷ୍ଟ କଥା କହିଛି, ସତ କହିଛି–ଡରିନାହିଁ, ଯାହା ଠିକ୍ ବୋଲି ଭାବିଛି ତାହା କରିଛି–ଡରିନାହିଁ । ଅଧିକା କିଛି କରିନାହିଁ ସାଧାରଣ କର୍ମୀଟିଏ । ସାଧାରଣ ଯେପରି ଏ ପାଣି ପବନ, ଆଲୁଅ, ଶାଗ, ପଖାଳ, ମାଣ୍ଡିଆଜାଉ, ଆମ୍ବଟାକୁଆଖିଆ ଆଣ୍ଠୁ ଲୁଚିବ ନାହିଁ ମୋଟା ଖଦଡ଼ ଲୁଗାପିନ୍ଧା, ମଳିଧୂଳିଆ ମଣିଷଟିଏ–ଏଇ ମାଟି ଧୂଳିପରି ଚିରନ୍ତନ ।

 

ସାମ୍ନାରେ ମହାବଳ ବସି ହସୁଛି । ଦିନ ଦିପହର । ଡାକେ ବାଟ ଗଲେ ଡାଙ୍ଗସୁରୁଡ଼ା ବସ୍ତି, ପାଞ୍ଚଶହ ଲୋକଙ୍କ ବାସ । ସେମାନେ କୌଣସି ସାହାଯ୍ୟ କରିପାରିବେ ନାହିଁ । ଜାଣିପାରିବେ ନାହିଁ ଏଡ଼େ ଚଞ୍ଚଳ । ବୁଦା ଜଙ୍ଗଲ ଲାଗି ରହି ରହି ବଡ଼ ହୋଇଛି, ତା’ପରେ ସେହି ଗୋଜିଆ ପାହାଡ଼ର ଢାଲୁ–ମାଣିକେଶ୍ୱରୀ ପାହାଡ଼ । ଗୋଡ଼ଆଡ଼ୁ ମରିମରି ଆସିଲାଣି । ଆଖି ଦିଟା ଡବ ଡବ ହୋଇ ଅନାଇଁ ରହିଛି । ତଣ୍ଟି ଶୁଖିଗଲାଣି । ମୁଣ୍ଡ ଭିତର ଝିମି ଝିମି । ଅନ୍ତ ଭିତରେ ଓଲଟପାଲଟ ଲାଗିରହିଛି । ଆଉ କିଛି ମନେପଡ଼ୁନାହିଁ, କେବଳ-ବାଘ । ଦେହଟା ମନଟା ଯେପରି କି ତାର ଭୋଜ୍ୟ ହେଲା ଭଳି ନିଜକୁ ନିଜେ ପ୍ରସ୍ତୁତ କରିନେଉଛି । ମନଟା ବି । ବୀରତ୍ୱ ନାହିଁ, ଆଦୌ ନାହିଁ । କାନ୍ଦିବାକୁ ମନହେଉଛି କିନ୍ତୁ ଆଖିକି ଲୁହ ଆସୁନାହିଁ । ଭିତରର ସବୁ ଯାହା ଯେପରି କି ବାହାରର ସବୁ ଦ୍ୱାରବାଟେ ପଦାକୁ ବାହାରିବାକୁ ଠେଲାଠେଲି ଲଗାଇଛି । ହେଲା, ହୋଇଗଲା, ଯଥେଷ୍ଟ ହେଲାଣି-ବାଘ ଅପେକ୍ଷା କରିସାରିଛି । ବହୁତ ବେଳ । ଧୀରେ ବେକଟା ଗୋଟାଏ କରକୁ ଢଳେଇ ପଡ଼ୁଛି ।

 

ଏଥର ବାଘ କୁଦା ମାରିବ । ବେଶି ଦିନର କଥା ନୁହେଁତ ! ବୁଧିନାଥ ଏଠିକି ଆସି ନିଜ ଅନୁଭୂତି ଲେଖି ଛପେଇଥିଲେ-‘‘ପଦେ ପଦେ ବାଘ ମେଘ ମ୍ୟାଲେରିଆ ସଙ୍ଗେ ଭେଟାଭେଟି ହେବ । ଅନାଦର ଓ ଉପେକ୍ଷାରେ ଲୋକ ଏଠି ମରନ୍ତି–ମତେ ବି ହୁଏତ ମରିବାକୁ ହେବ । ମୁଁ ସେଥିକି ଭୟ କରୁନାହିଁ । ଯେଉଁଠି ବଣଦେଶରେ ବାଘ ମୋର ଭାଇମାନଙ୍କୁ ଗୋଡ଼େଇ ଗୋଡ଼େଇ ଖାଇଯାଉଛି, ଝିଟିପିଟି ଝରିପୋକକୁ ଖାଇଗଲାପରି-ସେଠି ମତେ ବି ଯଦି ବାଘ ଖାଇବ ତେବେ କ୍ଷତି କ’ଣ ? ନୂଆ ବା କ’ଣ ? ମୁଁ ଏଠି ବାଘ ମୁହଁରେ ମଲେ କି ମାଳୁଆ ଜ୍ୱରରେ ମଲେ ନିଜକୁ ଭାଗ୍ୟବାନ ମନେ କରିବି । ଭଗବାନଙ୍କୁ ଧନ୍ୟବାଦ, ସେ ମତେ ଏଠି କାର୍ଯ୍ୟ କରିବାକୁ ଏ ସୁଯୋଗ ଦେଇଛନ୍ତି ।’’

ଛପା ଲେଖା ପଢ଼ି ଘରେ ସ୍ତ୍ରୀ କାନ୍ଦି ବୋବେଇ ଚିଠି ଲେଖିଥିଲେ–ମରିବାକୁ ମୁଁ ଡରେ ନାହିଁ । ‘ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ’ । କିନ୍ତୁ ଆଗ ମୁଁ ମରେ, ତା’ପରେ ତୁମେ ଯାହା ହୁଅ । ତୁମେ କର୍ମୀ, ତୁମେ ସେବା କରିବାକୁ କଣ୍ଟାଝଣ୍ଟା ମାଡ଼ିବୁଲୁଛ, ମରିଗଲେ ତ ସରିଗଲା, ଆଉ କି ସେବା କରିପାରିବ ? ତୁମେ କହୁଛ, ତୁମେ ବାଘ ମୁହଁରେ ଗଲେ ନିଜକୁ ଭାଗ୍ୟବାନ ମନେକରିବ । ଯେ ତ ଯିବ ସେ ସଂସାରରୁ ଯିବ, ପୁଣି ନିଜକୁ ଭାଗ୍ୟବାନ କି ହତଭାଗ୍ୟ ମନେକରିବାକୁ ତାର ମନଥିବ କେଉଁଠି ? ଜଣାପଡ଼ୁଛି ତୁମେ ଜାଣି ଜାଣି ବିପଦ ଭିତରକୁ ଯିବାକୁ ଖୋଜୁଛ । ତୁମେ ବାହାଦୁରୀ ନବାକୁ ଖୋଜୁଛ-ଏଣେ ଆମ ହଂସା ଉଡ଼ିଯାଇଛି ।

 

ରାଗୁଛ କି ? ସତ କହିଲେ ମଣିଷ ରାଗେ । ବାହାଦୁରୀ ନେବାପାଇଁ ମଣିଷ ଉଞ୍ଚ ହେବାକୁ ରଣପା ବାନ୍ଧି ଚାଲେ, ଯେମିତି ଠାକୁରାଣୀଙ୍କ ଘଣ୍ଟପାଟୁଆ; କେତେ କଣ କରେ, ଏଣେ ମନେ ମନେ ଭାବୁଥାଏ ଲୋକେ ମୋ ଆଡ଼କୁ ଅନାନ୍ତୁ, ମତେ ପ୍ରଶଂସା କରନ୍ତୁ । ଏ କଥା ତ ସାନ ପିଲାବି କରେ । ଆମ କୁଟୁ ତା’ର ଦେଢ଼ବର୍ଷ ବୟସରେ ଏ କଥା ଶିଖିଗଲାଣି ଯେ ମିଛଟାରେ ଆଖିକି ଚୁପୁଡ଼ି ଚୁପୁଡ଼ି କାନ୍ଦୁଛି, କଣ ହମାରଡ଼ି ଛାଡ଼ୁଛି, ଯେ ଯେଉଁଠି ଥିବେ ତା ଆଡ଼କୁ ଧାଇଁ ଆସିବେ । ସେ ଡିମ୍ବ ବକଟକ କୋଉଠୁ ଏମିତି ଶିଖିଲାବୋଲି ଭାବି ଭାବି ଧନ୍ଦି ହେଉଥିଲି ।

 

ଏବେ ବୁଝୁଛି ।

 

ବାପା ଆସିଥିଲେ, ତୁମପାଇଁ ଭାରି ବ୍ୟସ୍ତ । କହୁଥିଲେ, ତୁମ ଲେଖାପଢ଼ି ଯେ ବାହାଦୁରି ପାଇବାକୁ ଇଚ୍ଛା କରିବା ମଣିଷର ସହଜ ପ୍ରବୃତ୍ତି, ସେତକ ନ ଥିଲେ ଦୁନିଆରେ ଅନେକ ରଙ୍ଗ ଅନେକ ଛଇଛଟକ ନ ଥାନ୍ତା, ଅନେକ କାମ ହୋଇପାରନ୍ତା ନାହିଁ । ତା ବୋଲି ମଣିଷ ଜାଣି ଜାଣି ନିଆଁରେ ପଶିବ, ଏ କଥା ସେ ପସନ୍ଦ କରନ୍ତି ନାହିଁ, କେହି ପସନ୍ଦ କରିବେ ନାହିଁ । ତୁମେ ଯାହା ଲେଖିଛ ବାଘ, ଜର ଇତ୍ୟାଦି କଥା, ତା ଯଦି ଏମିତି, ତେବେ ସେଠି କି କାମ କରିବ ? ସେଗୁଡ଼ାକ ଆବହମାନ ଯୁଗରୁ ଖାଲି ଜନ୍ତୁଜୁନ୍ତା ରହିବା ଭୂଇଁ, ମଣିଷର ଘର ସେ ନୁହେଁ, ମଣିଷ ସେ ଜନ୍ତୁଙ୍କ ଆଶ୍ରା ଭିତରେ ବଳେ ବଳେ ଯାଇ ପଶିବ, ଜନ୍ତୁ ଖାଇଗଲେ ପାଟି କରିବ । ଛାଡ଼, ବାଘକୁ ଡରିଲେ ଲାଜ ପାଇଲାଭଳି କିଛି ନାହିଁ, ନ ଡରିଲେ ଭଲ ହେଉ ପଛେ । ତୁମକୁ ଅଡ଼ୁଆ ଲାଗିଲାଣି ତ ଆଉ ଆମ ଦକ ଦକ ବଢ଼ାଅ ନାହିଁ, ପାଖକୁ ଚାଲିଆସ ।

 

ତା ଉତ୍ତରରେ ସେ ଲେଖିଥିଲେ-ମୁଁ ଡରୁନାହିଁ କି ମୁଁ ବିପଦରେ ନାହିଁ । ତୁମେମାନେ ଉତ୍କଣ୍ଠିତ ହୁଅନାହିଁ ।

 

ଘର ମନେପଡ଼ୁଛି । ଦିଶିଯାଉଛି ସେମାନଙ୍କ ମୁହଁ । ନାଃ, ଆଉ ଦେଖା ହେବ ନାହିଁ ।

ମା’ଲୋ, କେମିତି ଅନେଇଚି ! କେମିତି ମୁହଁ ଫୁଲୋଉଚି !

ନା, ଖା’ ନା ଖା’ ନା, ଖା’ ନା...

 

ବୀରତ୍ୱ ନାହିଁ, ବୀରତ୍ୱ କେବେ ନ ଥିଲା-ବାଘ ତ ନରସିଂହ ଅବତାର-ସ୍ୱୟଂ ଭଗବାନ । ସେଠି ଆଉ ବୀରତ୍ୱ କ’ଣ ?

 

ନା, ଖା’ ନା, ଖା’ ନା ମଣିଷକୁ । ଓଃ ।

 

ଦେହ ଭିତରେ କ’ଣ ଗୋଟାଏ ଭାଙ୍ଗିଗଲା, ଆଖି ଯୋଡ଼ିକରେ ଅନେଇଁଛି, ତୁଣ୍ଡରେ ପଦେ କଥା ନାହିଁ । ବସି ବସି ଅନୋଉଁ ଅନୋଉଁ ପଡ଼ିଯାଇଛି ।

 

ଅଧଘଣ୍ଟାଏ ପରେ ମଇଁଷି ଗୋଠ ଅଡ଼େଇ ଅଡ଼େଇ ଅଡ଼ାରିଆମାନେ ଯେତେବେଳେ ଆସିଲେ, ବାଘ ଚାଲିଗଲା । ଦେଖିଲେ ଗୋଟାଏ ମଣିଷ ଏମିତି ହୋଇ ପଡ଼ିଯାଇଛି । ଉଠେଇ ନେଇ ପରିଷ୍କାର କଲେ, ପାଣି ଛାଟିଲେ । ଲୋକଟା ଆଖି ମେଲାକଲା । ଓଠ ଥରେଇଲା, ଯେମିତି କ’ଣ କହିବ । ତାପରେ ଭୟରେ ଏକ ଆର୍ତ୍ତଚିତ୍କାର, ଆଖି ବୁଜିଦେଲା । ଦେହରେ ଖଇ ଫୁଟୁଛି ତାତି । ଗାଁକୁ ନେଇଗଲେ । ଏଗାରଦିନ ଘୋର ଜର ହେଲା । ମ୍ୟାଲେରିଆ ନୁହେଁ, ଛାନିଆଁ ଜର । ଆଉ ଲେଖା ନାହିଁ, ବିବୃତି ନାହିଁ ଯାହା ଆସୁ ତୁନିତାନି ସହିଯିବା ।

 

ଯାହାହେଉ…..ବାଘ ଖାଇଲା ନାହିଁତ । ବିଚରା କର୍ମୀଭାଇଟି ଭାରି ଡରି ଯାଇଥିବ । ବଞ୍ଚିଗଲା । ଭଗବାନଙ୍କୁ ଧନ୍ୟବାଦ ।

 

ଆହା ବିଚରା !

 

ଜଗନ୍ନାଥଭାଇ ଭାବୁଥିଲେ ତା’ କଥା । ଏଡ଼େବଡ଼ ଜରଟା ମୋଡ଼ିମାଡ଼ି ଦେଇଗଲା ବୁଧିନାଥଭାଇକୁ । ତଥାପି ସେ ଉଠି ଯା’ଆସ କଲାଣି, ହସିଲାଣି । ଥରିଲା ଥରିଲା ଅକ୍ଷରରେ ଚିଠି ଲେଖିପାରିଲାଣି ।

 

ଜଗନ୍ନାଥଭାଇ ଭାବୁଥିଲେ ।

 

ପୁଟିକ ଦେଢ଼ମହଣ । ବୋରିଖାଲ୍ ଗାଁର କୋଟିଆ କନ୍ଧ ହିମେରିକା ମୋହନ କନ୍ଧର ବାର୍ଷିକ ଆୟ ।

 

ଧାନ

-

୧୫ ପୁଟି

ମାଣ୍ଡିଆ

-

୩ ପୁଟି

କୋଶ୍ଳା

-

୨ପୁଟି

ସୁଆଁ

-

୮ ପୁଟି

ସୋରିଷ

-

୧ ପୁଟି

ରାଶି

-

୨ ପୁଟି

ଜଡ଼ା

-

୧୦ ମାଣ

 

ଏପାଖେ ହଳଦି, ହରଡ଼, ଧୂଆଁପତ୍ର ହୁଏନାହିଁ । ସେସବୁ ବିଷମକଟକ ଆଡ଼େ । ହିମେରିକା ମୋହନ ଘରେ ଚାରିପ୍ରାଣୀ । ମୋହନ, ତା ଭାରିଜା ଲେଟି, ତା ପୁଅ ରାଗ୍‌ଡ଼ି ଓ ତା ଝିଅ ଡାବାଙ୍ଗୀ ।

 

ବର୍ଷକୁ ତାର ଖର୍ଚ୍ଚ–

 

ଖୋରାକି-୪ ଜଣକୁ ୪x୧୨= ୪୮ ପୁଟି

 

ଲୁଗା-ଜଣକୁ ଦି’ଖଣ୍ଡ ଲେଖା ୮ ଖଣ୍ଡ

 

ଅନ୍ୟାନ୍ୟ ଆବଶ୍ୟକତା- ୪ ପୁଟି ।

 

ଅତଏବ ତାର ଧାନ ମାଣ୍ଡିଆ ବର୍ଷକ କ’ଣ ଯିବ ? ଯାଏ ୪ ମାସ । ଅନ୍ୟଦିନ ସେ ଅନ୍ୟାନ୍ୟ ଜିନିଷ ଖାଇ ପେଟ ଭର୍ତ୍ତିକରେ-କନ୍ଦାମୂଳ, ଟାକୁଆ, ତେନ୍ତୁଳିମଞ୍ଜି, ଶାଗ, ଡାଳ, ଶଳପ ଧୂଳି ଇତ୍ୟାଦି । ଅଭ୍ୟାସ ହୋଇଗଲାଣି, ବାଧେନାହିଁ, ବରଂ ସେ ତାର ଖାଦ୍ୟ । ସେ ଖାଦ୍ୟର ରଙ୍ଗ ଓ ଧରଣ ବି ତା ଆଖିକୁ ନୂଆ ନୁହେଁ । ଆମ୍ବଟାକୁଆ ଶସକୁ ଛେଚି କସପାଣି ଧୋଇଶୁଖେଇ ସେହି ଶସରେ ପିଠା–ଗୋଲାପି ନାଲି ଦିଶେ । ଶଳପ ଧୂଳିର ଜାଉ-ହଳଦିଆ ବହଳ ନାଳ, ଓଉ ନାଳଠୁ ବଳି । ହାଣ୍ଡି, ଲାଉ ଡଙ୍କା ଓ ପତ୍ର ଚଉକୁନୀ ସାହାଯ୍ୟରେ ପରମ ଆନନ୍ଦରେ ତାକୁ ସେ ପାଇଦିଏ । ଖୋରାକ ଅଟକେ ନାହିଁ । ତା’ଛଡ଼ା ଶିକାର, ବଣରେ ନାନାଦି ପଶୁ । କିଛି ନ ମିଳିଲେ ସମତଳଗାଁର ଗୋରୁକୁ ସେ ହାଣି ଖାଇଦିଏ; କୋଟିଆର ସେ ଏକ ବଦନାମ । ଲୁଗାପାଇଁ ତ ବିଶେଷ ଚିନ୍ତାହିଁ ନାହିଁ । ସ୍ତ୍ରୀଲୋକ ପିନ୍ଧିବେ ଅଣ୍ଟାରେ ୪ ହାତ ଲମ୍ବା ବେଢ଼େଇ ହେବାକୁ କନା ଓ ଉପରେ ପକାଇବାକୁ ୨ ହାତ ଲମ୍ବାର ଖଣ୍ଡେ ।

 

ପୁରୁଷ ପିନ୍ଧିବ ୫ ହାତର କରିଆ । ଖଣ୍ଡ ୩ଟଙ୍କା ପଡ଼ିଯିବ । ଡମ୍ବ କି ଡେରା ବୁଣା ମୋଟା ଖଦି । ସେ ମିଲ୍‌ ଲୁଗା ପିନ୍ଧେ ନାହିଁ । ମୂଲ୍ୟ ଦେବାକୁ ପଇସାର ବ୍ୟବହାର ବି ସବୁବେଳେ ନ ଥାଏ । ବୁଲାବିକାଳି ଡମ୍ବକୁ ଚାରିମାଣ ମାଣ୍ଡିଆ ମାପିଦେଲେ ତା ବଦଳରେ ପାଞ୍ଚହାତର କରିଆ ମିଳିଯାଏ । ପୂଜା ଉଝା ବାବତ ବେଶି ଖର୍ଚ୍ଚ ନାହିଁ, ବର୍ଷକେ ଚାରି ପ୍ରକାର, ନୂଆଖିଆପାଇଁ ଚାରି ପୂଜା । ଚଇତ୍ର ମାସରେ ବିରି ମୁଗ କାନ୍ଦୁଲ ଆଦି ରବି ଶସ୍ୟ ଅମଳ କଲାବେଳେ ଗୋଟାଏ ପୂଜା । ଆଷାଢ଼ ମାସରେ ଆମ୍ବଟାକୁଆ ଖାଇବାକୁ ଆରମ୍ଭ କଲାବେଳେ, ଭାଦ୍ରବରେ ସୁଆଁ ନୂଆଖିଆ, ଆଶ୍ୱିନରେ ଧାନ ନୂଆ ଖିଆ । ମଇଁଷିହଣା ପୂଜା ଆଠବର୍ଷରେ କି ଦଶବର୍ଷରେ ପଡ଼େ । ବିଭାଘରକୁ କିଛି ଖର୍ଚ୍ଚ ହୁଏ, ତା ମଧ୍ୟ ଅନ୍ୟଜାତି ତୁଳନାରେ ବେଶି ନୁହେଁ, କିଏ କଣ ପାଇବ ବନ୍ଧା ଅଛି ।

 

ଏହି କୋଟିଆ ବିଭାଘର ପ୍ରଥା ସ୍ୱତନ୍ତ୍ର । ପରସ୍ପର ମନକୁ ପାଇଲେ ପୁଅ ଝିଅ ଦୁହେଁ ନିଜ ନିଜ ବାପା ମା’ଙ୍କୁ କହନ୍ତି । ଶୁଭଦିନ ଦେଖି ପୁଅ ଘର ଲୋକେ ଝିଅ ଘରକୁ ଯାଇ ଝିଅ ବାପକୁ ଝିଅ ମାଗନ୍ତି । ଝିଅଘର ଲୋକେ ସେମାନଙ୍କ ଉପରେ ହଳଦି ପାଣି ପକାନ୍ତି । ସମସ୍ତେ ଥାଇ ଝିଅ ଘର କହନ୍ତି ‘‘ଆଜିଠୁଁ ଏ ଝିଅ ତୁମର ।’’ ପୁଅଘର କହନ୍ତି, ‘‘ଆଜିଠୁଁ ଏ ପୁଅ ତୁମର ।’’ ପୁଅଘର ଲୋକେ ଘରକୁ ଫେରିଯାଆନ୍ତି, ତା’ପରେ ବ୍ୟାପୃତ ରହନ୍ତି ଝିଅଘରକୁ ନେବାପାଇଁ ‘ବାରକନ୍ଦା’ ସଂଗ୍ରହ କରିବାରେ । ବାରକନ୍ଦା ସଂଖ୍ୟାରେ ବାର ନୁହେଁ କି ଗଛମୂଳର କନ୍ଦାନୁହେଁ । ଝିଅ ବାପପାଇଁ ହଳେ ପୋଢ଼, ଚାରିପଟ ଛଡ଼ା, ଝିଅର ମାମୁଁ ଲାଗି ଗୋଟିଏ ଛଡ଼ା, ଝିଅ ବାପ ପାଇଁ ଦି’ପଟ ଥାଳି, ଝିଅର ମା’ପାଇଁ ଟ. ୫ର ଖଣ୍ଡେ ଲୁଗା, ଝିଅର ଗାଁ ଲୋକଙ୍କ ପାଇଁ ୩ଟା ଛେଳି, ଜାନିର ପାଉଣା ଟ ଆଠଣା, ଦିସାରିର ପାଉଣା ଟ.ଚାରଣା, ପେସିନିର ପାଉଣା ଗୋଟାଏ ଛେଳି ବୋଦା, ଜାତି, ଭାଇଙ୍କ ପାଇଁ ତିନି ଚାରି ଟିଣ ମଦ । ବରର ବାପ ଏତକ ନେଇ କନ୍ୟା ବାପକୁ ସମର୍ପି ଦେଲା ପରେ ବିଭାଘର ପାଇଁ ଦିନ ଠିକ୍‌ ହେବ । ସେଦିନ କନ୍ୟା ଗାଁର ଲୋକେ କନ୍ୟାକୁ ଘେନି ବର ଗାଁକୁ ଆସିବେ । ଛାମୁଡ଼ିଆ ହୋଇଥିବ । ତା ତଳେ ହାଣ୍ଡିରେ ‘ମକ’ ବୋଲି ଏକ ପ୍ରକାର ମଦ ଥୁଆ ହୋଇଥିବ । ବାଟପୂଜା ଓ ନଈପୂଜା ହୁଏ । ଆଗ ରାତିରୁ ଝୋଲାରୁ ଏପରି ଜାଗାରୁ ପାଣି ଆସିଥାଏ ଯେପରି କି ସେଠି ଚଢ଼େଇ ବି ଥଣ୍ଟ ବୁଡ଼େଇ ନ ଥିବ । ସେହି ପାଣିରେ ହଳଦି ଗୋଳା ହୁଏ । କନ୍ୟାର ପାଦକୁ ବର ତା ନିଜ ପାଦରେ ଚିପି ଧରିଲେ ଦୁହିଁଙ୍କ ଉପରେ ଜାନି ସେହି ପାଣି ଢାଳିଦିଏ-ସେହି ହେଲା ବିଭାଘର । ତା’ପରେ ଜାତିଆଣ ଭୋଜି । ଏ ହେଲା ପ୍ରଥା ଅନୁସାରେ ବିଭା । ଏତେ ବାରକନ୍ଦା ଭୋଜିଭାତକୁ ଯାହାର ଶକ୍ତି ନାହିଁ, ସେ ଶଶୁର ଘରେ ଆଗତୁରା କୁଲି କାମକରି ମୂଲରେ ଶୁଝିଲା, ନ ହେଲେ କନ୍ୟା ସଙ୍ଗେ କଥା ଭାଷା ହୋଇ ଲୋକ ପଠାଇ ତାକୁ ଶୂନ୍ୟେ ଶୂନ୍ୟେ ଟେକି ଟେକି ଚୋରି କରିଆଣିଲା ।

 

ଏହିପରି ସରଳ ଜୀବନ ବଞ୍ଚି କୋଟିଆ କନ୍ଧର ଭୋକରେ ମରିବାକୁ ଆଶଙ୍କା ନ ଥାଏ-। କିନ୍ତୁ ଯେତେବେଳେ ଶାଗଡ଼ାଳ ଖୋଜିବାକୁ ବଣକୁ ଗଲେ ବାଘ ଧରେ, ସବୁଯାକ ଫସଲ ହାତୀ ଚରିଯାଏ, ସେତେବେଳେ କଷ୍ଟ ହୁଏ ସତ । କୋଟିଆ କନ୍ଧ ସଂଗ୍ରହ, ଶୀକାର, ତାଷ ଏ ତିନି ପ୍ରକାର ଅବସ୍ଥାରେ ଅଦ୍ୟାପି ରହିଛି । କୌଣସି ଗୋଟାକରୁ ପୂର୍ଣ୍ଣଭାବେ ଖସିଯାଇ ପାରିନାହିଁ । କୋଟିଆ ପୁରୁଷ ଓ ସ୍ତ୍ରୀ ବେକଯାକ ନାନା ରଙ୍ଗର ମାଳି ପିନ୍ଧନ୍ତି । ସ୍ତ୍ରୀଲୋକ ଜଣେ ଜଣେ ଜଣକୁ ପ୍ରାୟ ଅଧସେରେ ତିନିପା ଓଜନର କାଚମାଳି-ଧୋବ, କଳା, ନାଲି; ମୁହଁ ଦେହରେ ଚିତା, ନାକ ଅଗରେବି, ଅଣ୍ଟାଠୁ ଉପରକୁ ଲଙ୍ଗଳା, କେବଳ ଅକନ୍ଧ ବାହାରର ଲୋକ ଦେଖିଲେ ଦିହାତିଆ ଓଢ଼ଣୀଟି ଛାତି ଉପରେ ଖାଲି ବିଛେଇ ଦିଏ । ପୁରୁଷ ପିନ୍ଧେ କୌପୁନୀ ଖଣ୍ଡିଏ । ପାଞ୍ଚହାତିଆ କରିଆକୁ ଚିରି ସେ କୌପୁନୀ କରେ ।

 

ଆମ୍ବାଦୋଳା, ଜଗଦଲପୁର ଆଡ଼େ ପ୍ରଚାର କରି ଫେରି ଡାଙ୍ଗସୁରୁଡ଼ା ବାଟେ ପାଣ୍ଡ୍ରାଖାଲ୍‍ ବାଟେ ବୁଲି ବୁଲି ବୋରିଖାଲ୍‌ରେ ଜଗନ୍ନାଥଭାଇ ରାତିଏ ରହିଗଲେ । ୨୨ଘର କୋଟିଆ କନ୍ଧ; ସମସ୍ତିଙ୍କ ବଂଶ ‘କୁମେରିବା’ । ଗାଁର ମାଝି ଡିର୍ମୁ, କିନ୍ତୁ ଗାଁର ନାମୀ ଲୋକ ମୋହନ ଓ ସୁନ୍ଦର । ଏମାନେ ବଳଦରେ ହଳ କରନ୍ତି ନାହିଁ-ହଳ କରନ୍ତି ଗାଈ ଓ ଛଡ଼ା ଯୋଚି । ସୁନେରା, ଡେସିଙ୍ଗା, ତ୍ୱିର୍ପା, ପୁସିଲା, ବର୍ଦ୍ଦା ଖାଲି ଜମି ଧରି ବସିଥିଲେ । ଗୋରୁ ମଡ଼କରେ ଗୋରୁ ମରିଯାଇଛନ୍ତି । ଅସଂଖ୍ୟ ହରିଣ, ଫସଲ ଖାଇଯାଆନ୍ତି । ସମସ୍ତେ ସ୍ୱାର୍ଥର ମୋହ କାଟି ଦେଇ କୋଠକୁ ଜମି ଦେଇ ଦେଇଛନ୍ତି, ଆବଶ୍ୟକ ଅନୁସାରେ ବାଣ୍ଟିନେବେ । ତାହାରି ନାଁ ସର୍ବସ୍ୱଦାନ ।

 

ତହିଁଆରଦିନ ଘୁମ୍‌କୋଡ଼ି ଗାଁ, ପାହାଡ଼ ତଳେ ତଳେ ଗହଳ ହାତୀଆ ଘାସରେ ବାଟ, ଭୀଷଣ ଅରଣ୍ୟ, ତାହାରି ମଝିରେ ପାଞ୍ଚଘର । ସେମାନେ ବି ସବୁ ଜମି କୋଠକୁ ଦାନ ଦେଇଛନ୍ତି-। ସେହି ବଣେ ବଣେ ଖଣ୍ଡେ ଦୂର ଛାଡ଼ି ତୋଡ଼ଗଣ୍ଡା, ଆଠଘର ଏନେଟ୍ ଦୋରା, ସେମାନେ ବି ଲେଖିଦେଇଛନ୍ତି ସର୍ବସ୍ୱଦାନ । ତେଣିକି ଆହୁରି ଘଞ୍ଚ ଶାଳବଣ । ହାତୀ ଖୋଜ ପଡ଼ିଛି ବେଶି ବେଶି, ବାଘ ଭୟରେ କ୍ଷେତ ଜଗିବା ପଲା କରାହୋଇଛି ଉଞ୍ଚ ଗଛ ଉପରେ, ନ ହେଲେ ଉଞ୍ଚ ମଞ୍ଚା ଉପରେ ।

 

ତା’ପରେ ସେହି ଘଞ୍ଚ ବଣ ଭିତରେ ଦିଶିଲା କୁଟୁଡ଼ୁକୁପା ତାଷ ଉପତ୍ୟକା, ନାଳ ସେପାଖେ । ଦଶଘର ସେ ଗାଁରେ । ଗାଁରେ ମୁଣ୍ଡିମାଳ ଗୋଗେରାଙ୍ଗା ସୁନେରା ମାଝି, ପଚାଶ ବର୍ଷର ବୁଢ଼ା । ସୁନେରାର ପୁଅ ନାହିଁ । ଚାରିଝିଅ, ବଡ଼ଝିଅ ମାଞ୍ଜୁଲି ଗାଡ଼ିଙ୍ଗୁ ଡିରେ ବିଭା ହୋଇଛି-। ମୁହାଁମୁହିଁ ଦିଧାଡ଼ି ହୋଇ ଘର, ଚାରିପାଖେ ବାଡ଼ ନ ହେଲେ ଗୁହାଳ । ଗାଁ ମଝିରେ ଧରଣୀ ଦେବତାର ପଥର ଉପରେ ମେରିଆବଳି ପକାଇବା ସ୍ଥଳ । ଛାମୁଡ଼ିଆ ପାଇଁ ତିରିଶି ହାତ ଉଞ୍ଚର ଚାରୋଟି ଶାଳ କାଠ ପୋତା ହୋଇଛି । ପ୍ରତି ଖୁଣ୍ଟ ଅଗରେ କାଠ ଛକି, ଅଗରେ ଅନେକଗୁଡ଼ିଏ କାଠର ଚଢ଼େଇ । ଆଗେ କେବେ ଏଠି ମଣିଷ ବଳି ପଡ଼ୁଥିଲେ, ଏବେ ବଳି ପଡ଼ୁଛି ଗାଈ ମଇଁଷି । ଦେବତା ଛଡ଼ା ଚଢ଼େଇର ବି ସେ ବଳି ମାଂସରେ ଭାଗ ଅଛି ।

 

ସୁନେରା ରଖିଛି ବିନୋବାଙ୍କ ଫଟୋ । ଶୁଣିଛି ସେ କିଏ ବାବାଜି, ଭୂମି ନ ଥିବା ଲୋକଙ୍କୁ ଦେବାପାଇଁ ଭୂମିଥିବା ଲୋକଙ୍କଠୁ ଭୂମିଦାନ ସଂଗ୍ରହ କରୁଛନ୍ତି । ଫଟୋ ପ୍ରତି ସମ୍ଭ୍ରମ ଆସିଛି । ବିନ ମହାପ୍ରୁ ବୋଲି ତାଙ୍କୁ ପୂଜା କରୁଛି । ଫଟୋରେ କଣ ନାଲିନାଲି ଦିଶୁଛି, ଯେପରି ରକ୍ତ ଦାଗ । ଜଗନ୍ନାଥ ଭାଇ ଚମକି ପଡ଼ିଲେ–‘‘ପୂଜାକରୁଛୁ ବୋଲି ପାରା କି କୁକୁଡ଼ା ହାଣିବୁ ନାଇଁଟି ମାଝି ! ଏ ମହାପ୍ରୁ ତୋରି ପରି ଜଣେ ମଣିଷ, ୟେ ରକ୍ତ ଢାଳିବାକୁ କହେ ପାପ ।’’

 

‘‘ସତ୍ ସତ୍, ସବୁ ମହାପ୍ରଭୁ ସମାନ ନୁହନ୍ତି, କିଏ କେଉଁଥିରେ ସନ୍ତୁଷ୍ଟ ।’’

 

ବଣେ ବଣେ ଆର ଗାଁକୁ ବାଟ । ଶାଳଗଛ ଖୁନ୍ଦାଖୁନ୍ଦି, ବଡ଼ ବଡ଼ ଘାସ । ଏଇ ବାଟ ଧରି ହାତୀ ବୁଲେ, ମହାବଳ ବୁଲେ । ତା’ପରେ ପୁଣି ଗୋଟିଏ ଗାଁ । ଏ ଗାଁ ନାଁ ଜମ୍ବାଖାଲ; ପାଖେ ପାହାଡ଼, ସେଥିରେ ବାଉଁଶ ବଣ । ଆରପାଖେ ଆଉ ଏକ ପର୍ବତ । ଗାଁ ଚାରିପାଖେ ବାଡ଼ ବୁଜାହୋଇଛି, ଗାଁ ଅଛି ଖାଲ ଭିତରେ । ପାଣି ଆଣିବାକୁ ପାହାଡ଼ ଆଡ଼କୁ ଢିପକୁ ଯିବାକୁ ହୁଏ । ୨୩ ଘର କୋଟିଆ କନ୍ଧ, ୨ ଘର ଡମ୍ବ । ଧାନ ବିଲ ଧାଡ଼ିହୋଇ ଗଡ଼ିଯାଇଛି ପାହାଡ଼ ତଳୁ । ସବୁ ଦିନେ ବିଲରେ ପାଣି । ଏ ଗାଁ ବି ସବୁ ଜମି କୋଠକୁ ଦାନ କରିଦେଇଛନ୍ତି । ଜଗନ୍ନାଥଭାଇ ଆସିଛନ୍ତି, ବାହାର ଦୁନିଆରୁ ସ୍ନେହୀ ମଣିଷ । ଲୋକ ଘେରିଗଲେ । ଦୁଃଖ ସୁଖ ପଡ଼ିଲା । ଲୋକଙ୍କ ଆବଶ୍ୟକର ତାଲିକା ଲେଖାହେଲା । ତା ପରେ ପୁଣି ବାଟ ଭଙ୍ଗା ଭଙ୍ଗା ଖାଲ ଢିପସ୍ଥଳି-। ତିନି ଜାଗାରେ କୁଟୁଡ଼ୁକୁପା ନାଳ ପାରି । ଦୁଇ ଖଣ୍ଡ ଘନ ବଣ । ଏ ବଣରେ ବାଘ ହରିଣ ଭର୍ତ୍ତି । ଚାଉଳଧୁଆ ନଈ ପାରହୋଇ ହନୁମନ୍ତପୁର ଡାକବଙ୍ଗଳା ।

 

ଭୀଷଣ ଅରଣ୍ୟ ଭିତରେ ଏ ବଙ୍ଗଳା, ଠିକ୍ ନଈ ଉପରେ । ତା ସାମ୍ନାରେ ଚନ୍ଦ୍ରପୁର ଯିବା ବାଟ । ସେହି ବାଟେ ବାଟେ ବାଘ ହାତୀ ବୁଲନ୍ତି । ବଙ୍ଗଳା ଆଗରେ ବଙ୍ଗଳା ଚୌକିଦାର କିଛି ତଇଳା ତାଷ କରିବାକୁ ଆରମ୍ଭ କରିଥିଲା ଯେ, ଦିନ ଦି’ପହରେ ତାର ସମଗ୍ର ସମ୍ପତ୍ତି ଦୁଇଟି ଗୋରୁଙ୍କୁ ବାଘ ଖାଇଲା । ହାତୀ ଭୟରେ ବଙ୍ଗଳାର ଗୋଟାଏ ବଖରାର ଚଟାଣରେ ୪ ହାତ ଗହୀର ଗାଡ଼ ଖୋଳାହୋଇ ସିମେଣ୍ଟ ପଲସ୍ତରା ହୋଇ ଏକ ମାଟିତଳିଆ ଆଶ୍ରୟସ୍ଥଳ ରଖାଯାଇଛି-। ତା ଉପରେ ପଟା ପଡ଼ିଛି । କେବଳ ଗୋଟିଏ ସାନ ବାଟ । ସେଠି ସିଧାହୋଇ ତଳକୁ ତଳକୁ ପାହାଚ ଯାଇଛି ।

 

ସେହି ଭୀଷଣ ବଣ ଭିତରେ ଆହୁରି ଦୁଇମାଇଲ ଗଲା ପରେ ହନୁମନ୍ତ ପୁର । ଗାଁ ବାଟଯାକ ଛାତିଏ ଉଞ୍ଚରେ ଖଣ୍ଡା ଘାସ, ଲାଗିଲେ ଗୋଡ଼ ଖଣ୍ଡିଆ ହୋଇଯାଏ । କୁଟ୍ରା ନଈ ଉପରେ ହନୁମନ୍ତପୁର ଗାଁ । ଗାଁଟା ଯାକ ଖାଲି କୁମ୍ଭାରମାଟି, ଗାଁଯାକ ପାଇକ ଜାତିର ଲୋକ । ବଳିଆରସିଂହ, ଦଳେଇ, ପାତ୍ର–ଏଇ ଗାଁରେ ଘର । ରାଇବିଜି ପାତ୍ରଙ୍କର ଯେ ରାଇବିଜି ଗାଁ ସ୍ଥଳି ଓ ଜମି ସବୁ ଦେଇଦେଇଛନ୍ତି ଭୂମିହୀନ ଲୋକଙ୍କୁ ବଣ୍ଟାହେବ ବୋଲି, ପ୍ରାୟ ଏକର ପଡ଼ିଆମି; ଯାହା ପୂର୍ବେ ତାଷ ହେଉଥିଲା । ସେହିପାଖରେ ଆଠହଜାର ଡେକା ଦୋରାର ସବୁ ଜମି କୋଠ କରିଦେଇଛନ୍ତି ବଣ୍ଟନ ହେବ ବୋଲି । ସେମାନେ ବି ପାଇକ । ସେ ଗାଁ ବି ବଡ଼ ଉତ୍ସାହରେ ପ୍ରଚାର କରୁଛନ୍ତି-ଚାରି ଭାଇ ସଙ୍ଗରେ ମିଶିକରି ଖାଇବା, ସ୍ୱରାଜ୍ୟ ହେବ । ସମସ୍ତେ ଏକ ଆତ୍ମା ହୋଇ ଖାଇବା । ଆର ପାଖେ ପତନାଗୁଡ଼ି, ପାଞ୍ଚ ଘର ମୋଟେ । ମାଝି ଗୋଗେରାଙ୍ଗା ଜୁନିଂ ଓ ତାର ରଇତ ବୁସୁ, ଗୋବି, ଜାମ୍ବୁ, ମୁଦ୍ରିଂ । କେବେ ୩୦ ଘର ଥିଲେ, ହାତୀ ବାଘ ଭୟରେ ୨୫ ଘର ଚାଲିଗଲେଣି, ପାଞ୍ଚ ଘର ଅଛନ୍ତି । ମିଳିମିଶି ବାଣ୍ଟିକୁଣ୍ଟି ଖାଇବାର ସୂତ୍ର ତାଙ୍କ ମୁଣ୍ଡରେ ପଶୁଛି । କିନ୍ତୁ ଏତେସରି ହେଲେ ବି ଲୋଭ ଛାଡ଼ୁନାହିଁ । ୩୦ ଘରର ଜମି ୫ ଘର ପାଇଁ ଥୁଆହୋଇ ପଡ଼ିଆ ପଡ଼ିଛି । ତଥାପି ବାହାରର ଲୋକଙ୍କୁ ସେ ଜମିରୁ ଭାଗ ଦେବାପାଇଁ ତାଙ୍କର ଦେହ ସହୁନାହିଁ ।

 

ତା’ ପରେ ସୁନ୍ଦର ବଣ ବାଟ, ନଈ କୂଳେ କୂଳେ ବହୁତ ବାଟ । ଛାଡ଼ିଛାଡ଼ିକା ଡେଙ୍ଗା ଶାଳ ଗଛ, ତୋଟା ପରି ମଝିରେ ସାବାଇ ଘାସ, ବଣ ଫୁଲ; ତା ସେପାଖେ ନଈ, ତା ଆରକରେ ପର୍ବତ, ଘନ ବଣ । ଏହାରି ମଝିରେ ସଡ଼କ ପରି ଓସାର ବାଟ । ଦେଢ଼କୋଶ ଗଲା ପରେ ପଡ଼ିଲା ଗୋଟିଏ ବଡ଼ ଗାଁ ମକନାଗୁଡ଼ି । ଛୟାଳିଶ ଘର କନ୍ଧ, ସମସ୍ତେ ଏକ ବଂଶ ‘‘ଦିବାକିଆ’’, ଗାଁର ମାଝି ଦିବାକିଆ ମେଡ଼କେ । ପାଞ୍ଚବର୍ଷ ତଳେ ଏ ଗାଁର ଝିଅ ମୀଡ଼ି ହାତୀ ହାବୁଡ଼େ ପଡ଼ିଥିଲା, ଠିକ୍ ତା ଘର ଅଗଣାରେ । ହାତୀ ତାର ଡେଣାକୁ ଧରି ଗୋଟାଏ କରକୁ ଥୋଇଦେଇଗଲା । ସେତେବେଳେ ତା ବୟସ ନଅ । ସେତିକିରେ ତା ହାତ ହାଡ଼ ଭାଙ୍ଗି ଯାଇଥିଲା, ଔଷଧ ବାନ୍ଧି ବାନ୍ଧି ଭଲହେଲା । ଚାରିପାଖେ ବଣ, ବାଘ ତାଙ୍କ ପଡ଼ିଶା । ଏ ଗାଁର ଛୟାଳିଶି ଘର କନ୍ଧ ସବୁ ଜମି କୋଠ କରିଦେଇଛନ୍ତି, ସମାନ ଭାବରେ ବାଣ୍ଟି ନେବେ ।

 

ସେହିପରି କୋଶେ ଗଲେ ଆହୁରି ଉଆପୁଚି ଘର କନ୍ଧ ଓ ମକନା ଗୁଢ଼ିଠୁ ଅଳ୍ପ ଛାଡ଼ି ସୀତାପାଙ୍ଗା ଅଠର ଘର କନ୍ଧ । ଏ ଗାଁରେ ଯେପରି କି ବେଶି ଉତ୍ସାହ । ଗାଁ ମୁଣ୍ଡିଆଳ ଦିବାକିଆ ବାପା ମାଝି, ନବେ ବର୍ଷର ବୁଢ଼ା ସବୁଯାକ ଦାନ୍ତ ଅଛି, ପିଲାଝିଲା ନାହିଁ, ଦ୍ୱିତୀୟ ପକ୍ଷର ସ୍ତ୍ରୀ ଅଛି-ପଚାଶ ବର୍ଷର ବୁଢ଼ୀ । ସ୍ତ୍ରୀଲୋକମାନେ ଶାଢ଼ି ପିନ୍ଧନ୍ତି । ପୁରୁଷମାନେ ସାନ ଧୋତି ପିନ୍ଧନ୍ତି । ଢିପ ଉପରେ ଗାଁ, ଗାଁର ଜମି ଖାଲରେ, ଚାରିପାଖେ ଗୋଲେଇ ହୋଇ ଜାଣ । ସବୁ ଜମି କୋଠକୁ ଦାନ ଦେଇ ଦେଇଅଛନ୍ତି । ଘରେ ଆଶା ପୂରିନାହିଁ ଯେ, ଖୋଜୁଛନ୍ତି ପଦାରୁ ଆହୁରି ଲୋକ ଆସନ୍ତେ କି ସବୁ ଜମି ବାଣ୍ଟି ଖାଆନ୍ତେ ।

 

ତା’ ପରେ ଏକ ଦିକୋଶ ଲମ୍ବା ଉପତ୍ୟକା । ଦିକରେ ପର୍ବତ, ମଝିରେ ଏକ ପାହାଡ଼ି ନଈ ପଥର କାଟି କାଟି ଚାଲିଛି । ଜଳପ୍ରପାତ ଓ ସୌନ୍ଦର୍ଯ୍ୟ ସୃଷ୍ଟି କରି କରି କେବେ ଏଠି ବଣ ହାଣି ଭୂଇଁ ତାଡ଼ି କନ୍ଧ ତାଷ କରୁଥିଲେ–ହାତୀ ବାଘ ଭୟରେ ଛାଡ଼ି ଦେଇଛନ୍ତି । ଘର ଛୁଆଣି କରିବାକୁ ଯେଉଁ ପିରି ଘାସ ଦରକାର ହୁଏ ସେହି ପିରି ଘାସର ବଣ ହୋଇଯାଇଛି । ଏଠିସେଠି ଛାଡ଼ିଛାଡ଼ିକା ଗୋଟିଏ ଗୋଟିଏ ଶାଳ ଗଛ । କେଉଁଠି ଯଦି ଜମି ଅଭାବରୁ ଲୋକେ ଛଟପଟ ଏଠି ଯେପରି କି ପ୍ରକୃତି ଦେବୀ ଉଦାରଭାବେ ମଣିଷର ଚରା ଭୂଇଁ ରଖିଯାଇଛନ୍ତି । ଚାଲିଛି ବଣ ବଣ । କିନ୍ତୁ ଏଇ ବଣ ଭିତରେ ଆଦିମ ମନୁଷ୍ୟ ବଣ୍ଟନ ପାଇଁ ଜମି ଛାଡ଼ିଦେଇ ଇତିହାସ ତିଆରି କରୁଛି । ତେଣୁ ଗାଁକୁ ଗାଁ ଚାଲିଛନ୍ତି ଜଗନ୍ନାଥ ଭାଇ । ସକାଳ କି ସନ୍ଧ୍ୟା ସେଥିପାଇଁ ତାଙ୍କ ଚେତନା ନାହିଁ, ଭାବନା ନାହିଁ, ବାଘ ବାଟ କି ହାତୀ ବାଟ । ବାଉଁଶିଆ ପରି ଚକା ଚକା ହୋଇ ଖାଲର ଧାର ଲାଗିଯାଇଛି । ହାତୀ ଖୋଜ-ପଲ ଉତ୍ତାରୁ ପଲ ଚାଲିଛନ୍ତି । ବାଘ ଘୁଅ ବି ଗଦା ହୋଇଛି । ଏ ବଣରେ ଯେତେବେଳେ ମନ ସେତେବେଳେ ଜନ୍ତୁ ବାହାରି ପଡ଼ିବ । ମହାବଳର ଘର । ଏ ବଣ ଆଗରେ ଗୁମ୍ଫା ଆଗରେ ଖାଲ ଆଗରେ ଯେପରି କି ପର୍ଦ୍ଦା ପଡ଼ିଛି । ସବୁଠି ବାଘ ଭାଲୁ ଥାଇପାରନ୍ତି । ବାଟୋଇ ଦଳ ବାନ୍ଧି ବାଟ ଚାଲେ ଚମକି ଚମକି । ଖୁଡ଼୍‌ କରି ହେଲେ ଛାତିଟା ଚାଉଁକରେ । କେଉଁ ବର୍ଷ ଏଠି କେଉଁ ମଣିଷକୁ ବାଘ ଖାଇଥିଲା ବାଟେ ବାଟେ ଆଙ୍ଗୁଠି ଦେଖାଇ ଦେଖାଇ ଥିରି ଥିରି ହୋଇ ସେହି କଥା କୁହାକୋହି ।

 

ସେହି ବଣରେ ଏକୁଟିଆ ଚାଲିଥାନ୍ତି ଜଗନ୍ନାଥ ଭାଇ । ଡେଙ୍ଗା କାଳିଆ ଧଡ଼ିଆ ଲୋକଟି, ଆଣ୍ଠୁ ଉପରେ ହାତବୁଣା ମୋଟା ଖଦଡ଼ର ଦାଢ଼ ଓହଳିଛି-ଧଡ଼ି ତ ନାହିଁ । ଖାଲି ଦେହରେ ପିଠଆଡ଼େ ଖଣ୍ଡେ ଖଦଡ଼ ମୁଣି ଝୁଲୁଛି । ତହିଁରେ ଦାନପତ୍ରହିଁ ବେଶି, ଆଉ ଆପଣା ଖଦଡ଼ ଚାଦର ଖଣ୍ଡିକ । ଆବଶ୍ୟକ ହେଲେ ସେ ସବୁ କାମକୁ ପାଏ । ଶୋଷ ବୁଡ଼େଇବାକୁ ଅଁଳାକୋଳି ଦି ଗଣ୍ଡା ବାଟରୁ ତୋଳି ନେଇଥିଲେ । ବଣସଙ୍ଗେ ପଥରସଙ୍ଗେ ମିଶିଯାଇ ଚାଲିଛି ସେ ମଣିଷଟି, ଯାହାର କାହାରି ସଙ୍ଗେ ବୈର ନାହିଁ, କାହାରିପ୍ରତି ବିଦ୍ୱେଷ ନାହିଁ, ଯେ ଚାହେଁ ଏ ସୃଷ୍ଟିରେ ସ୍ନେହର ସମନ୍ୱୟ ହିଂସାର ବଳ କଷାକଷି ନୁହେଁ । ଉପରୁ ଚାହେଁ ବଡ଼ ଛଞ୍ଚାଣ, ମୟୂର ମାରୁ । ଚିଲପରି ଘାସ ଉହାଡ଼ରୁ ଛପିଛପିକା ଅନାଏଁ ଚିତାବାଘ-ଯେତେବେଳେ ସେ ହରିଣ ଧରିବବୋଲି ପେଟକୁ ତଳେ ଘଷି ଘଷି ଲେପ୍‌ଟେଇ ଲେପ୍‌ଟେଇ ଶବ୍ଦ ନ କରି ଚାଲିଥାଏ । ମହାବଳବାଘ ବୁଦା ଉହାଡ଼ରୁ ତାଚ୍ଛିଲ୍ୟରେ ଅନାଏଁ–ସେତେବେଳେ ଲଟା ଖାଲି ହଲିଯାଏ । ମଢ଼ ଗନ୍ଧପରି ବାଘୁଆ ଗନ୍ଧ ନାକରେ ବାଜେ । ତୁଚ୍ଛ ତାଚ୍ଛିଲ୍ୟରେ ଚାହାଁଣି ଛାଟିଦେଇ ଅପେକ୍ଷା କରିଥାଏ ନୀଳଗାଈ କି ଶମ୍ବର ଏ ବାଟେ ଆସିବ ବୋଲି । ହରିଣ ତ ହରିଣ, ଗୋଟାଏ ହୃଷ୍ଟପୃଷ୍ଟ କୁଟ୍ରା ଦେହରେ ମଧ୍ୟ ଏଇ ଏକୁଟିଆ ମଣିଷଟା ଠୁଁ ବେଶି ମାଂସ । ଅନାନ୍ତି ଅଜଗର, ଅହୀରାଜ, ବଣ ବୋଡ଼ା । ସେମାନେ ବି ଗଛ ପଥର ସହିତ ସମନ୍ୱୟ ରଖିଥାନ୍ତି-ଅନ୍ତତଃ ରଙ୍ଗରେ । ଟିକି ଚଢ଼େଇଟି ଘାସ ଉପରେ ବସି ଝିଣ୍ଟିକା ଖାଏ । ଆଉ ଚଢ଼େଇମାନେ ଖୋଜି ବୁଲନ୍ତି କାଇ ଡିମ୍ବ ପୋକଜୋକ । ସାନଠୁ ବଡ଼ଯାକେ ଖୋଜନ୍ତି ପରକୁ ଖାଇବାକୁ, ସେହି ସେମାନଙ୍କ ଆଧାର, ବଞ୍ଚିବାର ଆଶ୍ରା । ବଣର ଆଇନ ଜଣେ ଜଣକୁ ଖାଇବ । ବାଘ ଶାଗ ଖାଇବ ନାହିଁ, ଛଞ୍ଚାଣ କୋଳି ଖାଇବ ନାହିଁ, ଅଜଗର ଘାସ ଖାଇବ ନାହିଁ । ସେହି ବଣର ଦୃଷ୍ଟାନ୍ତ ଦେଇ କେହି ମନୁଷ୍ୟ କହେ, ସୃଷ୍ଟିର ଲୀଳା ଏହିପରି, ଯେ ପାରିଲା ସେ ଖାଇଲା ଯେ ନ ପାରିଲା ସେ ଗଲା । ଭକ୍ଷ୍ୟ ଭକ୍ଷକ ସମ୍ବନ୍ଧରେ ସଂସାର ଛନ୍ଦାଛନ୍ଦି ହୋଇଛି । କେହି କିଛି ଜମି ଦେଇଦେଲେ ଜମି ସମସ୍ୟାର ସମାଧାନ ହେବ ନାହିଁ କି ଏ ମାର୍ଗରେ ପୃଥିବୀ ସ୍ୱର୍ଗ ପାଲଟିବ ନାହିଁ । ମିଛ ଚୋରି ଡକାୟତି ପରାଙ୍ଗ ଭୋଜନ ହାଣ କାଟ ଏ ସବୁ କଥା ଏ ସଂସାର ନୀତିରେ ଏକାନ୍ତ ଆବଶ୍ୟକ ତୁମେ ମାର ନ ହେଲେ ମର, ଶାନ୍ତି ଓ ଅହିଂସା ଜପ କରୁଥିଲେ ମଧ୍ୟ ଏ ନିରାଟ ସତ୍ୟଠୁଁ ନିସ୍ତାର ପାଇବ ନାହିଁ । ବଣେ ବଣେ ଗଲାବେଳେ ଜଗନ୍ନାଥ ଭାବନ୍ତି ଏ ସବୁ ପ୍ରଶ୍ନ । ଖାଲି ପାଦ, ପାଦତଳ ଫାଟି ଆଁ କରିଛି, ଆଙ୍ଗୁଳେ ଗହୀରରେ ପାଦ ଦିଟା ମାଟିରେ ଥାଉ ପଛେ ମୁଣ୍ଡଟା ଅଛି ଆକାଶରେ । ବାଟ ଚାଲୁ ଚାଲୁ ସାଥୀ ଏଇ ବିଚାର, ଏଇ ଚିନ୍ତା–ନିସ୍ତାର ନାହିଁ ସଂସାରରୁ, ନିସ୍ତାର ନାହିଁ ମିଥ୍ୟା କବଳରୁ ! ଅବିଦ୍ୟା କବଳରୁ ! ନିସ୍ତାର ନାହିଁ ଦୁଃଖର ଯନ୍ତ୍ରଣାରୁ ।

 

ସେ ତ କେବକାର କଥା, ଯେତେବେଳେ ମଣିଷ ଏ ପ୍ରଶ୍ନର ସମାଧାନ ଖୋଜୁଥିଲା । ସମାଧାନ ତ ପାଇସାରିଛି କେଉଁ ଯୁଗରୁ, ନ ହେଲେ ଭାଗବତ ଲେଖା ହୋଇ ନ ଥାନ୍ତା । ବିରାଟ ବ୍ରହ୍ମାଣ୍ଡ ଭିତରେ ମନୁଷ୍ୟର ସ୍ଥାନ ନିରୂପଣ କରି ସମନ୍ୱୟର ମାର୍ଗ ଅର୍ଥାତ୍ ଯୋଗମାର୍ଗ ନିର୍ଦ୍ଧାରଣ କରି ପ୍ରକାଶ ପାଇ ନ ଥାନ୍ତା ସତ୍ୟ, ଯେଉଁ ସତ୍ୟକୁ ମନୁଷ୍ୟ ଧର୍ମ ଆଖ୍ୟା ଦେଇ ପୂଜା କରି ଆସିଛି-

 

ମଣିଷର ଦେହ ପଶୁ ଦେହ, କିନ୍ତୁ ମଣିଷ ପଶୁ ନୁହେଁ । ପଶୁ ନିଜେ ପ୍ରବୃତ୍ତିର ଦାସ ବୋଲି ଯେଉଁ କର୍ମ କରିବା ତାର ସ୍ୱଭାବ ମଣିଷ ସେ ଭଳି କରିବାକୁ ବାଧ୍ୟ ନୁହେଁ; କାରଣ ମଣିଷ ତା’ର ପ୍ରବୃତ୍ତିକୁ ଦବେଇପାରେ, ରୋକିପାରେ । ତେଣୁ ପଶୁପକ୍ଷୀ ପକ୍ଷରେ ଯାହା ଅଲଙ୍ଘନୀୟ, ବିଧିର ବିଧାନ, ମନୁଷ୍ୟ ତାକୁ ସାଧ୍ୟମତେ ଭାଙ୍ଗିପାରେ । ତେଣୁ ସେ ଜୀବମାନଙ୍କ ମଧ୍ୟରେ ଶ୍ରେଷ୍ଠ ।

 

ଭାଗବତ କହିନାହାନ୍ତି–

 

ଏଣୁ ଏ ସ୍ୱର୍ଗବାସୀ ଜନେ

ନିତ୍ୟେ ଚିନ୍ତନ୍ତି ଅନୁମାନେ

।।

ଭାରତଭୂମି ମଧ୍ୟେ ଯାଇ

ମନୁଷ୍ୟ ଦେହ ଆମ୍ଭେ ପାଇ

।।

ଭକତି ଯୋଗେ ଅନୁକ୍ଷଣେ

ଭଜିବୁ ଶ୍ରୀକୃଷ୍ଣ ଚରଣେ

।।

 

କିନ୍ତୁ କ’ଣ ହେବ ? ମନୁଷ୍ୟ ଅଜ୍ଞାନରେ ପଡ଼ି କାଚକୁ ମଣି ଜ୍ଞାନ କରେ । ମନୁଷ୍ୟ ଦେହର ଯେଉଁ ବିଶିଷ୍ଟତା ଅଛି, ସେ ପରର ସେବା କରିବାକୁ ଉପଯୋଗୀ ହେବ ବୋଲି, ମନୁଷ୍ୟ ମନର ଯେ ବିଶିଷ୍ଟତା ରହିଛି ଯେ ସେ ସମସ୍ତିଙ୍କ ହିତ କରିବାକୁ ଉପାୟ ଚିନ୍ତା କରିପାରିବ, ମନୁଷ୍ୟ ଜନ୍ମର ଯେ ବିଶିଷ୍ଟତା ଅଛି ଯେ ସେ ଆତ୍ମାରେ ପରମାତ୍ମା ସନ୍ଧାନ ପାଇପାରିବ, ସବୁ ମଣିଷଙ୍କ ସୁଖଦୁଃଖରେ ପରମାତ୍ମାଙ୍କୁ ଅନୁଭବ କରିପାରିବ, ମନୁଷ୍ୟ ତା’ର ସେ ବିଶିଷ୍ଟତା ସ୍ୱତନ୍ତ୍ରତା ପାସୋରି ପକାଏ । ସେ ନିଜକୁ ତିଆରି କରି ଗଢ଼େ ଏକ କଲେଇକରା ସଜାସଜି ପଶୁ, ଏକ ସଭ୍ୟ ପଶୁ–କିନ୍ତୁ ପଶୁ ହିଁ । ବରଂ ପଶୁ ତ ଖୋଲା, ଏ ସଭ୍ୟପଶୁ ଭେକ ଘୋଡ଼ିହୋଇ ଥାଏ–ଏ ଗୁପ୍ତମାରୁ-

 

ଯେବେ ମନୁଷ୍ୟ ଦେହ ପାଇ

ଆତ୍ମାର ଗତି ନ ଜାଣଇ

।।

ବିଷୟ ସଙ୍ଗେ ଯାର ଆଶ

ସେ ଦେହେ ପ୍ରୟୋଜନ କିସ

।।

 

ସବୁଥିରେ ଥିବ କାହିଁରେ ନ ଥିବ, ପ୍ରକୃତି ସେହି କଥାହିଁ ତ ଶିଖାଇଛି- ନ ହେଲେ ମଣିଷ ଶିଖିଲା କ’ଣ ? ଦେଖିଲା କ’ଣ ?

 

ସକଳ ଭାବେ ଅନପେକ୍ଷ

ଈଶ୍ୱର ଭାବଟି ପ୍ରତ୍ୟକ୍ଷ

।।

ସମ ଯେ ଦୁଃଖ ସୁଖ ମଣି

ସେ ମହାସୁଖୀ ନିତ୍ୟେ ଭଣି

।।

ନିରତେ କାମଭୋଗ ସୁଖ

ତାହାକୁ ବୋଲି ମହାଦୁଃଖ

।।

ଯେ ଆତ୍ମା ବଦ୍ଧ ମୋକ୍ଷ ଜାଣେ

ସେ ପ୍ରାଣୀ ପଣ୍ଡିତ ବଖାଣେ

।।

 

ବୁଦ୍ଧଦେବ ମଧ୍ୟ ଭାବି ଭାବି ବୁଲୁଥିଲେ ସେହି କଥା-ପଶୁତ୍ୱହିଁ କ’ଣ ଚରମ ନା ଜରା କବଳରୁ ମୃତ୍ୟୁ କବଳରୁ ଦୁଃଖ କବଳରୁ ଉଦ୍ଧାର ସମ୍ଭବ ? ନଗରମାନଙ୍କରେ ଶ୍ରେଷ୍ଠୀନ୍‌ମାନେ ବଣିକମାନେ ଯେତେବେଳେ ଧନ ଆହରଣରେ ବ୍ୟସ୍ତ ଥିଲେ, ପ୍ରମୋଦ ଉଦ୍ୟାନରେ ଆମୋଦ କରୁଥିଲେ ନାଗରିକମାନେ, ରାଜାମାନେ ଯୁଦ୍ଧପାଇଁ ସଜ ହେଉଥିଲେ, ବାଟେ ବାଟେ ଭାବି ଭାବି ଚାଲିଥିଲେ ଏହି କଥା ସେ ମହାତପସ୍ୱୀ-ଯେ ଜୀବନର ଆଲୁଅକୁ କିପରି ଧରି ରଖିହେବ ? କିପରି ଯିବ ଜରା ଯନ୍ତ୍ରଣା ଦୁଃଖ ?

 

ଭାବୁ ଭାବୁ ପ୍ରକୃତିରୁ ଆସିଥିଲା ଉପାୟ ବିଷୟରେ ଜ୍ଞାନ । ସେ ତାକୁ ପ୍ରଚାର କରିଥିଲେ । ସେ କହୁଥିଲେ ଚୌଆଖିଆ ନିଘା, ଠିକ୍ ଓ ଭୁଲ୍‍ ତାକୁ ଠିକ୍ ଠିକ୍ ବାଛିବା, ଖଟଣିରେ ଲୋଟୁଥିବା, ଶାନ୍ତ ରହିବା, ଖୁସି ରହିବା, ସମସ୍ତିଙ୍କ ସଙ୍ଗେ ବନ୍ଧୁ ଲଗାଇବା, ପର ଦୁଃଖକୁ ଆପଣାର ମଣିବା, ଯାହା ଚିନ୍ତା କରିବ ତହିଁରେ ପୂର୍ଣ୍ଣ ଧ୍ୟାନ ଲଗାଇବା, ଯେଡ଼େ ଗୋଳମାଳ ହେଉଁ ପଛେ; ଆପଣା ବାଟରୁ ସୂତାଏ ନ ଚଙ୍କିବା-ଏତିକି କଲେ ମଣିଷ ଦୁଃଖକୁ ଜିତିବ । ସେ କହୁଥିଲେ, ‘‘ଶୁଣ ଭିକ୍ଷୁ, ଦୁଃଖ ମଧ୍ୟ ସସୀମ, ଦୁଃଖରେ ବିନାଶ ଅଛି । ମୃତ୍ୟୁ ମଧ୍ୟ ସମୀମ, ମୃତ୍ୟୁର ମଧ୍ୟ ବିନାଶ ଅଛି-।’’

 

ଚାଲିଛନ୍ତି ଜଗନ୍ନାଥ ଭାଇ ଭାବି ଭାବି । ଗହନ ବଣ ଯେପରିକି ଭାବନାପାଇଁ ଶାନ୍ତ ସ୍ନିଗ୍‌ଧ ଅନୁକୂଳ ମଣ୍ଡଳ ଗଢ଼ି ରଖିଛି । ଗଛଲତା, ପାହାଡ଼, ଝରଣା, ଜଳପ୍ରପାତ, ବଣପାହାଡ଼ ଘେରେଇ ଦିଗ୍‍ବଳୟ ଆଡ଼ମ୍ବରହୀନ କୃତ୍ରିମତାହୀନ ପରିସ୍ଥିତି, ସବୁ ଯେପରିକି ପ୍ରାକୃତିକ ମୌଳିକ ଚିନ୍ତାରହିଁ ଦ୍ୟୋତକ । ସାନ ଝିଙ୍କାରିଟି, ଯାହାର ଝିଂ ଝିଂ କେଉଁଠି ସଙ୍ଗୀତ ଭିଆଉଛି, ଟିକି ଚଢ଼େଇଟି ଯେ ଦେଖାଉଛି ରଙ୍ଗର ବିନ୍ୟାସ ଓ ଗଠନର ଭଙ୍ଗୀ–ସେ ବି ସାହାଯ୍ୟ କରୁଛି ଏ ଭାବନା ଭାବିବାକୁ । କିଏ କହେ ବଣବାଟ ନିଛାଟିଆ ? ପଦେ ପଦେ ସେମାନେ ଅପେକ୍ଷା କରିଛନ୍ତି ଭେଟିବାକୁ, ଏଇ ଯେତେ ଘାସ ଫୁଲ, ଗଛପତ୍ର କି ଜନ୍ତୁ କି ନଈ, ସେମାନେ ନିର୍ଦ୍ୱନ୍ଦ୍ୱରେ ଏ ସୃଷ୍ଟିରେ ଖାପିଛନ୍ତି-ମଣିଷ ବି ଖାପିବ ।

 

ଜଗନ୍ନାଥ ଭାଇ ଭାବୁଥାନ୍ତି-ହିଂସ୍ରଜନ୍ତୁକୁ ବି ଦୋଷ ଦେଇ ହେବ ନାହିଁ । ଜନ୍ତୁ ସାଧାରଣରେ ତା’ର ଆବଶ୍ୟକତାଠୁ ଅଧିକ ହିଂସା କରେ ନାହିଁ, ଠିକ୍‍ ଯେତିକି ହିଂସାକଲେ ସେ ବଞ୍ଚିପାରେ ସେତିକି ହିଂସା କରେ । ତା’ର ଆବଶ୍ୟକତା ମଧ୍ୟ ନିଜର ତା’ର ଗଠନର ବିଶିଷ୍ଟତା ଅନୁରୂପ । ସେ ହିଂସା ବି ତା’ର ସହଜ ପ୍ରବୃତ୍ତି, ସେଥିପାଇଁ ବିଚାର ପ୍ରୟୋଜନ ହୁଏନାହିଁ । ପଶୁଠି ଅଧିକା ପଶୁତ୍ୱ ଆରୋପ କରାହୋଇଛି ଯାହା ପ୍ରକୃତରେ ତାଠି ନାହିଁ । ତା’ର ଦୃଷ୍ଟାନ୍ତ ଦେଇ ମନୁଷ୍ୟ କ୍ରୂର ସ୍ୱାର୍ଥପର ଓ ହିଂସ୍ରକ ହେବାରେ କୌଣସି ଯଥାର୍ଥତା ନାହିଁ, ତାହା କେବଳ ଆତ୍ମପ୍ରତାରଣା ।

 

ପାଦରେ ଚାଲି ଚାଲି ବୁଲିଲେ ମନର ଏକ ସୁଷମ ଅବସ୍ଥା ଆସେ । ଦେଖିବା, ଶୁଣିବା, ଭାବିବା ଓ ଚାଲିବା କାହାରି କାହା ସହିତ ସଂଘର୍ଷ ଲାଗେ ନାହିଁ । ସବୁ ଧାରଣା ଏକାଠି ମିଶି ଗତ ଧାରଣାରେ ପର୍ଯ୍ୟବସିତ ହୁଏନାହିଁ । ବରଂ ସବୁ ଇନ୍ଦ୍ରିୟ ସ୍ୱାଧୀନଭାବେ ପୂର୍ଣ୍ଣ ସୁବିଧା ପାଉଥିବାରୁ ଚାଲି ଚାଲି ଜଟିଳ ସମସ୍ୟାର ସମାଧାନ ଚିନ୍ତାକରିବା ପ୍ରଣାଳୀ ମହତ ହୁଏ । ସେହିପରି ଗଭୀର ଧ୍ୟାନ ସମ୍ଭବ ହୁଏ ସୂତା କାଟିଲାବେଳେ । ଚରଖାର ଘର୍ ଘର୍ ସହିତ ତାକୁଡ଼ିର ଅଗ ପ୍ରତି ଏକନିଷ୍ଠ ଧ୍ୟାନ ଯେପରି କି ସମଗ୍ର ଭାବନା ଶକ୍ତିକୁ ଗୋଟିଏ କେନ୍ଦ୍ର ଉପରେ ପର୍ଯ୍ୟବସିତ କରେ । କ୍ରମେ ସୂତା କାଟିବା ଏକ ସହଜ ପ୍ରକ୍ରିୟାରେ ପରିଣତ ହୁଏ, କିନ୍ତୁ ଭାବନାଶକ୍ତି କୌଣସି ଗୋଟିଏ ସମସ୍ୟା ଉପରେ ଅତି ତୀକ୍ଷ୍ଣଭାବେ ବିନ୍ଧି ବିନ୍ଧି ଧ୍ୟାନର ପଥ ସୁଗମ କରେ । ଯେପରିକି ଆକାଶ, ମାଟି, ଆଲୋକ ଓ ଅନ୍ଧାର ଅପେକ୍ଷା କରିଛନ୍ତି । ମନୁଷ୍ୟ ନିଜକୁ ସହଜ ଓ ସରଳ କରିପାରିଲେ ନିଃଶବ୍ଦରେ ତା ମନରେ ସଦ୍‌ବିଚାର ପୂରାଇବ । ଆସୁଛି ତ ବିଚାର, ପ୍ରକୃତିହିଁ ପରମଗୁରୁ । ଅନାଶକ୍ତି ଅଥଚ ସ୍ନେହ ସମ୍ବନ୍ଧ ଓ କରୁଣା, ସ୍ୱାଧୀନତା ଅଥଚ ସମ୍ବନ୍ଧଶୀଳତା, ଏ ସବୁ ପ୍ରକୃତିରୁହିଁ ଦେଖିବାକୁ ମିଳେ । ସେହି ପ୍ରକୃତିରେହିଁ ରହିଛି ସମବଣ୍ଟନର ସୂତ୍ର । ପାଣି ଉପରୁ ତଳକୁ ବୋହିଆସେ । ପାଣିକୁ ଯେତେ ଉଚ୍ଚକୁ ଉଠାଇଲେ ସେ ନିଜ ପତ୍ତନହିଁ ଖୋଜେ, ସମପତ୍ତନରେ ରହିଲେ ହିଁ ପଦାର୍ଥର ସ୍ଥିତି ଦମ୍ଭହୁଏ । ସମବଣ୍ଟନମୂଳକ ସମାଜ ନ ଗଢ଼ିବା ପର୍ଯ୍ୟନ୍ତ ସମାଜର ସ୍ଥାୟିତ୍ୱ ସନ୍ଦେହ ମୂଳକ ପ୍ରତିକ୍ରିୟାର ପ୍ରତିକ୍ରିୟା ଅଛି । ଏ ସବୁ ତ ପ୍ରକୃତି ଶିଖାଏ । ଏହିପରି କେତେ ତଥ୍ୟ-କେବଳ ଇନ୍ଦ୍ରିୟମାନଙ୍କର ।

 

ଯେତେ ବୁଲିଲେ ସେତେ ବିଶ୍ୱାସ ବଢ଼ୁଛି ଯେ ସମବଣ୍ଟନମୂଳକ ସ୍ନେହ ପ୍ରୀତିର ସମାଜ ସ୍ଥାପିବା ସେତେଦୂର ନୁହେଁ । ଲୋକଙ୍କୁ ଭୂମିଦାନ ମାଗି ଥଳି ପୂର୍ଣ୍ଣକରିବା ସେତେ ଜରୁରି କାମ ନୁହେଁ ଯେଡ଼େ ଜରୁରି ଏ ନୂଆ ବିଚାରର ଅର୍ଥ ବୁଝାଇବା ଓ ତାର ବିଚାରକୁ ସମସ୍ତିଙ୍କ ପାଖରେ ପହଞ୍ଚାଇବା । ତାହାହେଲେ ତା’ର ନିହିତ ସତ୍ୟ ବଳେ ଲୋକଙ୍କ ହୃଦୟଗ୍ରାହୀ ହେବ ଓ ହୃଦୟ ପରିବର୍ତ୍ତନ କରିବ । ଲୋକେ ନୂଆ ସମାଜ ଗଢ଼ିବେ । ଲୋକେ ବୁଝିବେ ସଞ୍ଚୟ ହିଁ ସବୁ ଅନର୍ଥର ମୂଳ । ମନୁଷ୍ୟ ସଞ୍ଚୟ କରେ ତା’ର ପିଲାପିଲି ସୁଖରେ ରହିବେ ବୋଲି । ଯଦି ଜାଣନ୍ତେ ସମାଜ ତାଙ୍କ ପିଲାପିଲିଙ୍କୁ ଚଳେଇବ ସେ ନିଜେ ରୋଗରେ ପଡ଼ିଲେ ସମାଜ ତାଙ୍କୁ ପୋଷିବ, ତେବେ ଏତେ କଷ୍ଟକରି ଲୋକେ ସଞ୍ଚନ୍ତେ ନାହିଁ । ଲୋକ ବୁଝିଲେଣି ବୁଝୁଛନ୍ତି, ଅତି ଚଞ୍ଚଳ ପରିବର୍ତ୍ତନ ହେଉଛି । କୁମୁଟି ମହାଜନ ସମସ୍ତେ ବୁଝିଲେଣି ଏହାହିଁ ପନ୍ଥା–ଏହି ବାଟେ ସବୁ ଅଭାବ ଅଶାନ୍ତିର ସମାଧାନ ହେବ । ସମସ୍ତେ ଭାଇ ଭାଇ ହୋଇ ସୁଖରେ ରହିବେ ।

 

ଭାବୁଥିଲେ ଜଗନ୍ନାଥ ଭାଇ–ଯଦି ଏ କୃତକାର୍ଯ୍ୟ ନ ହୁଏ ? ଯଦି ଆଜି ଏ ଆନ୍ଦୋଳନର ନେତା କେହି ମରିଯାଏ ? ଯଦି ହଠାତ୍ ଲାଗେ ଯୁଦ୍ଧ କି ଅନ୍ତର୍ବିପ୍ଳବ ? ନା, ସନ୍ଦେହ ପାଇଁ ଅବକାଶ ନାହିଁ । ସଦ୍‌ବିଚାରର ଉଦୟ ଯେପରି ସୂର୍ଯୋଦୟ ପରି । ଏକ ସମୟରେ ଏକଭାବ ସମସ୍ତିଙ୍କ ମନକୁ ପାଉଛି, ସତ୍ୟର ପ୍ରମାଣ ଯେପରିକି ଏହାହିଁ । ଅନ୍ୟ କ୍ଷେତ୍ରରେ ଭିନ୍ନମତ ଧରିଥିବା ଲୋକେ ଏ ପବିତ୍ର କ୍ଷେତ୍ରରେ ହାତରେ ହାତ ମିଶାଉଛନ୍ତି । ମଣିଷ ମରିଯାଏ, ସତ୍ୟ ମରେ ନାହିଁ । ସୂର୍ଯ୍ୟ ଉଦୟ ହେଉଛି । କେହି ଯଦି ମରିଯାଏ ସୂର୍ଯ୍ୟର ଗତି ଅଟକିବ ନାହିଁ–ରଥ ଚାଲିଥିବ ।

 

ଜଙ୍ଗଲ ସେପାଖେ ଦିଶିଲା ବୁଡ଼ୁବେଲି ଗାଁର ସରକାରୀ ଧାନ ଗୋଲା-ସତେ ଅବା ଲୋକଙ୍କ ତାଜମହଲ-ସାହୁକାରର ଚଢ଼ା ସୁଧ ଦାଉକୁ ଯେ ପଙ୍ଗୁ କରିଛି-ଦୂରେଇ ରଖିଛି ମରୁଡ଼ି ଓ ଦୁର୍ଭିକ୍ଷର ଆତଙ୍କକୁ । ଏମିତି ଠାଆକୁଠାଆ । ବଡ଼ ଗାଁ ବୁଡ଼ୁବେଲି, ଯୁଜାହେଙ୍ଗୁର ପୁଅ ଇନ୍ଦୁମାଝି ଏଠି ମାଝି ବା କନ୍ଧ ସର୍ଦ୍ଦାର । ବୁଡ଼ୁବେଲିକୁ ମିଶାଇ ତିରିଶିଖଣ୍ଡି ଗାଁର ସେ ସର୍ଦ୍ଦାର । ପଇଁଚାଳିଶି ବର୍ଷ ବୟସ୍କ ଡେଙ୍ଗା କନ୍ଧ । ଜରରେ ପଡ଼ି ପଡ଼ି ଗାଲ ମୁହଁ ଶୁଖିଯାଇଛି । ଜଗନ୍ନାଥ ଭାଇ ଆସିବା ମାତ୍ରେ କିଲିକାଲିଆ ହୋଇ ସମସ୍ତେ ଦଉଡ଼ି ଆସିଥିଲେ । ଚାରିଆଡ଼େ ସେହି ଏକା ସ୍ୱରରେ ହୁରି, ‘‘ଆଜ୍ଞା ଆଇଚି, ଆଜ୍ଞା ଆଇଚି ।’’

 

ସେ ଶାସକ ନୁହେଁ, ଶ୍ରେଷ୍ଠୀ ନୁହେଁ, ଯାଦୁକର ନୁହେଁ, କେବଳ ଜଣେ ଶୁଭଦିନର ବାର୍ତ୍ତାବହ, ମମତାମୟ ମଣିଷ ଜଣେ, ଯାହାକୁ ଦେଖିଲେ ଖୁସିଲାଗେ, ଯାହାକୁ ଦେଖିଲେ ଭାବିହୁଏ–‘‘ଆମେ ଏକୁଟିଆ ନୋହୁଁ, ଆମେ ବହୁତ । ଆମେ ଏକ ଡୋରିରେ ଛନ୍ଦା, ମଣିଷ । ଆମପାଇଁ ବି ଲୋକ ଭାବୁଛନ୍ତି, ବୁଲୁଛନ୍ତି, ଆମର କେମିତି ଭଲ ହେବ ବୋଲି ଖରାଏ ତରାଏ ଧାଇଁ ଆସୁଛନ୍ତି କାହିଁକା କାହିଁ । ଆଉ ଲାଗେ ସଂସାରରେ ସମସ୍ତେ ସ୍ୱାର୍ଥପର ନୁହନ୍ତି । ଏ ସଂସାରରେ ଭଲ ପଣ ବି ଅଛି । ଆସ, ଦେଖ ତ ଆତ୍ମାକୁ । ବାଘ ଖାଇବ କି ହାତୀ ମାରିବ ସେଥିକି ପରେଇ ନାହିଁ । ରାଜ୍ୟର ରଇତ ଭଲଥିଲେ ତା ମୁହଁରେ ହସ, ରାଜ୍ୟକୁ ଅସାର ପଡ଼ିଥିଲେ ତା ମୁହଁ ଶୁଖିଯାଇଥିବ–ଯେମିତି କି ଦେଶଟାଯାକର ଅବସ୍ଥାର ଛବି ତା ମୁହଁ ଉପରେ ।’’

 

ମାଟି ଧୂଳିର ମଣିଷ ମଣିଷଙ୍କୁ ଚାହିଁ ହସିଥିଲା । ଖଦଡ଼ କାନିରେ ଝାଳ ପୋଛିଥିଲା । ଛୁଆଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ବେଢ଼ି ଯାଇଥିଲେ ।

 

ହେଉ ନମସ୍କାର କରୁଛି–ଇନ୍ଦୁ ମାଝିର ବୁଢ଼ାଦାଦି ଗୋଗେରାଙ୍ଗା ନାତି ପୁଜୁ କନ୍ଧ, ବୟସ ସତୁରି । ସାହେବ ପରି ଗୋରା ଗେଧେକା ବୁଢ଼ା ବଡ଼ ମୁହଁ, ଓସାର କପାଳ, ଲମ୍ବା ଲମ୍ବା ନିଶ ଦାଢ଼ି । ମୁଣ୍ଡବାଳ ଧଳା ହେଲା ପରେ ଧୂଆଁପତ୍ର ଧୂଆଁ ଓ ବୟସ ଉଭୟ ତାଉରେ ସୁନା ବର୍ଣ୍ଣର ହୋଇଯାଉଛି । ସେହି ତାର ପୁରୁଣା ଫେରାଦି, ଯାହାକୁ ଦେଖେ ତାକୁ କହେ, କହେ କୋଡ଼ିଏ ବର୍ଷ ତଳେ ସୁନାଶଗଡ଼ ଗଙ୍ଗାଧର ଶୁଣ୍ଢି ସାହୁକାର ଶୁଣ୍ଢିଠାରୁ ସେ ପୁଟିଏ ଅର୍ଥାତ୍ ଦେଢ଼ମହଣ ମାଣ୍ଡିଆ କରଜ ନେଇ ତାକୁ ଜମି ବନ୍ଧା ଦେଇଥିଲା । ଜମିରେ ପାଚେ ପନ୍ଦର ପୁଟି ଧାନ । ବର୍ଷ ପରେ ବର୍ଷ ବିତିଯାଏ, ଶୁଣ୍ଢି ଫସଲ କାନିଟିଏ, ପୁଟିଏ ଧାନର କରଜ ଆଉ ଶୁଝେ ନାହିଁ । ତାପରେ ନାତି ପୁଜୁ ତା ସଙ୍ଗେ କଥା କଲା ଅଳ୍ପ ଦରମା ନେଇ ତାର ହଳିଆ ରହିବ, ଜମିର ଫସଲ ଓ ତା’ର ବର୍ଷକର ପରିଶ୍ରମ ସବୁ ମିଶି କରଜ ଶୁଝିଯିବ । ବର୍ଷକୁ ଦରମା ୯ ପୁଟି ମାଣ୍ଡିଆ, ତାହା ମଧ୍ୟ ଅତି ସାନ ଅଡ଼ାରେ, ଯେପରି ୪ ପୁଟିଟା ମିଳିବ ୩ ପୁଟି । ଶୁଣ୍ଢି ପାଖେ ନଅବର୍ଷ କାମ କଲା, ଶୁଣ୍ଢି ଜମି ଖାଇଲା ୭୦ ବର୍ଷ । ଶୁଣ୍ଢି ମଲାଣି, ତାର ପୁଅ ଅଛି, ଜମିର ବନ୍ଧା ମୁକୁଳି ନାହିଁ ।

 

ସେହିପରି ଇନ୍ଦୁ ମାଝିର ଫେରାଦ–ପୁଟିଏ ମାଣ୍ଡିଆ ଉଧାର ଦେଇ ଶୁଣ୍ଢି ଖାଉଛି ୧୧ପୁଟିର ଦୁଇଟା ଜମି ।

 

କୁରୁଷ କନ୍ଧ ତାର ଜଣାଣ କହିଲା । କହିଲା, ତା ବାପା ଗାଣ୍ଡେଶା କନ୍ଧ ଶୁଣ୍ଢିଠୁ ଉଧାର ନେଇଥିଲା ଦଶମାଣ ମାଣ୍ଡିଆ । ସୁଝି ନ ପାରି ୨୦ ବର୍ଷ ତଳେ ଛଅପୁଟିର ଜମି ବନ୍ଧା ଦେଲା । ୧୦ମାଣର ଋଣ ତଥାପି ଶୁଝିଲା ନାହିଁ । ତେଣୁ କୁରୁଷ ବେତନ ନ ନେଇ କେବଳ ଖୋରାକି ଖାଇ ଶୁଣ୍ଢି ପାଖରେ ହଳିଆ ରହିଲା ୭ ବର୍ଷ । ତଥାପି ସେ ବନ୍ଧା ମୁକୁଳିଲା ନାହିଁ । ଏମିତି କେତେଲୋକଙ୍କର କେତେ ଫେରାଦ । ‘ସୁନାଶଗଡ଼’ ସେ ଶୁଣ୍ଢିର ବଂଶପଦବି । ଏମିତି ହୁଏତ ସେ କାଳରେ ସେ ତାର ଶଗଡ଼ ଭର୍ତ୍ତି କରିଲା । ସେ ଶୁଣ୍ଢି ମଲାଣି, ତା ପୁଅ ସେ ଜମିକୁ ଛାଡ଼ିବାକୁ ରାଜି ହେଉ ନ ଥିଲା, କିନ୍ତୁ ବର୍ତ୍ତମାନ ସେ ତା’ର ସବୁ ଜମିକୁ ବଣ୍ଟନ ପାଇଁ ଗାଁ କୋଠରେ ମିଶାଇ ଦେଲେ ସମସ୍ୟା ତୁଟିଯିବ । ଚାଲିଛି ବି ଉଦ୍ୟମ ସେହି ଦିଗରେ । ସବୁ କୋଠ ହୋଇଯିବ, ତେଣିକି ଆବଶ୍ୟକ ଅନୁସାରେ ଭାଗ କରି ବଣ୍ଟନ । ବୁଡ଼ୁବେଲି ଏକ ଶିକ୍ଷିତ ଗାଁ, ସେଠି ଇସ୍କୁଲ ଅଛି, ସେଠି ଝିଅମାନେ ଚିତା କୁଟାନ୍ତି ନାହିଁ, ସେଠି ପୁରୁଷମାନେ ଲୁଗା ପିନ୍ଧି ପଦାକୁ ବାହାରନ୍ତି ।

 

କନ୍ଧ ଝିଅମାନେ ଏକାଠି ହୋଇ ଗୀତ ଗାଇବାକୁ ଆରମ୍ଭ କଲେ । ବଡ଼ ହୃଦୟସ୍ପର୍ଶୀ ତାର ସ୍ୱର ଓ ଭାବ–

 

ସୁଖ ଶରଧାରେ ମିଳିମିଶି ଚଳିବା ସ୍ନେହହିଁ ଅସଲ, ଧନରେ କ’ଣ ଅଛି ? ଟଙ୍କା ତ ମଦ ବିକିଲେ ବି ମିଳେ !

 

Unknown

 

ଆରେ ନାନା ।

ନାରେ ନାନା ।

ଯେମୁତେଡ଼େ ।

ତିନା ନାନା ।।

ଆରେ ନାନା ।

ତାରେ ନାନା ।

ଯେମୁସାରେ ।

ଗେନାନାନା ।।

ଯେମୁସାରେ ।

ଲିଙ୍ଗାନା ।

ଯେମୁ ଯୋଡ଼େ ।

ଲିଙ୍ଗେନା ।।

ମାନି ଆନା ।

ହାର୍ଦ୍ଦାନା ।

ଇମ୍ବାଟିଏ ।

ହାର୍ଦ୍ଦାନା ।।

ତେଡ଼େ ଓ୍ୱେସି ।

ଆନାମୁ ।

ତୋଡ଼େ ଗ୍ରାପି ।

ଆୟମୁ ।

ସିରା ଦାଦା ।

ହାର୍ଦ୍ଦାନା ।

ସିରାକୋକା ।

ହାର୍ଦ୍ଦାନା ।।

 

ଯେମୁନାଡ଼େ ସାରେତି ।

ତିନାନାନା ଯେଡ଼ିତି ।।

ଇର୍ପିମାରା ଟାକାଙ୍ଗା ।

ମାଦାମାରା ଟାକାଙ୍ଗା ।।

ତିନା ନାନା ସାରେତି ।

ତିନାନାନା ଯେଡ଼ିତି ।।

ତୋଡ଼େ ଡୋଚେ ହାନା ।

ତୋଡ଼େ ଇତି ହାନାମୁ ।।

ସରୁ ସୂତା ହୁଚାନେ ।

ସଗୁର୍ ସୂତା ହୁଚାନେ ।।

ବାଟା ଗୁର୍ଲି କୁଚାତେ ।

ବାଟା ତିଲି କୁଚାତେ ।।

ତିବା ମାରେ କୋଗାଞ୍ଜା ।

କୁଲୁଡ୍‌ମରେ କୋଗାଞ୍ଜା ।।

 

ସର୍ବସ୍ୱ ଦାନ ହୋଇଛି ସତ, ତାହା ଫଳରେ ନୂଆ କରି କରିବା ପାଇଁ କାର୍ଯ୍ୟ ବଢ଼ି ଚାଲିଛି । ଅରମା ସଫା ହେବ ସବୁଦିନିଆ ।

 

ସେହି ପ୍ରାର୍ଥନାର ଢେଉ ଖେଳୁଥାଏ ଦୂର ମୁର୍ତ୍ତୁଲି ଆଶ୍ରମରେ, ମୁର୍ତ୍ତୁଲି ଆଉ ମୁଚୁଲିଗୁଡ଼ା-। କାହିଁ କେତେ ପର୍ବତ କେତେ ଖାଲ କେତେ ନାଳ, କୋଡ଼ିଏକୋଶ ବାଟ । ପ୍ରକାଣ୍ଡ ପୁର୍ଟିଗୁଡ଼ା ପର୍ବତ ପାଖେ ଢିପ ଉପରେ ମୁର୍ତ୍ତୁଲି, ବିଷମକଟକରୁ ସାତକୋଶ ବାଟ । ବିଷମକଟକରୁ ଗୁଣୁପୁର ଯେଉଁ ସଡ଼କ ଯାଇଛି ସଡ଼କଠୁ ମୁର୍ତ୍ତୁଲି ମଝିରେ ଅଛି ବରଡ଼ାଗୁଡ଼ା ଗାଁର ଏଠିବି ଜଣେ ଅପା, କାହିଁ ଦୂର ପୁରୀ ଜିଲ୍ଲାର ବୋହୂ ଅପା ଏକୁଟିଆ ଆସି ଦିବର୍ଷ କାମ କଲା ପରେ ଅପାଙ୍କ ସ୍ୱାମୀ ମଧ୍ୟ ଚାକିରି ଛାଡ଼ିଦେଇ ସେବା କାର୍ଯ୍ୟର ଢେଉରେ ଭାସି ଆସିଛନ୍ତି ଏଇ ବଣ ମାଳ ଭିତରକୁ । ବିଷମକଟକ ମାଳର ଅଭ୍ୟନ୍ତର । ବାଘ ଚାରିଆଡ଼େ । ମାଟି କାନ୍ଥରେ ନାନାଜାତି ଲତା ଫୁଲ କରି ଅପା ଚିତା କାଟିଛନ୍ତି-ସତେ ଅବା ଏକ ପ୍ରଦର୍ଶନୀ । ଦୁଆର ମୁହଁ ଦିକରେ ଚିତାରେ କଦଳୀଗଛ ଦୁଇଟି, ପୂର୍ଣ୍ଣକୁମ୍ଭ ଉପରେ ନଡ଼ିଆ । ସେହି ନଡ଼ିଆକୁ ଦେଖିଲେ ଆଖି ଆଗେ ଆଗେ ଭାସିଯାଏ ଦୂର ଗାଁର ଛବି, ସେଠି ନଡ଼ିଆ ଗଛ ମାଳ ମାଳ, ମଝିରେ ବଡ଼ ପୋଖରୀ । ଆଉ ଏଠି ନଡ଼ିଆ ଗଛ ପରିବର୍ତ୍ତେ ଶାଳ ଗଛ । ପୋଖରୀ ପରିବର୍ତ୍ତେ ପାହାଡ଼ ପର୍ବତ । ଆଉ ଦୁଆର ବନ୍ଧ ଉପରେ ଫୁଲମାଳ ପକାଇ ମହାତ୍ମା ଗାନ୍ଧି ଫଟୋ । ମହାତ୍ମା ହସୁଛନ୍ତି । ଓସାର ପିଣ୍ଡାରେ ସାମ୍ନା ଅଗଣାରେ ଲୋକ ଭର୍ତ୍ତି । ଏକା ମୁର୍ତ୍ତୂଲିର ବୋଲି ନୁହେଁ, ଆଖପାଖ କେତେ ଗାଁର । ଅପା ସମସ୍ତିଙ୍କ ଦୁଃଖ ଗୁହାରି ଶୁଣେ, ପ୍ରତିକାରର ଉପାୟ ପାଞ୍ଚେ, ବୁଦ୍ଧି ଦିଏ, ଅତ୍ୟାଚାରୀଙ୍କୁ ଜବାବ ଦିଏ, ଆଖ ପାଖ ଗାଁ ବୁଲେ, ଲୋକଙ୍କୁ ବୁଝାଏ-ଭୁମିହୀନ ପାଇଁ ଭୂମି ଦିଅ । ସବୁ ଜମି କୋଠ କରିଦିଅ । ଆବଶ୍ୟକ ଦେଖି ସମସ୍ତିଙ୍କୁ ବାଣ୍ଟି ଦିଆଯିବ । ଲୋଭ ଛାଡ଼, ସ୍ୱାର୍ଥ ଛାଡ଼, ମଦ ଛାଡ଼, ଗୋରୁହଣା ଛାଡ଼, କଳିଗୋଳ କର ନାହିଁ । ସମସ୍ତିଙ୍କୁ ଭାବ ନିଜ ଭାଇ । ଅପା ନିଶାଖୋରର ନିଶା ଛଡ଼ାଏ, ଦୁର୍ବଳର ଭୟ ଛଡ଼ାଏ, ଲୋଭୀର ଲୋଭ ଛଡ଼ାଏ, ବଣ୍ଟନ ପାଇଁ ଭୂମି ସଂଗ୍ରହ କରେ । ଅପା ଔଷଧ ଦିଏ । ବହୁତ ବହି ବହୁତ ଔଷଧ ତାଠି । ପ୍ରାଥମିକ ଚିକିତ୍ସା ଓ ପ୍ରସୂତି କାମରେ ଅପା ତାଲିମ ହୋଇଛି । ସେ କନ୍ଧ ପିଲାଙ୍କୁ ପାଠ ପଢ଼ାଏ, ଗୀତ ବୋଲି ଶିଖାଏ, କନ୍ଧ ଝିଅଙ୍କୁ ଘରକରଣା ଶିଖାଏ । ସମସ୍ତିଙ୍କୁ ଶିଖାଏ ସଫାସୁତୁରା ହୋଇ କେମିତି ଚଳିବାକୁ ହେବ । ଅପାର ସନ୍ତାନ ନାହିଁ । କନ୍ଧ ପିଲାଏ ସତେ କି ତାର ସନ୍ତାନ । ଅପା ଘରକଥା ଭାବେ ନାହିଁ, ଏଇ ଅମୁହାଁ ମାଳ ଯେପରି କି ମୂଳରୁ ତାର ଘର । ଅପାର ଶିକ୍ଷାରେ ଶୋଷରେ କଳ ଅସଜ ହୋଇପଡ଼େ । ତେଣୁ ପରାକ୍ରମୀ ଧନୀ ଲୋକେ ତାର ଶତ୍ରୁତା କରନ୍ତି । ଆଗେ ପ୍ରାର୍ଥନା ସମୟରେ ପଡ଼ିଶାଘରେ ଗୋଳମାଳ ହେଉଥିଲା । ବେଳେବେଳେ ଗାଳି ଉଠେ, ଅପା ବିରୁଦ୍ଧରେ ଚକ୍ର ତିଆରି ହୁଏ । ସେ ଡରେନାହିଁ କି ଭାବେ ନାହିଁ । ଥରକୁଥର ଜର ଆସେ, ବିଛଣା ଲାଗି କରିଦିଏ । ସେ ପୁଣି ଉଠି କାର୍ଯ୍ୟରେ ଲାଗେ-। ଦୁର୍ବଳ ଦେହରେ ତାର ଶିକ୍ଷିତ କଥା ଶୁଣିବାକୁ ଭଲ ଲାଗେ । ଏଠି ବି ଅପା ନୂଆ ଯୁଗର ନୂଆ ଉତ୍ସାହର କେନ୍ଦ୍ର । ଲୋକେ ପଚାରିବାକୁ ଆସନ୍ତି, ଶୁଣିବାକୁ ଆସନ୍ତି, ଶୁଣ୍ଢି ବସିଛି, ପୁଣି ବସିଛି କନ୍ଧ, ବ୍ରାହ୍ମଣ, ଡମ୍ବ, ସାହୁକାର ଭାଇ ବସିଛି, ବସିଛି କନ୍ଧ ଭାଇ ଯାହା ଜମି ସେ ନେଇଛି । ବସିଛି ଜଟିଆମାମୁଁ ଡେଙ୍ଗା ଦରବୁଢ଼ା କନ୍ଧ, ମୁଣ୍ଡଯାକ ବଳିଲା ଦଉଡ଼ି ପରି ଜଟ । ସେ ସମସ୍ତିଙ୍କର ମାମୁଁ । ଆଖି ବୁଜିଦେଇ ସେ ପ୍ରାର୍ଥନାର ତାଳେ ତାଳେ ଢଳୁଛି । ସେ ବିଶ୍ୱାସ କରେ ତା ସଙ୍ଗେ ଦେବତାମାନେ ଆସି କଥାଭାଷା ହୁଅନ୍ତି । ଆଉ ସେ ବରଅଠାରେ ଜଟ ପାକଳ କରେ । ଦର୍ଶନ ଶାସ୍ତ୍ରର ଗୂଢ଼ତତ୍ତ୍ୱ ବଖାଣିଲା ପରି କଥା କହେ ବଙ୍କେଇ ବୁଲେଇ । ଆପଣା ପ୍ରୟୋଜନରେ ଆପଣା ବିଲ ପାଖ ବଣକୁ ହାଣି ସାରି ଧରପଗଡ଼ ଲାଗିଲାବେଳେ ସେ କହିଥିଲା, ଅପାର ଉତ୍ସାହରେ ବଣ ହାଣିଲା ବୋଲି । ପରେ କହିଲା, ‘‘ପାଟି ଲେଉଟି ଗଲା, ବଣା ହୋଇ କହିଦେଲି-।’ ଆପଣାର ଯେଉଁ କଥା କହି ସୁବିଧା ହେବବୋଲି ଭାବନ୍ତି ଅନେକେ ପ୍ରକୃତରେ ସେପରି ବଣା ହୋଇ ପର ନାଁ ଧରନ୍ତି । ଅପା ଛଳ କରିନାହାନ୍ତି । ବସିଛି କାଳିଆ ଭାଇ, ବାଘପରି ଗୋଜିଆ ଗୋଜିଆ ନିଶ, ଚାଳିଶି ବର୍ଷର ଭେଣ୍ଡିଆ । ଦେହରେ ପ୍ରଚୁର ବଳ । ସେ ଭୂମିହୀନ ଲୋକଙ୍କ ପାଇଁ ଭୂମି ଦାନ ଦେଇଛି । ଭୂମି ଦେଇଛି ସର୍ବସାଧାରଣଙ୍କ ଉପକାର କାର୍ଯ୍ୟରେ । ତାର ଜୀବନଟାହିଁ ଯେପରି ସଙ୍ଗଠନ କାମ ପାଇଁ ଦାନ । ଭୟ ନାହିଁ, କ୍ଳାନ୍ତି ନାହିଁ । ଏକୁଟିଆ ଚାଲି ଚାଲି ବୁଲେ ଗାଁକୁ ଗାଁ । କପାଳ ମଝିରେ ଆପଣା ଘର କଣରେ ଥିବା ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ ସିନ୍ଦୂରରେ ସରୁ ଚିତା, ଡାହାଣ ବାହାରେ ଡଉଁରିଆ, ଆଉ ତାର ଅସୁମାରି ଦେହ-ବଳ ଯହିଁରେ ତା ଉପରେ କୂଅ ଭୁଷୁଡ଼ି ହୋଇପଡ଼ିଲା ସେ କୂଅ କାମ କରୁଥିଲାବେଳେ ଯେ, ସେ ମଲାନାହିଁ । ସମବୟସୀ ବିଷମକଟକ ଗଡ଼ର ଏକ ହାକିମଙ୍କୁ ସେ ଶୂନ୍ୟେ ଶୂନ୍ୟେ ଟେକିନେଇ ପାରିହୋଇ ଆରପାଖେ ଥୋଇଦେଲା–ସତେ କି କାଠଟାଏ ଫୋପାଡ଼ି ଦେଇ ଆସିଛି । ସେ ଘରେ ଖାଏ, ଘରେ ଶୁଏ, ଗାଁରେ ଥିଲାବେଳେ, ନ ହେଲେ ସବୁବେଳେ ପଦାରେ ବୁଲୁଥାଏ । ଆଦିବାସୀଙ୍କ ଦୁଃଖ ଯେପରି କି ତା’ର ନିଜର ବ୍ୟକ୍ତିଗତ ଦୁଃଖ । ଆଦିବାସୀ ସମସ୍ୟା ଯେପରି କି ତା’ର ଏଇ ବରଡ଼ାଗୁଡ଼ା ଗାଁଟା ପର ହାତକୁ ଯିବା ପରି, ଏକଦା ତା’ର ପିତୃପୁରୁଷଙ୍କର ଥିଲା ସେ ଗାଁ, ଆଉ ସେ ପୋଖରୀ ଜମି ଭିତରେ ବର୍ତ୍ତମାନ ସେ ସବୁ ଜମି ଭାତଥାଳି, ସେଠି ପ୍ରକାଣ୍ଡ କଦଳୀ ତୋଟା ତାର ମନରୁ ଯାଉନାହିଁ ।

 

‘‘ଧ୍ୟାନ କରନ୍ତେ ବିଷୟ ଆସକ୍ତି ହୁଅଇ ଜାତ

ଆସକ୍ତିରୁ ଭୋଗସ୍ପୃହା ତହିଁରୁ କ୍ରୋଧ ସମ୍ଭୂତ

।।

 

 

କ୍ରୋଧରୁ ସମ୍ମୋହ ତହୁଁ ଜନ୍ମଇ ସ୍ମୃତି ବିଭ୍ରମ

ସ୍ମୃତିନାଶୁ ବୁଦ୍ଧି ନାଶ ବୁଦ୍ଧି ନାଶରୁ ମରଣ

।।

 

‘‘ଅବଶ୍ୟ ମରଣ, କାଳିଆ ଭାଇ କହିଲା, ସେଇଟା ଫିଟିବ ନାଇଁ । ଯେ ଦିନରାତି କରୁଛି ସେ ବୁଝୁଥିବ ଆମର ଦୁଃଖ, ଆମେ କଣ ଖାଉଚୁ, ଭାତ ନା ପଥର । ଆମେ କଣ କାନ୍ଦୁଚୁ, ଲୁହ ନା ଲହୁ । ଯା କିଛି ହଉ, ଯା କିଛି ହେଲେ ମଧ୍ୟ ଧର୍ମର ଦଣ୍ଡ ଫିଟିବ ନାଇଁ । କୋର୍ଟ କଚେରିର ଦଣ୍ଡ ସିନା ଫିଟି ଯାଇପାରିବ, କର୍ମଫଳ ଅବଶ୍ୟ ଭୁଞ୍ଜିବ, ଫିଟିବ ନାଇଁ ।’’

 

ସେ କହେ ଏପରି । ଆଉ ଏ ପ୍ରାର୍ଥନା ଯେପରି କି ତା ମୁଣ୍ଡ ଭିତରେ ବରଫ ଲଦି ଦେଉଛି, କହୁଛି ଏ ମିଛ, ତୁ ବାଇ ବାଇ ହ’ନା, କହୁଛି ତୁ ଶାନ୍ତ’ହ ।

 

ବରଜି କାମନାରାଜି ନିସ୍ପୃହରେ ସବୁ କରଇ

ନିର୍ମମ ନିରହଙ୍କାର ସେହିଟି ଶାନ୍ତି ଲଭଇ

।।

 

ଇଚ୍ଛାହୁଏ ବାଘ ପରି ଦେ ରଡ଼ି, ଉଠୁ ତାର ପ୍ରତିଧ୍ୱନି ପର୍ବତରୁ ପର୍ବତ । ଅପା କହେ, ଶାନ୍ତ ହ । ପ୍ରବଳ ଉଚ୍ଛ୍ୱାସ ଉପରେ ଢାଙ୍କୁଣି ପଡ଼େ, ପ୍ରବଳର ସଂସ୍କୃତିର । ହୃଦୟର ଆକୁଳ ଉଚ୍ଛ୍ୱାସ ଯେପରି କି ପାଣିଫାଟିଯାଏ । ପ୍ରାର୍ଥନାର ସାମ୍ୟ ସଙ୍ଗୀତ ତତଲା ମନ ଭିତରେ କଅଁଳ ଶୀତଳ ସ୍ପର୍ଶ ବୁଲାଇ ଦେଉ ଦେଉ ଆଗ ଆଖିରୁ ଲୁହ ଝରିପଡ଼େ । ଯେପରି କି କାଳିଆ ଭାଇ ତାର ଆସକ୍ତି ମାତ୍ରେହିଁ ଛାଡ଼ି ଦେଉଛି ମନର ଆଣ୍ଟ, ଏତେ ବର୍ଷର ଆଶା ସବୁ, ଆଉ ମନେ ମନେ ମୁଣ୍ଡ ନୁଆଇଁ ଦେଉଛି ତାର ଅଦେଖା ସ୍ରଷ୍ଟାର ଗୋଡ଼ତଳେ-ଏଥର ଛେଳିର ମେଁ ମେଁ ହୋଇ ମୁଁ କାର ନୁହେଁ । ଛେଳି ଅନ୍ତ ଭିଣାର ତୁଳାଭିଣା ଶବ୍ଦ, ‘‘ତୁ ହିଁ ତୁ-ତୁ ହିଁ ତୁ’’ ମୁଁ ନୁହେଁ ତୁ, ଯାହା ତୁ କର ।

 

ସେହି ଘନ ଅନ୍ଧାର ଭିତରେ ପିଣ୍ଡା ଉପରେ ଆଲୁଅ ଜଳୁଥାଏ, ଚାଲିଥାଏ ସମବେତ ପ୍ରାର୍ଥନା । ଆଶ୍ରମ ପ୍ରାର୍ଥନା ଭାଷାରେ ସରଳ ଓଡ଼ିଆରେ ଉପନିଷଦର ବାଣୀ ।

 

ତୁ ଅଗ୍ନି ବାଟ ଯେ କଢ଼ାଉ

ତୁ ପ୍ରଭୁ ସୁଗତି ଯେ ଦେଉ

।।

ଆନନ୍ଦ ଧାମେ ଯେ ସୁପଥ

ଦେଖାଅ ଆମ୍ଭଙ୍କୁ ହେ ନାଥ

।।

ଯେ ଛନ୍ଦେ ବୁଣା ଏ ଜଗତ

ସେ ସର୍ବ ତୋହର ବିଦିତ

।।

ଯେ ପାପ ବକ୍ର ଗତି କରେ

ଆମଠୁଁ ଦୂରେ ରଖ ତାରେ

।।

ନମିଣ ଚରଣେ ତୋହର

ବିନତି କରୁ ବାରମ୍ବାର

।।

 

ମଣ୍ଡଳିରେ ବସିଛନ୍ତି ଅପାଙ୍କର ସ୍ୱାମୀ, ପୋଷା କାଳିଆ ଭୁଆଟି ପାଖରେ ବସିଛି, ହୃଷ୍ଟପୁଷ୍ଟ ହୋଇ ତ୍ରିପଣ୍ଡ କଳା ଭୁଆଟିଏ, କେଉଁଠୁ ଚାଲିଆସି ଆଶ୍ରମର ବାସିନ୍ଦା ହୋଇଛି । ଖାଉଛି ଖଡ଼ା ଚୋପା, ପାଚିଲା ଅମୃତଭଣ୍ଡା, କଞ୍ଚା କଦଳୀ ଓ ଶାଗ । ଏ ଯେପରି କି ଆଶ୍ରମର ଯୋଗ ବିଭୂତି, ସେ ଭାବନ୍ତି । ପ୍ରାର୍ଥନା-ଧର୍ମ-ମନେପଡ଼ିଯା । ସେ ବି କିଛି ବର୍ଷ ଦୀକ୍ଷା ନେଇ ବାବାଜି ହୋଇ ବୁଲିଥିଲେ, ଶେଷରେ ଆବିଷ୍କାର କଲେ ଧର୍ମ ନୁହେଁ ୟେ ଧର୍ମ ନାମରେ ଇନ୍ଦ୍ରଜାଲ ଶିକ୍ଷା, ନାନା ଉପାୟ କରିବା କେବଳ କିଛି ଐନ୍ଦ୍ରଜାଲିକ ଶକ୍ତି ହାସଲ କରିବା ପାଇଁ । ଗାଁକୁ ଫେରିଆସିଲେ, ଭେକ ଓହ୍ଳାଇ ପକାଇ ପୋଡ଼ିଦେଲେ, ନିଶଦାଢ଼ି କାଟି ପକାଇଲେ, ସେତେବେଳେ ବି କରୁଥିଲେ ପ୍ରାର୍ଥନା, ମଣିଷଠୁଁ ଦୂରରେ ରହି ରହି । ଆଜିର ଏ ପ୍ରାର୍ଥନା ମଣିଷ ମେଳର, ଏ ଯେପରି କି ମେଳକ, ହୃଦୟକୁ ହୃଦୟରେ ଛନ୍ଦେ । କଳାଭୁଆଟି ରୂପକରେ ସତେକି ମଣିଷ ପାଲଟିଥିଲା, ତା ଉପରେ ଗୋଟିଏ ହାତ ଥୋଇ ସେ ଶୁଣୁଥିଲେ ପାଖର ଦୂରର ମଣିଷ ହୃଦୟର ଏହି ପ୍ରାର୍ଥନା ମଧ୍ୟରେହିଁ ଐକ୍ୟ ସଙ୍ଗୀତ । ଯେପରିକି ଏ ପ୍ରାର୍ଥନା ଦୂରଦୂରାନ୍ତର ସବୁ ସମାନଧର୍ମୀଙ୍କି ଏକାଠି କରୁଛି–ଯେଉଁମାନେ ଭାବନ୍ତି ସବୁ ମଣିଷ ଭାଇ ଭାଇ, ଭାବନ୍ତି ଜନ୍ମ ହେବାମାତ୍ରେ ମଣିଷ ପାଏ ଏକ ଅଧିକାର ଯେ ସେ ଖାଇପିଇ ବଞ୍ଚିବ । ମଣିଷ ଉପରେ ଲଦାହୁଏ ଏକ ଦାୟିତ୍ୱ, ଯେ ସେ ତାର ଶକ୍ତି ଅନୁସାରେ କାମ କରୁଥିବ ମରିବାଯାକେ । ଯେଉଁମାନେ ଭାବନ୍ତି ସତ୍ୟଅହିଂସା ଉପରେ ପ୍ରତିଷ୍ଠିତ ଏକ ଶୋଷଣହୀନ ସମାଜ ଗଢ଼ାଯିବା ଉଚିତ, ଯେଉଁଠି ବିକାଶ ପାଇଁ ସମସ୍ତେ ସୁବିଧା ପାଇପାରିବେ, ଯେଉଁଠି ଯୁଦ୍ଧ ନ ଥିବ, ଦ୍ୱେଷ ନ ଥିବ । ପ୍ରାର୍ଥନା ଚାଲିଥିଲା ମିଶି ଏକ ପୂର୍ଣ୍ଣତାର ଐକ୍ୟତ ନ ସଙ୍ଗୀତ ।

 

ବଡ଼ିଅନ୍ଧାରୁ ଉଠି ଆଗ ପ୍ରାର୍ଥନା, ନିଦ ଭାଙ୍ଗିଲେ ପ୍ରାର୍ଥନା, ନିଦ ଯିବା ଆଗରୁ ପ୍ରାର୍ଥନା । ଜଗନ୍ନାଥଭାଇ ଆବୃତ୍ତି କଲେ ଇଶୋପନିଷଦ୍‌ର ଓଡ଼ିଆ ଅନୁବାଦ ।

 

ପୂର୍ଣ୍ଣ ଏ ପୂର୍ଣ୍ଣ ତାହା ପୂର୍ଣ୍ଣ

ପୂର୍ଣ୍ଣରୁ ପୂର୍ଣ୍ଣ ଯେ ଉତ୍ପନ୍ନ

।।

ପୂର୍ଣ୍ଣରୁ ପୂର୍ଣ୍ଣ ନେଲେ କାଢ଼ି

ପୂର୍ଣ୍ଣ ହିଁ ରହେ ଶେଷେପଡ଼ି

।।

ହେଲେଟି ପୂର୍ଣ୍ଣ ଦରଶନ

ନ ରହେ ଅଶାନ୍ତି କାରଣ

।।

ଈଶ୍ୱର ବାସଟି ସବୁରେ

ଜଗତେ ଜୀବନ ଯହିଁରେ

।।

ଭୋଗ ତୁ ତ୍ୟଜ ନାମେ ତାର

ନ ଲୋଭ ଧନଟି କାହାର

।।

 

ସର୍ବତ୍ର ସବୁ ପୂର୍ଣ୍ଣ, ତାଙ୍କର ଜୀବନ ବି ପୂର୍ଣ୍ଣ । ଘର କେଉଁଠି, ବାପ ମା’ ଭାଇ ଭଉଣୀ କିଏ କେଉଁଠି, ତା ସହିତ ସମ୍ବନ୍ଧ ନାହିଁ । ବିଭା ହେଲେ ନାହିଁ, ସେ ଚିନ୍ତା ମନରେ ବି କେବେ ଆସୁନାହିଁ । ସବୁଠି ଘର, ସମସ୍ତେ ବନ୍ଧୁ, ସମସ୍ତିଙ୍କି ଦେଖିଲେ ଆନନ୍ଦ, କେହି ଅଚିହ୍ନା ନୁହନ୍ତି । ବଂଶଧାରା ଉପତ୍ୟକାରେ ସଓରା ଭାଷୀ ଲୋକ । ମୁଚୁଲିଗୁଡ଼ାରେ କୋଟିଆ କନ୍ଧ, ନିୟମଗିରିରେ ଡଙ୍ଗ୍ରିଆ କନ୍ଧ, ସହରର ଓଡ଼ିଆ କି ତେଲଙ୍ଗା ସମସ୍ତିଙ୍କଠିଁ ସ୍ନେହ, ସମସ୍ତିଙ୍କ ସୁଖରେ ସୁଖ, ଦୁଃଖରେ ଦୁଃଖ, ସବୁ କ୍ଷେତ୍ରରେ ସମସ୍ତିଙ୍କ ଉପକାର କରିବାକୁ ପ୍ରବୃତ୍ତ । ସେ ଭୋକୀ ଲୋକର ଭୋକ ସମସ୍ୟା ନିରାକରଣ କରିବା ହେଉ କି କାହା କୁକୁର ଦେହରୁ ଟିଙ୍କ କାଢ଼ି ଫୋପାଡ଼ି ଦେବା ହେଉ । ସାଧନା ପଥରେ ଗୁରୁ ପରି ଆଗେ ଆଗେ କର୍ମୀମାନଙ୍କ ‘ବାପା’ । ତାଙ୍କରି ଅନୁସରଣରେ ସେହି ପର୍ଯ୍ୟାୟରେ କର୍ମୀମାନେ । ସେମାନଙ୍କ ପାଇଁ ସବୁଠି ସବୁ ପୂର୍ଣ୍ଣ । ସେମାନଙ୍କ ଅଭିପ୍ରାୟ ଜୀବନକୁ କରିବା ଏକ ପ୍ରାର୍ଥନା ସଙ୍ଗୀତ । ଏ ଦୀକ୍ଷାରେ ଆଦର୍ଶ ଆଖିଦରଶା ହେଲାପରି ପାହାଡ଼ ତାଡ଼ନ୍ତି ନାହିଁ, କେବଳ ସମସ୍ତିଙ୍କୁ ଆପଣା ଆପଣା ବିଶିଷ୍ଟତା ଅନୁସାରେ ବିକାଶ ପାଇବାକୁ ଉଦ୍‌ବୁଦ୍ଧ କରନ୍ତି, ଆପଣାକୁ ଓ ଜୀବନକୁ ଚିହ୍ନିବାକୁ ସାହାଯ୍ୟ କରନ୍ତି ।

 

ଅତି ଅନ୍ଧାରୁଆରୁ ଉଠିବାକୁ ହୁଏ, ଆପଣା କାମ ଛିଣ୍ଡାଇ ପ୍ରାର୍ଥନା, ଶୀର୍ଷାସନ, କିଛି ସଦ୍‌ଗ୍ରନ୍ଥ ଅଧ୍ୟୟନ । ପବିତ୍ର ମନରେ ସକାଳର କାର୍ଯ୍ୟ ଆରମ୍ଭ କରାଯାଏ । ଅନ୍ଧାରୁ ଅନ୍ଧାରୁ ଚୁଲି ଲଗାଇ ଖେଚେଡ଼ି ରନ୍ଧାହୁଏ, ଚାଉଳ, ଡାଲି, ପନିପରିବା–ସବୁ ଏକାଠି ନ ହେଲେ ବି ଚିନ୍ତା ନାହିଁ । କେଉଁ ଲୋକ ଦୈନିକ କେତେ କମ୍ ପଇସାରେ ଖାଇ ବଞ୍ଚିପାରେ ତାର ହିସାବ ରଖେ । ଖେଚେଡ଼ିଭାତରେ ଜଣକୁ ତିନିପଇସାର ଖାଦ୍ୟ । ଏ ଯୁଗରେ ଯେତେବେଳେ ପଶ୍ଚିମ ଦେଶର ସାହେବୀ ଅର୍ଥଶାସ୍ତ୍ର କହେ ଆବଶ୍ୟକ ବଢ଼ାଇବାଟା ହିଁ ସଭ୍ୟତାର ମାପକାଠି, ଯେତେବେଳେ କେଉଁ ଦେଶରେ ଲୋକେ କେତେ ଅଧିକ ଖର୍ଚ୍ଚ କରନ୍ତି ସେହି ହେଲା ତାଙ୍କ ସଭ୍ୟତାର ତଉଲ, ସେତେବେଳେ ଭାରତୀୟ କର୍ମୀ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରେ କିଏ କେତେ ଅଳ୍ପ ପଇସାରେ ଚଳିପାରୁଛି, କେତେ ସରଳ ନିରାଡ଼ମ୍ବର ହୋଇ ଚଳିପାରୁଛି–ସେହିଆ ଘେନି ।

 

ସୂର୍ଯ୍ୟ ଉଦୟ ହୋଇ ନ ଥାଏ । ଜଗନ୍ନାଥ ଭାଇ ବାଟ ଧରିଲେ । ସଙ୍ଗରେ ଗଲେ ଦୁଇଜଣ କନ୍ଧ । ପର୍ବତ ମାଳ । ହାଡ଼ଭଙ୍ଗା ଶୀତ । ଘାସରେ ଯେପରି କି ଛୁରୀର ଫାଳ । ପାହାନ୍ତିଆରୁ କାକର ପାଣିରେ ଗାଧୋଇ ସାରିଲା ପରେ ଦିନଯାକର ଆଳସ୍ୟ ଦୂରହୋଇଥାଏ । ଜଗନ୍ନାଥ ଭାଇ ଚାଲିଥାନ୍ତି ।

 

ଗାଁ ସେପାଖେ ଘାଟି ଲାଗିଲା । ଉତ୍ତର ଦକ୍ଷିଣ ହୋଇ ବୁଢ଼ା ପର୍ବତ ନିଦରେ ଶୋଇରହିଛି କୁହୁଡ଼ିର ଧୋବ ଚାଦର ଘୋରିହୋଇ । କୁହୁଡ଼ି ଏକର ସେକର ହୋଇ ଦୋହଲି ଯାଉଛି, ଖୋଲି ଯାଉଛି, ଚାଦର ଫିଟି ଯାଉଛି । ବୁଢ଼ା ପାହାଡ଼ର ସତେକି ନିଦ ଭାଙ୍ଗି ଯାଉଛି । କିଏ ଆସିଛି ? ସେ ତ କେତେଦିନ ତଳର କଥା, ଆସିଥିଲେ ରାମ ଲକ୍ଷ୍ମଣ ସୀତା । ସେ ଯୁଗ ତ ଯାଇଛି । ତା’ ପରେ କଳି । ପ୍ରକୃତି ସହିତ ସମନ୍ୱୟର ଯୁଗ ଚାଲିଯାଇଛି । ଆସିଛି ପ୍ରକୃତି ସହିତ ଯୁଦ୍ଧର ଯୁଗ । କିଏ ଆସୁଛି ପର୍ବତକୁ ତାଡ଼ି ପଥର ବୋହିନେବାକୁ, କିଏ ଆସୁଛି ବଣ ହାଣିବାକୁ ପୋଡ଼ିବାକୁ, କିଏ ଆସୁଛି ଗୁଳି ଫୁଟାଇ ନିରୀହ ପଶୁପକ୍ଷୀଙ୍କି ହତ୍ୟାକରିବାକୁ–କିଏ ଆସୁଛି ? ଏ ତ ନୁହେଁ ସେପରି ? ନୂଆ ଦୁନିଆର କାରିଗର ଆସିଛି । ଚେଇଁଉଠୁଛି ବୁଢ଼ା ପର୍ବତ ସୁନ୍ଦରତାର ଶ୍ରୀ । ଜଗନ୍ନାଥଭାଇ ପର୍ବତ ଉପରକୁ ଉଠିଗଲେଣି । ସୂର୍ଯ୍ୟ ଉଇଁଲା, ପାହାଡ଼ ବଣ ରାଜ୍ୟରେ ସୂର୍ଯ୍ୟୋଦୟ ଏକ ବିସ୍ମୟକର-ବିପ୍ଳବ । ଚାଲିଲା ପ୍ରକୃତିର ସଙ୍ଗୀତ । ଶହ ଶହ ସାରୀ, ହଜାର ହଜାର ଶୁଆ, ହଜାର ହଜାର ଟିକି ଚଢ଼େଇ ଏକାଠି ଗୀତ ବୋଲିଲେ । ଗଛଲଟା ପଣତ ପାରିଦେଲେ ଆଲୁଅ ଧରିବାକୁ । ହେଇ ଧରା ଦେଇଛି ଆଲୁଅ, ବୁଢ଼ୀଆଣି ଜାଲରେ ମୁକ୍ତା ପରି କାକର ଟୋପାମାନଙ୍କରେ ବି । ତଳର ଉପତ୍ୟକା ଆଲୁଅରେ ପୂର୍ଣ୍ଣ ହେଲାଣି । ଆଲୁଅ ଯେପରିକି ଉତୁରି ପଡ଼ୁଛି ଖାଲରୁ ଆଉ ବୋହିଯାଉଛି ଢେଉଢଉକା ଢିପ ଉପରକୁ । ଜିକ୍‌ଜିକ୍ କରୁଛି ବାଟ ।

 

ଘାଟି ଓହ୍ଲେଇ ବଣେ ବଣେ ଦିକୋଶ ବାଟ ଗଲା ପରେ ପାଏ ବାଟ ଓସାର ଖୋଲା ଜାଗା । ସେଠି ବେଲମ୍‌ଗୁଡ଼ା ଗାଁ, ମୋଟେ ଯୋଡ଼ିଏ ଘର । ଜଗନ୍ନାଥଭାଇ ଟିକିଏ ଅଟକି ରହିଲେ-। ଯୋଡ଼ିଏ ଯୁବତୀ ସ୍ତ୍ରୀଲୋକ ହସି ହସି ସ୍ୱାଗତ ଜଣାଇ ବାହାରି ଆସିଲେ । ‘‘ଫେର୍‍ ଆସିଛୁ ତୁ ? ଏ ମା, ଏ ବଣକୁ ବଣୁଆ ହାତୀ ଆସିଛି ଯେ ତତେ ଡର ମାଡ଼ୁନାହିଁ ? ଆମ ଜମିତ ଆମଠୁ ଲେଖେଇ ନେଲୁ, ଗରିବ ଲୋକଙ୍କୁ ବାଣ୍ଟି ଦବୁ କହୁଥିଲୁ, କାହିଁ ଆଉ ଲୋକ ଆଣିଲୁ ନାହିଁ, ବାଣ୍ଟି ଦେଲୁ ନାଇଁ ତ ? ମୁଚୁଲିଗୁଡ଼ିଆ ସର୍ବସ୍ୱ ଲେଖି ଦେଲେ ଶୁଣୁଥିଲୁ-ସତ ତ? ବାଘ ହାତୀ ତଡ଼ିବା ପାଇଁ ସରକାର କେବେ ଲୋକ ପଠେଇବ ? ରାଜ୍ୟଯାକର ଖବର କ’ଣ ?’’

 

ଗପୁଥିଲା ଯେ ତା ନା ଟୋଙ୍କୁଗାଲୁ, ଅଠର ବର୍ଷର କନ୍ଧ ବୋହୂ । ଏ ଗାଁର ତ୍ରୀତାଙ୍ଗା ବୁରୁବୁଡ଼ା ମାଝିର ସ୍ତ୍ରୀ । ବର୍ଷେ ହେବ ବିଭା ହୋଇ ଆସିଛି, ଲାଗୁଛି ଯେପରି କି ଏଇଠି ତାର ଜନ୍ମ । ବୁରୁବୁଡ଼ା ତାକୁହିଁ ଅଣ୍ଡିଙ୍ଗି ଗାଁରୁ ଜାଗେରାଲୁ ବଂଶରୁ; କହେ, ‘‘ଆହା, ବାପ ମା ଛେଉଣ୍ଡ ଝିଅଟି !’’

 

ମନେପଡ଼େ ସେଥର, ବିଭାଘରର ତିନିମାସ ହୋଇଥାଏ, ଏହି ବାଟେ ଏହିପରି ଗଲେ ଜଗନ୍ନାଥଭାଇ । ସଙ୍ଗରେ ବୁଡ଼ୁବେଲିର କନ୍ଧ ପାଞ୍ଚ ଜଣ । ଟୋକୁଙ୍ଗାଲୁ ଭିତରୁ କବାଟ ବନ୍ଦ କରିଦେଲା, ଡାକି ଡାକି ଶୁଣିଲା ନାହିଁ । କନ୍ଧମାନେ କେତେ ଡାକିବାରେ ସେ ଜବାବ୍ ଦେଲା, କବାଟ ଖୋଲି ଆଶ୍ଚର୍ଯ୍ୟ ହୋଇ ଅନାଇଲା, ତା ସଙ୍ଗେ ଥିଲା ତାର ଅଭିଆଡ଼ୀ ସାନଭଉଣୀ । କହିଲା, ‘‘ଏଇ ଭଉଣୀଟି ପାଇଁ କବାଟ ବନ୍ଦ କରିଥିଲି, ବିଭା ହୋଇନାହିଁ । କାଳେ କିଏ ବିଭାହେବ ବୋଲି ଶୂନ୍ୟେ ଶୂନ୍ୟେ ଟେକିନେଇ ପଳେଇବ ! କନ୍ଧ ଜାତିରେ ଏପରି ତ ହୁଏ । ତେଣୁ କବାଟ ଫିଟାଇଲି ନାହିଁ, ଡର ମାଡ଼ିଲା ।’’ ନଇଲେ ଆଉ ଭୟ କ’ଣ ? ଥରେ ବିଭା ହେଲେ ସେ ତାର ମତ ପ୍ରକାଶ କଲାପରି, ଆଉ କେହି ତାକୁ ଭୁଲାଇବାକୁ ଆସିପାରିବେ ନାହିଁ । କନ୍ଧର ଅଲେଖା ଆଇନରେ ବ୍ୟଭିଚାରର ଶାସ୍ତି ମୃତ୍ୟୁ ।

 

ଗୋରୀ ହୋଇ ଝିଅଟିଏ, ଟୋକୁଙ୍ଗାଲୁ, ଗୋଡ଼ ହାତ କୁନ୍ଦିଲା ପରି । କନ୍ଧର ଟାଙ୍ଗିଆ ହାତକୁ ଚାଲିଆସିଲେ ସେ ଅଦ୍ଭୁତ ଦକ୍ଷତା ଦେଖାଇପାରେ ।

 

ଅଗନାଗ୍ନି ବନସ୍ତ ଭିତରେ ଦି ଘର ଥାଇ ଗାଁ । ବଣର ବୋହୂ ବଣର ସମସ୍ୟାହିଁ କହିଲା-। ତା ଦେଢ଼ଶୁର କଡଂନ୍ଦ ଗୋଟାଏ ବାରିହାକୁ ଗୁଳି କଲା । ବାରିହା ଖଣ୍ଡିଆ ହୋଇ ବୁଦାରେ ଲୁଚିଲା । ରକ୍ତଧାର ଦେଖି ଦେଖି ଖୋଜି ବୁଲିଲାବେଳେ ବାରିହା ହଠାତ୍ ଧାଇଁଆସି ଧକାଏ ମାଇଲା । କୁଡଂନ୍ଦ ପଡ଼ିଗଲା, ବାରିହା ତା ଡେବିରି ବାହାକୁ କାମୁଡ଼ି ପକାଇଲା । ବାରିହା ଓ କୁଡ଼ଂନ୍ଦ ଠେଲାପେଲା ହେଉ ହେଉ ବାରିହାର ପ୍ରାଣ ଛାଡ଼ିଗଲା । କନ୍ଧ ତା ଘାରେ ବଣରେ ଚେରମୂଳ ବାଟି ବାନ୍ଧି ଦେଇଛି । ଗଲା ରାତିଯାକ ମହାବଳ ଏ ବଣରେ ଗର୍ଜନ କରୁଥିଲା । ସକାଳକୁ ଦେଖିଲାବେଳକୁ କୁଡ଼ିଆସାମ୍ନା ବାଟେ ବାଟେ ତାର ପାହୁଲ ପଡ଼ି ପଡ଼ି ଯାଇଛି । ଖାଇବାକୁ ଆମ୍ବ କୋଇଲି ଅଛି ଆହୁରି, କିନ୍ତୁ ପିନ୍ଧିବାକୁ ଆଉ ନାହିଁ, ଏଇ ଖଣ୍ଡକ ବି ଭିଣିଭିଣା ହୋଇଯାଇଛି । ରାଶି ପାଚିଲେ ବିକାହେଲେ ଟଙ୍କା ଆସିଲେ ତିନିଟଙ୍କା ଦେଇ ସେ ବୁଲାବିକାଳି ଡମ୍ବ ଆସିଲେ ତାଠୁଁ ବେଢ଼େଇ ହେବା ଲୁଗା ଖଣ୍ଡିଏ କିଣିବ ।

 

ରହିଲା ଟୋକୁଙ୍ଗାଲୁ, ରହିଲା ସେ ଟିକି ଗାଁଟି । ଆହୁରି କୋଶେ ଗଲା ପରେ ହଠାତ୍ ସମତଳ ବଣ ସରିଯାଇ ଖାଲୁଆ ବିଲ ପଡ଼ିଲା, ତା ପରେ ଚନ୍ଦ୍ରପୁର ବସ୍ତି, ବାଷଠି ଘର, ଅଧିକାଂଶ ପାଇକ । ଏଠି ପନ୍ଦରକୋଶ ଭିତରେ ଡାକ୍ତରଖାନା ନାହିଁ । ଡାକଘର ନାହିଁ । ସ୍କୁଲଘର ମାଟିରେ ମିଶିଛି । ଏଠୁ ପାଞ୍ଚକୋଶ ଦୂରରେ ଗଞ୍ଜାମର ଗଦାପୁର । ସେଠି ଶିକାରୀମାହା ଜଙ୍ଗଲରେ ଶହେଘର ହାତୀ ଘର କରିଛନ୍ତି । ସେମାନେ ଏଠିକି ଚରିବାକୁ ଆସନ୍ତି । ବାଣୁଆ ବନ୍ଧୁକୀ ଏକା ଏ ଗାଁରେ ପଚିଶିଜଣ । ସେମାନଙ୍କ ନେତା ଦାମୋଦର ପାତ୍ର । ଓସ୍ତାଦ୍ ବାଣୁଆ । ବହୁତ ବାଘ ମାରିଛନ୍ତି । କିନ୍ତୁ ତାଙ୍କଠି ରାଇଫି ନାହିଁ । ଓଡ଼ିଆନଳି, ଝାମକିନଳି ବନ୍ଧୁକ ଛଡ଼ା ଆଉ କିଛି ଏଠି ମିଳିବ ନାହିଁ । ତଥାପି ସାହସ କମ୍ ନୁହେଁ କାହାରି । ଦାମୋଦର ପାତ୍ର, ଅନନ୍ତ ପାତ୍ର, କରଣ ପାତ୍ର, ପୁନିଆ ପ୍ରଧାନ, ସୋମା ବେହେରା, ସୀମାଦ୍ରି ରାଜୁ, ଅଗାଧୁ ପରିଛା, ମଧୁସୂଦନ ମାଳବିଶୋଇ, ତ୍ରୀତାଙ୍ଗା କଡଂନ୍ଦ, ଆଉ ଯେତେ ବଣୁଆଁ ସମସ୍ତେ ଏକାଠି ହୋଇ ତିରିଶହାତ ଦୂରରୁ ବଣୁଆଁ ହାତୀ ଉପରକୁ ଢୁଢ଼ା ଢୁଢ଼ା ଗୁଳି ଫୁଟାନ୍ତି । ବହୁତ ଫୁଟାଇଲା ପରେ ହାତୀର ମନହେଲେ ହାତୀ ଦୟାକରି ଗୋଟାଏ କିଆରି ଛାଡ଼ି ଆର କିଆରିକୁ ଚାଲିଯାଏ । ଆଗେ ଏଠି ଗାତ ଖୋଳି ହାତୀ ଧରୁଥିଲେ, ଆଉ ଧରା ହେଉ ନାହାନ୍ତି ।

 

ଧାଇଁ ଆସିଲେ ସମସ୍ତେ । ସମସ୍ତିଙ୍କ ତୁଣ୍ଡରେ ‘‘ଆଜ୍ଞା’’ ‘‘ଆଜ୍ଞା’’ । ନୂଆ ହୋଇ ତୋଳାହୋଇଛି ସରକାରୀ ଗୋଦାମଘର । ଦାମୋଦର ପାତ୍ର ତୋଳେଇଛନ୍ତି । ସେଠି ଧାନ ଋଣ ଦିଆଯାଇ ଲୋକଙ୍କ ଅଭାବ ଦୂର କରାହୁଏ । ତାହାରି ଓସାରି ଅଗଣାରେ ସମସ୍ତେ ରୁଣ୍ଡ ହେଲେ । ସୁନ୍ଦର ପକ୍‍କା କୂଅଟିଏ ବି ହୋଇଛି, ସ୍ଫଟିକ ସ୍ୱଚ୍ଛ ପାଣି । ପ୍ରାରମ୍ଭିକ ଅଭ୍ୟର୍ଥନା ସରିଗଲା । ଏ ଅଭ୍ୟର୍ଥନାରେ ବାଇଦ ବାଜଣା ନାହିଁ, ଫୁଲମାଳ ନାହିଁ, ଘନଘଟା ନାହିଁ କେବଳ ଅଛି ଆନ୍ତରିକତା, ସରଳ ହୃଦୟରେ ଉଠି ଆସନ୍ତି ଶହକୁ ଶହ, ହଜାରକୁ ହଜାର, ଦିଅନ୍ତି ନାହିଁ ନିଅନ୍ତି ନାହିଁ ଦେଖି ଖୁସି ହୁଅନ୍ତି । ଚନ୍ଦ୍ରପୁର ସର୍ବସ୍ୱଦାନ ଘୋଷଣା କରିଛି । ନାଲି ସଡ଼କଠୁ ବଣପର୍ବତ ନଈ ନାଳ ଡେଇଁ ତିରିଶି ମାଇଲ ଦୂରରେ ଅଗନାଗ୍ନି ବଣ ଭିତରେ ଏଠି ଭୂଦାନର ହୋମଯଜ୍ଞ ଜଳିଉଠିଛି ।

 

ହସି ହସି ଚାଲିଆସୁଛନ୍ତି କୁଳବୃଦ୍ଧ ଟାଙ୍ଗାରାଙ୍ଗା, ରାହଙ୍ଗା ପାଟୁମାଝି, ବାଳିରି ଗାଁର ପାଟୁମାଝି, ୧୫ ଖଣ୍ଡ କନ୍ଧ ଗାଁ ଉପରେ ସର୍ଦ୍ଦାର ସାହେବ ପରି ଶେଥା ଗୋରା ରାହଙ୍ଗା ପାଟୁମାଝି, ଛ’ ଫୁଟ୍‌ ଉପରେ ଡେଙ୍ଗା କସରା ଗୋଲାପି ରଙ୍ଗର ନିଶ, କୁଞ୍ଚୁକୁଞ୍ଚିଆ ହଳଦିଆ ବାଳ । ଅଶୀ ବର୍ଷର ହସହସ ପ୍ରଶାନ୍ତ କନ୍ଧ ଭଦ୍ରଲୋକ; ପିନ୍ଧିଛନ୍ତି ଖାଲି ଖଣ୍ଡିଏ କୌପୁନୀ । ବାନ୍ଦିରି ଏଠୁ ତିନିକୋଶ ଉତ୍ତରକୁ । ତେଣେ ବେଶି ହାତୀଭୟ, ବେଶି ବାଘଭୟ । ବୟାଶୀ ଘର କୋଟିଆ କନ୍ଧ, ବଡ଼ ବସ୍ତି, କିନ୍ତୁ ସ୍କୁଲ ନାହିଁ ।

 

‘‘ଯିବୁ ନାହିଁ ଆମ ଗାଁକୁ ? କହୁଥିଲୁ ପରା ଦାନ ଲେଖିଦେବାକୁ, ଚାଲ୍‍ ଲେଖିନେ । ଆମେ ତ କେତେବର୍ଷ ହେଲା ଭାଗ କରି ନେଇଥିଲୁଁ, ଯେମିତି ଆମ ଗାଁରେ ସମସ୍ତିଙ୍କର ଟିକିଏ ଟିକିଏ ଜମି ଥାଉ, କାହାରି ଅଭାବ ନ ଥାଉ । ଦେଖ୍ ବାବୁ, ଏ ତ ଆମ ପୁରୁଣା କନ୍ଧ ରୀତି- ଏକାଠି ତାଷକର, ପାଚିହେଲେ ସମସ୍ତେ ବାଣ୍ଟି କୁଣ୍ଟି ନିଅ । ଜଣେ ଲୋକ ସମସ୍ତିଙ୍କର ହେଲେ ସିନା ଭଲ, ଏକା ଜଣକର ହେଲେ ଭଲ କି ? ତୋ ମନ ହଉଚି ଆ ଲେଖିଦେ । ଆମ ଗାଁଟା କାହିଁକି ବାଦ୍ ପଡ଼ିଯିବ? ଏକା କ’ଣ ଆମ ଗାଁ ? ସେପାଖେ କୁତାମା ବି ଲେଖେଇଦେବ, ରାଜ୍ୟଯାକ ଲେଖେଇଦେବେ । ଆମ କନ୍ଧ ବୁଢ଼ା ବୁଢ଼ା ଯାହା କହୁଥିଲେ ତୁମେ ଏବେ ସେୟା କହୁଚ, ସବୁ ଲୋକ ବାଣ୍ଟିକୁଣ୍ଟି ଖାଇବେ । କାହାରି ଅଭାବ ରହିବ ନାହିଁ । ଏ ତ ଭାରି ଭଲକଥା !’’

 

‘‘ଯିବା ତୁମ ଗାଁକୁ ପାଟୁମାଝି, କହିବୁ ଯଦି ଏବେ ଚାଲ ।’’

 

‘‘ହଁ, ଏବେ ଯିବା । ଆ ମୋ ପଛେ ପଛେ, ତୁ ଯଦି ଦେଖାପଡ଼ିଗଲୁ ତ ଛାଡ଼ିବି କାହିଁକି-? ସଙ୍ଗରେ ଆ ।’’

 

ଚାଲିଲେ ଭୂଦାନ କର୍ମୀ, ବିଶ୍ରାମ ପାଇଁ ଅବକାଶ ନାହିଁ, ଇଚ୍ଛା ବି ନାହିଁ ।

 

ହଠାତ୍ ମନେପଡ଼ିଲା ଶିବଭାଇ । ଜଗନ୍ନାଥଭାଇ ଆପଣାକୁ ଆପେ ପଚାରିଲେ, ନଈ ପାରିହୋଇ ଭୀଷଣ ଅରଣ୍ୟ ଭିତରେ ପାଟୁମାଝି ପଛେ ପଛେ ଚାଲିଲାବେଳକୁ କାହିଁକି ଖାଲି ବାଟେ ବାଟେ ଦିଶିଯାଉଛି ଶିବଭାଇ ! ହଁ, ଏଇ ପାଟୁମାଝି ସହିତ ତାର ସାଦୃଶ୍ୟ ଅଛି, ଯଦିଚ ନୁହେଁ, ଦୁଇ ବୟସର ଦୁଇସ୍ଥାନର ଦୁଇ ପ୍ରକାରର କନ୍ଧ, ଜଣେ ପଦାଦେଶିଆ, ନାହିଁ ବୋଲି କହିଲେ କହିବ ‘‘ଆ–ଏ’’, ଆଉ ଜଣେ ଟେକ୍ରିୟା, କୋଟିଆ, ‘ନାହିଁ’କୁ କହିବ ବାଏଁ, ଭିନେ ବୋଲି । ସାଦୃଶ୍ୟ ବା କେଉଁଠାରର ? ଛିଲିକାଏ ଖାଲି, ଏମିତି ତା’ର କପାଳ, ଏମିତି ହସ, ଏମିତି ଏକ ଶାନ୍ତ ମଧୁରତା । ଆପଣାଠୁଁ ଜଗତ ଉପରକୁ ଉତୁରି ପଡ଼ିଲା ପରି ଏକ ସହଜ ବନ୍ଧୁତା ଶିବଠି ବି । ସେ ଥିଲେ ବି ଏମିତି ହସି ହସି ବାଟ ଚାଲୁଥାନ୍ତା ଆଗେ ଆଗେ, ବାଟରେ କଣ୍ଟାଟିଏ ପଡ଼ିଥିଲେ ଗୋଟେଇ ଫୋପାଡ଼ି ଦିଅନ୍ତା, ଡାଙ୍ଗଟିଏ ଆଙ୍ଗୁଳିରେ ଭାଙ୍ଗିଦିଅନ୍ତା କି ମୋଡ଼ି ଦିଅନ୍ତା, ଯେମିତି ପଛ ଲୋକର ଦେହରେ ନ ଲାଗୁ । କଥା ଗପି ଗପି ବାଟ କଢ଼ାଉଛନ୍ତି ପାଟୁମାଝି, ସୁନ୍ଦର ନାଁ ଟାଙ୍ଗାରାଙ୍ଗା ରାହିଙ୍ଗା ପାଟୁମାଝି, ସୁନ୍ଦର ମଣିଷ, ଚେହେରା ଯେମିତି କଥା ସେମିତି । ସୁନ୍ଦର ମଣିଷ ଶିବଭାଇ, ଆଉ ତାର ସ୍ତ୍ରୀ ମୁକ୍ତା । ଶିବ ଭାବିବ ଆଗ ପରର ଭଲ କେମିତି ହେବ, ପଛେ ନିଜ କଥା । ସେହିପରି କାଳିଆ ଭାଇ, ସେ ବି ପର ପାଇଁ ବେକ ପତାଇ ଦେବ । କାଳିଆଭାଇ ଜମି ଛାଡ଼ିଦେଲା ଗୋଦାମ ଘର ତୋଳେଇବାକୁ ପୁଣି ଆଶ୍ରମ ଘର ତୋଳିବାକୁ, ପୁଣି ଭୂଦାନକୁ ଅଧେ ଜମି ଦେଲାଣି । କିନ୍ତୁ କାଳିଆଭାଇ ଶିବଭାଇ ଭିନେ । କାଳିଆଭାଇ କ୍ଷତ୍ରିୟ ହେଲେ ଶିବଭାଇ ବ୍ରାହ୍ମଣ । ଜଣେ ଦେହ ବଳରେ ବିଶ୍ୱାସ କରେ ଜଣେ ଆତ୍ମାବଳରେ । ଶିବଭାଇ ନିରୀହ, କାଳିଆଭାଇ ବୁଦ୍ଧିମାନ୍ । ଆଜି ବେଶି ସେହି ମନେପଡ଼ୁଛି ।

 

ସେ ବି ଭୂଦାନକର୍ମୀ । ଅପାଙ୍କ ସଙ୍ଗେ ଗାଁକୁ ଗାଁ ବୁଲି ଲୋକଙ୍କୁ କହେ–ଭୂମିହୀନକୁ ବାଣ୍ଟିବା ପାଇଁ ଭୂମି ଦରକାର, ଦାନ ଦିଅ । ତୁମ୍ଭର ଚାରିଭାଇ ଥିଲେ ଆମ୍ଭଙ୍କୁ ବିଚାରି ପାଞ୍ଚଭାଇ ବୋଲି, ଭାଗ ଦିଅ । ତୁମ୍ଭର ତିନିପୁଅ ଥିଲେ ଆମ୍ଭଙ୍କୁ ବିଚାର ୪ର୍ଥ ପୁଅ ବୋଲି, ଦାନଦିଅ । ଏ ଏକ ବିରାଟ ଆନ୍ଦୋଳନ । କେତେ ଶିବଭାଇ ଆବଶ୍ୟକ, ଜଣେ ନୁହଁ । ଜଗନ୍ନାଥଭାଇ ଭାବୁଥିଲେ–ଏ ଆନ୍ଦୋଳନର ଉଦ୍ଦେଶ୍ୟ ନୁହେଁ ଯେ ସଂସାରରେ କେତେଜଣ ଲୋକହିଁ ମହାପୁରୁଷ କି ମହାନେତା ହୋଇ ସମସ୍ତିଙ୍କି ଚଳାଉଥିବେ, ଅନ୍ୟ ସମସ୍ତେ ତାଙ୍କରି ନାଠିରେ ନାଚୁଥିବେ । ୟା ଉଦ୍ଦେଶ୍ୟ ଯେ, ତୁଣ୍ଡରେ କହି କାର୍ଯ୍ୟ ଦେଖାଇ ସମସ୍ତିଙ୍କ ହୃଦୟ ଉପରେ ପ୍ରଭାବ ପକାଇ ସମସ୍ତିଙ୍କୁ ମହାପୁରୁଷ କରିବାକୁ ହେବ । ବଡ଼ କାମ କଷ୍ଟ କାମ ।

 

ଶାନ୍ତି ଓ ଅହିଂସାର କର୍ମୀମାନେ ଯେ ଯେତେ ଅଛନ୍ତି ଯେଉଁଠି ସମସ୍ତିଙ୍କଠି ସେଠି ଏକା ଧାର–ତ୍ୟାଗ ବରଣକରି ସତ୍ୟ ପ୍ରତିଷ୍ଠା କରିବା ଆଦର୍ଶ । ସେହି ସୂତ୍ରକୁ ଧରି ଧରି ଜଣକୁ ଦେଖିଲେ ଆଉ ଜଣକୁ ଦେଖିହୁଏ; ସମସ୍ତେ କେବଳ ନିମିତ୍ତ ମାତ୍ର । ରସ ଶୁଖିଯାଇ, ଭିତରୁ ମମତ୍ୱର ମଞ୍ଜ ଚାଲିଯାଇ, ବାଉଁଶ ଯେତେବେଳେ ବଂଶୀ ହୁଏ, ସେହି ବଂଶୀରେ ବାଜିଉଠେ ଅନନ୍ତ ଛନ୍ଦ । କିଏ ଧରେ ଜ୍ଞାନର ଉପାୟ, କିଏ ତପଶ୍ଚର୍ଯ୍ୟାର, କିନ୍ତୁ ସହଜରେ କିଏ କରୁଣା, ମୈତ୍ରୀ ଓ ତ୍ୟାଗରେ ହିଁ ନିଜକୁ ଯୋଡ଼ଦିଏ ଅନନ୍ତ ଭାବ ସହିତ । ସେହି ସମୁଦ୍ରରେ ଆପଣାର ସତ୍ତା ହଜାଇଦେଇ ସେ ବି ହୁଏ ଅନନ୍ତ ।

 

ଦେଖଇ ଯେହୁ ସର୍ବଭୂତ

ଆପଣା ଆତ୍ମାରେ ସତତ

।।

ନିଜକୁ ଦେଖେ ସର୍ବଭୂତେ

ଲୁଚଇନାହିଁ କେବେ ଚିତ୍ତେ

।।

 

ଏହି ସହଜ ସାଧନାକୁ କରିପାରିଛି ମାଳର କନ୍ଧ । ଭୂମିହୀନ ଅଭାବୀ ଲୋକର ଦୁଃଖ ବିନ୍ଧୁଛି ଅଶୀବର୍ଷର ପାଚିଲା କନ୍ଧ ଟାଙ୍ଗାରାଙ୍ଗା ରାହିଙ୍ଗା ପାଟମାଝିକୁ । ଶିବଭାଇ ମନେପଡ଼ୁଛି । ଆଉ ଯେତେ ଭାଇ ଅପା ସମସ୍ତେ ମନେ ପଡ଼ୁଛନ୍ତି । କିଏ, ମ୍ୟାଲେରିଆ ଜ୍ୱରରେ କତରା ଲାଗିହୋଇ ମାସ ମାସ ପଡ଼ିଗଲେ ବି ଆଦର୍ଶରେ ରହିଛି ଅଟଳ । କିଏ ବାଘ ଡରରେ ଘରେ ନ ଲୁଚି ବଣରାସ୍ତାରେ ବୁଲି କାମ କରୁଛି । ନାଃ ତା ବି ଠିକ୍‍ ନୁହେଁ ଗୋଟାଏ ଆଡ଼ୁ ଦେଖିଲେ–କେହି କିଛି କରୁନାହିଁ । ସବୁ ଆପେ ଆପେ କରୁଛି ସଦ୍‍ବିଚାର । ସେହି ବ୍ରହ୍ମ, ସେହି ମହାକାଳ, ତାହାରି ସ୍ୱତନ୍ତ୍ର ରୂପନାହିଁ, କେବଳ ସଦ୍‍-ବିଚାର ନିଜେ ରୂପ ପରିଗ୍ରହ କରିଛି । କେଉଁ ରୂପର ନାଁ ଶିବଭାଇ, କେଉଁ ରୂପର ନାଁ ଟାଙ୍ଗାରାଙ୍ଗା ରାହାଙ୍ଗା, କେଉଁ ରୂପର ନାଁ ଗୋପବନ୍ଧୁ, କିଏ ଆଚାର୍ଯ୍ୟ ହରିହର । ବଡ଼ ନାହିଁ ସାନ ନାହିଁ, ସେହି ଏକରୂପ, ବାହାରର କାୟା ରୂପ ନୁହେଁ, ସେ ତ ଜୀବର ମୁଁତ୍ୱର ଆଧାର । ସେ ରୂପ ସେହି ବ୍ୟକ୍ତିତ୍ୱର, ଯେ ଏକାଧାରରେ ହୋତୃ ପୁଣି ହୋମାଗ୍ନି ।

 

ଭାବି ଭାବି ଚାଲିଛନ୍ତି ଜଗନ୍ନାଥଭାଇ । ଘଞ୍ଚ ଶାଳବଣ ସନ୍ଧିରେ ବାଟ ପଡ଼ିଛି ଡଙ୍ଗା ଘାସର ବହଳ ବଣ ତଳେ ତଳେ । ବାନ୍ଦିରୀ ଗାଁକୁ ବାଟ ପଡ଼ିଛି, ପୁଣି ବାଲିଗୁଡ଼ା ମାଳ ଭିତରକୁ ।

 

କେତେଥର ଜନ୍ତୁ ଚାଲିଛି ଆଗେ ଆଗେ, କେତେଥର ସାମ୍ନା ବାଟରେ ଏକରୁ ସେକର ବାଘ ଡେଇଁଯାଇଛି । କିନ୍ତୁ ପାଦ ଥକିନାହିଁ । କେତେଥର ବାଟ ଚାଲୁ ଚାଲୁ ହୁ ହୁ ହୋଇ ମାଡ଼ିଆସିଛି ମାଳୁଆ ଜର, ଦେହର ଟିକି ଟିକି ମାଂସକୁ ଯେପରି କିଏ ଶଣ୍ଡୁଆସିରେ ଚିପିଧରି ଓଟାରି ପକାଇଛି, ଚାହୁଁ ଚାହୁଁ ତାତି, ବାନ୍ତି ଅବସାଦ । କେତେଥର ବାଟ କରରେ ଗଛମୂଳେ ସେ ଜରରେ ପଡ଼ିରହିଛନ୍ତି । ଲାଗିଛି, ପ୍ରାଣବାୟୁ ଉଡ଼ିଯିବ ପରା ଏଥର । ବାଘ ହାତୀଙ୍କ ଚଲାବାଟ, ବଣର ଅନ୍ଧାରରେ ସେହି ହାଡ଼ କେଇଖଣ୍ତିକୁ ଟେକିନେଇ ଚାଲିଯିବା କିଛି ବଡ଼ କଥା ହୋଇନଥାନ୍ତା-। ତାପରେ ଜର ଅଳ୍ପ ଓହ୍ଲେଇଲା....

 

ତାପରେ ଜର ଅଳ୍ପ ଓହ୍ଲାଉ ଓହ୍ଲାଉ ଉଠିପଡ଼ି ପୁଣି ବାଟଚଲା, ପୁଣି କାମ, କାରଣ ଦେହଟା ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପର୍ଯ୍ୟନ୍ତ କାମ କରିବାକୁ ହିଁ ପଡ଼ିବ । ସାରା ପ୍ରକୃତିରେ କିଏ ଅଳସାଏ କେବଳ ମଣିଷ ଛଡ଼ା ?

 

ମଣିଷ ଚାଲିନାହିଁ, ଭାବଧାରା ଚାଲିଛି, ଢେଉ ଚାଲିଛି, ଆଲୁଅ ଚାଲିଛି ବଣ ଭିତରକୁ, ଅଜ୍ଞାନ ଓ ଅସଭ୍ୟତା ଭିତରକୁ, ଥାଉ ସେ ବଣଭିତରେ କି ସହର ଭିତରେ । ସବୁ ଘଟରେ ସେହି ଏକ ଆଦର୍ଶର ପ୍ରତିଚ୍ଛବି ।

 

ରାହିଙ୍ଗା ପାଟୁମାଝି କହିଲେ, ‘‘ହେଇ, ଆମ ଗାଁ ଦିଶୁଛି । ଆଗଥର ଯେତେବେଳେ ଆସିଥିଲୁ ସେତେବେଳେ ବାଘ ବୋବାଉଥିଲା, ଆର ପାଖୁ ବଣ ଭିତରୁ କୁଟ୍ରା ବୋବାଉଥିଲା । ମନେପଡ଼ୁଛି ନା ? ସୂର୍ଯ୍ୟ ଥିଲା ବୁଡ଼ିବାକୁ ବାଡ଼ିଏ ଉପରେ । ଏଥର ବାଘ ବୋବାଉନାଇଁ । ଧର୍ମ ଦୟା କରିଚି- ଆମେ ଭୂଦାନ ଦବୁ କିନା ! ଗାଁର ଧର୍ମ ଥିଲେ ବାଘ ବି ହଟିଯିବ ।’’

 

ଅବିକଳ ଏହି କଥା କହେ ଶିବଭାଇ, ଜଗନ୍ନାଥଭାଇ ଭାବିଲେ–ଗାଁରେ ଧର୍ମ ଥିଲେ ବାଘ ବି ହଟିଯିବ । ପୁଣି ମନେପଡ଼ିଲା ତା କଥା । ସେ କହେ, ‘‘ବାଘ ସିନା ମଣିଷକୁ ଧରି ଧରି ଖାଏ, ମଣିଷ ହୃଦରେ ଥିବା ଧର୍ମକୁ ଖାଇପାରେ କି ? ଆତ୍ମାକୁ ଖାଇପାରେ କି ? ଏତେ ଡର ଭୟ କାହିଁକି ? ସତ ଧର୍ମକୁ କେହି କିଛି କରିପାରିବେ ନାହିଁ ।’’

 

ବଣର ମଣିଷ କେଉଁଠୁ ଶିଖିଲା ଏ ଦର୍ଶନ ଶାସ୍ତ୍ରର କଥା ? ଜଗନ୍ନାଥଭାଇ ଆଶ୍ଚର୍ଯ୍ୟ ହୁଅନ୍ତି । ସେ ଅକ୍ଷର ଚିହ୍ନିନାହିଁ, ସେ ଗୁରୁ ପାଖେ ଚେକା ମାଡ଼ି ବସିନାହିଁ, ତାର ସରଳ ହୃଦୟ ଭିତରକୁ ମନକୁମନ ଭେଦିଯାଇଛି ମହାଭାବ, ତା ଯେପରିକି ସର୍ବପରିବ୍ୟାପ୍ତ । ଶିବଭାଇ ବଡ଼ ବଡ଼ କଥା କହେ । କେଉଁଠୁ ଜାଣିଲୁ ବୋଲି ଖୋଳି ତାଡ଼ି ପଚାରିଲେ ତୁନି ତୁନି କହେ–ମୁଁ ଯେତେବେଳେ କୌଣସି କଥାର ଉତ୍ତର ବାହାରେ ଖୋଜି ଖୋଜି ନ ପାଏ ସେତେବେଳେ ଆତୁର ହୋଇ ଡାକେ–ମାହାପୁରୁ କହିବେ, ମାହାପୁରୁ କହିବେ, ମାହାପୁରୁ କହିବେ । ଗାଁରୁ ଚାଲିଯାଏ ପଦାକୁ ଏକୁଟିଆ । କେହି ନଥିଲାବେଳେ ମାହାପୁରକୁ ସୁମରଣ କରେ, କହେ ମତେ ଭୁଲାନା, ମତେ ବଣା କରି ବୁଲାନା, କହିଦେ । ମାହାପୁରୁ ମୋ ହୃଦ ଭିତରେ କହିଦିଏ, ମୁଁ ସେହି କଥା ପଦାରେ କହେ । ଏମିତି ତା’ର ମାହାପୁରୁ ତାକୁ କହିଥିଲା, ଗାଁରେ କହିବାକୁ–କଳିଗୋଳ କରନାହିଁ, ପରର ଧନକୁ ଲୋଭ କରନାହିଁ, ମଦ ଖାଅ ନାହିଁ, ଗୋରୁ ମାର ନାହିଁ, ସବୁ ଜମି କୋଠ କରିଦିଅ, ଆଉ ଆବଶ୍ୟକ ଅନୁସାରେ ବାଣ୍ଟିନିଅ, ବେଶି କାମ କର, ସୂତା କାଟ, ସଫା ହୁଅ, ପିଲାଙ୍କୁ ପାଠ ପଢ଼ାଇବାକୁ ଇସ୍କୁଲକୁ ପଠାଅ । ଏମିତି କେତେ କଥା ।

ଲୋକେ ଶୁଣିଥିଲେ ।

ଏଇ ମାଳରେ ତେଣୁ ଗୋଟାଏ ଦୀପରୁ କେତେ ଦୀପ ଲାଗିଚି । ଗୋଟାଏ ଶିବଭାଇ ଦେଖାଦେଖି କେତେ ଶିବଭାଇ ତିଆରି ହୋଇଚନ୍ତି, ସତ୍ ଧର୍ମର ଜୟ ହୋଇଛି ।

ମୁଣ୍ଡ ଉପରେ ସୂର୍ଯ୍ୟ । ପାଖେ ପର୍ବତ, ପାଖେ ଘଞ୍ଚବଣ, ଗାଁ ସେପାଖେ ଧାପ ଲଗାଇଛି, ଆଉ ଦିପାଖେ ବଣ ସଫାହୋଇ ପଦର ଜମି ଖୋଲିଛି । ଆନନ୍ଦରେ କଳରବ କରି ଗାଁଯାକ ଲୋକ ଭାତଖିଆ କତିରୁ ଉଠି ଧାଇଁ ଆସିଲେ ।

ପଛଆଡ଼ୁ ଟାଙ୍ଗାରାଙ୍ଗା ରାହିଙ୍ଗେ ପାଟୁମାଝି ହସି ହସି କହିଲେ, ‘‘ଖାଲି ତୁଣ୍ଡର ଶରଧା ଚଳୁନାହିଁ । ୟାକୁ କାହିଁକି ଡାକି ଆଣିଲି ଜାଣିଚ ଟି ? ଯେଉଁ କଥା ତମକୁ କହିଥିଲି- ଯେ ନିଜନିଜର ଯେତେ ଭୂମି ବାଡ଼ି ଅଛି ନିଜର ବୋଲି କିଛି ନ ରଖି ସବୁ ଲେଖିଦବ ସେଇ ଦାଢ଼ିଆ ବାବାଜି ନାରେ, ଯାହାର ଛବି ତମୁକୁ ଦେଖୋଉଥିଲି ଯାହା ନା ବିନ ମାହାପ୍ରୁ । ସେ କି ପରଲୋକ କି ଏଇ ଜଗନ୍ନାଥ ଆଜ୍ଞା ଯେ ହେଲେ ଆସି ଗାଁଯାକର ସମସ୍ତିଙ୍କ ଜମିରୁ ଆମକୁ ବଣ୍ଟିଦେବେ, ଭୂମି ନ ଥିବା ଲୋକଙ୍କୁ ପଦାରୁ ଆଣି ଆମ ସଙ୍ଗେ ମିଶାଇଦେଇ ମଧ୍ୟ ତାକୁ ବଣ୍ଟାଇ ଦେଇପାରନ୍ତି । ଯାହାର ଯେମିତି ଲୋଡ଼ା ତାକୁ ଦେଖିକରି ବାଣ୍ଟିଦେବେ, ଯାହାକୁ ଯାହା ବଣ୍ଟା ମିଳିବ ସେ ସେତିକି ତାଷକରି ଚଳିବ । ଆମ ଗାଁରେ କେହି ଧନୀ ରହିବ ନାହିଁ, କେହି ଗରିବ ରହିବ ନାଇଁ । ସମସ୍ତେ ହେବେ ଭାଇ ଭାଇ । କେତେ ଗାଁ ତ ଏମିତି ହେଲାଣି, ଆମ ଗାଁ ବି ହେବ, ସରବ ବୁଦାମ୍, କି ସରଗ ବୁଦାମ୍, ଆମେ କାହିଁକି ପଛରେ ପଡ଼ିଥିବା ?’’

 

ବୁଢ଼ୀ ଜଣେ କହିଲେ, ‘‘ସତ ତ, ଆମେ କାହିଁକି ପଛରେ ପଡ଼ିଥିବା ? କେଇଟା ଦିନକୁ କି କଳି ? ସବୁଲୋକର ସୁଖରେ ସିନା ସୁଖ, ସୁସ୍ଥୀ, ଜଣକର ସୁଖରେ କି ସୁସ୍ଥୀ ? ରାଜ୍ୟର ସୁସ୍ଥୀ ପୃଥୀର ସୁସ୍ଥୀରେ ସିନା ସବୁ ସୁଖ ? ଲେଖିଦିଅ ସବୁ, ନୂଆଯୁଗ ଆସୁ ।’’

 

ପୁଣି ଆନନ୍ଦର ଲହଡ଼ି ଖେଳିଗଲା । କୌପୁନୀପିନ୍ଧା କନ୍ଧ କୁଦାମାରି ପାଟିକଲେ–‘‘ସବୁ ଲେଖିଦେବା-ସରବ ବୁଦାମ୍–ଗୋତି ନାହିଁ ସାହୁକାର ନାହିଁ, ଧନୀ ନାହିଁ, ଦରିଦ୍ର ନାହିଁ, କଳି ନାହିଁ, ଗୋଳ ନାହିଁ, ଜଗତଯାକ ଭାଇ ଭାଇ, ସରବ ବୁଦାମ୍‍ :–’’

 

ବିଶ୍ୱନାଥ ଆଜ୍ଞା ହୋ ହୋ ହୋଇ ହସିଉଠିଲେ । ଲାଗିଲା, ଏଠି ବି ସେହି ଅଗ୍ନି ଜଳୁଛି, ଚେତା ରହିଛି-ବାଘ ହାତୀ ମେଳରେ ଅଗନାଗ୍ନି ବନସ୍ତ ଭିତରେ ଏଇ ବାନ୍ଦିରି ଗାଁରେ । ଜଗତର ଉଦ୍ଧାର ଦୂର ନାହିଁ ତ, ସତ୍ୟ ଯୁଗ ଆସିଲାଣି । କିଏ ତେବେ ଲଗାଇବ ଏଠି ଯୁଦ୍ଧ ଅଶାନ୍ତି ? ମଣିଷର ଉଦ୍‌ବୁଦ୍ଧ ସ୍ୱାଧୀନ ମୁକ୍ତ ଆତ୍ମାକୁ ବନ୍ଦୀ କରିବ କିଏ ?

 

ଶିବଭାଇ ହସୁଛି, ହସୁଛି ହେଇ ସାମ୍ନାରେ ଠିଆହୋଇ, ଜଗନ୍ନାଥ ଭାଇ ଦେଖିଲେ ଯେପରି । ଭାବିଲେ ବାରମ୍ବାର ମନେପଡ଼ୁଛି ସେ, ଭାବୁଥିବ ନିଶ୍ଚୟ, ତାଙ୍କ ନିଜର ଡୁମ୍ରିଗୁଡ଼ା ଯିବାକୁ ଥିବା ଏଣେ ଚାଲିଆସିଲେ । ଦେଖା ହେଲେ ସେ ଅଭିମାନ କରିବ । କହିବ, ମତେ କହିଥିଲେ ତ ମୁଁ ସାଙ୍ଗରେ ଯାଇଥାନ୍ତି, ଏଇ କାନ୍ଦୁଲ କେଇଟା ଘରକୁ ଆଣିବାଯାକେ ଯାହା କାମ ନ ହେଲ ଆଉ କ’ଣ ? ଶିବଭାଇ ମନେପଡ଼ୁଛି ବାରମ୍ବାର, ସ୍ମରଣପଟକୁ ଛାଇ ରହିଛି । ଭାବିଲେ, ନିରୀହ ସରଳ କନ୍ଧଟିଏ ସେ । ତାକୁବି ସଂସାର ଅଡ଼ୁଆ ଲାଗିଲା ଯେ ସଂସାରକୁ ବଦଳେଇବାକୁ ଅଣ୍ଟା ଭିଡ଼ିଥିଲା, ଟାଙ୍ଗିଆ ଚୋଟରେ ନୁହେଁ, ଶାନ୍ତି ମାର୍ଗ ଧରି । ଭାବିଥିଲା କହିପୋଛି ବୁଝେଇ ବତେଇ ଆପେ ପରିଶ୍ରମ କରି ମାଟିର କାନରେ ମନ୍ତ୍ର ଫୁଙ୍କି ଫୁଙ୍କି ହୃଦୟ ତରଳେଇ ସେ ଥାପିବ ଅହିଂସା ଶୋଷଣହୀନ ସ୍ନେହଶାନ୍ତି କରୁଣାସିକ୍ତ ସମାଜ । ଦେଖିଲା ପରି ଲାଗିଲା ଶିବର ଶଳା ବିଶ୍ୱନାଥ କନ୍ଧକୁ, ଯେ ଆଗ ଏ କାର୍ଯ୍ୟରେ କନ୍ଧମାନଙ୍କ ଭିତରେ ବାହାରିଥିଲା । କାମ କରୁ କରୁ ହଠାତ୍ ଅଧାବୟସରେ ମରିଗଲା । ଦେଖିଲା ପରି ଲାଗିଲା ଆହୁରି କେତେ କର୍ମୀଙ୍କୁ–କନ୍ଧ, ସଓରା, ବ୍ରାହ୍ମଣ, ତଳଦେଶର ଲୋକ, କିଏ କେଉଁ ଦୂରରେ କେଉଁ ପରିସ୍ଥିତିରେ କାମରେ ଲାଗିଚନ୍ତି-

 

ଲାଗିଲା, ଦୂରରେ ଥିଲେ ବି ସେମାନେ ପାଖେ ପାଖେ, ତାଙ୍କର ବ୍ୟକ୍ତିତ୍ୱ ତାଙ୍କର ଆଦର୍ଶରେ ମିଶି ରହିଛି । ଯେଉଁଠି ସେ ଆଦର୍ଶ ଦିଶିଯାଏ ସେଠି ସେମାନଙ୍କ ବ୍ୟକ୍ତିତ୍ୱ ବି ଭାସିଉଠେ-ଯେପରି ମଦ୍‌ଭକ୍ତ୍ୟା ଯତ୍ର ଗାୟନ୍ତେ ତତ୍ର ତିଷ୍ଠାମି ନାରଦ । ସେହି ମହାଭାବହିଁ ସମନ୍ୱୟର ମହାସମୁଦ୍ର ।

ଚାରିପାଖେ ଆନନ୍ଦର କଳରୋଳ । ଜଗନ୍ନାଥଭାଇ ବସି ବସି ଚେତନାରେ ସେହି ମହାସମନ୍ୱୟର ସ୍ପର୍ଶ ପାଉଥିଲେ । ଦେଖୁଥିଲେ, ସମସ୍ତେ ଏକ, ସମସ୍ତିଙ୍କୁ ଆଲୋକିତ କରିଛି ଏକ ମହାଭାବ, ଆମେ ଭିନେ ଭିନେ ନୋହୁଁ, ଆମେ ଏକ । ସେଠି ବି ଅଛି ଶିବଭାଇ, ସେହି ଚନ୍ଦ୍ରପୁର ମାଳର ଅନ୍ଧାରି କୋଣରେ ।

ଗାଁରେ ସେ ନାହିଁ, ଗାଁ ଗୋଟାକରୁ ଯେପରିକି ଶିରୀ ତୁଟିଯାଇଛି-ଅପା ଅନୁଭବ କଲେ-। କାନ୍ଦଣାର କୋଳାହଳ ଧିମେଇଁ ଧିମେଇଁ ସରିଗଲା । ମୁକ୍ତା କାନ୍ଦି କାନ୍ଦି ଶୋଇପଡ଼ିଲା । ଅପା ଆସିଗଲାରୁ ତାର ଯେପରିକି ଆଉଜିବାକୁ ଏକ ଦମ୍ଭ ଆଶ୍ରା ଆସିଯାଇଛି, ପାଦତଳେ ମାଟି ଟାଣ ନିଦା, ଧୀରେ ଧୀରେ ଜଗତଯାକର ଘୂର୍ଣ୍ଣନ ଯେପରି କି ଅଳସେଇ ଆସୁଛି, ବାରିହେଉଛି, ସେଇଟା ସାହି, ସେଇଟା ଘର, ସେଇଟା ପର୍ବତ, ସେଇଟା ଖାଲ । ବାରିହେଉଛି, ଯାହା ଯେଉଁଠି ଥିଲା ତା ସେଇଠି ଅଛି, ନାହିଁ କେବଳ ତାର ସ୍ୱାମୀ । ମନ ପ୍ରସ୍ତୁତ ହେଉଛି ଏ ପରିସ୍ଥିତି ପାଇଁ ।

ଆଉ ଯେଉଁଟିକୁ ଶିବପାଇଁ ଆଣିଥିଲା ସେ ଝିଅଟି ବି ଶୋଇପଡ଼ିଛି । ଦୁଃଖର ରାଉ ରାଉ ତୋଫାନ ଭିତରେ ସେ ଯେପରିକି ନିଜକୁ ଆଉ ଥରେ ନୂଆହୋଇ ଚିହ୍ନୁଛି, ଦେଖୁଛି ଜୀଅନ୍ତା ଲୋକଟା ମରିଯିବା ଖବର ପାଇବାର ମୋଟେ କେଇ ଘଣ୍ଟାରେ ତାର ମୋହ ଉପୁଡ଼ି ପଡ଼ିଛି, ସେ ବଞ୍ଚିବାକୁ ଚାହେଁ । ଶୋକ କରିବାକୁ ନୁହେଁ । ସେ ନିଘୋଡ଼ ନିଦରେ ।

ପାହାନ୍ତିଆ ହେଲା । ଅପା ନିତ୍ୟକର୍ମ ତୁଟାଇଲେ । ପ୍ରାର୍ଥନାରେ ଆଜି ସେ ଏକୁଟିଆ । ଚନ୍ଦ୍ରମା ବି ଆସିନାହିଁ, ସେ ତାର ଲୁହ ରୋକିପାରିନାହିଁ । ତା ହୃଦୟରେ ଝଡ଼ ଚାଲିଛି । ୟା ଦୁଆରମୁହଁରେ ତା ଦୁଆରମୁହଁରେ ପୁଞ୍ଜା ପୁଞ୍ଜା ହୋଇ ଲୋକ ବସିଛନ୍ତି, କାହାରି ପାଟିରେ କଥା ନାହିଁ । ଶିକ୍ଷୟିତ୍ରୀ ଜେନି ବି ବସିଛନ୍ତି ଗୋଟିଏ ଦଳରେ । ତାଙ୍କର ସମତଳ ଦେଶ । ଏପରି କେବେ ସେଠି ଶୁଣାଗୁଣା ନାହିଁ । ଆଶ୍ଚର୍ଯ୍ୟ ଭାବ, ଭୟ, ଦୁଃଖ, ସବୁ ତାଙ୍କଠିଁ ଏକାଠି ।

ଗାଁ ସେମୁଣ୍ଡରେ ଢିପ ଉପରେ ଆଶ୍ରମ ଘରଟି । ପାଖକୁ ପାଖକୁ ଘର ଲାଗିଯାଇଛି । କିନ୍ତୁ ସାହିରେ ଲାଗିଥିଲେ ବି ଏହି ଆଶ୍ରମଘରର ଏକ ସ୍ୱତନ୍ତ୍ରତା ରହିଛି । ଢିପ ସେପାଖେ ଖାଲ ଭୂଇଁ, ତା’ପରେ ପୁଣି ଢିପ ଉଠିଛି, ତା ଉପରେ ରେଲ୍ ଲାଇନ୍, ତା ସେପାଖେ ପର୍ବତ । ଏଇ ଆଶ୍ରମ ଘର ଆଗଛମା ଅଗଣାରେ କେତେ ଲୋକଙ୍କ ପାଦ ଧୂଳି ପଡ଼ିଛି, ଏଇ ପିଣ୍ଡା ଉପରେ କେତେ ଲୋକ ବସିଛନ୍ତି, କେତେ ବିଚାର ହୋଇଛି । ମାଟି ଚାଳ ହୋଇ ଏହି ଘରଟି ତୋଳିବା ପଛଆଡ଼େ କେତେ ଆଶା କେତେ ଉତ୍ସାହ ରହିଛି; ସବୁ ଭାବ ସବୁ ସ୍ମୃତି ମିଶିମାଶି ଯେପରିକି ଏ ଘରର ଅଛି ଏକ ବ୍ୟକ୍ତିତ୍ୱ, ଏକ ଶାନ୍ତସ୍ନିଗ୍‌ଧ ପବିତ୍ର କୋମଳ ଆଶାୟୀ ବ୍ୟକ୍ତିତ୍ୱ । ସେ ସହାନୁଭୂତି ବିଛାଇଦେଇ ଆପଣାର କରି ଆଦରି ନିଏ । ଅପା ପ୍ରାର୍ଥନାରେ ବସିଥିଲେ । ଗୀତା ଆବୃତ୍ତି କରୁଥିଲେ–

ଦୁଃଖେ ସେ ନୁହେଁ ଉଦ୍‌ବିଗ୍ନ, ସୁଖେ ବିତସ୍ପୃହ ମନ

ରାଗ ଭୟ କ୍ରୋଧ ଶୂନ୍ୟ ସ୍ଥିତଧୀ ମୁନି ସେ ଜନ ।

 

ଗୀତା ତ କହିଛନ୍ତି ହିଁ, ଗତସ ନ ଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ–ପଣ୍ଡିତମାନେ ମଲା ଜୀଇଁଲାପାଇଁ ଶୋକ କରନ୍ତି ନାହିଁ । କାହିଁ ହେଉଛି କେଉଁଠି ? ବିଚରା ନିରୀହ ଶିବ ପାଇଁ ଶୋକ ନ କରି ରହିହେଉଛି କେଉଁଠି ? ସେ ଥିଲେ ପ୍ରାର୍ଥନାପାଖେ ସେ ବି ବସିଥାନ୍ତା, ସେ ନାହିଁ । ଗୀତା କହିଛନ୍ତି, ଶାସ୍ତ୍ର କହିଛନ୍ତି, ସେ ମରିନାହିଁ । ନ ଜାୟତେ ମ୍ରିୟତେ ବା କଦାଚି ନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ । ଅଜୋ ନିତ୍ୟଃ ଶାଶ୍ୱତୋୟଂ ପୁରାଣୋ, ନ ହନ୍ୟତେ ହନ୍ୟମାନେ ଶରୀରେ; ପୁଣି, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ, ନ ଚୈନଂ କେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ । ଅଚ୍ଛେଦ୍ୟୋୟମ୍ ଅଦାହ୍ୟୋୟମ୍ ଅକ୍ମେଦ୍ୟୋ ଅଶୋଷ୍ୟ ଏବଚ, ନିତ୍ୟଃ ସର୍ବଗତଃ ସ୍ଥାଣୁଃ ଅଚଳୋୟମ୍‍ ସନାତନଃ । କେହି ତାର କିଛି କରିପାରିବ ନାହିଁ । ସେ ମରେ ନାହିଁ, ସେ ମରିନାହିଁ । ଦେହଟା ଯାଇଛି, ଆତ୍ମା ମରି ନାହିଁ । ଶିବଭାଇ ମରି ନାହିଁ, ମରି ନାହିଁ ଅଛି । କାହିଁ ସେ ? କିଏ ଯେପରି କହୁଛି, ଆଉ ସେ ଫେରିବ ନାହିଁ, ଫେରିବ ନାହିଁ । ଭସ୍ମିଭୂତେଷୁ ଦେହେସୁ ପୁନରାଗମନଂ କୁତଃ । ତାର ଦେହ ପୁରୁଣା ଛିଣ୍ଡାଲୁଗା ପରି ଫୋପଡ଼ା ହୋଇଥାଉ, ତାର ଅମର ଆତ୍ମା ବଞ୍ଚିଥାଉ, ସେ ବଞ୍ଚିଥାଉ, ନ ମରିଥାଉ, ସେ ଆଉ ଫେରିବ ନାହିଁ, ଡାକିବ ନାହିଁ ହସି ହସି–ଅପା ଆଜି କୋଉ ଗାଁକୁ ଉଦ୍ଧାରିବାକୁ ଯିବୁ ? କୋଉ ସାହୁକାରର ପଥର ମନ ତରଳାଇବାକୁ ଯିବୁ ? ଗରିବଙ୍କ ପାଇଁ ଭାତ ମାଗି ଯିବୁ ? ସେ ଆତ୍ମାକୁ ଚିହ୍ନୁ ପଛେ, ତା’ର ଆତ୍ମା ସେ ରୂପକୁ ଆଖି ଆଉ ଦେଖିବ ନାହିଁ । ସେ ଦେହକୁ ହାତ ଆଉ ଛୁଇଁବ ନାଇଁ । ଶିବଭାଇ ଶିବଭାଇ ବେଶରେ ଆଉ ଆସିବ ନାହିଁ, ଡାକିବ ନାହିଁ ଅପା ବୋଲି, ଆଃ ।

 

ପ୍ରାର୍ଥନାରତ ଅପାଙ୍କ ଦି’ଆଖିରୁ କେରାକେରା ହୋଇ ଲୁହ ଝରିପଡ଼ିଲା । ସଙ୍ଗେ ସଙ୍ଗେ କଇଁ କଇଁ କାନ୍ଦଣା ଶୁଭିଲା । ଆଖି ଖୋଲି ଦେଖିଲେ ଜେନି କାନ୍ଦୁଛି, ଚନ୍ଦ୍ରମା କାନ୍ଦୁଛି । ମୁହଁ ପୋଛି ପକାଇ ଅପା କହିଲେ, ‘‘ଜନ୍ମ ହେଲେ ମରଣ ସୁନିଶ୍ଚିତ, କିନ୍ତୁ ଆତ୍ମା ମରେନାହିଁ । ଶାନ୍ତହୁଅ, କାନ୍ଦନାହିଁ ।’’ ଜେନି ଓ ଚନ୍ଦ୍ରମା କାନ୍ଦି କାନ୍ଦି କହିଲେ, ‘‘ନାଇଁ ଆତ୍ମା ମରେନାଇଁ, କାନ୍ଦିବୁ ନାଇଁ ।’’

 

ୟା ମୁହଁକୁ ତା ମୁହଁକୁ ଅନାଇଁ ଅନାଇଁ ଅପା ମନେ ମନେ ପ୍ରଶ୍ନ ପ୍ରଚାରି ଲାଗିଲେ-କାହିଁକି ? କାହିଁକି ? କାହିଁକି ଏପରି ହୁଏ ? କାହିଁକି ଏପରି ହେଲା ?

 

ସେ କାହାରି କିଛି ଅନିଷ୍ଟ କରିନାହିଁ, କାହିଁକି ତାକୁ ବାଘ ଖାଇଲା ?

 

କାହିଁକି ନିଷ୍ପାପ ଶିଶୁ ଯନ୍ତ୍ରଣାରେ ଛଟପଟ ହୋଇ ମରେ ? କାହିଁକି ଗଜା ଭେଣ୍ଡିଆ ଅଧାବୟସରେ ଟଳିପଡ଼େ ? କାହିଁକି ?

 

ମୁହଁ ପୋଛି ପକାଇ ଅପା ଉଠି ପଡ଼ିଲେ ।

 

ଆଜି ଲାଗୁଚି, ଏଇ ଚିହ୍ନାପରିଚ ସଂସ୍ଥିତି ଭିତରେ କେଉଁଠି କଣ ଗୁରୁତର ଅସଜ ହୋଇଯାଇଛି, ଯାହା ଆଉ ଶୁଧୁରୁ ନାହିଁ । ମପାଚୁପା ବିଚାରର ଚିହ୍ନା ପୃଥିବୀଟା ଫାଟି ଆଁ କରିଛି ସ୍ଥାନେ ସ୍ଥାନେ । ପ୍ରାଣପଣେ ସେଠି ବିଶ୍ୱାସ ଯୋଡ଼ି ମଠାମଠି କଲେ ବି ଫାଟ ଯୋଡ଼ୁନାହିଁ ପରିଶ୍ରମରେ ଝାଳ ବୋହିଯାଉଛି । ବିଶ୍ୱାସ-ହଁ ଭଗବାନ ଅଛନ୍ତି, ସବୁ ତାଙ୍କରି ଲୀଳା, ଜନ୍ମ ବି ଲୀଳା, ଅକାଳ ମୃତ୍ୟୁ ବି ଲୀଳା । କାହିଁକି କଣ ସେ ପ୍ରଶ୍ନ ପଚାରିବାକୁ ମୁଁ କିଏ ? ତା ଉତ୍ତର ବୁଝିବାକୁ ବି ମୁଁ କିଏ ? ସବୁ ଠିକ୍ ଚାଲିଛି । ମୃତ୍ୟୁର ବି ପରା ସ୍ଥାନ ଅଛି ଏ ସଂସ୍ଥିତିରେ, ପୁଣି ସାନ ନୁହେଁ, ଖୁବ୍ ବଡ଼ ଅଂଶ ପାଇଁ ସେ ଅଂଶୀଦାର । ମୃତ୍ୟୁ ବି ସୁନ୍ଦର ହୋଇ ପରା ଏ ଛବିରେ ମିଶିଯାଏ ! କିନ୍ତୁ ମନ ବୁଝୁନାହିଁ । ସେମିତି ଆଗ ପରି ଲମ୍ବ ଲମ୍ବ ହୋଇ ମୁହାଁମୁହିଁ ହୋଇ ଦି ଧାଉଡ଼ି ଘର, ସେମିତି ଗାଁ ପଛଆଡ଼େ ବାରିର ବାଡ଼, କୋଠିକୋଠିକିଆ, ସେମିତି ଗାଁ ମଝିରେ ଡେଙ୍ଗା ଶଳପ ଗଛଟି, ଗାଁ ଦାଣ୍ଡରେ ଧରଣୀ ପଥର । ଏଇତ ସତେ ସେହି ଗାଁ ଯାହା ନାଁ ଡୁମ୍ରିଗୁଡ଼ା-। ଏଇ ସେ ଗାଁର ଲୋକେ ଡାକିଦେଲେ ଖିଦିଖାଦିଆ ହୋଇ ଦୁଆରକୁ ବାହାରି ପଡ଼ିବେ-। ଏ ଲୋକେ ଚାହୁଁ ଚାହୁଁ ଆଗ ଦି’ଶ କନ୍ଧ ଠିଆହୋଇ ପଡ଼ିବେ । ସବୁ ଅଛି ଚିହ୍ନାଜଣା । କେବଳ ଏଇ ଶାନ୍ତ ନୀଡ଼ଟି ଭିତରୁ ନିରୀହ କାପ୍ତାଟିକୁ କିଏ ମାରି ଖାଇ ଦେଇଛି, ସେ ନାହିଁ । ଏଇ ଯେପରି ହୁଏ, ଟିକିଏ ଆଗରୁ ଯାହା ଥିଲା କୋଠା ଘର ଖେଳପଡ଼ିଆ, ଲୋକ ଗେଞ୍ଜିଗାଞ୍ଜି ହୋଇ ଚଳୁଥିଲେ, ବୁଲୁଥିଲେ, ଟିକିଏ ପରେ ଗୋଟାଏ ବୋମାମାଡ଼ ପରେ ସେ ବଦଳି ଗଲାଣି, ତାର ଚେହେରାହିଁ ଭିନେ । ଧୀରେ ଧୀରେ ସବୁ ବଦଳିବ । ଲାଗୁଛି ଏଇ ଯେପରି କି ଶେଷ ସମ୍ବନ୍ଧ ଏ ଗାଁ ସଙ୍ଗରେ । ଦୁଃଖ ଭୁଲିହେବ, ଶିବଭାଇ ଭୁଲିହେବ ନାହିଁ । କାଲି ପରି ଲାଗୁଛି, ସେ ଯେତେବେଳେ ଆସିଥିଲେ ଏଠିକି, କେତେ ଘରର କେତେ କାନ୍ଥରେ ଆପଣା ହାତରେ ସେ ମାଟି ଛାଟିଛନ୍ତି । କେତେ ଅଗଣାରେ ରହିଛି ସେ ହାତର ମଠାମଠି । ଲାଗୁଛି ଆଜି, ଯେତେ କର୍ମ କଲେବି ଏଠି ସେ ବୈରାଗ୍ୟ ରଖିପାରି ନାହାନ୍ତି, ଏଇ ମାଟିର ମମତାରେ ବନ୍ଧା ପଡ଼ିଯାଇଛନ୍ତି । ଆଶ୍ରମ ଘର ପରି ହୋଇଯାଇଛି । ଘର ଛାଡ଼ିଥିଲେ ବୁଲିବାକୁ, ଏଇ ମାଟି ଖଣ୍ଡକ ତାଙ୍କୁ ବାନ୍ଧି ରଖିଛି । ‘ବାପା’ କହିଲେଣି ନୂଆ ଆଶ୍ରମ ସବୁ ଖୋଲା ହେବ, ଚନ୍ଦ୍ରପୁର ମାଳ ଭିତରେ, ସେଠିକି ଯିବାକୁ ହେବ । ଭୂଦାନ କାମ ଡାକୁଛି । ବୁଲିବାକୁ ହେବ ତ, ବସିପଡ଼ିଲେ ଚଳିବ ?

 

ମାୟା ତୁଟିଯାଇଛି, ତୁଟିଯାଇଛି ସମ୍ବନ୍ଧଶୀଳ ସଂସ୍ଥାରେ ସମ୍ବନ୍ଧମାନଙ୍କ ବିଷୟରେ ସ୍ଥାଣୁତ୍ୱବୋଧ । କି, ଯେପରିକି ଅନ୍ତର ଭିତରେ ସୂଚାଇ ଦେବାକୁ ଚାହେଁ ଯେ ଆମେ ଯାହା ଦେଖିଛୁଁ, କେତେ ପ୍ରକାର ସମ୍ବନ୍ଧରେ ଛନ୍ଦାଛନ୍ଦି ହୋଇଥିବା ଏକ ଚିତ୍ର, କାଲି ସେ ସମ୍ବନ୍ଧ ଓ ସଜାସଜିରେ ବଦଳଉଦଳ ହେଲେ ଛବି ବଦଳିଯିବ ଏବଂ ସେ ବଦଳଉଦଳ ହେଉଥିବହିଁ ତ ।

 

ଆଜି ମନେପଡ଼ୁଛି, ଯେତେବେଳେ ସେ ଏ ଆଶ୍ରମକୁ ଆସିଥିଲେ-ଘର ତୋଳିବାକୁ ନୁହେଁ, ଘରେ ବିଶ୍ରାମ ନେବାକୁ ନୁହେଁ, କର୍ମରତା ଏକ ତପସ୍ୱିନୀ ଜୀବନଯାପି ଘୂରି ବୁଲିବାକୁ । ପଥରଘର ଭାଙ୍ଗିଲା ପରେ ଯଦି ସେ ପତରଘରେ ବାସ ନେଇଥିଲେ ମାୟାରେ, ମାୟାରେ ସେ ବି ଆଉ ଥରେ ପଥରଘର ପାଲଟିଯାଇଛି ।

 

ଏଥର ତାଠୁଁ ବି ପଳାଇବାକୁ ହେବ ।

ନିଜଠୁଁ ପଳାଇବାକୁ ହେବ ନିଜକୁ ।

ନୂଆ ଚିନ୍ତାଧାରା, ନୂଆଦିଗ, ଗତି ।

ସ୍ଥିତି ନୁହେଁ, ଗତି–ଯିବାକୁ ହେବ ତ’ ।

 

ଆଉ ଏମିତି ଏ ମଣିଷର ସ୍ୱଭାବ, ଯେଉଁଠି ଛାଇତଳ ପାଏ ଟିକିଏ ବସିଯାଏ, ଯେଉଁଠି ଦେଖେ ପାଣିଧାର, ଟିକିଏ ବସିଯାଏ, । ବସୁ ବସୁ ଆସେ ଅଳସେଇବାକୁ ଇଚ୍ଛା, ବସାବାନ୍ଧିବାକୁ, ଗାଈଗୋରୁ ପାରା କୁକୁଡ଼ା କରି ଦୋଟି ଜନ୍ତୁ ପୋଷିବାକୁ, ଖୋଳିତାଡ଼ି ଦିଟା ମଞ୍ଜି ବୁଣିବାକୁ । ଛାଇତଳେ ବସୁ ବସୁ ସେ ପତ୍ରକୁଡ଼ିଆ ବାନ୍ଧେ, ତାପରେ ଘର ତୋଳେ, ଗାଁ ଗଢ଼େ, ମାୟାରେ ପଡ଼ି ସଂସାର ଗଢ଼ି ଆପଣାକୁ ଆପେ ବାନ୍ଧିପକାଏ, ଅଘୋରି ଘର କରେ, ତପସ୍ୱୀ ହୁଏ ଗୋଠର ପିତା, ଅଖଳା ମନରେ ଲୁଣି ଚରିଲା ପରି ଚରିଯାଏ ସ୍ୱାର୍ଥର ବିଷ ।

 

ଏମିତି କେବେ, ଗୋରୁ ଗୋଠ ଧରି ପିଲାପିଚିକା ଧରି ଏମୁଣ୍ଡୁ ସେମୁଣ୍ଡ ବୁଲିଲାଗିଥିଲେ ଯେଉଁ ଦଳ ଦଳ ଲୋକ, ଧାର ଲାଗିଥିଲେ ଦିଗ୍‌ବଳୟରୁ ଦିଗ୍‌ବଳୟକୁ, ଆଜି ଏଠି କାଲି ସେଠି ହୋଇ ଚାଲିଥିଲେ ପୁରୁଷ ପୁରୁଷ ଯାକ, ସେମାନେ ବସିପଡ଼ି ପୁଣି ଘର କରିଥିଲେ, ଚଲାବାଟର ନିଶା ଛାଡ଼ି ଧରିଥିଲେ ଛାଇତଳର ଆସକ୍ତି । ଏକ ପୃଥିବୀ, ଏକ ମନୁଷ୍ୟଜାତି ଚେତନାର ମହାମାନବିକତା ଛାଡ଼ି ଗଢ଼ିଥିଲେ ଜାତି ଓ ଜାତିଭେଦ, କର୍ମକାଣ୍ଡ । ଅପା ଭାବୁଥିଲେ, ଆପେ କେମିତି ଏ ବଣକୁ ଘରଦ୍ୱାର ଛାଡ଼ି ଚାଲିଆସିଥିଲେ, ଏଇ ଅଚିହ୍ନା ଗିରିଜନଙ୍କ ସେବାକରି ତାଙ୍କର ଉନ୍ନତି କରି କରି ବୁଲିବାକୁ । ଦେଖୁ ଦେଖୁ କେଇଟା ବର୍ଷରେ ଏ ବି ହେଲାଣି ତାଙ୍କ ଗାଁ, ତାଙ୍କ ଆଶ୍ରମ, ତାଙ୍କ ଲୋକ । ସେ ବି ଆଶ୍ରମ ହତାରେ ବାରିବଗିଚା କଲେଣି, ଅନ୍ୟମାନଙ୍କ ସଙ୍ଗେ ମିଶି ପର୍ବତରେ ସାନକରି ଖଣ୍ଡେ ହରଡ଼ (କାନ୍ଦୁଲ) କ୍ଷେତ ବି କଲେଣି । ଆଶ୍ରମ ଚାଳରୁ ଶିକା ଓହଳେଇ ବୋଇତିକଖାରୁ, ପାଣିକଖାରୁ ସଂପାଦି ଝୁଲେଇଲେଣି, ତୋଳି ତୋଳି କପା ସଂଗ୍ରହକରି ରଖିଲେଣି, କେତେ କାଠିକୁଟା ସଂଗ୍ରହ କରି ଥୋଇଲେଣି । ଅହିଂସା ସତ୍ୟ ଅଶ୍ରେୟ ଓ ବ୍ରହ୍ମଚର୍ଯ୍ୟ ସହିତ ଅସଂଗ୍ରହ ମଧ୍ୟ ଏଗାରବ୍ରତରୁ ଗୋଟିଏ ବ୍ରତ ବୋଲି ଧରା ହୋଇଛି ତାଙ୍କ ପନ୍ଥାରେ, କିନ୍ତୁ ସଂଗ୍ରହ ଯେପରିକି ପ୍ରକୃତିଗତ ସ୍ୱଭାବ ଏ ମଣିଷଜାତିର । ସେ କେଉଁ ଛଟକରେ ହେଲେ ଲୁଚି ଲୁଚି ଆତ୍ମପ୍ରକାଶ କରେ । ସଂଗ୍ରହ ସୃଷ୍ଟି କରିବ ବନ୍ଧନର ବେଢ଼ି । ନା, ଯିବାକୁହିଁ ହେବ ।

 

ଶିବଭାଇକୁ ବାଘଖିଆ ବିଚାରର ସୁସ୍ଥୀ ଓ ଥାଇତାପଣକୁ ଓଲଟାଇ ଦେଇ ଅନ୍ତର୍ଦୃଷ୍ଟି ପାଇଁ ଦ୍ୟୋତନା ସୃଷ୍ଟି କରିଛି । ନୂଆକରି ମୂଲଭେଲ ଲାଗିଛି ।

 

ଗାଁ ତଳମୁଣ୍ଡରେ ପାଟି ଆରମ୍ଭ ହେଲାଣି । ଦାଣ୍ଡରେ ଗୋଟିଏ ଦଳ ବଢ଼ି ବଢ଼ି ଉଠୁଛି । ଅପା ତେଣେ ମୋହିଁଲେ ।

 

ପାଟିକରୁଛି ବୁଢ଼ା ହିକୋକା ପେଜୁ କନ୍ଧ । ଖାଲି ପାଟି ନୁହେଁ, ଗୋଟିଏ ଭାଷଣ ଦେଉଛି-। ଶ୍ରୋତା ଜମା ହୋଇଛନ୍ତି । ଡେଙ୍ଗା ଧଡ଼ରା ଶୁଖିଲା ବୁଢ଼ାଟିଏ, କୋଡ଼ିଏ ବର୍ଷ ତଳେ ତା ସ୍ତ୍ରୀକୁ ବାଘ ଖାଇଥିଲା । ତା’ର ଆଉ କେହି ନାହିଁ । ବେଳେବେଳେ ତାକୁ କାଳିସୀ ଲାଗେ, ସେତେବେଳେ ସେ ଠାକୁରମାନଙ୍କ ଇଚ୍ଛା ପ୍ରକାଶ କରେ ବୋଲି ଲୋକେ ଭାବନ୍ତି ।

 

ପେଜୁ କନ୍ଧ କହୁଥାଏ–‘‘କାଲି ଜଣକୁ ଖାଇଲା, ଆଜି ଆଉ ଜଣକୁ ଖାଇବ । ଗଲା ଖାଉ ଖାଉ ସମସ୍ତେ ଶେଷ । ଗାଁ ପାତଳ ହୋଇଯିବ, ଶେଷରେ ସରିଯିବ, ଭାଙ୍ଗିଯିବ । କାହିଁକି ଜାଣିଚ-? ଦେବାତାମାନେ କୋପ କରିଛନ୍ତି । କାହିଁକି କୋପ ଜାଣିଚ ? ଆମେ ତାଙ୍କର ସବୁ ବିଧିବିଧାନ ବନ୍ଦ କରିଦେଲୁଁ ବୋଲି । କାହିଁକି ବନ୍ଦ କଲୁଁ ? ଏ ଅପା କୁହାରେ ପଡ଼ି । ଗୋରୁ ପୋଢ଼ ହାଣିବା ବନ୍ଦ କଲା, ରନ୍ଧାମଦ ରାନ୍ଧିବା ବିକିବା ବି ବନ୍ଦ କଲା । ମଦ ନାହିଁ କି ମାଉଁସ ନାହିଁ, ଝାଙ୍କର ଦେବତା କେତେକାଳ ସମ୍ଭାଳିବ ? ଆମେତ ଆମର ଲେଙ୍ଗୁଟି ପିନ୍ଧୁଥିଲୁ ଭଲଥିଲୁ, ସେ ଶିଖେଇଲା ଲୁଗା ପିନ୍ଧ । ଦେବତା କ’ଣ ଶରଧା ପାଇବ ? ସବୁଦିନେ ଖାଇବାଟା–ଗୋରୁ, ତାକୁ ବନ୍ଦ କରେଇଲା । କେବେ ନ ଖାଇବାଟା, ଯେମିତି ଆଳୁ, ଟମାଟ, କୋବି, କାକୁଡ଼ି, ସେଗୁଡ଼ା ଖୁଆଇଲା-। ସୂତା କଟାଇଲା । କୋଉ କାଳେ କନ୍ଧପିଲା ପାଠ ପଢ଼େ ? ଦେଖ ସେ ପିଲାଙ୍କୁ ପାଠ ପଢ଼େଇଲା-। ଏ କାମ ଯେଡ଼େ ଭଲ ପରି ଆମୁକୁ ଲାଗୁ ପଛେ ଏ କାମ କୋଉ ଜନ୍ମରେ କନ୍ଧର କାମ ନୁହେଁ । ଦେବତା ରାଗୁଥିଲେ, ପୂର୍ବପୁରୁଷ ରାଗୁଥିଲେ, ଧରିଲେ ଆଗ ଶିବକୁ-ସବୁ ନୂଆ କଥା ସେଇ ଆଗ କରୁଥିଲା କିନା ! ଆଗ ତାକୁ ବାଘ ଖାଇଲା । ଆପଣା ଧର୍ମ ଆପଣା ଆଚାର ଛାଡ଼ିଲେ ଏମିତି ହୁଏ-। ବହୁତ ହୋଇଗଲା, ଏଥର ଛାଡ଼ ଏସବୁ । ଯେମିତି ଆମ ପୂର୍ବପୁରୁଷ ଥିଲେ, ବଞ୍ଚି ଥିଲେ, ଆମର ବାପା, ତାର ବାପା, ସେମିତି ଆମେ ବି ଚଳିବା, ବାଣ ମାରିବା, ଗୋରୁ ମାରି ଖାଇବା, ମଦ ଖାଇବା, ଏ ନୂଆ ଏ କଣ ଆମର ଦରକାର ନାହିଁ । କହିଦିଅ ଅପାକୁ, କହିଦିଅ ରାଇଜଯାକଙ୍କୁ, ଯେ ଯେତେ ଆସୁଛନ୍ତି ଆମୁକୁ ହିତ କରିବାକୁ ବୋଲି କହୁଛନ୍ତି, କହିଦିଅ ସମସ୍ତିଙ୍କୁ ଯେ ଆମର ଆମେ ଯେମିତି ମନ ସେମିତି ଚଳିବୁଁ, କେହି ଆମର ହିତ କରିବା ଦରକାର ନାହିଁ ।

 

ଘୋଘା ହୋଇ ଲୋକେ ସମର୍ଥନ ଜଣାଉଛନ୍ତି । ମନ ଭିତରେ ଗୋପନ ଅନ୍ଧାର ସମର୍ଥନ ପାଇଛି । ସଫା ହୋଇଥିବା ଅରଣ୍ୟ ଯେପରି କି ସନ୍ଧାନ ପାଇଛି ବରଷାର, ମାଟିତଳୁ ଥୁଣ୍ଟା କଅଁଳି ଉଠିଛି, ଟିକିଏ ଛାଡ଼ିଦେଲେ ଛାଇଯିବ ବଣ ।’’

 

ଗୋଟାଏ ବାଘଖିଆର ଉପଲକ୍ଷ୍ୟ ଦେଖାଇ ଏମାନେ ପୁରୁଣା ପ୍ରଥା ପୁରୁଣା ସଂସ୍କାରକୁ ଫେରାଇ ଆଣିବାକୁ ଖୋଜୁଛନ୍ତି–ଶିବ ମରିବାର ଚବିଶି ଘଣ୍ଟା ବି ହୋଇନାହିଁ ।

 

ବିରକ୍ତ ହୋଇ ଅପା କହିଲେ, ‘‘ବହୁତ କହୁଛି ପେଜୁବୁଢ଼ା । ଯଦି ଗୋରୁ ନ ହାଣିଲେ, ମଦ ନ ରାନ୍ଧିଲେ ବାଘ ଧରନ୍ତା, ତେବେ ତ ଆମ ସମସ୍ତିଙ୍କୁ କୋଉଦିନୁଁ ବାଘ ଖାଇସାରନ୍ତାଣି । ତୁମେ ତ ଏତେ ମଦ ରାନ୍ଧୁଥିଲ, ଗୋରୁ ହାଣୁଥିଲ, ପୂଜା ଦେଉଥିଲ, ତେବେ ତୁମ ଭାରିଜାକୁ ବାଘଖାଇଲା କାହିଁକି ? ସେ କଥା ମିଛ, ସେ କଥା କହି ମିଥ୍ୟାରେ ଲୋକଙ୍କୁ ଖରାପ ଆଚରଣ କରିବାକୁ ମତାଅ ନାହିଁ । ବାଘର ସ୍ୱଭାବ ସେ ଜନ୍ତୁ ଖାଇବ, ତା ଆଗକୁ ଗଲେ, ତାର ଖାଇବାକୁ ମନହେଲେ ସେ ନିଶ୍ଚୟ ଖାଇବ, ତୁମେ ଗୋରୁ ହାଣିଲେ ବି ଖାଇବ, ଗୋରୁ ନ ହାଣିଲେ ବି ଖାଇବ । ଆଜି ଆମ କପାଳ ଦୁର୍ଯ୍ୟୋଗକୁ ଆମର ଜଣକୁ ଖାଇଦେଲା ବୋଲି ଧର୍ମକର୍ମ ଆଚାର ସବୁ କଥାକୁ ଅବିଶ୍ୱାସ କରି ଉଡ଼େଇ ଦେଉଛ କାହିଁକି ?’’

 

‘‘ସତେ ତ’’, ଟୋକା ସୀତାନାଥ କହିଲା । ତାର ବାପନାହିଁ, ମା ନାହିଁ, କେହି ନାହିଁ, ପନ୍ଦର ବର୍ଷ ବୟସରେ ତା ଘରକୁ ସେ ମୁରବି, ‘‘ଅପା ସତ କହୁଚି, ଦେବତାକୁ ଗୋରୁ ପୂଜା ନ ଦେଲେ ବୋଲି ଯଦି ଶିବକୁ ବାଘ ଖାଇଲା ତେବେ ପେଜୁବୁଢ଼ାର ମାଇକିନାକୁ କାହିଁକି ଖାଇଲା ? ପଦା ଗାଁମାନଙ୍କରେ କାହିଁକି ଖାଉଛି ।’’

 

‘‘ସେ କଥା ନୁହେଁ ଯେ, ପେଜୁବୁଢ଼ାର ଦାନ୍ତମୂଳ ଶୂଳେଇ ହଉଚି ଖଣ୍ଡେ ବେଶିରା ହାଡ଼ ରେକିଟ୍‌ବାକୁ, ଅଭ୍ୟାସଟା ଛାଡ଼ିଗଲାଣି କିନା !’’ ଲଚ୍ଛମନ କହିଲା, ‘‘ଆଉ ତଣ୍ଟିଟା ବି ଅଠା ଅଠା ହେଇଯାଉଥିବ, ଯେତେହେଲେ ଡିପୁ ମଦ ରନ୍ଧାମଦ ସାଙ୍ଗରେ ପଡ଼ିବ କି ? ସେଥିପାଇଁ ଭାବି ଭାବି ବୁଢ଼ା ଗୋଟାଏ ପାଠ ବାହାର କରୁଛି ।’’ ସମସ୍ତେ ହସି ଉଠିଲେ ।

 

ପେଜୁବୁଢ଼ା ଅପ୍ରସ୍ତୁତ ହୋଇ କହିଲା, ‘‘ବାଘ କିଏସେ ବୋଲି ତୁମେ ଭାବିଚ ? ବାଘ ଠାକୁରାଣୀ ମା’ର ପୋଷା କୁକୁର । ଆମେ ଯେମିତି ଡ୍ରୁଃ ଡ୍ରୁଃ କହି କୁକୁର ଲଗେଇ ଦଉ, ଠାକୁରାଣୀ ସେମିତି ବାଘକୁ ଲଗେଇ ଦିଏ । ତାର ପୂଜା ଊଣା ହେଲେ ତା କୁକୁର ଆମୁକୁ ଗୋଡ଼େଇ ଗୋଡ଼େଇ ଖାଇବ ।’’

 

‘‘ତା ପୂଜା ଆମେ ଊଣା କଲୁ କି ? ସବୁ ତ ତାର, ସେ ଯାହା ମନକରିବ ତା ଖାଇବ ।’’ ଲଛମନ କହିଲା, ‘‘ଆଉ ରନ୍ଧାମଦ ଦେଲେ, ବୁଢ଼ା ହଡ଼ା ଦେଲେ ଶରଧା କରିବ ଏକଥା କିଏ କହିଲା ? ସେମିତି ହେଇଥିଲେ ଆମ ପୂର୍ବପୁରୁଷ ଯେତେବେଳେ ମଣିଷ ବଳି ବନ୍ଦକଲେ ସେତେବେଳୁ ସମସ୍ତିଙ୍କି ଠାକୁରାଣୀ ଖାଇ ସାରନ୍ତାଣି, ଆଉ କେହି ନ ଥାନ୍ତେ । ଅପା ସତ କହୁଚି, ଏବେ ଆମକୁ ବିପତ୍ତି ପଡ଼ିଗଲା ବୋଲି ଭଲ ବାଟଟା ଛାଡ଼ି ଅବାଟରେ ପଶିଯିବା କାହିଁକି ?’’

 

‘‘ସତ ସତ ସତ’’ ଗହଳି ହୋଇ ସମର୍ଥନ ହେଲା । ଲାଜରା ହୋଇ ପେଜୁବୁଢ଼ା ତାର ଗୁହାଳ ସଫା କରିବାକୁ ଚାଲିଗଲା ।

 

ଅପା କହିଲେ, ‘‘ବେଳକୁ ଅନାଅଁ, ପାହାଡ଼ ସେପାଖେ ଲାଠିଏ ବେଳ, ଚାହୁଁ ଚାହୁଁ ଆଉ ଦି’ବାଡ଼ି ଉଠିଯାଇଥିବ । ତୁମେ ଭୁଲିଯାଉଛ ଯେ, ଯିବା ନାହିଁ ଖୋଜିବାକୁ ?’’

 

ହଠାତ୍ ଯେପରିକି ବିଷାଦ ଓହ୍ଳାଇଲା । ସମସ୍ତେ ତୁନିତାନି । ଅପା କହିଲେ, ‘ଯାହାଠି ଯାହା ଅଛି, ନଳ, ଧନୁ, କାତି ଟାଙ୍ଗି ସବୁ ଧରି ଏକାଠି ବାହାରିପଡ଼, ଯିବା । ଆଉ ତ କିଛି ନ ଥିବ, ଯାହା ମିଳିବ ତାକୁ ନେଇ ଆସିଲେ ସତ୍କାର ହେବ ।’’

 

ଲଛମନ କହିଲା, ‘‘ଉଠ ଉଠ, ଚାଲ ଚାଲ, ଆଉ ଡେରି ହେଲେ କିଛି ମିଳିବ ନାହିଁ ।’’

 

ମୁକ୍ତା କାନ୍ଦିକାନ୍ଦିକା ଆସି ପହଞ୍ଚିଲା । ଅର୍ଜ୍ଜୁନ କହିଲା, ‘‘ଏତେ କାନ୍ଦାନା ଖୁଡ଼ୀ, କାନ୍ଦନା । ଆମର ତ ସକାଳୁ ଉଠିଲେ ପେଟଧନ୍ଦା, ଯଦି ବସି ବସି କାନ୍ଦିବ, ମରିଯିବା ଲୋକ ସଙ୍ଗରେ ମରିଯିବାକୁ ହେବ, ଦୁଃଖରେ ନ ମଲେ ଭୋକରେ ମରିବ । ଯେ ଲୋଡ଼ିବ ବଞ୍ଚିବାକୁ ତାକୁ ଆଖି ପୋଛି ପକାଇବାକୁ ପଡ଼ିବ ।’’ ଅପା ପଚାରିଲେ, ‘‘ସାନଟା କାହିଁ ?’’ ସାନଟା ଅର୍ଥ ଶିବକୁ ଆଉ ଥରେ ବାହାଦେବାପାଇଁ ମୁକ୍ତା ଯେଉଁ ଝିଅଟିକୁ ଆଣି ଲୁଚେଇ ରଖିଥିଲା ।

 

‘‘ସକାଳୁ ସେ ନାହିଁ ଅପା, ରାଧେନା ଦେଖିଥିଲା, କହୁଥିଲା ବୁଜୁଳାଟିଏ ଧରିଚି, କାନ୍ଦି କାନ୍ଦି ବାଟେ ବାଟେ ତା ଗାଁ ଆଡ଼କୁ ଚାଲିଯାଉଛି । ସମସ୍ତେ ଗଲେ, ଏକା ମୁଁ ପଡ଼ିରହିଲି ଅପା !’’ ମୁକ୍ତା କଇଁ କଇଁ ହୋଇ କାନ୍ଦି ଉଠିଲା ।

 

‘‘ଥାଉ, ଥାଉ, ଛାତିକି ପଥର କର, ତୁନିହ କାନ୍ଦନା, ତତେ ବଞ୍ଚିବାକୁ ପଡ଼ିବ ଯେ । ହଁ ଆସ ତୁମେମାନେ, ବାହାର, ମଠ କରନାହିଁ । ‘‘ମୁଁ ବି ତୁମ ସଙ୍ଗରେ ଯିବି ।’’ ‘‘ନାଇଁ ତତେ ନବୁ ନାଇଁ ମୁକ୍ତା, ତୁ ଘରେଥା । ଚନ୍ଦ୍ରମା ତାକୁ ରଖିଥା । ଯା ଜେନି, ପ୍ରସ୍ତୁତ ହ, ଆମେ ଆସିବା ଡେରି ହେଲେ ବି ତୋର ଯେମିତି ଡେରି ନ ହୁଏ । ଦିଟାବେଳେ ରେଲ୍‍ରେ ରାୟଗଡ଼ା ଯାଇ ଖବର କହିବୁ ।’’

 

ଟିକିଏ ପରେ ଲୋକେ ଚାଲିଲେ, ତାଙ୍କ ସାଙ୍ଗରେ ଅପା । କାହାରି ତୁଣ୍ଡରେ କଥା ନାହିଁ-। ସେମାନେ ଜାଣନ୍ତି ସେମାନେ କୁଆଡ଼େ ଯାଉଛନ୍ତି, ସେମାନେ ଅନୁମାନ କରିପାରୁଛନ୍ତି ସେଠି କ’ଣ ଦେଖିବେ ।

 

ଚାଲିଛନ୍ତି ପାହାଡ଼ ଆଡ଼କୁ । ଆୟୁଧ ଓହଳି ପଡ଼ିଛି, ବେକ ଝୁଙ୍କି ପଡ଼ିଛି ।

 

ଅପା ତାଙ୍କୁ ମନେପକାଉଛନ୍ତି । ସତେ ଯେପରିକି ଆଗେ ଆଗେ ଚାଲିଛି ସେ ହସ ହସ ମଣିଷଟି । ଯେପରିକି ସେ ସିଧା ହୃଦୟ ଭିତରକୁ କଥା କହୁଚି-

 

‘‘କାହିଁକି ଆସୁଚ କୁଆଡ଼େ ଆସୁଚ ଅପା ? ମୋ ପାଇଁ କେହି ତୁମେ ଭାବନାହିଁ । ଏକା କ’ଣ ମୁଁ-ଏମିତି କେଜାଣି କେତେ ଶହ ଲୋକଙ୍କୁ ପ୍ରତିବର୍ଷ ବାଘ ଖାଏ । କିଏ ଆଜି ଗଲା, କିଏ କାଲି ଯିବ । ଦୁଃଖ କାହିଁକି ?’’

 

‘‘ତଥାପି...’’ ଅପା ମନକୁ ମନ କହିଲେ, ଚମକି ପଡ଼ିଲେ କେହି କହୁନାହିଁ, ଲୋକ ଚାଲିଛନ୍ତି, ଆଗରେ ସେଇ କାନ୍ଦୁଲ ଡଙ୍ଗର । ଆପଣା ଭିତରେ ଦୁଇଟି ସ୍ୱର ।

 

ଜାଣତା ମନରେ ନିଜକୁ ନିଜେ କହିଲେ, ‘‘ତଥାପି ଯିବାକୁ ହେବ ତ । ସଂସାରରେ ମୃତ୍ୟୁ ଅଛି, ତଥାପି ଜୀବନ ଅଛି, ସ୍ନେହ ପ୍ରୀତି ଅଛି । ଲୋକ ଘର ବି କରନ୍ତି ।’’

 

ନିୟମଗିରି ପର୍ବତ ଚଢ଼ି ଚଢ଼ିକା ଚାଲିଛନ୍ତି ଦୁଇଜଣ ଭୂଦାନ କର୍ମୀ, ଜଣେ ଡେଙ୍ଗା ଜଣେ ବାଙ୍ଗର, ଜଣେ ଶ୍ୟାମଳ ଜଣେ ଗୋରା, ଜଣେ ସ୍କୁଲ ପଢ଼ା ସାରିଥିଲେ, ଜଣେ ବି.ଏ ପାଶ୍, ପରେ ଆଇନପଢ଼ା, ଜଣେ ରଇତ ଘରର, ଜଣେ ଜମିଦାର ଘରର, କିନ୍ତୁ ଉଭୟେ ସେହି ଏକା ପନ୍ଥାର, ଯହିଁରେ ଚେଷ୍ଟା କରାହୁଏ ଆତ୍ମାଦ୍ୱାରା ଆତ୍ମାକୁ ଦେଖିବାକୁ । ଏକା ବୟସର ଦୁହେଁ ସେହି ତିରିଶି କି ବତିଶି, ଆଣ୍ଠୁ ପାଖ ପାଖ ମୋଟା ଖଦଡ଼ ଲୁଗା, ଦେହ ଖାଲି, ମୁଣ୍ଡରେ ତେଲ ନାହିଁ । ଦୂର ସମତଳରୁ, କିଏ କଟକ ଜିଲ୍ଲାରୁ, କିଏ ବାଲେଶ୍ୱର ଜିଲ୍ଲାରୁ ଆସି ଏ ବଣ ମାଳରେ ବୁଲି ବୁଲି ଭୂଦାନ କାମ କରୁଛନ୍ତି, ମଫସଲ ସଙ୍ଗେ ଛାତିକୁ ଛାତି ମିଶିଯାଇଛନ୍ତି, ଆପଣା କାମ ଆପେ କରିବା, ମିଳିଲେ ଖାଇବା ନ ମିଳିଲେ ନାହିଁ, ଚାଲୁଥିବା ଥକିବା ନାହିଁ, ପଡ଼ୁପଛେ ଦିନକୁ ପଚିଶି ତିରିଶି ମାଇଲ, ଏସବୁ ଅଭ୍ୟାସ ହୋଇଗଲାଣି । ବି.ଏ.ପାସ୍ ଗୋରା ବାଙ୍ଗରା ଜଣକ ଜନୁଭାଇ, ଆର ଜଣକ ରମୁଭାଇ, ନାଁ ଆଗରୁ ‘ଶ୍ରୀ’ ପଦ ନାଁ ଶେଷରେ ଜାତିର ପଦବୀ କେବେଠୁ ଲୁଚିଗଲାଣି-। କେବଳ ସେମାନେ ‘ଭାଇ’, ଯେଉଁଠି ମଣିଷ ଅଛନ୍ତି ସେ ସେଠି, ସେମାନେ ଭାଇ, ଅତି ସରଳ ଦୀକ୍ଷା ।

 

ସାଢ଼େ ଏଗାରଟାରେ କଲ୍ୟାଣସିଂହପୁର ଛାଡ଼ିଥିଲେ, ବେଳ ଢଳିଲାଣି । କଲ୍ୟାଣସିଂହପୁରର ସାନ ନାଁ ସିଂପୁର୍ । ଉତ୍ତର ଦକ୍ଷିଣ ହୋଇ ଶୋଇ ରହିଛି ବିଖ୍ୟାତ ନିୟମଗିରି ପର୍ବତମାଳା କାହିଁ ପଚାଶ ମାଇଲ ଲମ୍ବ ତିରିଶ ମାଇଲ ଓସାର, ସେଥିରେ ଅସଂଖ୍ୟ ଶୃଙ୍ଗ, ଅସଂଖ୍ୟ ମାଳଭୂମି, ଉପତ୍ୟକା । ତାର ପୂର୍ବପାଖେ ଲମ୍ବ ହୋଇ ଚାଲିଛି ରାୟପୁର ଆଡ଼କୁ ରେଲ୍‍ ଲାଇନ । ସେଠି ମୁନିଗୁଡ଼ା ଷ୍ଟେସନ ତାର ପଶ୍ଚିମ ପାଖେ କଲ୍ୟାଣସିଂହପୁର ଓ ନାଗାବଳୀ ନଦୀ । ନିୟମଗିରିର ଅସଲ ମଞ୍ଜ କଲ୍ୟାଣସିଂହପୁରରୁ ମୁନିଗୁଡ଼ା, ସେ ଦୀର୍ଘବାଟ, ୩୬ ମାଇଲ । ଏହି ବାଟରେ ନିୟମଗିରିର ଚାରି ହଜାର ଫୁଟ ଉଞ୍ଚ ପାଞ୍ଚହଜାର ଫୁଟ୍ ଉଞ୍ଚ ପାହାଡ଼ମାନ, ଡଙ୍ଗ୍ରିଆ କନ୍ଧର ଅସଲ ଘର ଏବଂ ସେହି ପର୍ବତ ଶୃଙ୍ଗ, ସବୁ ଶୃଙ୍ଗଠାରୁ ଉଚ୍ଚ, ଯାହାର ନାଁ ନିୟମଗିରି ।

 

ସେହି ଛତିଶି ମାଇଲ ତେର୍ଚ୍ଛାବାଟରେ ପର୍ବତ ଉପରେ ପର୍ବତ ଚଢ଼ି ଚଢ଼ିକା ଚାଲିଛନ୍ତି ଜନୁଭାଇ ଓ ରମୁଭାଇ, ଆଶ୍ଚର୍ଯ୍ୟ ଡଙ୍ଗ୍ରିୟା କନ୍ଧର ଆଶ୍ଚର୍ଯ୍ୟ ଦେଶ ଭିତରେ । କଲ୍ୟାଣସିଂହପୁର ଗଲା, ନଈ ପାରିହୋଇ ଗଲା, ଡମ୍ବଲୋକଙ୍କ ଗାଁ ବଡ଼ଦୁଆରସାହି, ଗିରିଆଗୁଡ଼ା, ତାପରେ ବଡ଼ ସାନ ହୋଇ କରେ କରେ ଉଡ଼ୁଆଳରେ ଗାଁ ରହିଗଲା, ବନସ୍ତ ଉପରେ ଉପରେ ଚଢ଼ି ଚଢ଼ି ପହଞ୍ଚିଲେ ପ୍ରଥମ ଡଙ୍ଗ୍ରିଆ ଗାଁ ପାତ୍‌ଲାମ୍ବା । ପାହାଡ଼ ଉପରେ ଚାରିପାଖେ ବାଡ଼ ବୁଜା ହୋଇ ଛ’ଟି ଘର ଏକାଠି, ସେତିକିରେ ଡଙ୍ଗ୍ରିଆ ଗୋଟିଏ, ଆମ୍ବତୋଟା ତେନ୍ତୁଳିତୋଟା ତାର ସଙ୍କେତ । ଗାଁ ପାଟୁ ବିଶିମାଝି ଅର୍ଥାତ୍ ମୁଣ୍ଡିଆଳର ନା ସିକୋକା ବଂଶର ସମ୍ବ୍ରା । ବାଡ଼ ସେପାଖେ ରିଜର୍ଭ ବଣ, ଆଷାଢ଼ ମାସରେ ସେହି ବାଡ଼ ସେପାଖରୁହିଁ କେରାବୁଢ଼ାକୁ ମହାବଳ ବୋହି ନେଇଥିଲା । ଗାଁରେ ପ୍ରଚୁର ଆମ୍ବ ଟାକୁଆ ସାଇତି ରଖିଛନ୍ତି । ଆମ୍ବ କୋଇଲିହିଁ ପ୍ରଧାନ ଖାଦ୍ୟ । ଅଳ୍ପ ମାଣ୍ଡିଆ, କିଛି ଜୋଣା, କୋସ୍ଳା, ସୁଆଁ ବି ଅଛି, ବଣର ଶାଗଡାଳ, ଜନ୍ତୁ ଏଥିରୁ ବି କିଛି ଖାଦ୍ୟ ଭେଟାଏ । ସମ୍ବ୍ରା ମାଝି ଘର ଭିତର; ସଢ଼ା ସମ୍ବରମାଂସ ରଖିଛି ଭଣଭଣ ଗନ୍ଧଛାଡ଼ୁଛି । ତାର ସ୍ତ୍ରୀ କହିଲା, ବଳିଆ କୁକୁର ସମ୍ବର ମାରିଥିଲା ଯେ ଏ ଲୋକେ ଛଡ଼େଇ ଆଣିଥିଲେ । ‘‘ସଢ଼ା ମାଂସ ଖାଇଲେ ଦେହ ବିଗିଡ଼ିବ ଯେ !’’ ଜନୁଭାଇ କହିଲେ । ‘‘ଏଁ…..ଦେହ ବିଗିଡ଼ିବ । କେହି ତ କହି ନାହିଁ ମତେ କେବେ...କିଏ ଆସୁଥିଲା ଯେ କିଏ କହୁଥିଲା !’’ ସମ୍ବରା ବୁଢ଼ୀ ଓ ସମ୍ବ୍ରା ଦିହେ କହିଲେ ।

 

ଅନ୍ଧାର ବିଲ୍‌ ବିଲ୍‌ । ପାହାଡ଼ି ପବନ ଦାଉରୁ ବଞ୍ଚିବାପାଇଁ ଚାଳକୁ ନଇଁ ଆଣିଛନ୍ତି ଭୂଇଁ ପତ୍ତନରୁ ଦି’ଫୁଟ୍ ଉଞ୍ଚ ପର୍ଯ୍ୟନ୍ତ । ଚାଳ ଆଗରେ ବସି ଲେପ୍‌ଟେଇ ପିଣ୍ଡାକୁ ପଶିବାକୁ ହୁଏ । ପଶିଗଲେ ଦିଶେ ଓଷାର ପିଣ୍ଡା, ପରିଷ୍କାର ଘର, ଉଞ୍ଚ ଚାଳ । ଭିତରେ ଆମ୍ବଟାକୁଆ, ତେନ୍ତୁଳିମଞ୍ଜି ପ୍ରଚୁର ରଖାହୋଇଛି । ଚାଳରେ ଗୁଞ୍ଜାହୋଇଛି ଶୁଖିଲା ମାଂସ, ହାଡ଼, ଶିଙ୍ଗ, ନାନା ଦ୍ରବ୍ୟ ।

 

ତା’ପରେ ଭୀଷଣ ଅରଣ୍ୟ ଘେରେଇ ହୋଇ କଂସୁଲୁରୁ ଗାଁ, ମୋଟେ ତିନି ଘରର ବସତି, ଗୋଟିଏ ଧାଡ଼ିରେ । ଗାଁ ଚାରିପାଖେ ବିଶହାତ ଓସାରରେ ତାଷ କ୍ଷେତ, ତେଣିକି ପୁଣି ଜଙ୍ଗଲ । ଜଙ୍ଗଲ ବଢ଼ି ବଢ଼ି ଚାଲିଲା । କଂସୁଲୁର ରିଜର୍ଭ ବଣ ନାଁ ଡାକ୍ । ବଣେ ବଣେ ଗଲେ ପଡ଼େ ପାରିଲିଗାଁ, ଗାଁ ଭାଙ୍ଗି ଯାଇଛି, କେବଳ ଜନ୍ତୁ ଭୟରେ । ଚଢ଼ାଣି ବାଟରେ ଉପରକୁ ଉପରକୁ ଝରଣା ମୁହଁରେ ବତା ଫାଳ ବସାଇ ଦେଇ ଝରଝର ପାଣିକଳ କରା ହୋଇଛି । କେଉଁଠି ଅବା ଝରଣାବାଟରେ ପଥର କୁଢ଼େଇଦେଇ ଝରଣାଠୁଁ ବାଟିଆ କାଟି କ୍ଷେତକୁ ନିଆହୋଇଛି । ଘଞ୍ଚ ଅରଣ୍ୟ ଭିତରେ ଗୋଟାକୁ ଗୋଟା ପାହାଡ଼ଚଢ଼ା । ଠାଏ ପାହାଡ଼ଯାକ ଲଣ୍ଡା କରି କୋସ୍ଳା ଆମଦାନି କରା ହୋଇଥିଲା । ଦିଶୁଛି, କେଉଁ ପାହାଡ଼ଯାକ କଦଳୀ ବଗିଚା, କେଉଁଠି ପଣସ, ସପୁରି ବଣ, କେଉଁଠି ବା ହଳଦି । ଡଙ୍ଗ୍ରିଆର ସଂପତ୍ତି ଏହି ଗୋଟାକୁ ଗୋଟା ପାହାଡ଼, ପାହାଡ଼ଯାକ ତୋଟା, ଗୋଟାଏ ଗୋଟାଏ ତୋଟା ପାଏ ଦି’ପା ବାଟ । ସେହିପରି ପାହାଡ଼ ଚଢ଼ି ଚଢ଼ିକା ନିର୍ଗୁଣ୍ଡି ଗାଁ, ପାଞ୍ଚଘର କନ୍ଧ ପାଞ୍ଚଘର ଡମ୍ବ ହୋଇ ଏକ ବଡ଼ ଗାଁ । ଏ ଗାଁର ବିଶି ମାଝି ସିକୋକା ସିକଲା କନ୍ଧ । ଦେବପୂଜକ ଜାନି ସିକୋକା ବକସି ଟ ୩କୁ ସିଂହପୁରରୁ ଗୋଟିଏ ଛତା କିଣି ଆଣିଛି । ସୁନ୍ଦର ସରସ ହସହସ ଭଦ୍ରଲୋକଟିଏ ସେ । ପିନ୍ଧିଛି କୌପୁନୀ, ତାର ଫେରରେ କାରୁକାର୍ଯ୍ୟ । ଡଙ୍ଗ୍ରିୟା ହାଟକୁ ଯାଇ ହାତବୁଣା କରିଆ କିଣିଆଣେ, ତାକୁ ତାର ପ୍ରେୟସୀକୁ ଦିଏ । କନ୍ଧ ଝିଅ ରଙ୍ଗ ସୂତାରେ ବୁଣାବୁଣି କରିବାରେ ଧୁରନ୍ଧର । ନାଲି ହଳଦିଆ କଳା ତିନି ପ୍ରକାର ସୂତରେ ମାଛ କଣ୍ଟା ପରି ସେ ବୁଣାବୁଣି କରେ, ନ ହେଲେ ତ୍ରିକୋଣ ପକାଏ, ଗୋଲ ଗୋଲ ଫୁଲ ବି ପକାଏ, ଏମିତି ଡଙ୍ଗ୍ରିଆ କୌପୁନିର ଲାଞ୍ଜ ଓ କୁଞ୍ଚ ଶୋଭାପାଏ ।

 

ଗଲା ନିର୍ଗୁଣ୍ଡି, ପୁଣି ପର୍ବତଚଢ଼ା, ପର୍ବତ ଉପରେ ପର୍ବତ, ଚଢ଼ି ଚଢ଼ି ସତେକି ଏକ କାନ୍ଥ ଉପରେ ବଡ଼ ଗାଁ ନିଶିଖାଲ, ଦି’ଧାଡ଼ି ହୋଇ ପନ୍ଦର ଘର ଡଙ୍ଗ୍ରିଆ ଅଛନ୍ତି । ଚାରପାଖେ ଦିଶୁଛି ଆହୁରି ଉଞ୍ଚ ଉଞ୍ଚ ପାହାଡ଼, ପାହାଡ଼ର ଢାଲୁଯାକ ତୋଟା, କଦଳୀହିଁ ବେଶି । ଏହି ତିନିହଜାର ଫୁଟ୍ ମାଳ ଉପରେ କଦଳୀ ବିକ୍ରି ହୁଏ ଅଣାକୁ ଷୋଳଟା । ଟୋକେଇଏ ହଳଦିକୁ ଦେଢ଼ଟଙ୍କା କି ସାତସୁକା । ଡମ୍ବ ବେପାରୀ ଆସି ବୋହି ନିଅନ୍ତି । କଦଳୀକୁ ବିକନ୍ତି ଗୋଟି ଦି’ପଇସା । ଚାଲିଛି ପର୍ବତ ପରେ ପର୍ବତ, ଆଉ ଡଙ୍ଗ୍ରିଆର ଅଦ୍ଭୁତ ଦେଶ ।

 

ବିଚିତ୍ର ସେ ଡଙ୍ଗ୍ରିଆ । ଦେହରେ ଅସୁର ପରି ବଳ । ପାଞ୍ଚହାତ ଉଞ୍ଚ ଡେଙ୍ଗା ମରଦ, ହାତଗୋଡ଼ ବଳିଲାବଳିଲା, ଦେହଯାକ ମୋଟା ସାପ ପରି ମାସଂପେଶୀ ଗୁଡ଼େଇ ହୋଇଛି, ଆଉ ଗୋଲ ଗୋଲ ବଳିଲାବଳିଲା ମାଂସପିଣ୍ଡୁଳା । ଚାରିପାଖର ପଥର ପରି ସେ ବି ଖଣ୍ଡେ ପଥର ଯେପରି କି, କିନ୍ତୁ ଚଳନ୍ତି ପଥର । ସୂତ୍ରପୁରା ତୀଖ ପାହାଡ଼ ଢାଲୁରେ ଆଖି ପିଛୁଡ଼ାକେ ତରତର ହୋଇ ଦଉଡ଼ି ଯାଇପାରେ, ଗୋଡ଼ ଖସେ ନାହିଁ । ଅଥଚ ଅଦ୍ଭୁତ ତାର ଠାଣି ଓ ପୋଷାକ । ପୁରୁଷର ନିଶ ଉପରେ ନୋଲକ, ନାକ ଫୋଡ଼ି ଦି’ଟା ତିନିଟା ନୋଲକ ସେ ଲଗାଏ, ଫାସିଆରେ ପଦକ ହାଡ଼ ଖପରାର କି କାଚର, ନାକ ଦଣ୍ଡିରେ ପିନ୍ଧେ ଗୋଟାଏ ଗୋଜିଆ କାଠି; କାନରେ ଝରା, ମୁଣ୍ଡର ଜୁଡ଼ା ଭିତରେ ପିତ୍ତଳ କି କଂସାର ଏକ ଟାଣ କାଠି, ବେକରେ ସରୁ କାଚ ମାଳି କେରା କେରା, କଚଟିରେ ମୋଟା ବଳା, ଅଣ୍ଟାର କୌପୁନୀ ଡୋରରୁ ଖୋଳରେ ପଶି ଝୁଲୁଥାଏ ହାତେ ଲମ୍ବର ଓସାର ବାଙ୍କୁଲି ଛୁରୀ, ଭାରି ଦାଢ଼, ଭାରି ଟାଣ । କାହାରି କାହାରି ଅଣ୍ଟାରୁ ଦୁଇଟା ସେମିତି । ସମସ୍ତିଙ୍କ କାନ୍ଧରେ ଟାଙ୍ଗିଆ । ଡଙ୍ଗ୍ରିଆ ଖୁସି ହୋଇଗଲେ ହଠାତ୍ କୁଦାଟାଏ ମାରି ଅଣ୍ଟାରୁ ଛୁରୀ, କାନ୍ଧରୁ ଟାଙ୍ଗିଆ କାଢ଼ି ଡେଇଁ ଡେଇଁ ଏକାଠି ଠୁକେଇ ଠୁକେଇ ଗୀତ ବୋଲି ବୋଲି ହାତଗୋଡ଼ ଛାଟି ନାଚିବାକୁ ଆରମ୍ଭ କରି ଦିଅନ୍ତି । ଏତେ ଶାନ୍ତଶିଷ୍ଟ ଭଦ୍ରଲୋକ ନାହିଁ ନ ଥିବାର ।

 

କେତେଲୋକ ମଦ ତ ଖାଆନ୍ତି ନାହିଁ, କେତେଲୋକ ଲଙ୍କାମରିଚ ବି ଖାଆନ୍ତି ନାହିଁ ।

 

କିନ୍ତୁ ପର୍ବ ଦିନରେ, ଯେତେବେଳେ ସେମାନେ ସମତଳକୁ ଓହ୍ଲାନ୍ତି, ସେତେବେଳେ ବାଟରେ ଧରେ ମଦବିକାଳି । ସହରକୁ ଆସିଲାବେଳକୁ ନିଶାରେ ଟଳଟଳ, ହୋସ୍‌ ନ ଥାଏ । ଜୁରୋ ପର୍ବ ବେଳରେ ବିଷମକଟକରେ ଯେ ଦେଖିଥିବ ସେହି ନିଶା ଟଳଟଳ ଅରଣା ଡଙ୍ଗ୍ରିଆକୁ, ଯେ ତାର ଛୁରା ଟାଙ୍ଗିଆ ବୁଲେଇ ବୁଲେଇ ଡେଇଁ ଡେଇଁ ଗାଳି ଦେଇ ଦେଇ ପଟୁଆର କରେ, ବଳି ମଇଁଷି ଉପରେ କୁଦିପଡ଼ି ତାର ଖଣ୍ଡ ଖଣ୍ଡ ମାଂସ କାଟି ପକାଏ, ଏକାଠି ପଚାଶ ଶହେ ଲୋକ ମଇଁଷି ଉପରେ ଚୋଟ ମାରୁ ମାରୁ ପରସ୍ପର ଦେହରୁ ଫଡ଼ା ଫଡ଼ା ଛେଲିପକାନ୍ତି, କିଏ ମଇଁଷି ଲାଙ୍ଗୁଡ଼ଟା, କିଏ ତାର ଶିଙ୍ଗରୁ ଗୋଟାଏ, କିଏ ପୁଳାଏ କଞ୍ଚା ମାଂସ ପାଟିରେ ପୂରେଇ ଚୋବାଇ ଚୋବାଇ ଡେଇଁ ଡେଇଁ ଚାଲିଥାନ୍ତି । ମୁଣ୍ଡବାଳ ଫୁରୁ ଫୁରୁ ମୁକୁଳା, ମୁହଁରେ ଦେହରେ ରକ୍ତ । ଯେ ଶୁଣିଛି ସେତେବେଳେ ଡଙ୍ଗ୍ରିଆର ମତ୍ତ ଗର୍ଜନ ଯେପରି ଗୁମ୍ଫା ଭିତରୁ କୌଣସି ହିଂସ୍ରଜନ୍ତୁର ବୋବାଳି, ଡଙ୍ଗ୍ରିଆ ବିଷୟରେ ଠିକ୍ ଓଲଟା ଧାରଣା କରି ସେ ଭାବିବ ଏ ମଣିଷ ନୁହେଁ, ଏ ବି ଏକ ବଣ ଜନ୍ତୁ, ବାଘ ପରି, ବରଂ ଆହୁରି ଭୟାନକ, ଆହୁରି ହିଂସ୍ର । ଅଥଚ ଅତି ସରଳ ଅତି ଶାନ୍ତ ସୁଧାର ଏ ଡଙ୍ଗ୍ରିଆ ଆପଣା ପର୍ବତ ଗାଁରେ, ଭଦ୍ରତା ବିନୟ ଆତିଥେୟତା ଆତିଶଯ୍ୟ ତାଠି ।

 

‘ଜୁରୋ’, ଅର୍ଥାତ୍ ଲୁଟପାଟ୍ କରିବ ପର୍ବ । ପୂର୍ବେ ଏ ପର୍ବରେ ମଣିଷ ‘ମେରିଆ’ ପଡ଼ୁଥିଲେ, ପରେ ମଣିଷ ବଦଳରେ ମଇଁଷି । ପ୍ରଥାଥିଲା ମଇଁଷିଟା ଦୌଡ଼ୁଥିବ, ତା ପଛରେ ପଲ ପଲ ଡଙ୍ଗ୍ରିଆ ଗୋଡ଼େଇ ଗୋଡ଼ଇ ତାକୁ ଚୋଟଚୋଟ କରି ହାଣି ତାର ମାଂସ ଲୁଟି ନେଉଥିବେ । ମଇଁଷି ଖାଇବାରେ ତାଙ୍କର ଅଭାବ ନାହିଁ, କିନ୍ତୁ ଏ ମାଂସ ପୂଜାଭୋଗ, ତେଣୁ ୟା’ ମୂଲ୍ୟ ବେଶି । ସେ ମାଂସକୁ ଗାଁକୁ ନେଇ ଘରେ ଘରେ ଟିକିଏ ଟିକିଏ ମାଟିରେ ପୋତି ଦିଅନ୍ତି । ବିଶ୍ୱାସ ଯେ ତା’ହେଲେ ସବୁ ମଙ୍ଗଳ ହେବ, ସବୁ ଅଶୁଭ ନିବାରଣ ହେବ । ଦୁର୍ଗାପୂଜାହିଁ ଜୁରୋର ସମୟ । ମହାଷ୍ଟମୀ ରାତିରେ ବଳିପଡ଼େ କଲ୍ୟାଣସିଂହପୁର ଦୁର୍ଗା ଦେଉଳରେ । ସେହି ରାତ୍ରିରେ ମୁନିଗୁଡ଼ାଠୁ ତିନିମାଇଲ ଦୂରରେ ଭୈରବଗଡ଼ରେ ଭୈରବ ଦେଉଳରେ ଠାକୁରାଣୀ ଦେଉଳରେ ବଳିପଡ଼େ, ପୁଣି ତା’ ପରଦିନ ବି । ନବମୀ ସକାଳେ ବିଷମ କଟକରେ ପର୍ବହୁଏ । ପ୍ରଥମେ ନିୟମ ରଜା ଦେଉଳରେ, ତା’ପରେ ଠାକୁରାଣୀ ଦେଉଳରେ, ତା’ପରେ ମାର୍କମା ଠାକୁରାଣୀଙ୍କ ଦେଉଳରେ, ଶେଷରେ ଭୈରବ ଦେଉଳରେ । କେଉଁ ଦେଉଳର ବଳିର ଭାଗ କିଏ ପାଇବ ତା ଆଗରୁ ବିଧାନ ଅଛି । ମଇଁଷିକୁ ଖୋଲିଦେବା ପ୍ରଥା ଉଠିଯାଇ ମଇଁଷିକୁ ହଣେଇ ଭାଗ ପାଇବାକୁ ଅଧିକାର ଥିବା ଗାଁମାନଙ୍କୁ ବାଣ୍ଟିଦେବା ପ୍ରଥା କରାଯାଇଥିଲା । ଜୁରୋ ଉପଲକ୍ଷରେ ଜୟପୁର ଜମିଦାରଙ୍କର ଦରବାର ହେଉଥିଲା ସେ ତିନି ଜାଗାରେ । ସେଠି ଡଙ୍ଗ୍ରିଆ ଫଳମୂଳ ଟଙ୍କା ଭେଟି ଦେଉଥିଲା, ପାଉଥିଲା ଖଣ୍ଡେ ଖଣ୍ଡେ କନା ମୁଣ୍ଡରେ ଗୁରେଇବାକୁ । ତା ପୂର୍ବରୁ ଦଶରାପାଇଁ ଖଜଣା ହିସାବରେ ଗାଁ ଗାଁକରୁ ଛେଳି ଅସୁଲ ହୋଇସାରିଥାଏ । ଡଙ୍ଗ୍ରିଆ ବାଜା ବଜେଇ ସ୍ତ୍ରୀ ବାଳକ ସମସ୍ତଙ୍କୁ ଘେନି ଡେଇଁ ଡେଇଁ ପର୍ବତରୁ ସହରକୁ ଆସେ, ଖୁସି ଶରଧାରେ ପର୍ବ କରୁ କରୁ ଖୁସିରେ କିଛି ମୁଆଁ ଦୋକାନ ପିଠା ଦୋକାନ ବି ଲୁଟି କରିଦିଏ, ଜୁରୋ କରେ; ପରେ ପୁଣି ଫେରିଯାଏ ପର୍ବତକୁ । ଆଉ ସେ ଆସେ ରଥଯାତ୍ରାକୁ, ମଦ ଖାଇ ନାଚିବାକୁ । ଆଉ ହାଟକୁ, ସିଂହପୁରଆଡ଼େ, ସିଂପୁର୍‍ ଓ ମାଝିଗୁଡ଼ା ପର୍ବତ ଆରପଟେ ଚାଟିକୋଣା, ହାଟମୁନିଗୁଡ଼ା, ଦହିଖାଲ ଆଉ ନାହିଁ ।

 

କଥା ଗପି ଗପି ଦୃଶ୍ୟ ଦେଖି ଦେଖି ଚାଲିଛନ୍ତି ଦୁଇ ବନ୍ଧୁ । ପାହାଡ଼ ଚଢ଼ାରୁ ଦେହ ତାତିଯାଇଛି, ଶୀତ କରୁନାହିଁ । ଉପରେ ଏହି ଖୋଲା ଆକାଶ, କେତେ ଦୂରକୁ ଦୂରକୁ ଦିଶୁଛି । ଢେଉ ପରି ତା’ପଛକୁ ତା’ପଛକୁ ପର୍ବତମାଳ, ବହଳ ନେଳି ଉପରେ ଝଡ଼ିପଡୁଛି ଦିନ ଶେଷର ହଳଦିଗୁଣ୍ଡା, ସିନ୍ଦୂରଗୁଣ୍ଡା, ଆଲୁଅରେ ଝଲ ଝଲ କରୁଛି । ଯେଉଁ କରକୁ ଚାହିଁଲେ ପର୍ବତ ଠିଆହୋଇଛି, ପର୍ବତ ଉହୁଙ୍କି ପଡ଼ିଛି, ସେଠି କୋଶ କୋଶ ବ୍ୟାପିଛି କଦଳୀବଣ, ଆମ୍ବ ପଣସ ତୋଟା, ସପୁରି ବଣ, ପୁଣି ବଡ଼ ହରଡ଼, ବାଜ୍ରା, ସୁଆଁ । ମଣିଷ ସହଜରେ ସମତଳ ଛାଡ଼ି ପର୍ବତରେ ଘର କରିବାକୁ ଚାହେଁ ନାହିଁ । ଥରେ ପର୍ବତରେ ଚଢ଼ିଲେ ଆଉ ତଳକୁ ଆସିବାକୁ ମନ କରେ ନାହିଁ-

 

ଡଙ୍ଗ୍ରିଆ କନ୍ଧ ଅବଜ୍ଞାରେ ତଳଦେଶର କନ୍ଧକୁ ଅନାଏଁ, ପାହାଡ଼ ମାଳର କୋଟିଆ କନ୍ଧ ବି ତଳ ଦେଶିଆକୁ ତୁଚ୍ଛତାଚ୍ଛଲ୍ୟ କରେ । ଏଇ ପର୍ବତ ଉପରେ ତିନି ଘର ପାଞ୍ଚ ଘର ହୋଇ ଗାଁ କରି ସେ ଆବହମାନ କାଳରୁ ଚଳିଆସୁଛି । ଶସ୍ୟ କରେ କି ୪ ମାସର ଖୋରାକି ମାନିଆଁ । ଗୋଟିଏ ଗୋଟିଏ ପରିବାରର ହାରାହାରୀ ବାର୍ଷିକ ଆମଦାନୀ ୨ପୁଟି ମାଣ୍ଡିଆ, ୩ପୁଟି କୋଶ୍ଲା, ପୁଟିଏ କାନ୍ଦୁଲ, ୨ପୁଟି ସୋରିଷ, ୨ ପୁଟି ଅଳସି, ପୁଟିଏ ଜଡ଼ା । ଜଣେ ଭେଣ୍ଡିଆ ଦିନକୁ ୩ଥର ସେ ଖାଇବ ଅନ୍ତତଃ ୧ଅଡ୍‍ଡ଼ା ଅର୍ଥାତ୍ ବର୍ଷକୁ ୪ପୁଟି ଦଶମାଣ । ୪ଜଣିଆ ଗୋଟିଏ ପରିବାରର ବାର୍ଷିକ ଆବଶ୍ୟକ ଯଦି ୮ପୁଟି, ଆମଦାନୀ ୫/୬ ପୁଟି । ବାକିଟା ସେ ଉଠେଇ ନିଅନ୍ତି ଅନ୍ୟ ବାଟରୁ-ଯେପରି କି ଆମ୍ବଟାକୁଆ, ତେନ୍ତୁଳିମଞ୍ଜି, ଶଳପଗଛର ଧୂଳି, ଚେରେଙ୍ଗା, ପିତାକନ୍ଦା, ନଙ୍ଗଳକନ୍ଦା, କୋଲିଆକନ୍ଦା, ସାରୁ, କଲିଆରି ଶାଗ, ଜବା ଶାଗ, ପୁଣି ଚାକୁଣ୍ଡା ଶାଗ, ବାଉଁଶ କରଡ଼ି, ଛତୁ । ଆଉ ତାଙ୍କର ବିଖ୍ୟାତ ଫଳମୂଳ–ସେହି କଦଳୀ, ସପୁରି, ପଣସ ଆଦି । ତାକୁ ଖାଇ ସବୁଥିରୁ ମିଶାଇ ମିଶାଇ ସେ ବର୍ଷଯାକ ଅକ୍ଳେଶରେ ଚଳିଯାଏ, ସେହି ଫଳ କି ଫସଲକୁ ବଦଳାଇ ସେ ଲୁଗାପଟା କିଣେ ।

 

ଘର ଗୋଟିକେ ବର୍ଷକୁ ୧୦ମାଣ ଲୁଣ ଦରକାର ହୁଏ । ଖରାଦିନେ ଥରେ କିଣି ପୋତିଦେଲେ ଟିକିଏ ଟିକିଏ ନେଇ ବର୍ଷକ ଚଳେ । କିରାସିନି ବର୍ଷକୁ ଦୁଇ ବୋତଲ, ପର୍ବ ଲାଗିଲେ ଦରକାର ପଡ଼େ ନ ହେଲେ ନାହିଁ । ଖାଇବା ତେଲ ତ ମୋଟେ ଦରକାର ନାହିଁ । ଡଙ୍ଗ୍ରିଆ ତାର ଖାଦ୍ୟକୁ ବିନା ମସଲାରେ ବିନା ତେଲରେ ସିଝେଇ ସିଝେଇ ଖାଏ । ପୁରୁଷର ଷୋହଳ ହାତ ଲମ୍ବା ହାତେ ଓସାରର କୌପୁନୀ ହାତ ବୁଣା ଖଦି, ଟ ୩ ପଡ଼େ, ଯାଏ ବରଷେ, ଆଉ ‘ପାଙ୍ଗୁରବାଟା’ ଅର୍ଥାତ୍ ଘୋରିହେଲା, ବର୍ଷକୁ ୧୦ ହାତିଆ ୨ଟା ଦରକାର । ସ୍ତ୍ରୀଲୋକର ପିନ୍ଧା ‘ବେରା’ ଦି’ଖଣ୍ଡ, ଖଣ୍ଡକ ୩ ହାତ ଲମ୍ବା ଦୁଇହାତ ଓସାର, ଖଣ୍ଡେ ଅଣ୍ଟାରେ ଗୁରାହୁଏ ଆଉ ଖଣ୍ଡେ ଅଣ୍ଟା ଉପରକୁ ସାମ୍ନାପଟେ ପଡ଼େ । ଧୂଆଁ ପତ୍ରରେ ମାସକୁ ଟଙ୍କାଏ ।

 

ବାକି ପୁଣ୍ୟପର୍ବ । ଲାଞ୍ଜିଆ ସଓରା ଆପଣା ହାତରେ ଆପଣା ନିଶତକ ଗୋଟି ଗୋଟି କରି ଓପାଡ଼ି ପକାଏ, ଗୋଟିଏ ଧାନ ସହିତ ଟାଣି କରି ଧରେ, ସ୍ଥିର ପାଣିକୁ କରେ ଦର୍ପଣ, ଆପଣା ନିଶ ଆପେ ଓପାଡ଼ିବାରେହିଁ ଆନନ୍ଦ । ଲାଞ୍ଜିଆ ସଓରା ଯାହା ରୋଜଗାର କରେ ତହିଁରୁ ୧୦ ପଣ ଯାଏ ପୂର୍ବପୁରୁଷଙ୍କ ଆତ୍ମାଙ୍କପାଇଁ ମଇଁଷି ବଳି ଦେଇ; କାରଣ ତାର ବିଶ୍ୱାସ ଜର ହେଲେ ବି ସେହି ଅତୀତର ଆତ୍ମାମାନେ ଜର କରାନ୍ତି । ସର୍ଦ୍ଦି କରାନ୍ତି ସେହି, ଆଉ ଅନ୍ୟାନ୍ୟ ଯେତେ ଓଷଧ ସବୁ । ଡଙ୍ଗ୍ରିଆ କନ୍ଧ ଆପଣା ନିଶ ଓପାଡ଼େ ନାହିଁ । କେହି ବେମାରି ପଡ଼ିଲେ ସେ ବଉଳାନୀ ପୂଜା କରେ ସତ, କିନ୍ତୁ ସେଥିପାଇଁ ଗୋଟିଏ କୁକୁଡ଼ା ଛୁଆହିଁ ଯଥେଷ୍ଟ । ସାଧାରଣ ପର୍ବ କେବଳ ବିଭିନ୍ନ ଶସ୍ୟର ନୂଆଖିଆ, ଯଥା ମାଘ ମାସରେ ମେରିଆ, ଭୋଦୁଅରେ ନୂଆଖିଆ, ବିମାରଜା ପୂଜା, ମାଞ୍ଜିଆ ରାଠୀ, ଚୈତ୍ରରେ ଆମ୍ବ ନୂଆ ଖାଇବା ବେଳ, ତେଣୁ ସେ ବି ପର୍ବ । ଆଷାଢ଼ରେ ନୂଆ କରି ଆମ୍ବ ଟାକୁଆ ଖାଇବା ପର୍ବ, ଯାହାକୁ ସେମାନେ କହନ୍ତି ‘ବୁରେଣ୍’ ପର୍ବ । ପାରାଟିଏ କୁକୁଡ଼ାଟିଏ ହେଲେ ପୂଜାକୁ ଯଥେଷ୍ଟ । ଖାଲି ୩ ବର୍ଷରେ ଥରେ ପଡ଼େ ପୋଢ଼ ପୂଜା, ତାର ବିଧାନ ବନ୍ଧାହୋଇଛି-ଘରକେ ଗୋଟିଏ ଛେଳି, ପାଞ୍ଚଛ’ଟି କୁକୁଡ଼ା, ଯୋଡ଼ିଏ ପାରା, ଗୋଟିଏ ମେଣ୍ଢା, ଘରର ସମସ୍ତିଙ୍କ ପାଇଁ ନୂଆଲୁଗା । ତା’ଛଡ଼ା ଗାଁ ଭେଦାରେ ମଶାଣି ଡୁମ୍ବା ଲାଗି ଗୋଟିଏ ଘୁସୁରି, ଗାଯାକର ଯୋଡ଼ିଏ ପୋଢ଼, ମଦ ଟିଣେ । ଅନ୍ୟାନ୍ୟ ଗାଁରୁ ଯେତେ କୁଣିଆ ଆସିବେ ସମସ୍ତେ ମାଣେ ଲେଖାଏଁ ଚାଉଳ ଓ କିଛି ମଦ ନେଇ ଆସିଥିବେ । ପ୍ରତି ଗାଁକୁ ସଙ୍ଖୋଳା ବେଭାର ଦେବାକୁ ପଡ଼ିବ ଗୋଟିଏ ଲେଖାଏଁ ଛେଳି । ସର୍ବମୋଟ ତିନି ତିନି ବର୍ଷରେ ପୋଢ଼ ‘ପୂଜା’ କଲାବେଳେ ପ୍ରତି ପରିବାରକୁ ଖର୍ଚ୍ଚ ଲାଗିଯାଏ ହାରାହାରି ଶହେଟଙ୍କା ।

 

ପ୍ରତିବର୍ଷ ପ୍ରତି ପରିବାରର ବ୍ୟୟ ମଧ୍ୟ ଖାଦ୍ୟ ଛଡ଼ା ପ୍ରାୟ ଶହେଟଙ୍କା । ଖାଦ୍ୟଶସ୍ୟ ଛାଡ଼ି ଅନ୍ୟାନ୍ୟ ପଦାର୍ଥରୁ ଆୟ ବି ସେହି ଶହେ ଦେଢ଼ ଶହ, ସବୁ ସରିଯାଏ, ରହେ ନାହିଁ ବଳକା । ଟଙ୍କାର ବ୍ୟବହାର ବେଶି ନାହିଁ, କେବଳ ବଦଳା ବଦଳି । ଡମ୍ବ ବେପାରି ଆସିବ, କୌପୁନି ଲୁଗା ଖଣ୍ଡେ ଦେଲେ ତିନିମାଣ ଚାରିମାଣ ମାଣ୍ଡିଆ ମାପି ନେବ । କେଉଁ ଝାଳବୁହା ମାଲ ବିନିମୟରେ କେତେ ଅନ୍ୟ ଜିନିଷ ଆସେ ଡଙ୍ଗ୍ରିଆ ତା ଅନୁଭବ କରେ । ତେଣୁ ସେ ବଦ୍‌ଖର୍ଚ୍ଚି ନୁହେଁ, ମଦ ଖାଏ କ୍ୱଚିତ୍, କେବଳ ପର୍ବଦିନ ।

 

ପରିଶ୍ରମ ତ ସବୁ ଦିନେ, ତାର ଜୀବନହିଁ ପରିଶ୍ରମ । ଚଇତରେ କୋଶ୍ଲା ସଙ୍ଗେ ମିଶାଇ ମାଣ୍ଡିଆ ବୁଣା, ବୈଶାଖରେ ବୁଣା ସରିଯାଏ, ଜମିରେ ମଇ ପଡ଼େ । ଏଣେ ବଣହଣା, ବଣପୋଡ଼ା କାମଲାଗେ । ଜ୍ୟେଷ୍ଠରେ ପୋଡ଼ୁ ଜମିକୁ ସଫା କରେ । ଆଷାଢ଼ରେ ଘାସ ଅଗଛାବଛା, ଶ୍ରାବଣରେ ବିଶେଷ କିଛି କାମ ନ ଥାଏ । ଭାଦ୍ରବରେ କ୍ଷେତ ଜଗେ, କ୍ଷେତରୁ ଚଢ଼େଇ ମାଙ୍କଡ଼ ଓ ଜନ୍ତୁ ହୁରୁଡ଼ାଏ । ଅଶିଣ କାର୍ତ୍ତିକରେ କୋଶ୍ଳା ମାଣ୍ଡିଆ ଖୁଣ୍ଟି ନେବା କାମ । ମାର୍ଗଶିର ପୁଷରେ ତୋଟା କାମ, ଘାସ ସଫା, ପାହାଡ଼ କ୍ଷେତରୁ ଟେକା ପଥର ବଛା । ଅଳସେଇ ହୁଏ କେବଳ ମାଘ ଫଗୁଣରେ- ସେ ତାର ପର୍ବ ଦିନ । ସରଳ ସୁସ୍ଥ କନ୍ଧ ଚାଷୀ, ପାହାଡ଼ର ପୁଅ ଝିଅମାନେ, ଚାଲି ସଳଖ, ବିଚାର ସଳଖ, କଥା ସଳଖ, ସବୁ ସିଧା ସିଧା । ତାଙ୍କଠି ୟଜ୍ ରୋଗନାହିଁ କି କୁଷ୍ଠ ନାହିଁ । କିନ୍ତୁ ଗୋଟିଏ ଅଭାବ, ସେମାନେ ସଫା ସୁତୁରା ହୋଇ ଶିଖିନାହାନ୍ତି, କେହି ବତେଇ ନାହିଁ ।

 

ଲୁଗା ପିନ୍ଧିବା ନ ପିନ୍ଧିବାକୁ ପରେଇ ନାହିଁ । ବାହାର ଦୁନିଆଁ ଉପରେ ନିର୍ଭର ଲୁଣ ପାଇଁ-। କେଉଁ ଅତୀତ କାଳରେ କେବେ ମଣିଷ ଲୁଣର ବଶ୍ୟତା ନେଇଥିଲା ଆଉ ତା ତୁଟିନାହିଁ । ସେହି ଲୁଣ ଟିକକ ଆଣିବା ପାଇଁ ତାର ବାହାର ଦୁନିଆଁ ସହିତ ସମ୍ବନ୍ଧ, ସେଇଥିପାଇଁ ତାର ହାଟବୁଲା, ତା ସଙ୍ଗେ ସଙ୍ଗେ ବାହାର ଲୋକଙ୍କଠୁଁ ଭଲ କଥା ମନ୍ଦ କଥା ଶିକ୍ଷା ।

 

ସମତଳର ଲୋକେ ଭାବନ୍ତି ଯେତେଦିନ ଯାକେ ଡଙ୍ଗ୍ରିଆ କନ୍ଧ ଲାଞ୍ଜିଆ ସଓରା କୋଟିଆ କନ୍ଧ ଏହି ଆଦିମ ଅବସ୍ଥାରେ ଥିବେ ସେତେଦିନ ଯାକ ତାଙ୍କୁ ଠକି ତାଙ୍କଠୁ ସୁବିଧା ଅସୁଲ କରି ହେବ-ଏହି ଯେପରି ଚାରିଆଡ଼ୁ ଛୟାନବେଟି କଦଳୀ, ଟଙ୍କାଏ ଦି’ଟଙ୍କାକୁ ଗୋଟିଏ ମଇଁଷି, ଦେଢ଼ଟଙ୍କା ପକାଇଦେଲେ ଟୋକେଇଏ ହଳଦୀ । ଉପଉପନିବେଶ ସ୍ଥାପନକାରୀଙ୍କ ପରି ସେମାନେ ବି ଭାବନ୍ତି ଯେ ଶୋଷଣ ପୂର୍ବରୁ ଶୋଷଣପାଇଁ ଆଗ କ୍ଷେତ୍ର ପ୍ରସ୍ତୁତ କରିବା ଦରକାର, ସେଥିପାଇଁ ଦରକାର ନିଶାଦ୍ରବ୍ୟ ଖୋଲିବା, ଡଙ୍ଗ୍ରିଆକୁ ମଦ ପିଆଇବା, ଆଦିବାସୀଙ୍କ ଗାଁଗହଳିରେ ସ୍ଥାନେ ସ୍ଥାନେ ମଦ ଦୋକାନ ଖୋଲିଦେବା । ସେମାନେ ଚାହାନ୍ତି ଡଙ୍ଗ୍ରିଆ–କରୁଥାଉ, ଅଶିକ୍ଷିତ ହୋଇ ପଡ଼ିଥାଉ, କେହି ନ ଯାଆନ୍ତୁ ତା ପର୍ବତକୁ କେବଳ ସେହି ବେପାରୀଙ୍କ ଛଡ଼ା, ତେଣୁ ନ୍ୟସ୍ତସ୍ୱାର୍ଥ ଦଳମାନେ କାହାଣୀ ଗଢ଼ି ରଟେଇଛନ୍ତି ଯେ ଡଙ୍ଗ୍ରିଆ ଭୟଙ୍କର ମଣିଷ, କଥାକଥାକେ ଛୁରା ଚଳେଇ ଦିଏ, ହୁସିଆର, କେହି ଚଢ଼ନା ନିୟମଗିରି । ସେହିମାନେ ରଟେଇଛନ୍ତି, ଜୁରୋ ବନ୍ଦକଲେ ଡଙ୍ଗ୍ରିଆ ବିଦ୍ରୋହ କରିବା ଇତ୍ୟାଦି ।

 

ଏହି ଆଲୋଚନା ହିଁ ପଡ଼ିଥିଲା ଦୁଇ ବନ୍ଧୁଙ୍କ ଭିତରେ । ଏକେ ଆଲୋଚନା ପାଇଁ ବାଟଚଲା ସୁବିଧା ଦିଏ, ପୁଣି ଏଇ ସୁନ୍ଦର ବନସ୍ଥଳି ଯେପରି କି ଗଢ଼ା ହୋଇ ରହିଛି ଯୁଗେ ଯୁଗେ ସଦ୍‌ବିଚାରର ପୃଷ୍ଠପଟ ହେବାପାଇଁ ।

 

ଜନୁଭାଇ କହୁଥିଲେ, ଅତଏବ ଏହିପରି ଏହିପରି ହୋଇ ଡଙ୍ଗ୍ରିଆ ଅନୁନ୍ନତ ଅବସ୍ଥାରେ ରହିଛି । କ୍ରମେ ଅନୁନ୍ନତ ଅବସ୍ଥା ପ୍ରତି ତାର ସ୍ନେହ ଜନ୍ମିଯାଇଛି, ଶୃଙ୍ଖଳ ପ୍ରତି ଶ୍ରଦ୍ଧା ଆସିଛି ବନ୍ଦୀର, ଏ ଯେପରି କି ଚୂଡ଼ାନ୍ତ । ବାହାରେ ଯେପରି ନ୍ୟସ୍ତସ୍ୱାର୍ଥ ବେପାରି ରଟୋଉଛନ୍ତି ଯେ ଏମାନଙ୍କୁ ତାଙ୍କ ନିଜ ଉପାୟରେ ରହିବାକୁ ଚଳିବାକୁ ଦିଅ, ଭିତରେ ବିଚାର କ୍ଷେତ୍ରରେ ସେହିପରି କେତେକ ନୃତତ୍ତ୍ୱବିତ୍ କହୁଛନ୍ତି ଯେ ଏମାନଙ୍କ ସଙ୍ଗେ ଲାଗନାହିଁ, ଏମାନେ ଯେମିତି ଅଛନ୍ତି ସେମିତି ଥାଆନ୍ତୁ, ନ ହେଲେ ଏ ଆଦିମ ସଂସ୍କୃତି ଲୋପ ପାଇଯିବ । ଏପରି ଭାବିଲେ ଅନେକେ ଅର୍ଥ କରୁଛନ୍ତି ମଦଖିଆ ରହିବ, ଗୋରୁ ମଇଁଷି ହଣା ରହିବ, ଜୁରୋପର୍ବ ରହିବ । ତାହେଲେ ତ ରହିବ ବହୁତ କଥା, ବଳେ ରହିବ-ଏଇ ଯେପରିକି ନକଲି ଗହଣା ରଙ୍ଗରଙ୍ଗର କାଚମାଳି ପାଇଁ ବଜାର, କଳ ତିଆରି ଜିନିଷ ପାଇଁ ବଜାର, କିଣିଲାବେଳକୁ ପଇସାକୁ ଚାରିଗଣ୍ଡା କଦଳୀ । ଆଉ ରହିଥିବ ଏଣର ସୁଧ ପ୍ରଥା-ଟଙ୍କାଏ କରଜ ନେଲେ ମୂଳକୁ ମୂଳ ରହିଥିବ-ଟଙ୍କାକେ ମାଣେ ଅର୍ଥାତ୍ ତିନିସେର ସୋରିଷ କି କାନ୍ଦୁଲ ମାପିବାକୁ ପଡ଼ିବ-ଖାଲି ବର୍ଷକର ସୁଧ ବାବଦକୁ । ଯେ ଟଙ୍କା ବ୍ୟବହାର କରୁ ନ ଥିଲା, କେବଳ ଜିନିଷ ବଦଳ ଦେଇ ଦେଇ ଚଳୁଥିଲା, ଟଙ୍କାର ବ୍ୟବହାର ଆଗ ତାକୁ ଶିଖାଇବାକୁ ହେବ, ଟଙ୍କାପାଇଁ ତାଠି ଆବଶ୍ୟକ ସୃଷ୍ଟି କରିବାକୁ ହେବ । ଥରେ ସେ ଥୋପଟା ଗିଳିଲେ ତାପରେ ଓଟାରି ଅଟାରି ତାଠୁ ସବୁ ନେଇଯିବାକୁ ପଡ଼ିବ । ଧରେଇଦିଅ କାଗଜ ଖଣ୍ଡେ ନ ହେଲେ ମୁଣ୍ଡ ଛାପା ମରିଥିବା ରୂପାମିଶା ଖପରା ଖଣ୍ଡେ, ବୋହିନିଅ ସୁଆଦିଆ ସପୁରି ଶଗଡ଼ ଶଗଡ଼, ପାହାଡ଼ ପରି କଦଳୀ, ପଣସ ମଞ୍ଜି, ପଣସ, ଯାହା ମିଳିବ ଏଠୁ । ପର୍ବତ ଓହ୍ଲେଇ ପଡ଼ିଲେ ସେପାଖେ ମୁନିଗୁଡ଼ା ରେଲ୍‍ଷ୍ଟେସନ, ରେଲ୍‍ରେ ଜିନିଷ ବୋଝେଇ କରିବାକୁ ଭାରି ସୁବିଧା ।

 

‘‘ଯେଉଁ ଟଙ୍କା ଆଧୁନିକ ସଭ୍ୟତାର ଚକ ସେହି ଟଙ୍କାହିଁ ଅନର୍ଥର ମୂଳ ।’’ ରମୁଭାଇ କହିଲେ ।

 

‘‘ହଁ, ସେହି ଚକରେ କେତେ ଶ୍ରେଣୀ କେତେଲୋକ କଟିଯାଇଛନ୍ତି ।’’ ଜମୁଭାଇ କହିଲେ । ‘‘ନିତି କଟୁଛନ୍ତି, ଅଦ୍ଭୁତ ଏ ଆବିଷ୍କାର ଟଙ୍କା, ଯେ ଶୋଷଣକୁ ସୁଗମ କରିଛି, ଯେ କାଢ଼ି ନେଇଛି ଶ୍ରମର ମୂଲ୍ୟ, ବିଦ୍ୟାର ଯଶ କୀର୍ତ୍ତି, ବିଚାରର ମାନଦଣ୍ଡ । ଏମାନେ ଯାହା ହୁଅନ୍ତୁ ଏତିକି ପାଇଁ ଭାଗ୍ୟବାନ୍ ଯେ ଟଙ୍କା ପ୍ରଭାବରେ ଅତି ମାତ୍ରାରେ ପଡ଼ିନାହାନ୍ତି । ସହଜ ଜୀବନ, କାମକର ଆଉ ବଞ୍ଚ । କିନ୍ତୁ ସବୁ ନଷ୍ଟ କରୁଛି ମଦ ନିଶା, ଡଙ୍ଗ୍ରିଆ ଅଳ୍ପ ଖାଇଥାଉପାରେ କୋଟିଆ ତହିଁରୁ ଟିକିଏ ବେଶି, ଦେଶିଆ ଆହୁରି ବେଶି, କିନ୍ତୁ ସବୁ ଆଦିବାସୀ ମଦନିଶାରେ ପଡ଼ିଛନ୍ତି । ଯେଉଁ ମୁଣ୍ଡରୁ ମଦ ଛାଡ଼ିନାହିଁ ସେ ମୁଣ୍ଡରେ ବିଚାର ପୂରେଇବା କଷ୍ଟ, ସେ ମୁଣ୍ଡକୁ ମଧ୍ୟ ବିଶ୍ୱାସ ନାହିଁ, ଆଜି ଯଦି ଜଣକର ପ୍ରଭାବରେ ସେ ଏକପ୍ରକାର ଭାବୁଛି କାଲି ଆଉ ଜଣକ ପ୍ରଭାବରେ ଆଉ ପ୍ରକାରେ ଭାବିପାରେ, ଆଉ ପ୍ରକାରେ ଆଚରଣ କରିପାରେ । ତେଣୁ କୁହାଯାଇଛି ଆଗ ମଦ ଛଡ଼ାଇବାକୁ ହେବ । ଖଜୁରି କି ଶଳପର ଯେଉଁ ରସ ଅମୃତ ପରି ସୁସ୍ୱାଦୁ ଓ ହିତକାରୀ, ସେହି ରସହିଁ ବିଷ ପାଲଟି ହୋଇଯାଉଛି ମଦ ।’’

 

‘‘ମୁର୍ତ୍ତୁଲିରେ ପଦାରୁ କର୍ମ୍ମୀ ଆସି ଶଳପରୁ ଗୁଡ଼ କରୁଛନ୍ତି–କି ସୁନ୍ଦର !’’

 

‘‘ଯେଉଁ ପର୍ଯ୍ୟନ୍ତ ଲୋକଙ୍କର ମଦ ଖାଇବା ପ୍ରବୃତ୍ତି ଆମେ କମାଇ ନ ପାରିଛୁ, ସେ ପର୍ଯ୍ୟନ୍ତ ଗୁଡ଼ରାନ୍ଧି ମଦ ମରିବା ବନ୍ଦ ହେବନାହିଁ । ଲୋକେ ତାଳ ଖଜୁରି ଶଳପ ଗଛ ପାଇବେ ନାହିଁତ–ତେବେ ସେମାନେ ତା’ରି ଗୁଡ଼ରୁହିଁ ମଦ ରାନ୍ଧିବେ । ଅସଲ ବିଚାର ।’’

 

‘‘ବଡ଼ ଆଶ୍ଚର୍ଯ୍ୟ କଥା, ଏଇ ଏ ଅଞ୍ଚଳ କନ୍ଧମାନେ ଏଡ଼େ ସହଜରେ ସମ୍ପତ୍ତିର ସମବଣ୍ଟନ ଧାରଣାକୁ ଗ୍ରହଣ କରିନେଲେ, ଯଦିଚ ସେମାନେ ସମସ୍ତେ ମଦ ଛାଡ଼ିନାହାନ୍ତି ।’’

 

‘‘ତାର କାରଣ ବୋଧହୁଏ ମୁଖ୍ୟତଃ ଏତିକି ଯେ, ଏ ଦର୍ଶନ ଏକ ମୌଳିକ ସତ୍ୟ । ସତ୍ୟର ଶକ୍ତି ଅଛି ସେ ପାତ୍ର ଅପାତ୍ର ଭେଦ ନ ବାରି ସର୍ବତ୍ର ପ୍ରବେଶ କରିପାରେ । ସତ୍ୟ ଆଲୋକ ପରି–ଅନ୍ଧାର ଯେତେ ଘନ ହେଉ ସେତିକି ସେ ସହଜରେ ପ୍ରବେଶ କରିପାରେ । ଆମେ ସମସ୍ତେ ଏକ ପିତାଙ୍କର ସନ୍ତାନ । ସମସ୍ତେ ବାଣ୍ଟି ଖାଇବା, ପରିଶ୍ରମ କରୁଥିବା ସବୁ ମଣିଷ ସବୁ ସମ୍ପତ୍ତି ଆଗ ।

 

ଗୋଷ୍ଠୀର ହେଲେ ପଛେ ବ୍ୟକ୍ତିର ଏ ସବୁ କଥା ତା ଏଇ ପୂର୍ବଘାଟ ପାହାଡ଼ପରି ପୁରୁଣା, ଏ ଭଳି ଗୋଷ୍ଠୀ ବଣରେ ପର୍ବତରେ ଅଦ୍ୟାପି ଅଛନ୍ତି । ତେଣୁ କନ୍ଧ ସହଜରେ ଏ ମାର୍ଗକୁ ଧଇଲା, ଭାବିଲା ଆପଣାଠି ଯାହା ଅଳିଆ ଜମିଯାଇଛି ତାକୁ ସଫାକରି ପକାଇ ଦିଏଁ । ମଦ ବି ସେ ଛାଡ଼ିଦେଇଛି, ଗୋରୁମରା ବି ସେ ଛାଡ଼ିଦେଇଛି, ଯେପରି ଛାଡ଼ିଛନ୍ତି ଅନେକ ଆଦିବାସୀ କର୍ମୀମାନଙ୍କ ପ୍ରଚାର ଫଳରେ । ଆଜି ସେ ପାଖେ ଗାଁମାନଙ୍କରେ ଦାନ ବୃଷ୍ଟି ହେଉଛି । ଚାହୁଁ ଚାହୁଁ ପନ୍ଦରଟି ଗାଁ ଲୋକେ ସମବଣ୍ଟନ ପାଇଁ ସମ୍ପତ୍ତିକୁ କୋଠ କରିଦେଲେଣି । ତା’ଭିତରୁ ଗୋଟିଏ ହେଉଛି ବିନିସ୍‌ପୁର । ବିନିସ୍‌ପୁର ଯାଉ ଯାଉ ରାସ୍ତା କରରେ ସେହି ଯେଉଁ ଅଜଣା କନ୍ଧ ଶହୀଦମାନଙ୍କର ଚାରୋଟି ସ୍ମୃତି ପଥର ଅଛି ଜନୁଭାଇ, ସେହି ଯେଉଁମାନେ ମରିଥିଲେ ତିରିଶ ବର୍ଷ ତଳେ କଲ୍ୟାଣସିଂହପୁର ବିଦ୍ରୋହରେ, ଆଜି ସେମାନେ ଥିଲେ କଣ ଭାବିଥାନ୍ତେ ଜନୁଭାଇ ? ଆପଣ ତ ଦେଖିଆସିଲେ ଅନ୍ଧ ବୁଢ଼ା ପିତା ଜାନି କନ୍ଧକୁ ନବେବର୍ଷର ବୁଢ଼ା, ତାର ଅଶୀବର୍ଷର ସ୍ତ୍ରୀ, ସେହି ଥିଲା ଏତେ ଖଣ୍ଡି ଗାଁର ସେ ବିଦ୍ରୋହର ନେତା । ସେତେବେଳେ ସେ କହୁଥିଲେ, ଜୟପୁର ରାଜାକୁ ଆମେ ଚିହ୍ନୁନାହିଁ, ଆମେ ଖଜଣା ଦେବୁ ସିଂପୁର୍‍ର ଦେଓଘରକୁ, ସେ ଆମର ରାଜା ସରକାର । ଜୟପୁର ରାଜା ଜିନିଷ ଅସୁଲ କରେଇବାକୁ ଅଣ୍ଟା ଭିଡ଼ିଲେ । ଗୁଳି ଫୁଟିଲା କନ୍ଧ ପଟାଳି ପରି ମଲେ । କେତେ ଗାଁ ଜଳି ଭସ୍ମ ହେଲା । ଏଡ଼େ ଦୁର୍ଦ୍ଦିନରେ ତେବେବି ପିତା ଜାନି ଥିଲା ନେତା । ନିଶା ଅନ୍ଧାରରେ ଗୋଟିକୁ ଗୋଟି ଶବ ପାଖେ ଯାଇ କାନ୍ଦୁଥିଲେ, ସକାଳକୁ ଧରୁଥିଲେ ଧନୁଶର ।

 

ଆଜି ପିତା ଜାନି କହୁଛି ସବୁ ଦାନ କରିଦିଅ, ସବୁ କୋଠ କରିଦିଅ, ସବୁ ମୋହ ସ୍ୱାର୍ଥ କାଟିଦେଲେ ସତ୍ୟଯୁଗ ଆସିଯିବ । ଲୋକେ ଶୁଣୁଛନ୍ତି ।

 

‘‘ଲୋକେ ଶୁଣିବେତ, ଏ କୌଣସି ଜଣକିଆ ମଣିଷର ଡାକ ନୁହେଁ । ଏ ଏକାଥରେ, ଯୁଗର ଡାକ, ଆକାଶ ପବନ ମାଟି ସମସ୍ତେ ଏକାଥରେ ଡାକ ଛାଡ଼ୁଛନ୍ତି । କୋଠ ପାଇଁ ସମବଣ୍ଟନ ପାଇଁ ସର୍ବସ୍ୱ ଦାନ ଦିଅ । ସମ୍ପତ୍ତି ଉପରେ ନିଜର ମାଲିକପଣ ଲୋପ କରିଦିଅ, ତାକୁ ତରଳେଇ ଦିଅ, ସେ ବୋହିଯାଉ, ସମସ୍ତେ ପାଉନ୍ତୁ । ଯୁଗ ବଦଳିଛି, ମଣିଷର ବିଚାର ବଦଳିବ, ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ ।

 

ନିଶିଖାଲ ଗାଁପାଖରୁ ମୁନିଗୁଡ଼ା ଆଡ଼କୁ ଓହ୍ଳେଇବାକୁ ପଡ଼ିଲା ପ୍ରାୟ ମାଇଲିଏ ପର୍ଯ୍ୟନ୍ତ-। ପୁଣି ଚଢ଼ିବାକୁ ଲାଗିଲା ମାଇଲିଏ । ଖୁବ୍ ତୀଖ ଉଠାଣି । ପର୍ବତ ଉପରେ ଠିଆହୋଇ ଦୂର ପର୍ବତ ଢେଉ ଉପରେ ସେମାନେ ସୂର୍ଯ୍ୟାସ୍ତ ଦେଖିଲେ-ସତେ ଯେପରି ସମୁଦ୍ରର ଢେଉ ସବୁ ଅଚଳ ହୋଇଯାଇଛି, ତା ପଛକୁ ତା ପଛକୁ ହୋଇ ଲାଗିରହିଛି ଲାଞ୍ଜିଗଡ଼କୁ, ତାପରେ ସୂର୍ଯ୍ୟାସ୍ତ ରଙ୍ଗ କି ସୁନ୍ଦର । ପଶ୍ଚିମରେ ସୂର୍ଯ୍ୟ ବୁଡ଼ିଗଲେ । ତାପରେ ସବୁ ଲାଗିଲା ଗମ୍ଭୀର ଗମ୍ଭୀର ।

 

ଦୂରକୁ ଚାହିଁ ଦୂରବନ୍ଧୁ ଚିନ୍ତାରେ ବୁଡ଼ିଲେ, ସେହି ବେଳ ଯେତେବେଳେ ଭାବ ଓଜନ ହୋଇ ଝୁଲିପଡ଼େ । କାହୁଁ କାହୁଁ ଆସେ ଧାରଣା ସବୁ, ମନ ଅସ୍ୱାଭାବିକଭାବେ ନରମ ହୋଇଯାଏ-

 

‘‘ମୁଁ କଣ ଭାବୁଛି ଜାଣନ୍ତି ଜନୁଭାଇ !’’ ରମୁଭାଇ କହିଲେ ।

‘‘ମୁଁ ଭାବୁଛି...’’

 

ବାଧାଦେଇ ଜନୁଭାଇ କହିଲେ-‘‘ରହନ୍ତୁ, ଆପଣ କଣ ଭାବୁଛନ୍ତି ମୁଁ କହିଦିଏଁ । ଆପଣ ଭାବୁଛନ୍ତି ଯେ ସେଦିନ ବି ଡେରିନାହିଁ, ଯେତେବେଳେ ଏଇ ପାହାଡ଼ ଉପରୁ ଚାରିଆଡ଼କୁ ଦୃଷ୍ଟି ପକାଇଲେ ଦିଶୁଥିବ ଚାରିଆଡ଼େ ଯେତେ ଯାହା ଦିଶୁଛି କେହି ଅଭାବୀ ନାହିଁ, କେହି ଭୋକରେ ରହୁନାହିଁ, କେହି ବଞ୍ଚିତ ନୁହେଁ, କେହି ଶୋଷିତ ନୁହେଁ, ସମସ୍ତେ ବାଣ୍ଟିକୁଣ୍ଟି ଖାଉଛନ୍ତି । ଆଗ ସମୂହ ମଙ୍ଗଳ କଥା ଭାବୁଛନ୍ତି । ଏଇ କଥା ଆପଣ ଭାବୁ ଥିଲେ....କହନ୍ତୁ ସତ କି ମିଛି ?’’

 

ରମୁଭାଇ କହିଲେ–‘‘ସତ । ଆପଣ ବି ଭାବୁଛନ୍ତି ସେହି କଥା । ଏଇ ଉପରକୁ ଦୂରର ଦୂରର ଦେଶ ବି ଦିଶେ, ପ୍ରକୃତି ଦିଶେ କେଡ଼େ ସୁନ୍ଦର । ପ୍ରକୃତିର ଏହି ବିପୁଳ ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟର କୋଳରେ ମନୁଷ୍ୟକୁ ମୁଁ ଏହି ଉପରୁ ଦେଖୁଛି । ଏ ସୌନ୍ଦର୍ଯ୍ୟ ବିଧାନ ଭିତରେ ମନୁଷ୍ୟର ଆତ୍ମା ଖାଲି ସୁନ୍ଦର ନୁହେଁ ସୁନ୍ଦର ତମ । ସେଠି ସ୍ୱାର୍ଥ, ହିଂସା, ଅସତ୍ୟ କେଡ଼େ ଅବାଞ୍ଛିତ ଅସମଞ୍ଜସ କୁତ୍ସିତତା ! ତେଣୁ ମୁଁ ପରିକଳ୍ପନା କରୁଛି, ଯଦି ଏ କୁତ୍ସିତତା ଧୋଇଯାନ୍ତା, ଯଦି ସତ୍ୟ ଶାନ୍ତି ଅହିଂସାର ଭିତ୍ତିରେ ମୈତ୍ରୀ ଓ କରୁଣା ସମ୍ବଳିତ ସମାଜ ସ୍ଥାପିତ ହୁଅନ୍ତା, କିପରି ଦିଶନ୍ତା ଏ ପୃଥିବୀ ! ଏଇ ନିୟମଗିରି ପର୍ବତ ଉପରୁ ଚାହିଁଲେ କିପରି ଲାଗନ୍ତା !’’

 

ଜନୁଭାଇ କହିଲେ–‘‘ଗୋଟିଏ ଦେବ ମନ୍ଦିର ଥିଲେ ଗୋଟିଏ ସ୍ଥନ୍ଦି ପବିତ୍ର ଲାଗେ, ଏଇ ଯେପରି କି ମହାବିନାୟକ କି ବରୁଣେଇ, ଆଉ ଯେଉଁଠି ପ୍ରତି ହୃଦୟରେ ଜାଗ୍ରତ ଦେବତା ସେ ତ ସ୍ୱର୍ଗ । ନ ହେଲେ ସ୍ୱର୍ଗର ଆଉ କି ପରିକଳ୍ପନା ତା ମୁଁ ଜାଣେନାହିଁ ।’’

 

ଠିଆହୋଇ ଦୂରକୁ ଦେଖୁଥିଲେ ଦୁଇବନ୍ଧୁ । ଦୂରତା କେତେବେଳୁ ଅନ୍ଧାରରେ ହଜିଗଲାଣି । ପାଖ ବି ନିଭି ନିଭି ଆସୁଛି । କିନ୍ତୁ ସେମାନେ ଦେଖୁଥିଲେ ଦୂରକୁ ଚାହିଁ ଚାହିଁ ଆପଣା ଅନ୍ତର ଭିତରକୁ । ସେଠି ଆଶା ଓ ବିଶ୍ୱାସର ଦୀପ ମାଳମାଳ ହୋଇ ଜଳୁଛି, ଚାରିଆଡ଼େ କାହିଁ ଦୂର ଦିଗ୍‌ବଳୟ ଯାକେ ।

 

ପୁଣି ବାଟ, ପୁଣି ପର୍ବତଚଢ଼ା । ନୂଆ ଅନ୍ଧାରରେ ଜଙ୍ଗଲ ନୂଆ ରୂପ ପାଇଛି । ସେ ଖାଲି ଠିଆ ଠିଆ ଗଛ ନୁହେଁ, କାଠନୁହେଁ, ଅସଂଖ୍ୟ ପ୍ରବଣତା ଓ ସମ୍ଭବପଣ ଘେନି ଏକ ଜୀବନ୍ତ ଶକ୍ତି । କେଉଁ କଣରେ କଣ ବାହାରିପାରେ । ଶବ୍ଦ ନକରି ଶୀତୁଆ ପବନ ଝଲକାଏ ଶୀତଳ କଟୁରିର ଚୋଟ ହାଣି ହାଣି ଚାଲିଯାଉଛି । ଶୀତଦିନର ସଞ୍ଜ ।

 

ରମୁଭାଇ କହିଲେ–‘‘ଏଠି ପର୍ବତ ଉପରେ ପାଞ୍ଚଘର ସାତ ଘର ଏକ ପରିବାର ପରି ଗାଁ ଗଢ଼ି ମଣିଷ ରହିଛି । ସମସ୍ତଙ୍କର ପ୍ରାୟ ସମାନ ଜମି, ସମାନ ସୁବିଧା କି ଅସୁବିଧା । ତଥାପି ଦେଖନ୍ତୁ ଏଠି ଗାଁ ଗାଁ ଭିତରେ କଜିଆ ଲାଗେ । କିଏ କହେ ଅମୁକ ଜମିରେ ମୋର ପଦରିଆର ଅଧିକାର, ଜମି ପଛେ ତୁମେ ଖାଅ । ସେ ସ୍ଥାନରେ ଯେ ବଳି ପକାଉ, ଆଗ ଗୋଡ଼ ଫରିଆକୁ ଟେକି ଭୂଇଁ ଚାରିକରେ ବୁଲିଆସିବ ପଦରିଆ, ସେ ତାର ଗୋଟାଏ ସମ୍ମାନ । କିଏ କହେ ଜମିରୁ ଖଜଣା ଅସୁଲ କରିବି ମୁଁ-ହେଉପଛେ ଗାଁ ଗୋଟାକର ଜମିପାଇଁ ବାର୍ଷିକ ଖଜଣା ଦି’ଟଙ୍କା ବା ତିନିଟଙ୍କା । ଜମିରେ ବଳି ପକାଇବାପାଇଁ ତ ଭୀଷଣ ଗଣ୍ଡଗୋଳ, ଜଣେ ତା ନିଜ ହାତରୁ ମଇଁଷି କିଣି ହାଣିବ, କିନ୍ତୁ ନିଜ ଜମି ଛଡ଼ା ପରର ଜମିରେ ସେ ହାଣିପାରିବନାହିଁ । ଜମିରେ ପୂଜା ମଇଁଷି ହାଣିଲେ ଜମିଟା ତାର ବୋଲି ଅର୍ଥ ହେବ, ତେଣୁ ଅପରପକ୍ଷ ଅନର୍ଥ କରିବ । କଇତଜା ସାନ ଗୋଟିଏ । କାଡ଼ାକା ଆର୍ଜୁ କହୁଛି କଇତଜା ତା ଗାଁ, ପାଚୁକୋଡ଼ିର ଗୁଡ଼ା । ଭାଲେରି ଗାଁ ଲୋକ କହୁଛନ୍ତି ସେଇଟା ତାଙ୍କ ଗାଁର ଗୁଡ଼ା । ମଝିରେ କଇତଜାର ଘରଗୁଡ଼ିକ ରାତିକାରାତି ଜଳିଗଲା ପଛେ, କଇତଜା କଜିଆ ନିଷ୍ପତ୍ତି ହେଲାନାହିଁ । ସେହିପରି ଦାମଣପାଙ୍ଗା ଡଂଣି ଏ ଦୁଇ ଗାଁର କଜିଆ, କଟାଗାର ପଦର ବିଷୟରେ ଆହୁରି କେତେ ଗାଁରେ କଜିଆ । କେତେଠି ମଣିଷ ସମାଜ; ସେ ମରୁଭୂମିରେ ହେଉ କି ନିୟମଗିରି ପର୍ବତ ଉପରେ ହେଉ ସବୁଠି ସ୍ୱାର୍ଥପାଇଁ କଜିଆ । କଜିଆଟା ସବୁବେଳେ ଆବଶ୍ୟକ ପାଇଁ ନୁହେଁ, କେତେବେଳେ ଆବଶ୍ୟକ ପାଇଁ, କେତେବେଳେ ଆପଣା ଅହମିକା ଜାରି କରିବାକୁ ଆତ୍ମବଡ଼ିମାପାଇଁ, କେତେବେଳେ ଏ ଦୁଇ କାରଣରୁ ।’’

 

ଜନୁଭାଇ କହିଲେ–‘‘ହଁ, ଆତ୍ମବଡ଼ିମା ପାଇଁ । ଅନ୍ୟକିଛି ସ୍ୱାର୍ଥ ନ ଥାଉ ପଛେ ଖାଲି ଅନ୍ୟ ଉପରେ ଆପଣା ବ୍ୟକ୍ତିତ୍ୱଟାକୁ ଚାପି ଦେବାପାଇଁ ଲୋକ କଣ୍ଟାବାଡ଼ରେ ଲୁଗା ପକାଇ କଜିଆ କରେ ।’’

 

ରମୁଭାଇ ହସିଲେ । କହିଲେ–‘‘ସେଥର ଯେମିତି ଆପଣଙ୍କ ଉପରେ ହୋଇଗଲା–’’

 

ଦୁଇବନ୍ଧୁ ହସିଲେ । ଘଟଣାଟି ତିନିବର୍ଷ ତଳର । ଦକ୍ଷିଣରେ ଠାଏ ରେଲ୍‍ରେ ତୃତୀୟ ଶ୍ରେଣୀରେ ଗଲାବେଳେ ଫୁର୍‌ଫୁର୍‌ ମୁଣ୍ଡ, ଖାଲିଦେହ, ଛୋଟ ପିନ୍ଧା, ବି.ଏ ପାଶ୍, ଆଇନ୍ ପଢ଼ା ଜନୁଭାଇ ଦେଖିଲେ ବିନାଟିକେଟରେ ଯାଉଥିଲା ଟୋକାଟିଏ, ଧରାପଡ଼ିଛି, ତା ଉପରେ ପ୍ରହାର ଚାଲିଛି । ଜନୁଭାଇ ଆପତ୍ତି କରି ପଦେ କହିଲେ–ଆଜ୍ଞା ପୁଲିସ୍‌ବାବୁ, ତାକୁ ନିର୍ଦ୍ଦୟ ଭାବରେ ପ୍ରହାର କରିବା ଅପେକ୍ଷା ଜେଲକୁ ନେବା କ’ଣ ଭଲ ହୁଅନ୍ତା ନାହିଁ ? ମାଡ଼ ଦେବାଟା ପରା ମନା-।’’

 

‘‘ଭାରି ୟେ ଜାଣନ୍ତି ମନା କି ଅମନା !’’

 

ସମାନ୍ୟ ଯୁକ୍ତି ହେଉ ହେଉ ପୁଲିସ୍‌ବାବୁଟି ଦେଲେ ଧରି ଉତ୍ତମ ମଧ୍ୟମ । କହିଲେ, ‘‘ତତେ ଏତେ ଆଇନ୍ ଜଣାଅଛି ପରା, ହଉ ତତେ ସନ୍ଦେହରେ ମୁଁ ଗିରଫ କଲି ।’’ ଷ୍ଟେସନରେ ଓହ୍ଳେଇ ନେଲେ କର୍ମଚାରୀଙ୍କ ପାଖକୁ । କର୍ମଚାରୀ ମହାଶୟ ପୂର୍ବେ ଜନୁଭାଇଙ୍କ ସଙ୍ଗେ ପଢ଼ୁଥିଲେ-। ସେ ବଡ଼ ଲଜ୍ଜିତ ହୋଇ ବହୁତ କ୍ଷମାମାଗି ତାଙ୍କୁ ଛାଡ଼ିଦେଲେ । ଜନୁଭାଇ କହି ଆସିଲେ, ‘‘ଠିକ୍ ହେଲା ନାହିଁ ବନ୍ଧୁ, ତମର ଉଚିତ ଥିଲା ମତେ ଆହୁରି ଦିଟା ଥୋଇବା, ତା ପରେ ଗାରଦରେ ଭର୍ତ୍ତିକରିବା । ଅନ୍ୟ ମଳିମୁଣ୍ଡିଆକୁ ତୁମେ ଯାହା କରିଥାନ୍ତ ମତେ ଅବିକଳ ସେହି ବ୍ୟବହାର ଦିଅନ୍ତ, ମୁଁ ଚାହେଁ ।’’

 

‘‘ଆତ୍ମବଡ଼ିମା, ଅହଙ୍କାର, ଏ ଗୁଡ଼ିକ ମଣିଷ ଭୁଲରେ ଆତ୍ମପ୍ରତିଷ୍ଠା କହେ ସିନା, ଏ ପ୍ରତିଷ୍ଠା ନୁହେଁ, ଅପ୍ରତିଷ୍ଠା ।’’ ରମୁଭାଇ କହିଲେ, ‘‘ଠିକ୍ କହିଛନ୍ତି । କବି ରବୀନ୍ଦ୍ରନାଥ । ନିଜକୁ ଗୌରବ ଦେବାକୁ ଯାଇ ମଣିଷ ବାରମ୍ବାର ନିଜକୁ ଖାଲି ଅପାମାନହିଁ କରେ । ସେହିପରି ଶକ୍ତି ନିଜେ ନିଜର ଗୌରବ, ଯଥା ପବନ ଆଲୁଅ ମେଘ । ଯାହାର ଶକ୍ତି ନାହିଁ ସେ ଗୌରବ ଖୋଜେ; ଲୋକହସା ହୁଏ ।’’

 

ଅନ୍ଧାର ଖୋଲିଗଲା । ଏହି ଦାମଣପାଙ୍ଗା ଗାଁ । ଦଶଘର କନ୍ଧ, ବଂଶ କାଡ଼୍ରାକା । ତିନିଘର ଡମ୍ବ । କନ୍ଧ ଦଉଡ଼ି ଆସିଲେ । ଆଗେ ଆଗେ କୁକୁରମାନେ । କୋଉଠୁ ଆସିଲେ ? କୁଆଡ଼େ ଯିବ ? କିଏ ତୁମେ ? ଚାହୁଁ ଚାହୁଁ ଚିହ୍ନା ଜଣା । ସଙ୍ଗେ ସଙ୍ଗେ ଆତିଥ୍ୟ । ଗାଁର ବଡ଼ଲୋକ କାଡ୍ରାକା କାର୍ଲାଜାନି ନିମନ୍ତ୍ରଣ କଲେ-ରହିଯାଅ ଆମ ଗାଁରେ ଆଜି ରାତିକ, ଗୁଡ଼ିଘରେ ଜାଗା ଦେବୁଁ । ସକାଳ ହେଲେ ସାଙ୍ଗ ଦେବୁଁ । ରହିଯା ଆଜି ।’’

 

ଚାରିହଜାର ଫୁଟ୍‌ ଉଞ୍ଚ ପାହାଡ଼ ଉପରେ ମଣିଷ ମଣିଷକୁ ଆଦରି ନେଲା । ଝୁଲାମୁଣି ଓହ୍ଲେଇଦେଇ ଦୁଇ ବନ୍ଧୁ ଗାଁ ମଝିରେ ଗୁଡ଼ିଘରେ ବସି ପଡ଼ିଲେ । କନ୍ଧ ଲାଗିଗଲେ ସେବା କାର୍ଯ୍ୟରେ । କାଠ ଆଣିଲେ, ନିଆଁ କଲେ, ହାଣ୍ଡି ହାଣ୍ଡି କରି ପାଣି ଥୋଇଲେ, ଢାଳିହେବାକୁ ଲାଉ ଡଙ୍କା । ଗାଁର ପିଲାମାନେ ବେଢ଼ି ବସି ଗପକଲେ । ଚାଳ ତଳେ ନିଆଁର ଉଷୁମ, ଧୂଆଁର ଚିହ୍ନା ଗନ୍ଧ-। ଜନୁଭାଇ କହିଲେ, ‘‘ଦେଖନ୍ତୁ ଏଠି ବି ଆମପାଇଁ ଘର ଅଛି । ସତ କହିଲେ, ଗାଁ ମନେପଡ଼ୁ ନାହିଁ-?’’

 

‘‘ହଁ ମନେପଡ଼ୁଛି । ସେଠି ଏତେ ହୃଦୟ ବୋଧହୁଏ ନ ଥିବ । ଆଉ ଆଗର ଗାଁ ନାହିଁ । ଯାହା ତ ବଦଳୁଥିଲା, ଗଲା ଯୁଦ୍ଧପରେ ଯେଉଁଠୁ ଆରମ୍ଭ ହେଲା କୀଳକାବ୍ଦ ଅର୍ଥାତ୍ କୀଳାପୋତେଇ ଯୁଗ, ସେଦିନୁଁ ସରିଯାଇଛି । ଅତିଥି ବୋଲି ଗାଁ ଲୋକ ଆଉ ଡାକୁ ନ ଥିବେ ଦଣ୍ଡେ ବସିବାକୁ, ଖୋଇବା ତ ଦୂରର କଥା । କିନ୍ତୁ କୁଣିଆ ଆସିଲେ ନିଆଁ ପାଖେ ଏମିତି ଗୁଡ଼ୁରୁ ଗୁଡ଼ୁରୁ, ଏମିତି ଗନ୍ଧ କି ବାସ୍ନା, ଏମିତି ମେଞ୍ଚିମାଞ୍ଚି ହୋଇ ଛୁଆ ଛୁଆ କୁତୂହଳୀ ଶ୍ରୋତା ।’’

 

‘‘ଆଉ ବକ୍ତା–’’

‘‘ହଁ ବକ୍ତା, ଏମିତି, ଭାଷା ଯାହାହେଉ ଭାବ ଏକା ।’’

 

‘‘ଏଇ ବୁଢ଼ାଟିକୁ ଦେଖନ୍ତୁ ଚିହ୍ନା ଚିହ୍ନା ଲାଗୁନାହିଁ-ପିନ୍ଧିଥାଉନ୍ତୁ ପଛେ ଖଣ୍ଡେ ଲେଙ୍ଗୁଟି, ହୋଇଥାଉ ମୁଣ୍ଡବାଳ ଫୁରୁଫୁରୁ । ଠାଣୀ କହୁଛି ଏଇ ସେ ପୁରୁଖା ସମାଜପତି, ଯେ ସମସ୍ତିଙ୍କୁ ଆକଟନ୍ତି, ବଂଶର ମର୍ଯ୍ୟାଦା ଗାଁର ମର୍ଯ୍ୟାଦା ରହିଲା ନା କ୍ଷୁଣ୍ଣ ହେଲା । କଥାଟିକି ଆଗ ଲକ୍ଷ୍ୟରଖି କାମ ବରଗନ୍ତି, ତଦାରଖ କରନ୍ତି ।’’

 

‘‘ଆଉ ଏଇ ପିଲାଟିକୁ ଦେଖନ୍ତୁ, ଏଇ ସେ ହସୁଛି । ସେ ନିଶ୍ଚୟ ଆମକୁ ନିରେଖି ଦେଖୁଛି-। ଏଠୁ ଯିବାମାତ୍ର ସେ ଆମୁକୁ ନକଲ କରି ଦେଖେଇ ହବ ବନ୍ଧୁମାନଙ୍କ ଆଗରେ ସମସ୍ତେ ହୋ ହୋ ହସିବେ । ଏଇ, ଆର ପିଲାଟି ହୃର୍ଦ୍ଦୁଙ୍ଗା ବାଇଟୁଙ୍ଗୁରି ହୋଇଥିବ, ଖାଲି ଖରାଏ ତରାଏ ବୁଲିଲାଗିଥିବ ମନ ଇଚ୍ଛା, ଖିଆନାଇଁ, ପିଆନାଇଁ ମା ଅନେଇ ଅନେଇ ଅଥୟ ହେଉଥିବେ, ସେ ଦଳଧରି ବୁଲୁଥିବ, ଏଠି ଡାଙ୍ଗଟିଏ ଭାଙ୍ଗ, ସେଠି ପତ୍ରଟିଏ ଛିଣ୍ଡା, ସେଠି ମାଙ୍କଡ଼ ହୁରୁଡ଼ା, ସେଠି ଚଢ଼େଇଙ୍କୁ ଟେକାପକା, ଏଇ କାମ, କାଲି ଦେଖିଲା ପରି ଲାଗୁଛି ।’’

 

‘‘କାରଣ ସାଧାରଣ ମଣିଷ ସବୁଠି ସମାନ ।’’

‘‘ହଁ, ସବୁ ତ ସମାନ ।’’

 

କିନ୍ତୁ ତାଙ୍କର ଭାଷା ବୁଝି ହେଉନାହିଁ । କୁଭି କନ୍ଧ ବୋଲିରେ ବି କେତେ ଫରକ୍ । ନିଆଁକୁ ତଳର କନ୍ଧ ହିଚୁ କହିଲେ ଡଙ୍ଗ୍ରିଆ କହିବ ନାଣି, କୋଣିଆ କହିବ ‘ନାଡ଼ି’ । ହାଣ୍ଡିକୁ ତଳର କନ୍ଧ ‘ଡୋକା’ କହିଲେ ଡଙ୍ଗ୍ରିଆ କହିବ ‘ବିହେଡ଼ି’, କୋଟିଆ କହିବ ‘କୁର୍‌ଇ’ । ବାଟକୁ ତଳର କନ୍ଧ ‘ଜିରୁ’ କହିଲେ ଡଙ୍ଗ୍ରିଆ କହିବ ‘ଗିରି’, କୋଟିଆ କହିବ ପାହେରି’ । ମାଟିକୁ ତଳର କନ୍ଧ ‘ଠ୍ୱିର୍କା’ କିମ୍ବା ‘ଓ୍ୱର୍ହା’ କହିଲେ ଡଙ୍ଗ୍ରିଆ କହିବ ‘ଓ୍ୱିର୍ଗା’, କୋଟିଆ କହିବ ‘ତାଡ଼ା’ । ଦାଆକୁ ତଳର କନ୍ଧ ‘ଡୋବେଲି’ କହିଲେ ଡଙ୍ଗ୍ରିଆ କହିବ ‘ଓ୍ୱେଗୋ’, କୋଟିଆ କହିବ ଗାଟ୍ରା’ । ଏମିତି କେତେ ପ୍ରଭେଦ-। ଦଶଟା ଶବ୍ଦ ମିଶିଲେ ପାଞ୍ଚଟା ଅମେଳ ହେବ-ବାରିକ ବୁଝେଇଲା ।

 

ବାରିକ ଡମ୍ବ ଜାତିର ଲୋକ, ସେ ଡଙ୍ଗ୍ରିଆ ଗାଁକୁ ଚାବି । ବାହାରର ବେପାରି ଓ ପର୍ବତର ଡଙ୍ଗ୍ରିଆ ଏ ଦୁଇପକ୍ଷ ଭିତରେ ସେ ସିଢ଼ି । ବାରିକ ଦେଖେ ନାହିଁ ଏ ପଦାଦେଶର କର୍ମୀଙ୍କୁ ଭଲ ଦୃଷ୍ଟିରେ । ଯେଉଁ ସାମାଜିକ ପରିସ୍ଥିତିରେ ସେ ବିଶେଷ ପରିଶ୍ରମ ନ କରି କନ୍ଧମାନଙ୍କଠୁଁ ପ୍ରତି ଘରୁ କିଛି କିଛି ସାହାଯ୍ୟ ପାଇ କୁଡ଼ିଆଟିଏ ବାନ୍ଧି ଚଳିଯାଉଛି, ଏମାନେ ଚାହାନ୍ତି ସେ ପରିସ୍ଥିତିକୁ ଓଲଟେଇବାକୁ, ଯେପରି କି ଖାଲି କଥା କହି କହି ସେ ରୋଜଗାର କରିପାରିବ ଏପରି ଚଳିବ ନାହିଁ, ଏଇ କନ୍ଧଙ୍କ ପରି ତାକୁ ମଧ୍ୟ ପରିଶ୍ରମ କରିବାକୁ ପଡ଼ିବ । ଏମାନେ କହନ୍ତି କନ୍ଧ ଗୋରୁ ନ ମାରୁ, ଗୋରୁ ନ ଖାଉ, ତା’ହେଲେ ବାରିକ ମାଂସ ପାଇବନାହିଁ ମାଗେଣା, ମାଗେଣାରେ ଗୋରୁର ଛାଲ ପାଇବନାହିଁ ହାଟକୁ ଯାଇ ବିକି ପଇସା ଆଣିବାକୁ । ଏମାନେ କହନ୍ତି କନ୍ଧ ମଦ ନ ଖାଉ, ତା’ହେଲେ ବାରିକ ବି ମଦ ପାଇବ ନାହିଁ, ବେଳକାଳକୁ ମଦ ରାନ୍ଧି ବିକିବାକୁ ସୁବିଧା ମିଳିବ ନାହିଁ । ସବୁଠୁ ବଡ଼ କଥା, ଏମାନେ ଚାହାନ୍ତି କନ୍ଧ ପାଠପଢ଼ୁ, ସଭ୍ୟ ଶିକ୍ଷିତ ହେଉ । ବାରିକକୁ ସବୁଠୁ ବେଶି ବିପଦ ହେବ ସେ । କନ୍ଧର ଯଦି ବୁଦ୍ଧି ହେବ ସେ କାହିଁକି ଆଉ ବାରିକକୁ ପଚାରିବ ? ବାରିକ ଓ ତାର ସମ୍ପ୍ରଦାୟ ତେଣୁ ଆତଙ୍କରେ ଚାହିଁ ଦେଖନ୍ତି ଏଇ କର୍ମୀମାନଙ୍କୁ-କିପରି ଲୋକ ଏମାନେ ଯେ ବାଘ କି ଫାଗ କି ପର୍ବତ୍ର କୌଣସି କଥାକୁ ଏମାନଙ୍କର ଡରନାହିଁ, ମାଡ଼ି ଚାଲିଛନ୍ତି ।

 

ତେଣୁ ବାରିକ ଉପରେ ପଡ଼ି ନାଲିଛାଲି ହୋଇ କହି ଲାଗିଛି, ଯେ କନ୍ଧ ଏକ ନୁହେଁ, କନ୍ଧର ଭାଷା ଏକ ନୁହେଁ । ଦେଖ ଯେ ଗଞ୍ଜାମ ଜିଲ୍ଲାଯାକ କନ୍ଧ କହନ୍ତି ‘କୁଇ’ ଭାଷା, ଅଥଚ କୋରାପୁଟ କଳାହାଣ୍ଡି ଭାଷା ‘କୁଭି’, କୁଇଠୁଁ ଭିନେ । ପୁଣି ‘କୁଇ’ ଭାଷାରେ ନାନା ପ୍ରକାର ବୋଲି, ଏପରି ଯେ ଗୋଟିଏ ଗୋଟିଏ ଉପତ୍ୟକାରେ ନୂଆ ନୂଆ ବୋଲି, କେହି କାହା କଥା ବୁଝିପାରନ୍ତି ନାହିଁ । ସେହିପରି ‘କୁଡ଼ି’ ଭାଷାରେ କୋରାପୁଟିଆ, ରାୟଗଡ଼ିଆ, କୋଟିଆ, ଡଙ୍ଗ୍ରିଆ, ଦେଶିଆ, ବୋଲି ଯେତେ ଇଚ୍ଛା । କୋଟିଆରେ ପୁଣି ଦେଖ ଯେ ଚନ୍ଦ୍ରପୁରମାଳର ପଶ୍ଚିମ ଅଧକ ଏକପ୍ରକାର ବୋଲି, ପୂର୍ବ ଅଧିକ ଯେଉଁତକ ଆହୁରି ଗହୀର ମାଳ ଭିତରେ ଅଛି-ତା ବୋଲି ଆଉ ପ୍ରକାରେ । ବାରିକ କହିଲା, ‘‘ବେଭାରବାଟ କରି ମୁଁ ଯାଏଁ, ତେଣୁ ମୁଁ ଜାଣିଛି । ଏବେ ସିନା ବୁଢ଼ା ହୋଇଗଲି, ଭେଣ୍ଡିଆ ଦିନେ କେତେ ବୁଲିଛି ।’’

 

ବାରିକ କହିଗଲା-ଏ ଯାହା ଧରିଥବେ ସେଇଆ, ବଡ଼ ମେଡ଼ୁ (ଅବାଧ୍ୟ) ଗ୍ୟାଳ୍ପମାନେ । ନିଶା ଉପରେ ଥିଲେ କିସ୍‌ ହେବତି କହିହବ ନାଇଁ । କାତି ହଲେଇ ଦେଲେ ଫଡ଼ା ଫଡ଼ା ଉଡ଼ିଯିବ । ମାରି ହାଣି ଝୋଲାରେ ପକେଇ ଦେଲେ କିଏ ଦେଖୁଚି, କିଏ ଆସୁଚି ତନଖି କରିବାକୁ ? ମୁଁ ୟାଙ୍କ ସଙ୍ଗେ ଚଳୁଛି ଯେ ସାକ୍ଷାତ୍ ବଣର ବାଘ ସଙ୍ଗେ ଚଳିଲା ପରି, କ’ଣ କରିବି, ଆଉ ତ ମୋର ଉପାୟ ନାହିଁ ଅନ୍ୟ କେଉଁଠି ଯାଇ ରହିବାକୁ, ନଇଲେ ବା ଯାଇଥାନ୍ତି । ବେକ ଉପରେ କାତିର ଦାଢ଼ ଲଗାଇ ଦେଲାପରି କରି କାଟିଲା ପରି ଘୋଷାରିବେ, ହାଣିଲା ପରି ଭଙ୍ଗୀଭୁକୁଟି କରି ଛୁରୀ ଚଳେଇବେ । କହିବେ, ଏଇଟା ଆମର ଶରଧା, ତୁ ଆମର ଲୋକ ବୋଲି ସିନା ତୁ ଆମର ସହିବୁ, ଏଇଟା ତୋର ପରୀକ୍ଷା, ଅନ୍ୟ କିଏ କାହିଁକି ସହିବ ? ଚୁପ୍‌ ଚୁପ୍ ସହିଗଲେ କହିବେ-ବାରିକ ଆମର ଲୋକ, ବାରିକ ଭଲ ଲୋକ । ନ ସହିଲେ, ଛାଡ଼ ସେ କଥା ! ପୋଢ଼ ମାରିଲେ କି ଗୋରୁ ମାରିଲେ ଖଣ୍ଡେ ଖଣ୍ଡେ ହାଣି ହାଣି ନିଆଁରେ ପକେଇ ଦେଖେଇ ସେକି ସେକି ଖାଇଯିବେ, ଚାହୁଁ ଚାହୁଁ ଶେଷ । ଜଣେ ଲୋକ ଦିନକୁ ଗୋଟାଏ ଢିଙ୍କିଆ ପଣସ ଖାଇଦେବ, ଝୋଲାରୁ ପାଣି ପିଇଦେବ, ରହିଗଲା ଦିନେ । ପଣସ ମଞ୍ଜିକୁ ଚୁଚୁମି ଚୁଚୁମି କାଢ଼ିଦେବ, ଏକାଠି କୁଢ଼େଇ ରଖିଦେଇଥିବ; ବେପାରି ନେଇଯିବେ । ମୁନିଗୁଡ଼ା ହାଟରେ ବହୁତ ବିକ୍ରି ହୁଏ । ପାଇକ, କୁମୁଟି, ଡଙ୍ଗ୍ରିଆ ସଙ୍ଗେ ମଇତ୍ର ବସେ । ଡଙ୍ଗ୍ରିଆ ଭାର ଭାର ଜିନିଷ ତା’ଘରେ ପୂରାଏ, ଏଣେ ଡଙ୍ଗ୍ରିଆ ଡଙ୍ଗ୍ରିଆ ବିରୋଧ ଲାଗିଲେ ହଣାକଟା ହୋଇ ଲହୁଲୁହାଣ, ବେକଟା ଛିଣ୍ଡେଇ ଦେବା ତା ପକ୍ଷରେ ବଡ଼ କଥା ନୁହେଁ । ଦେହରେ ତ ଏମିତି ବଳ ଯେ, କେଉଁଠି ନାହିଁ ନଥିବାର । ଡଙ୍ଗ୍ରିଆ ଆଉ ମହାବଳ ଧରାପରା ଲାଗିବା କଥା ବି ଶୁଣାଯାଏ । ଖାମ୍ବେସିଗାରେ କନ୍ଧ କଦଳୀ ବାରିରେ ଥିଲା ବାଘ, ଧରିପକାଇଲା, ଲାଗିଗଲେ ଦୁହେଁ ଯେ କନ୍ଧ ଖଣ୍ଡିଆ ହେଉପଛେ କାତିରେ ଭୁଷି ଭୁଷି ବାଘକୁ ମାରି ପକାଇଲା । ସେଇଥିପାଇଁ କହୁଛି, ଡଙ୍ଗ୍ରିଆ ନିଜେ ଏକ ବାଘ । ତା ସାଙ୍ଗରେ କିଛି କଥା କହିବା ଉଚିତ ନୁହେଁ, ତା’ର ସେ ଥାଉ ବାବା, ନିଜେ ବାଟେ ବାଟେ ଚାଲିଯିବା ଭଲ, ପାଟି ଫିଟେଇଲେ କେତେବେଳେ କଣ ହେବ କିଏ ସେଥି କି ଦାୟୀ ହେବ ? ହା, ନିହାତି କଥାଭାଷା ହେବ, ଡାକ ବାରିକକୁ, ବାରିକ ପାଖରେ ଥିଲେ ଭଲ ।

 

ଦୁଇ ବନ୍ଧୁ ହସ ଚାପି ରଖିଥିଲେ । ଆଉ ଚାପି ରଖି ହେଉ ନାହିଁ । ଏଥର ହୋ ହୋ ହୋଇ ଗଡ଼ିଲେ । ବାରିକ କାବା ହୋଇ ଚାହିଁଲା । ଭାବିଲା ପାଗଳ କ’ଣ ଗଛରେ ଫଳନ୍ତି ? ଡଙ୍ଗ୍ରିଆ ବିଷୟରେ ଏତେ କଥା ବୁଝାଇଲା ବେଳକୁ ଫଳ ହେଲା ଏଇ ହସ !

 

ଜନୁଭାଇ କହିଲେ–ବୁଝିଲ ବାରିକ ଭାଇ ! ଏ ମଣିଷ ବାଘ ଯଦି ତମକୁ ଖାଇଲା ନାହିଁ ସେ ଆମକୁ ବି ଖାଇବ ନାହିଁ । ମଣିଷ ମଣିଷକୁ ଖାଏନାହିଁ । ଆଉ ଭାଷା ନ ବୁଝି ପାରିବା କଥା ଯାହା କହୁଚ ସେ ବି ସେଡ଼େ ବଡ଼ ଅସୁବିଧା କିଛି ନୁହେଁ–ଭାଷା ନ ବୁଝିଲେ କଣ ହେଲା-ଭାବ ତ ବୁଝିହେବ ! ସବୁ ମଣିଷ ପରସ୍ପରକୁ ବିନା ଭାଷାରେ ଚିହ୍ନିପାରନ୍ତି, ହାତ ପାପୁଲିକୁ ହାତ ପାପୁଲି କଥା କହେ, ହୃଦୟକୁ ହୃଦୟକ । କହେ, ଆଉ ପଚାରୁଚ କ’ଣ ? ଏଇ ଯେ ମଣିଷ ମଣିଷ ଭିତରେ ତୁନିତାନି କଥାଭାଷା ସେ ତୁଣ୍ଡ କଥା ଭାଷାଠୁଁ ଆହୁରି ଅଧିକ, ଆହୁରି ଅଧିକ । ଏଥିରେ ମରମକୁ ମରମ ଚିହ୍ନାଚିହ୍ନି । ଯେମିତି ଦେଖ ଜଗନ୍ନାଥ ଭାଇ, ସେ କନ୍ଧ ଭାଷା ଜାଣନ୍ତି ନାହିଁ, ସଓରା ଭାଷା ଜାଣନ୍ତି ନାହିଁ, କିନ୍ତୁ ଲୋକେ ତାଙ୍କ କଥା ବେଶି ବୁଝନ୍ତି । କଥା କହିଲେ ମଣିଷ ଆପଣା ଉଦ୍ଦେଶ୍ୟକୁ ବରଂ ଛଦ୍ମ ବେଶ ଢାଙ୍କି ଘୋଡ଼େଇ ପକାଏ, କଥା ନ କହିଲେ ତା ଠଉରେଇ ହୁଏ । ହେଇ ଯେମିତିକା, ତମ ମନରେ କ’ଣ ଅଛି ତା କ’ଣ ତୁମେ କହିଲ ? ତୁମେ ତାକୁ ଢାଙ୍କି ରଖିଲ, ଅନ୍ୟ କଥା କହିଲ ।’’

 

ବାରିକ ଆପତ୍ତି କଲା, କହିଲା ‘‘ନାଇଁ ନାଇଁ, ମୁଁ ସତ୍ କହୁଚି ।’’

 

ରମୁଭାଇ କହିଲେ, ‘‘ତୁମେ ସତ କହୁଚ କି ମିଛ କହୁଚ ସେ ତମୁକୁ ଜଣା ସିନା, ଆମେ ଜାଣିଚୁ ଗୋଟିଏ କଥା-ସବୁ ମଣିଷ ଭାଇ ଭାଇ–ସବୁ ମଣିଷର ଏକା ଜାତି–ସେ ମଣିଷ । ସେଥିରେ ଡଙ୍ଗ୍ରିଆ କନ୍ଧ କି ଲାଞ୍ଜିଆ ସଓରା କି ଓଡ଼ିଆ କି ଇଂରେଜି ଏ କଥା ନାହିଁ ।’’

ବାରିକ୍ କହିଲା, ‘‘ସତ୍ ସତ୍ ।’’ ଡଙ୍ଗ୍ରିଆମାନେ ଆସି ପହଞ୍ଚିଗଲେ । ବାରିକ୍ ତାଙ୍କୁ ଶୁଣେଇ ଶୁଣେଇ କହିଲା-ଆମର ଏମାନେ ଏଡ଼େ ଶାନ୍ତସୁଧାର ଭଲଲୋକ ଯେ କହିଲେ ନ ସରେ-। ନଇଲେ ମୁଁ କାହା ଅନ୍ନ ଖାଇ ଏଠି ପଡ଼ିଚି ? ଲଙ୍ଗଳା ଫୁଙ୍ଗୁଳା ମଣିଷ, ମନଟା ବି ସେମିତି ଲଙ୍ଗଳା । ସେ ମନରେ ତାତର୍ ନାଇଁ କି ବିକାର ନାଇଁ । ମଣିଷ ଦେହଟାକୁ ଦେଖି ତଳ ଦେଶର ଲୋକଙ୍କ ମନରେ ଏଡ଼େ ବିକାର ଆସେ, ଏମାନଙ୍କର ଆସେ ନାହିଁ । ମାଇକିନିଆର ଖୋଲା ଛାତି, ଥନକୁ ମାଇଁନା କହେ ଏ ମୋ ପିଲା ପାଇଁ ଖାଦ୍ୟ । କାହା ହାତ ତା ଥନରେ ଲାଗିଲେ ସେ ହସିଦେଇ କହେ-ଏଇଟା ଏଥର ମୋ ପିଲା ପରି ହେଇଗଲା, ଥନକୁ ମନକଲା । ସେଇଥିପାଇଁ ସେ ଥନକୁ ଲାଜ କରେ ନାହିଁ । ତା ସ୍ୱାମୀର ବି ସେଥିରେ ଅଧିକାର ନାହିଁ । ସେ ମାଇଁନାର କାନ୍ଧରେ ହାତ ପକାଏ ସିନା, ଥନରେ ଟିପ ଛୁଆଁଏ ନାହିଁ । ଏମିତି ସଫା ମନ ଦେଖିଚ କିଏ କୋଉଠି ?’’

‘‘ହାଁ, କହ ବାରିକ କହ’’ ଜନୁଭାଇ କହିଲେ, ‘‘ଏଥର ଯାହା କହିଲ ସତ କହିଲ । ମଣିଷ ପରିଷ୍କାର, ମନଟା ପରିଷ୍କାର, କପଟ ନାହିଁ କି ବିକାର ନାହିଁ ।’’

କନ୍ଧମାନେ ହସିଲେ । ରମୁଭାଇ କହିଲେ, ‘‘କଳୁଷ ଖାଲି ମଦଖିଆ ଗୋରୁ ଖିଆ, ଗୋରୁ ହଣା । ମଦ ବି ସେତେ ଅଧିକ ନୁହେଁ । ଏଠି ଲୋକ ଅଛନ୍ତି ଯେ ମଦ କ’ଣ ଧୂଆଁପତ୍ର ବି ବ୍ୟବହାର କରନ୍ତି ନାହିଁ । ତଥାପି ଯୋଉତକ ଅଛି କମେଇବାକୁ ହେବ ।’’

ଜନୁଭାଇ କହିଲେ, ‘‘ତାଛଡ଼ା ସମସ୍ତେ ଏକ ଗୋଷ୍ଠୀରେ ବାଣ୍ଟି କୁଣ୍ଟି ଖାଇ ଚଳିଲେ ଭଲ-।’’

 

‘‘ଅଛୁଁ ତ ସେମିତି-ଯାହା ମିଳୁଚି ବାଣ୍ଟି ଖାଉଚୁ ।’’ କାର୍ଲାଜାନି କହିଲା, ‘‘ଯେତେ ଜମି ଅଛି ସେ ଖାଲ ହେଉ କି ଡଙ୍ଗର ହେଉ ସବୁ ତ ଆମେ ବାଣ୍ଟି ଖାଉଚୁ । ଏମିତି ପୂର୍ବାଧିକାଳଠୁ । ଜଣେ ଖାଉଥିବ ଜଣେ ଚାହୁଁଥିବ ସେ କଥା ନାହିଁ । କିଛି ଜମି କୋଠରେ ବି ତାଷ ହୁଏ । ତୁମେ ଏବେ କଣ କହୁଚ, କୋଉ କାଳରୁ କୋଉ ଯୁଗରୁ ଚଳିଆସୁଥିଲା ଏମିତି ଯେ, ଯାହା ମିଳିବ ସମସ୍ତେ ବାଣ୍ଟି ଖାଇବ, ନ ହେଲେ ଏ ଗାଁ ଭାଙ୍ଗିଯିବ । ଜଣେ ଲୋକକୁ ଯଦି ପୋଷି ନ ପାରିଲା ସେ ଏଠି ରହିବ କାହିଁକି ? ତାର ଅଲଗା କରି କୋଉଠି ଘର ନ କରିବ କାହିଁକି ? ଆମ ଗାଁରେ କିଏ ପର ବୋଲି ଆମେ ଜାଣୁନାହିଁ । ପିଲାଯାକ ଗାଁଯାକର, ସେମିତି ବୁଢ଼ାବୁଢ଼ୀଯାକ, ଅପାରଗ, ରୋଗୀଯାକ, ସମସ୍ତେ ତାଙ୍କୁ ଚଳେଇ ନେବେ । ଗାଁ ଭିତରେ ସମସ୍ତେ ଖାଇବେ, ଜଣେ କିଏ ଭୋକରେ ରହିଗଲେ ସେଇଟା ଗାଁଯାକକୁ ପାପ ନାହିଁକି ? ଆମ ଗାଈଟା ବୁଢ଼ୀ ହେଇଗଲା ବୋଲି ତାକୁ ପୋଷିବା ନା ମାରିଦେବା ? ତୁମେ କହୁଚ କାମ କର ଖାଅ, ଆମେ ବି ସେଇଆ କହୁଚୁ । ଏମିତି ଆମେ ବଣର ମାଙ୍କଡ଼ ପରି ବଣ ପର୍ବତରେ ରହିଛୁଁ, ଯାହା କମୋଉଁ ତା ଖାଉଁ, ଜିନିଷ ବଦଳରେ ଲୁଗା ଲୁଣ ପାଉଁ । ଆମେ ଫେର୍ ଗୋଟାଏ ମଣିଷ ନା କ’ଣ ?’’

 

‘‘ତୁମେ ମଣିଷ ନୁହଁ ଆଉ ମଣିଷ କିଏ ?’’

 

‘‘ଟାଙ୍ଗରା ହେଉ, ପଥର ହେଉ ଏଇ ଜମି ଆମୁକୁ ପୋଷିଚି । ଆମେ ଜମିକି କହୁ ‘ଆମ ଝିଅ’ । ସେଇ ଛାଏଁ ଝିଅ ଥାଏ, ମଣିଷ ମରିଯାଏ । ଆମେ ସେ ଝିଅକୁ ବିକୁ ନାହିଁ । ଜଣକର ଭୂମିଝିଅ ଉପରେ ସେଇ ଗୋତ୍ରର ସବୁ ଡଙ୍ଗ୍ରିଆ କନ୍ଧଙ୍କର ଅଧିକାର । ସମସ୍ତିଙ୍କି ନ ପଚାରି ସେ ଜମିକି ସେ ଆଉ କାହାକୁ ଦେଇପାରିବ ନାହିଁ । ଦେଲେ ସେ ଗୋତ୍ରର ଅନ୍ୟ କିଏ ଆସି ତା’ଉପରେ ତାର ହକ୍‍ କଥା କହିବ, ଧରି ବସିବ-ମତେ ପଚରା ହୋଇନାହିଁ, ମୁଁ ଏ ଜମି ଛାଡ଼ିବି ନାହିଁ । ଏମିତି ଏମିତି ହୋଇ ଜମିତକ ରହିଯାଇଛି ଡଙ୍ଗ୍ରିଆର, ନଇଲେ ଆମର ଟଙ୍କା ପାଇବାକୁ ଟକ ଥିଲେ ଏ ପର୍ବତରେ ବି ସାହୁକାର ପଶନ୍ତେଣି ।’’

 

ପର୍ବତ ସେପାଖେ ଜହ୍ନ ଉଠିଲା । ଚାରିଘଡ଼ି ଅନ୍ଧାର ବିତିଗଲାଣି । ଦୁଇପାଖେ ଦୁଇ ଶିଙ୍ଗ ପରି ପର୍ବତ, ତା ମଝିରେ ବାଙ୍କ ଜହ୍ନ । ଏକାଠି ଦିଶୁଛି କାହା ମୁହଁପରି, ସେ ବି ଦେଖୁଚି ଏ ସୁନ୍ଦର ପୃଥିବୀକୁ–କେମିତି ଏ ସେଠୁ ଦିଶୁଥିବ ! ନିଦୁଆ ନିଦୁଆ ଢଳ ଢଳ ଆଲୁଅ । ରମୁଭାଇ ଭାବିଲେ, କହିଲେ–‘‘ଦେଖନ୍ତୁ ଏ କେଡ଼େ ସୁନ୍ଦର । ଏ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିହେବ ନାହିଁ । ଭାଷାରେ କାହିଁ ଭାବର ପୂର୍ଣ୍ଣ ପ୍ରତିଚ୍ଛବି ? ଭାଷା ଏକ ଠାର । ହେଇ ଦେଖନ୍ତୁ ତଳର ଗହୀର ଉପତ୍ୟକା ଉପରେ କିପରି ରୂପେଲି କୁହୁଡ଼ି ଢେଉପରି ଗଡ଼ି ଲାଗିଛି । ଆଉ ଦେଖନ୍ତୁ ଏ ପର୍ବତମାନଙ୍କୁ, ଫାଳେ ଉଜ୍ଜ୍ୱଳ ଫାଳେ ଅନ୍ଧାର । ତାର ଏ ଅନ୍ଧାର ବି କେଡ଼େ ସୁନ୍ଦର ! କେତେ ପାହାଡ଼ କେତେ ଖାଲ । ଗୋଟା ଗୋଟା ନୁହେଁ, ସବୁ ମିଶି ଏକ ଶାନ୍ତିର ରୂପ । ଏଇ କ’ଣ ସେହି ରୂପ ଯାହାକୁ ଦେଖିଥିଲେ କେଉଁ ଅତୀତର କ୍ରାନ୍ତିଦର୍ଶୀ କବି ? ଏଇ କ’ଣ ସର୍ବୋଦୟ ଓ ଭୂଦାନ ସ୍ୱପ୍ନର ଜହ୍ନ ଚିତ୍ର ! ଜନୁଭାଇ ବି ସ୍ୱପ୍ନରେ ବୁଡ଼ିଥିଲେ ।

 

କନ୍ଧ ବି ଅନେଇଁ ରହିଥିଲେ ସେ ଜହ୍ନ ଆଡ଼କୁ, ଯେପରି କି ନୂଆକରି ସେ ଏ ଦୃଶ୍ୟ ଦେଖୁଛନ୍ତି । ଶୀତର କୁହୁଡ଼ି ଭାସି ଲାଗିଛି । ସେଇ ପାହାଡ଼, ସେଇ ଖାଲ, ସେଇ ସବୁ ତ ଥିଲା, ଜହ୍ନରାତି ସବୁ ବଦଳେଇ ଦେଇଛି, ଏପରି କି ଶୀତ ରାତିର ତୀକ୍ଷ୍ମ ଶୈତ୍ୟ ଅନୁଭୂତ ହେଉ ନାହିଁ । ଅନୁଭୂତିରେ ଘୋଟିଛି କେବଳ ସେ ରାତିର ଆଶ୍ଚର୍ଯ୍ୟ ସୌନ୍ଦର୍ଯ୍ୟ । ପ୍ରତି ପତ୍ର, ପ୍ରତି ଗଛ, ପ୍ରତ୍ୟେକ ବସ୍ତୁ, ଏପରିକି ସେହି ଧାଡ଼ିକିଆ ଗାଁଟି, ଚାରିହଜାର ଫୁଟ୍ ଉପରେ ସବୁ ନିଜ ନିଜ ସ୍ଥାନରେ ମିଶିଯାଇଛନ୍ତି ସେହି ସୌନ୍ଦର୍ଯ୍ୟରେ ।

 

ଜନୁଭାଇ ବିଳିବିଳେଇଲା ପରି କହିଲେ ।

 

‘‘ଏମିତି ରାତିରେ ଭାବ ଯେପରି କି ମନକୁ ଆକ୍ରମଣ କରେ । ଏଇ ରାତି ଡାକି ନେଇଥିଲା ବୁଦ୍ଧଦେବଙ୍କୁ, ସ୍ତ୍ରୀ ଶିଶୁକୁ ଛାଡ଼ି ବିରାଟ ଘର ଖୋଜିବାକୁ ଚାଲିଯିବାକୁ । ଓଃ ଏଇ ରାତି-! ଯୁଗେ ଯୁଗେ କି କିମିଆଁ ତା’ର’’

 

‘‘ସୁନ୍ଦର ରାତି ।’’ ଡ୍ରିମ୍ବା କନ୍ଧ କହିଲା–‘‘ଏଇ ରାତିରେ ବୁଲୁଥିବ ମହାବଳ ବାଘ, ଭାଲୁ ବୁଲୁଥିବ-ହାବୁଡ଼େ ପଡ଼ିଲେ ! ରାତିରେ ଯେମିତି କି ଜଙ୍ଗଲର ବଳ ବଢ଼ିଯାଏ; ଆଉ ରୋଗର ବଳ-। ରାତିରେ ଜୀଆଦ ମାରିବାକୁ ଯିବାକୁ ମନ ଡାକେ । ଅଇଛା ତାଙ୍କର ନାଟ ଖେଳ ଲାଗିଥିବ-। ସବୁ ଜନ୍ତୁଙ୍କର । ଶମ୍ବର ପଲ ପଲ ଏଇ ରାତିରେ ବୁଲନ୍ତି, ଆଉ ବାର୍‌ହିଆ । ଶିକାର କରିବାକୁ ଗଲେ ଯାହା ସବୁଯାକ ବିପଦ । ପଛଆଡ଼େ ବାଘ ଛକିଥିବ । ସୁନ୍ଦର ରାତି । ବାଘ ଯେତେବେଳେ ରଡ଼ିରଡ଼ିକା ବଣଯାକ ଖେଦୁଥିବ, ତାକୁ ତ ରାତିରେ ବି ଦିଶେ-ପ୍ରାଣ ବିକଳରେ ମଣିଷ ଧାଇଁଥିବ ଏଠୁ ସେଠିକି, ଝାଳ ଫିଟି ଯାଉଥିବ ଏ ଶୀତମାସରେ ସୁଦ୍ଧା, ସେତେବେଳେ ଆଉ ରାତିଟା ସୁନ୍ଦର ଲାଗିବ ନାହିଁ ଯେ । କହିବ-କି ଭୟାନକ ରାତି ଓଃ !

 

ସମସ୍ତେ ହସିଲେ । ଜନୁଭାଇ କହିଲେ–‘‘ସୁନ୍ଦର ଅସୁନ୍ଦର କେବଳ ଆପଣା ମନର ଗ୍ରାହିକା ଶକ୍ତିରେହିଁ ବାରିହୁଏ । ବାହାରେ ତାର ମାପକାଠି ନାହିଁ ।’’

 

ରମୁଭାଇ କହିଲେ–‘‘ମନର ଗ୍ରାହିକାଶକ୍ତି ବି ନିର୍ଭର କରେ ଆଉ କେତେ ପାରିପାର୍ଶ୍ୱିକ ଅବସ୍ଥା ଉପରେ । ବର୍ତ୍ତମାନ ପାରିପାର୍ଶ୍ୱିକ ଅବସ୍ଥା କହୁଛି ବିଶ୍ରାମ କର ।’’

 

‘ଗୁଡ଼ିଘର’–ଠାକୁରାଣୀ ରହିବାପାଇଁ ଖଣ୍ଡିଏ ଛୋଟ ଚାଳିଆ, ଛ’ହାତ ଉଞ୍ଚ ଛ’ହାତ ଲମ୍ବା, ଛ’ହାତ ଓସାରର ଘର । କାନ୍ଥଯାକ ଝାଟିମାଟିର । ମାଟି ଗୋବର ଲେସାହୋଇ ସେଥିରେ ଚିତ୍ର ଅଙ୍କା ହୋଇଥିଲା । ପ୍ରତି ପାଖ କାନ୍ଥରେ ଚାରୋଟି ଲେଖାଁ କାଠଖମ୍ବ । କାଠଖମ୍ବ ଉପରେ ଏକ ପାଟିଆ ଥୁଆ ହୋଇଛି । ସେଥିରେ ଯୋଡ଼ାଏ ଲେଖା ଗୋଜିଆ ଗୋଜିଆ ସ୍ତନ ପରି, ଏମିତି ଘରଯାକ ତିନି ଯୋଡ଼ା ସତେ ଯେମିତି କି ଏଭଳି ନ ହେଲେ ଠାକୁରାଣୀ ମା’ ବୋଲେଇ ପାରିବ ନାହିଁ । କାଠଖମ୍ବ ସବୁ ଆଠଆଂଶିଆ ହୋଇ କୁନ୍ଦା ହେଲା ପରି ହଣାହୋଇଛି, ମଝିରେ ମଝିରେ ଆଠଆଂଶିଆ ଉପରେ ଗୋଲ୍ । ଏଇ ଚାଳିଆର ଗୋଟାଏ ପାଖରେ ଗୋଟାଏ ମାଟି ବେଦୀ, ବେଦୀ ଉପରେ ଗୋଲ ହୋଇ ଗୋଟିଏ ବଡ଼ ଅକର୍ମଶିଳା, ସେହି ଧରଣୀ ଦେବୀ, ତାଙ୍କରି ଏ ମନ୍ଦିର ।

 

ସେହି ଧରଣୀ ଦେବୀ ପାଖେ ଦୁଇ ବନ୍ଧୁ ଭୂଇଁରେ ଆସନ କଲେ । ପାଖରେ ଗୋଟିଏ ସାଉଁଳିଆ କାଠଖମ୍ବ ପୋତା ହୋଇଛି । ମଣିଷ ହାତର ବାରମ୍ବାର ସ୍ପର୍ଶ ପାଇ ପାଇ କାଠଟି ହେଲାଣି ସାଉଁଳିଆ, ଚିକିଣମଖା । ସେଇ କାଠହିଁ ବଳିବାନ୍ଧିବା କାଠ । ସେହି ଧରଣୀ ପଥର ଉପରେ କାହାର ରକ୍ତ ଢଳା ହୋଇଥିବ, ସେହି ଚାଳିତଳେ ମାଟି ଭିତରେ ପୋତା ହୋଇଥିବ ବଳିପଡ଼ିଥିବା ମଣିଷମାନଙ୍କ ସଢ଼ା ମାଂସ କିଛି କିଛି-ଧରଣୀ ଖାଇବ ବୋଲି, ସଂସାର ଉଜ୍ଜ୍ୱଳ ହେବ ବୋଲି । ଆଉ ପୋତା ହୋଇଥିବ ବଳିପଡ଼ିଥିବା ଗାଈ ମାଂସ, ପୋଢ଼ ମାଂସ । ମେରିଆ ନରବଳି ବନ୍ଦ ହୋଇଛି, କିନ୍ତୁ ଗୁଡ଼ିଘର ଅଛି, ଗୁଡ଼ିଘରର ସ୍ମୃତି ଅଛି । ଗାଁରେ କୋଉଠି ହେଲେ ଥୁଆ ହୋଇଥିବ ମେରିଆ ପୂଜାର ସାମଗ୍ରୀସବୁ-ଏକ ପିତ୍ତଳଥାଳି, ଟିକିଏ ଗାଡ଼ୁଆ, ଯେଉଁଥିରେ ରକ୍ତ ଓ କଟାମୁଣ୍ଡ ସମ୍ପାଦି ରଖା ହେଉଥିଲା । ଏକ ଲୁହା ଶିଙ୍କୁଳି, ଯେଉଁଥିରେ ମେରିଆକୁ ବାନ୍ଧୁଥିଲେ । ଆଉ ଏକ ଛୁରୀ । ଲୁଚି କରି ହେଲେ କେଉଁଠି ହେଲେ ଥିବ ଏ ତିନୋଟି ପଦାର୍ଥ, ଧରଣୀଗୁଡ଼ିର ସାମଗ୍ରୀ ।

 

ନିଦ ହେବା ଆଗରୁ ଦୁଇ ବନ୍ଧୁ ସେହି କଥାହିଁ ଭାବୁଥିଲେ । ଭାବୁଥିଲେ ସେହି ମଣିଷମାନଙ୍କ କଥା ଯେ ଚାରିହଜାର ଫୁଟ ଉପରେ ଏଇ ଘରେ ଦିନେ ବଳି ପଡ଼ିଥିଲେ, ଏଇ କାଠରେ ଲୁହା ଶିଙ୍କୁଳିରେ ବନ୍ଧା ହୋଇଥିଲେ । ଯାହାଙ୍କ ଦେହରୁ ଟିକି ଟିକି ହୋଇ ମାଂସ କଟାହୋଇ ଚାରିଆଡ଼େ ବଣ୍ଟା ହୋଇଥିଲା ଆଉ ସେଥିରୁ କିଛି ପୋତା ହେଲା ଏଇ ପଥର ତଳେ ମାଟିରେ ।

 

ଆଉ ବାହାରେ ଏଡ଼େ ସୁନ୍ଦର ଜହ୍ନରାତି ।

 

ଘର ଭିତରେ ନିଆଁ ଜଳି ଜଳି ନିଭିଗଲା । କନ୍ଧଲୋକ ଅତିଥି ଦୁହିଁକୁ ଜଗିରହି ସେହି ବସିଲାଠି ଶୋଇପଡ଼ିଲେ । ଦୁଇବନ୍ଧୁ ନିଦରେ ଶୋଇପଡ଼ିଲେ ।

 

ପୁଣି କୁକୁଡ଼ା ନ ଡାକୁଣୁ ନିଦ ଭାଙ୍ଗିଗଲା । ଅଭ୍ୟାସ ହୋଇଯାଇଛି, ଯେତେ ଡେରିରେ କି ଯେତେ ସଅଳରେ ଶୋଇଥିଲେ ବି ଏତିକି ବେଳେହିଁ ନିଦ ଭାଙ୍ଗେ । କନ୍ଧମାନେ ଉଠିପଡ଼ିଲେ । ଖୋଲା ଦୁଆର ମୁହଁ ବାଟେ ବହଳ କୁହୁଡ଼ିମେଘ ପଶିଆସୁଛି । ଚାଳର ତଳ ପଟୁ ବଡ଼ ବଡ଼ କାକର ଟୋପା ବୃଷ୍ଟି ହେଉଛି । କନ୍ଧମାନେ ପୁଣି ନିଆଁ ଲଗେଇଲେ । ହୁତୁହୁତୁ ହୋଇ ନିଆଁ ଜଳିଲା । କନ୍ଧମାନେ ଧୂଆଁପତ୍ର ପିକା ଟାଣିଲେ । ସମସ୍ତେ ସେକି ହେଲେ । ଚାହୁଁ ଚାହୁଁ ଆଲୁଅ ଫିଟିଗଲା । ଚାରିପାଖେ ଦିଶୁଛି ପର୍ବତ । ମାଇଲିଏ ଦୂରରେ ଆଗରେ ଦିଶୁଛି ନିୟମଗିରିଶୃଙ୍ଗ, ଏ ପର୍ବତର ସବୁଠୁ ଉଚ୍ଚ ଶୃଙ୍ଗ ସେ । ଦାମଣପାଙ୍ଗା ସେ । ଦାମଣପାଙ୍ଗା ଗାଁ ପିଠିଆଡ଼େ ମଧ୍ୟ ଗୋଟିଏ ପର୍ବତ, ସିଧା ଯାଇ ଗୋଟିଏ କରକୁ ବଙ୍କେଇ ଯାଇଛି । ସେହି ବାଙ୍କତଳେହିଁ କଟଗାଁ, ଏଡ଼େ ତୀଖ ଗଡ଼ାଣି ଯେପରିକି ହଠାତ୍ ପାହାଡ଼ର ଦାଢ଼ ଛିଣ୍ଡି ପଡ଼ିଛି ପାତାଳକୁ । ଦାମଣପାଙ୍ଗା ବି ନିଜେ ଗୋଟିଏ ଉଞ୍ଚ ପର୍ବତ ଉପରେ । ଆରପାଖେ ମୁହାଁମୁହିଁ ଦିଶୁଛି ନିୟମଗିରି ଶୃଙ୍ଗ ମଝିରେ ଜେନିଗୁଡ଼ା ଗାଁ । ପର୍ବତ ଖାଲି କଦଳୀଗଛମୟ । ସିକୋକା ଗୋତ୍ରର କୁଡୁ, ଡୁପା, ଦୋରା, ବଡ୍‌ଗେ ଆଦି କନ୍ଧମାନଙ୍କ କଦଳୀ କ୍ଷେତ ସେଠି । ଖରା ନ ହେଉଣୁ ସେମାନେ ଦାମଣପାଙ୍ଗା ଗାଁ ପର୍ବତ ଢାଲୁଏ ଢାଲୁଏ ତଳକୁ ଓହ୍ଲେଇ ପଡ଼ିଲେ । ଅତଡ଼ା ପରି ପାହାଡ଼ର ଢାଲୁ, ସିଧା ତଳକୁ ଯାଇଛି, ଗୋଡ଼ ଖସିଲେ ପାତାଳ ଭିତରକୁ । ଠିକ୍ ତାର ତଳେ ଡଙ୍ଗଣି ଗାଁ, ତିରିଶି ଘର ହେବ ।

 

ଦାମଣପାଙ୍ଗା ଗାଁ ପର୍ବତର ପାଦତଳେ ଜନ୍ମ ହୋଇଛି ଏକ ନଈ । ଡଙ୍ଗ୍ରିଆ ପରି ସ୍ୱଚ୍ଛଳ କ୍ଷିପ୍ର ତା’ର ଗତି । ପର୍ବତ କାଟି କାଟି ଅସଂଖ୍ୟ ଜଳ ପ୍ରପାତ ସୃଷ୍ଟି କରି କଳକଳ ଶବ୍ଦ କରି ତରତର ବେଗରେ ସେ ପର୍ବତ ଓହ୍ଲେଇ ଓହ୍ଲେଇ ଚାଲିଯାଉଛି । ତାରି ଗତିପଥହିଁ ବାଟ, ପର୍ବତର ଦାଢ଼େ ପାଢ଼େ, ତାପରେ ପାତାଳ, ପାତାଳ ଭିତରେ ସେ ନଈ, ଆରପାଖେ ଉଚ୍ଚ ପର୍ବତ ରହିଛି ସେ ନଈ ବାଁପାଖକୁ । ସେହି ପାତାଳ ଭିତରୁ ମସ୍ତ ବଡ଼ ବଡ଼ ଗଛ ଉପରକୁ ଉଠିଛି । ସେଠି ନାନା ଜାତି ଫର୍ଣ୍ଣ, ତାଳଜାତୀୟ ଗଛ, ନାନାଜାତି ଫୁଲଜାତି ଫୁଲଗଛ । ଏଠି ଏକ ପ୍ରକାର ତାଳଜାତିର ଗଛ, ତାର ପତ୍ର ଗୋଲ ହୋଇ ମସ୍ତ ବଡ଼, ସାଜସଜ୍ଜାକୁ ଅତି ସୁନ୍ଦର । ପର୍ବତରେ ଫୁଲ ଭର୍ତ୍ତି ଜଙ୍ଗଲ, ନାନା ବର୍ଣ୍ଣର ଫୁଲ, ଘଞ୍ଚ ଜଙ୍ଗଲ, କେଉଁଠି ବାଉଁଶବଣ, କେଉଁଠି ଶାଳବଣ । ଏହିପରି ଏକ ସ୍ଥାନରେ ଅଛି ପଚିଶି ଫୁଟ୍ ଉଞ୍ଚ ଜଳପ୍ରପାତ । ସ୍ଥାନେ ସ୍ଥାନେ ଆହୁରି କେତେ । ପର୍ବତ ଓହ୍ଳାହେଲା-। ଏଥର ବାଟ ନଈର ଆରପାରି । ବଡ଼ ବଡ଼ ଝଙ୍କା ଝଙ୍କା ଗଛ, ଚାରିପାଖେ ଜଙ୍ଗଲ ଭର୍ତ୍ତି, ଉଞ୍ଚ ପର୍ବତ । ତାହାରି ମଝିରେ ସତେ ଯେପରି ଏକ ହାଣ୍ଡିର ସବା ତଳେ ଚାଲିଛି ନଈଟି । ଏଇ ଛାଇତଳେ ଝରଣା ଗୀତରେ ନିଦମାଡ଼େ । ପ୍ରାକୃତିକ ବିଶ୍ରାମସ୍ଥଳ, ପଥର ପଡ଼ିଛି, ଚୁଲି ଝିଙ୍କା ଓ ଅଙ୍ଗାର ରହିଛି । ଖଣ୍ଡେ ବାଟ ଗଲେ ସିତାନଗୁଡ଼ି, ୧୫ ଘର କନ୍ଧ, ସାଓଁତା, ପୁଷିକା ମିଟା ୨୧ ବର୍ଷର କନ୍ଧ ଭେଣ୍ଡିଆ । ଚାଲିଲା ନଈ ତଳକୁ ତଳକୁ । ତାପରେ ପାହାଡ଼ ଓହ୍ଲେଇ ପଡ଼ିଲାରୁ ହେଲା ବରବଡ଼ା ଗାଁ, ଏଠି ଦୁଇମେଞ୍ଚି ଘର, ଠାଏ ତିନୋଟି ଡଙ୍ଗ୍ରିଆ କନ୍ଧ ଘର-ପୁଷିକା ବଂଶର ଗୋରା ବିଶିମାଝି ଓ ଆଉ ଦୁଇଜଣ, ଆଉ ପାଖେ ପାଖେ ଘର ଡମ୍ବ, ଭୁକ୍କୁ ଓ ଡମ୍ବ୍ରୁ । ତାପରେ ତାପରେ ତଡ଼ୋଲିଗାଁ । ପାଞ୍ଚୋଟି ଘର ଡଙ୍ଗ୍ରିଆ କନ୍ଧ । ଏଇ ପାଖରେ ଲାଗେ ଲାଗେ ତିନୋଟି ଜଳପ୍ରପାତ, ୫୦ ଫୁଟ୍ ଉଞ୍ଚ, ତଳୁ ଉପରକୁ ଖରାରେ ଜଳୁଛି ପାଣି ତେର୍ଚ୍ଛା ହୋଇ ତିନି ଭାଗରେ । ସରି ଆସୁଛି ପର୍ବତ, ବାଁପାଖେ ମୁଣ୍ଡା ଗାଁ । ଧାଇଁ ଧାଇଁ ଆସୁଛି ଆଉ ଗୋଟିଏ ନଈ, ଏ ନଈରେ ଅଜାଡ଼ି ହୋଇ ପଡ଼ୁଛି ୬୦ ଫୁଟ୍ ଉଞ୍ଚ ଜଳପ୍ରପାତ । ତାପରେ ବାଟ ଆସ୍ତେ ଗଡ଼ି ଗଡ଼ି ଯାଉଛି । ତଳମୁଣ୍ଡା ଗାଁ ପର୍ବତ କରେ କରେ । ପଛରେ ରହିଗଲାଣି ଅସଲ ନିୟମଗିରି ପର୍ବତ । ଖରା ଢଳି ଆସିଲାଣି । ବଣ ଢୁଳେଇଲାଣି । ତାପରେ ସେହି ନଈ । ଶେଷଥର ପାଇଁ ପଶିଯିବାକୁ ହେଲା । ତଳେ ଚିକ୍‌କଣ ହୋଇ ବିଛେଇ ହୋଇଛି ପଥର ଚଟାଣ । ନଈର ଉପରେ ମୁଣ୍ଡରେ ସେଠି ଜଳପ୍ରପାତ । ଦୁଲ୍‍ ଦୁଲ୍‍ ହୋଇ ପଥରରୁ ପଥର ଉପରେ ଧଳାପାଣି ଅଜାଡ଼ି ହେଉଛି, ହସି ହସି ଧାଇଁ ଚାଲିଛି ନିୟମଗିରିର ଡଙ୍ଗ୍ରିଆ ନଈ । ତତଲା ପାଦକୁ ଆରାମ ଦେଇ ତତଲା ଦେହକୁ ଶୀତଳ କରି ବିଦାୟ ନେଲା ଦୂରବାଟର ସାଥୀ ସେ ନଈଟି । ଡାହାଣେ ଡାହାଣେ ଚାଲିଗଲା ଶକଟା ଗାଁରେ ଆନିକଟ ବାଟେ ସମତଳକୁ ଡେଇଁଯିବାକୁ । ଧାରଟିଏ ଗଲା ନାଳ ହୋଇ କେତେ ଗାଁରେ କ୍ଷେତରେ ପାଣି ଦେବାକୁ-

 

ଦି କୋଶ ଗଲା, ଦୂରରେ ଦିଶିଲା ମୁନିଖୋଲ୍ ଗାଁର ଘର ଛାତ, ଆମ୍ବ ତୋଟା, ଆଉ ମୁନିଗୁଡ଼ା ଷ୍ଟେସନର ସିଗ୍‌ନେଲ ଖମ୍ବ, ମୁନିଗୁଡ଼ା ଷ୍ଟେସନ୍‌ର କୋଠା । ନିୟମଗିରି ପର୍ବତ ଦେଇ ମୁନିଗୁଡ଼ା ପିଠିପଟେ କାନ୍ଥ ପରି । କିନ୍ତୁ ପର୍ବତର ଓସାର ବାଟେ କଲ୍ୟାଣସିଂହପୁରରୁ ଏଯାକେ ଛତିଶମାଇଲ୍ ବାଟ ସରିଗଲା, ଶକଟାରୁ ସରିଲାଣି ଡଙ୍ଗ୍ରିଆ କନ୍ଧ ଗାଁ, ତଳର ଏ ସମତଳ ବାହାରର ଲୋକଙ୍କର, କିଛି ତଳଦେଶିଆ କନ୍ଧଙ୍କର ।

 

ମୁନିଗୁଡ଼ାରେ କର୍ମୀମାନଙ୍କର ଏକ କେନ୍ଦ୍ର ଖୋଲା ହୋଇଛି । ପ୍ରକୃତରେ ବହୁତ ଜିଲ୍ଲା ଭିତରେ ଏ ଏକ କେନ୍ଦ୍ର । ଏଇଠୁ ବି ବାଟ ଡାଙ୍ଗସୁରୁଡ଼ା ବାଟେ ଚନ୍ଦ୍ରପୁରମାଳକୁ, ଯେଉଁଠି ଏ ଆନ୍ଦୋଳନ ଖୁବ୍ ଜୋର୍‌ରେ ଚାଲିଛି ।

 

ଦିନ ତିନିଟା ବାଜିଥାଏ, ଜନୁଭାଇ ରମୁଭାଇ କେନ୍ଦ୍ରଘରେ ପହଞ୍ଚିଲେ । ଯୁବକ କର୍ମୀ ଜଣେ ନମସ୍କାର ଜଣାଇଲା । ଘର କଳାହାଣ୍ଡି, ନୂଆ ଆସିଛନ୍ତି ।

 

ନା, ଅନ୍ୟମାନେ ନାହାନ୍ତି । କୀରଭାଇ ସେ ତ ଗଲେଣି ପାଞ୍ଚଦିନ ହେଲା, କହୁଥିଲେ ଡୁକୁମ୍ କାର୍ଲାଘାଟିବାଟେ ଯିବେ ଗୌଡ଼ତେପାଗୁଡ଼ା, ସେଠୁ ଗୁଡ଼ାରି ଯିବେ, ବଂଶଧାରା ନଦୀର ଉପତ୍ୟକାକୁ । କୀରଭାଇ ବହୁତ ଆଶା ପୋଷି ଜୀବନମୂର୍ଚ୍ଛା ହୋଇ ବାଘ ଓ ହାତୀର ଅରଣ୍ୟ ଭେଦି ଭେଦି ନୂଆ ମାର୍ଗରେ ଯାଇଛନ୍ତି ନୂଆ ସମାଜର ମୂଳଦୁଆ ପକାଇବେବୋଲି । ଆସିବେ ଡେରିରେ ।

 

ଜଗନ୍ନାଥଭାଇ ତ ସେହି ଚନ୍ଦ୍ରପୁର ଆଡ଼େ ରହିଛନ୍ତି ।

 

ଜଣେ ଅପା ଗଲେଣି ଡାଙ୍ଗସୁରୁଡ଼ା ଗାଁ ସେପାଖ ଜିଲାଗୁଡ଼ି, ସେଇ ଗାଁରେ ରହି ସେ ସଙ୍ଗଠନରେ ଲାଗିବେ । ଆଉ ଅନ୍ୟମାନେ ମଫସଲରେ ବିଛେଇ ହୋଇ ପଡ଼ିଛନ୍ତି ।

 

ଆଉ ଖବର ? ହଁ, ଡ୍ରୁମିଗୁଡ଼ାରୁ ଜଣେ କର୍ମୀ ଆଜି ଆସି ପହଞ୍ଚିଛନ୍ତି, ତାଙ୍କ ନାଁ ବାୟାଭାଇ, ବଜାରକୁ ଯାଇଛନ୍ତି, ସେ ଜଗନ୍ନାଥ ଭାଇଙ୍କି ଖବର ପଠେଇବାକୁ ଚାହାନ୍ତି ଯେ ଡୁମ୍ରିଗୁଡ଼ାରେ କାହାକୁ ଜଣକୁ ବାଘ ଖାଇଛି ଏଇ ଦି’ଦିନତଳେ, ଭାରି ଆତଙ୍କ ପଡ଼ିଛି ।

 

‘‘ଏଁ ବାଘ ଖାଇଛି !’’ କେତେ ଜାଗାରେ କେତେ କର୍ମୀ ବଣ ପାହାଡ଼ରେ ବୁଲି ବୁଲି କାମ କରୁଛନ୍ତି । ସେଠି ବାଘ ଅଛି, ସେଠି ହାତୀଭୟ ଅଛି । ଏଇତ ସେ ଦୁହେଁ ସିଧା ନିୟମଗିରି ପାରିହୋଇ ଆସିଛନ୍ତି, ପୁଣି ଯିବେ କୋଟିଆମଳକୁ । ବାଘ ପ୍ରତ୍ୟକ୍ଷ ଖାଏ । କିନ୍ତୁ ଚିହ୍ନାଗାଁରୁ ଜଣକୁ ଖାଇବା ଖବର ଯେପରି କି ଏକ ଅତି ପାଖର କଥା । କାହାକୁ ଖାଇଲା ? ଦୁଇ ବନ୍ଧୁ ମୁହଁ ଚାହାଁଚାହିଁ ହେଲେ । ମନରେ ପାପ ଛୁଇଁଲା । ମୁଣ୍ଡ ଘୁରିଗଲା ।

 

କେତେ ଦୂରରେ ଦୂରର ମଣିଷ, କିଏ କାହା ନାଁ ଜାଣେ, କିଏ କାହା ନାଁ ଜାଣେ ନାହିଁ । କିଏ କାହାକୁ ଦେଖିଛି । କିଏ ବା କାହାକୁ ନ ଦେଖିଛି । କିନ୍ତୁ ଯେତେବେଳେ ଯାଏ ଏକ ଭାବଧାରା ଏକ ବିଚାରରେ ସମସ୍ତେ କାମ କରୁଛନ୍ତି ଯେ ସମ୍ପତ୍ତିର ସମବଣ୍ଟନ କରି କ୍ଷୁଦ୍ର ସ୍ୱାର୍ଥ ଛାଡ଼ି ସମାଜର ଦାୟିତ୍ୱକୁ ବ୍ୟକ୍ତିର ପ୍ରଥମ ଦାୟିତ୍ୱ କରି ମନୁଷ୍ୟ ମନୁଷ୍ୟ ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠା କରିବେ, ଶାନ୍ତି ଓ ଅହିଂସାର ସୁଷମ ସମାଜ ଗଢ଼ି ଜଗତକୁ ଏକାଠି ମିଳାଇବେ, ଏକ ଉଦ୍ଦେଶ୍ୟରେ ଏକ ଭାବଧାରାରେ ଚାଲି କାମ କରିଗଲାବେଳେ ସମସ୍ତେ ଭାଇ ଭାଇ ଚିହ୍ନା ଅଚିହ୍ନା ସବୁ ମଣିଷ । ସମସ୍ତେ ଏକାଠି ଗଣ୍ଠି ପଡ଼ିଛନ୍ତି ଏକ ବିଚାରକୁ କାର୍ଯ୍ୟରେ ଫୁଟାଇବାରେ ।

 

ଯେପରି କି ଏ ମାଟିରେ ସେ ବିଚାରହିଁ ନିଜେ ଏକ ବ୍ୟକ୍ତିତ୍ୱ । ତାକୁ ବୁଝିବାକୁ ହେଲେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ କର୍ମୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟକୁ ବୁଝିବା ଦରକାର ପଡ଼େ । ନୂଆ ନୂଆ କ୍ଷେତ୍ରରେ ସେହି ବିଚାରର ବିକାଶର କାହାଣୀ, ସେ ବ୍ୟକ୍ତିତ୍ୱର ଜୀବନ କାହାଣୀ, ସତେ ଯେପରି ସେ କାହାଣୀହିଁ ସେହି ବିଚାରର ଉପନ୍ୟାସର ବିଷୟବସ୍ତୁ; ଅତି ସରଳ ସେ ଇତିହାସ, ଯେପରିକି ଅନ୍ଧାରରେ ଚହଟୁଥିବା ଆଲୁଅର ଅଥବା ସେହି ଡଙ୍ଗ୍ରିଆ ନଈର ଦାମଣପାଙ୍ଗାରୁ ମୁନିଗୁଡ଼ା ଆଉ ସାଧାରଣ ମଣିଷର କାହାଣୀ, ଯେ ହଟଚମକ ଚାହେଁ ନାହିଁ, ବୀରତ୍ୱ ଦେଖାଇବାକୁ ଚାହେଁ ନାହିଁ, ନାର ବଡ଼େଇ ଚାହେଁ ନାହିଁ, ପର ଉପରେ ପ୍ରଭୃତ୍ୱ ଚାହେଁ ନାହିଁ, ହିଂସା ନିଷ୍ଠୁରତାଠୁ ଦୂରେଇ ରହିବାକୁ ଚାହେଁ, ଯାହାର ହୃଦୟ ଭିତର ଖୋଲି ଦେଖିଲେ ଦିଶନ୍ତା ସେ ଯୁଦ୍ଧକୁ ଡରେ, ହାଣକାଟକୁ ଡରେ, ଏପରି କି ଟାଣ କଥା ନାଲି ଆଖିକି ବି ଡରେ, ଡରେ ବିଭୀଷିକା, ମୃତ୍ୟୁ, ଯନ୍ତ୍ରଣା ଦେଖିବାକୁ ସେହି ସାଧାରଣ ମଣିଷର କାହାଣୀ ଯେ ନିଜ ଉପରେ କାହାରି ଦାସତ୍ୱ ସ୍ୱୀକାର କରିବାକୁ ଚାହେଁ ନାହିଁ କି କାହାରି ଉପରେ ନିଜର ବୋଝ ଲଦିବାକୁ ଚାହେଁ ନାହିଁ । ଚାହେଁ ସମସ୍ତିଙ୍କି ଭଲପାଇବାକୁ, ସାହାଯ୍ୟ କରିବାକୁ, ଚାହେଁ କାମକରିବାକୁ ପେଟପୂରା ଗଣ୍ଡିଏ ଖାଇବାକୁ, ଗୋଟିଏ ପରିବାର, ଗୋଟିଏ ଘର, ଗୋଟିଏ ସମାଜ ଚାହେଁ ମନଇଚ୍ଛାରେ ଶାନ୍ତିରେ ବଞ୍ଚିବାକୁ, ଶାନ୍ତିରେ ମରିବାକୁ ।

 

ଏକ ଆଦର୍ଶରେ ବ୍ୟକ୍ତିତ୍ୱ ତଳେ ତଳେ ବିଭିନ୍ନ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ, ଯେପରି କି ପିଣ୍ଡ ଭିତରେ ବ୍ରହ୍ମାଣ୍ଡ ।

 

ଝଣଝଣେଇ ଉଠୁଛି ଅନ୍ତର ଭିତର, କାହାକୁ ଜଣକୁ ବାଘ ଖାଇଛି । କାହାକୁ ?

 

ବାୟା ଭାଇ ଆସୁଛନ୍ତି । ତାଙ୍କର ଡେଙ୍ଗା ଧଡ଼ିଆ ଦେହଟି ଯେପରି କି ଆହୁରି ଡେଙ୍ଗା ଆହୁରି ଧଡ଼ିଆ ଦିଶୁଛି । ଯେଉଁ ମୁହଁଟି ସବୁବେଳେ ଅକାରଣରେ ହସେ, ଗମ୍ଭୀର ହୋଇ ଝୁଲି ରହିଛି । କହିଲେ- ‘‘ରତନଭାଇ, ଦି’ଦିନ ତଳେ ଶନିବାର ଉପରଓଳି ଡୁମ୍ରିଗୁଡ଼ାରେ ଶିବଭାଇକୁ ବାଘ ଖାଇଲା ।’’

 

‘‘ଏଁ, ଶିବ କନ୍ଧକୁ ? ଆମର ଶିବକୁ ?’’

 

‘‘ହଁ, କାନ୍ଦୁଲ ଡଙ୍ଗରରେ ମାଙ୍କଡ଼ ହୁରୁଡ଼ୋଉଥିଲା, ବାଘ ଆସି ନେଇଗଲା....ଓଃ ।’’

 

ଶିବ ଶିବ, ଓଃ ଗୋରା ହୋଇ ପ୍ରକାଣ୍ଡ ଲୋକଟା ଖାଲି ହସ, ଖାଲି ହସ ମୁହଁଟା ଯେପରି କି ହସିବା ପାଇଁ ହୋଇଥିଲା, ଆଉ ଅତି ଚଉଡ଼ା କପାଳଟା ହୋଇଥିଲା, ଆଲୁଅକୁ, ଧରିବାକୁ ଛାଟିବାକୁ, ଆଉ ଆଶ୍ୱାସ ଦେବାକୁ ଲୋକଙ୍କୁ ଲୋକ ଯେତେବେଳେ ହତୋତ୍ସାହ ହୋଇ ମଉଳି ପଡ଼େ । ଆଉ ଲୁହା ପରି ଟାଣ ହାତ ଦି’ଟା ହୋଇଥିଲା ଲୋକଙ୍କୁ ଉଠେଇବାକୁ, ଲୋକ ଯେତେବେଳେ ଢଳିପଡ଼େ ଥର ଥର ପାଦରେ ଟଳିଟଳି ଅବଶ ଦୁର୍ବଳତାରେ । ହସି ଦେଇ କହେ ଏଡ଼େ ଚଞ୍ଚଳ ଘୋଳି ହୋଇ ପଡ଼ିଲୁ, ଆଶା ଭୁଲିଗଲୁ ଲଛମନ ? ଆହୁରି କେଜାଣି କେତେ କାମ ବାକି, ବାଟ ବାକି–ଆଃ ଶିବ ! ପାଞ୍ଚଦିନ ତଳେ ତ ଦେଖା ହୋଇଥିଲା, କହିଲା ଯାଇହଉ, ଯାହା ଜଣେ ଜଣେ ବସି ଭାବୁଥିଲେ ଯେ ସବୁ ଲୋକଙ୍କୁ ଦାନାପାଣି ଯୋଗେଇବା କଥା, ନୂଆ ଦୁନିଆ ଗଢ଼ିବା କଥା, ଏଥର ସମସ୍ତେ ଭାବିଲେଣି, ଏଥର ଯୁଗ ବଦଳିବ ନିଶ୍ଚେ, ଆମେ କିଛି ସୁଖ ଦେଖିବା, ତେବେ ଭସେଇ ଦବା ନିଜକୁ ଏ ସୁଅରେ, ସମସ୍ତେ ଲାଗିପଡ଼ିବାକୁ ହେବ, ହେବ, ହେବ ସବୁ ଆଉ ଭୟ ନାହିଁ କି ସନ୍ଦେହ ନାହିଁ । ଆଃ ଶିବ !

 

ଏକାବେଳକେ ସମସ୍ତିଙ୍କ ଆଖିରୁ ପାଣି ଗଡ଼ୁଛି । ସମସ୍ତିଙ୍କ ଚେତନାରେ ଜୀଅଁନ୍ତା ହୋଇ ସେଠି ସେ ଠିଆ ହୋଇଛି ।

 

ଶିବଭାଇ ।

 

ଦି’ପାଖେ ଦି’ଟା ପର୍ବତ ଉପରକୁ ଉଠିଯାଇଛି, ମଝିରେ ସେହି କାନ୍ଦୁଲ ତାଷ ହୋଇଥିବା ପାହାଡ଼ଟି, ଦି ପାଖର ପର୍ବତ ତୁଳନାରେ ଖାଲ ପରି ଦିଶେ । କାନ୍ଦୁଲ କ୍ଷେତ ଉପରକୁ ପାହାଡ଼ ତାଳୁରେ ତେନ୍ତୁଳି ଗଛ ତଳେ ଖଣ୍ଡେ ଚଟା ପଥର ଅଛି । ସେଉଠୁ ଭୀଷଣ ଅରଣ୍ୟ । ସେହି ପଥର ପାଖରେ ସମସ୍ତେ ଅଟକିଲେ, ଏଇଠି ଟିକିଏ ଖୋଲା ଜାଗା, ଆଉ ଏହି ଉପରୁ ଗିରି ଆଡ଼କୁ ଦେଖିହେବ ଏବଂ ଯେତେ ଲୋକ ଥାଉନ୍ତୁ ପଛେ ଏଇ ଗହଳି ଗଛ ତଳେ ତଳେ ଭୟ ଲୁଚି ରହିଛି କେଉଁଠି । ଯାହାର ଇଚ୍ଛା ତାର ପ୍ରାଣ ନେଇପାରେ । ତେଣୁ ଚାରିଆଡ଼କୁ ନିଘା କରିବା ଆଗ ଦରକାର ।

 

ଏତେ ଉପରକୁ ଚଢ଼ି ହରଡ଼ ବଣଯାକ ମନ୍ଥି ପତ୍ତା ମିଳିନାହିଁ ତା’ର । ବାଘର ପାହୁଲ ପଡ଼ିଛି, ଏଠିସେଠି କାନ୍ଦୁଲ ଡାଳ ଭାଙ୍ଗିଛି, ତେବେ ଏଠି ମାଙ୍କଡ଼ ବି ପଡ଼ନ୍ତି, ସେମାନେ ମଧ୍ୟ ଭାଙ୍ଗି ଥାଇପାରନ୍ତି । ସୁନ୍ଦର ସକାଳ ହୋଇଛି, ବଣ ଭିତରେ ମୟୂର ବୋବାଉଛି, ମୁଣ୍ଡ ଉପରେ ତେନ୍ତୁଳି ଗଛରେ ସାରୀ ବୋବୋଉଛନ୍ତି, ସୁନ୍ଦର ଦିଶୁଛି ପୂର୍ଣ୍ଣ ବଣ, ପୂର୍ଣ୍ଣ କ୍ଷେତ ତଳର ଗାଁ ଚାଳରେ ଲାଉ କଖାରୁ । କିନ୍ତୁ କାହାରି ପ୍ରବୃତ୍ତି ନାହିଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ, ଚେତନାରେ ସକାଳ ନୁହେଁ ଗୋଟିଏ ସୂର୍ଯ୍ୟାସ୍ତ, ଯେତେବେଳେ ଗୋଷ୍ଠୀର ବିଶିଷ୍ଟ ଜଣକୁ ବାଘ ଖାଇଥିଲା ।

 

ହଠାତ୍ ଜଣେଲୋକ ଚିତ୍କାର କରିଉଠିଲା, ‘‘ହେଇ ଦେଖ, ହେଇ ଦେଖ’’ ସମସ୍ତେ ତେଣିକି ମୋହିଁଲେ । ଚଟା ପଥରଠୁ ତିରିଶି ହାତ ଦୂରରେ ପର୍ବତ ଆରପଟେ ଠାଏ ରକ୍ତ ଗୁଡ଼ାଏ ପଡ଼ିଛି । ଏଇଠି ତାକୁ ମହାବଳ ହତ୍ୟା କଲା, ଏଇ ତାର ରକ୍ତ । ମୁକ୍ତା ତୁନିଥିଲା, ଚିତ୍କାର କରି କାନ୍ଦି ଉଠିଲା । ସେହି ଯେପରି କି ସଙ୍କେତ । ସମସ୍ତେ ଏକାଠି କାନ୍ଦି ଉଠିଲେ । ପାହାଡ଼ ଉପରୁ ଲହଡ଼ି ଭାଙ୍ଗି ଭାଙ୍ଗି ଗଡ଼ିଚାଲିଲା ସେହି କାନ୍ଦଣା, ଦୂର ଦୂର ଗାଁମାନଙ୍କୁ । ଗୋଷ୍ଠୀ ତା’ର ବ୍ୟକ୍ତି ପାଇଁ ଶୋକ କରୁଛି ।

 

ଇସ୍‌ ! କେତେ ରକ୍ତ !

 

ଟିକିଏ ଛାଡ଼ି କୋଡ଼ିଏ ହାତ ଗହୀର ଗୋଟାଏ ଝୋଲା ପାହାଡ଼ ଆରପଟେ ତଳକୁ ଚାଲିଯାଇଛି । ରକ୍ତଠୁଁ ଝୋଲା ମୁଣ୍ଡିଯାକେ ଘୋସରା ପଡ଼ିଛି । ଝୋଲା ଅତଡ଼ା ମଝିରେ ଠାଏ ପଥରଟାଏ ବାହାରିଛି । ସେଥିରେ କିଛି କଣ୍ଟା ଗଛ । ତା’ର କାମିଜିରୁ ଚିରୁଡ଼ାଏ ଚିରୁଡ଼ାଏ ସେହି କଣ୍ଟା ଗଛରେ ପତାକା ପରି ରହିଯାଇଛି । ଏହି ବାଟେ ତାର ଶବକୁ ଘୋସାରି ଗଡ଼େଇ ଦିଆହୋଇଥିଲା । ମାଟିରେ ସେ କାହାଣୀ ଲେଖାହୋଇ ହୋଇଛି ।

 

ଫେର୍ କାନ୍ଦଣା । ଅସରାଏ ଅସରା କାନ୍ଦଣା । ବଙ୍କେଇ ବୁଲିଯାଇ ସମସ୍ତେ ସେ ଝୋଲା ଭିତରକୁ ଓହ୍ଳେଇ ଗଲେ । ଏଥର ଚିହ୍ନ ସୁସ୍ପଷ୍ଟ । ତା’ର ଓଜନ ଦେହଟା ଏଇଟି ନାଥୋକିନା ପଡ଼ିଥିଲା । ଚାପିବାର ଚିହ୍ନ ଓ ରକ୍ତ ଚିହ୍ନମାନ ରହିଛି ।

 

ଖଣ୍ଡେ ଦୂର ପରେ ପୁଣି ସେହି କନାପଟାର ସାନ ସାନ ପତାକାଟିମାନ ଥୁଣ୍ଟା ଉପରେ-। ଘୋସରା ଚିହ୍ନ । ଏଥର ତାର ଦେହଟାକୁ ଘୋସାରି ଘୋସାରି ପୁଣି ଅତଡ଼ାକୁ ଉଠାଇ ନେଇଚି, ଅତଡ଼ା ଦଶହାତ ଉଞ୍ଚ ସେଠି । ତା’ପରେ ସଳଖ ବାଟ, ଏକ ପଥର ଚାଞ୍ଚରା, ତା ତିନିକରେ ଘଞ୍ଚ ବଣ । ସେଇଠି ଠାଏ ଛିଣ୍ଡାଛିଣ୍ଡି ହୋଇ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିରହିଛି ତାର କାମିଜ୍, ସେହିପରି ଆଉ ଠାଏ ତା’ର ଲୁଗା, ଆଉ ଗୋଟିଏ ସ୍ଥାନରେ ଖଣ୍ଡେ ନଳି ଗୋଡ଼ର ହାଡ଼, ସେଥିରେ ମାଂସଲାଗିଛି । ଓଃ ! କି ଭୟାନକ ! କାନ୍ଦଣା ବନ୍ଦ ହୋଇଗଲା । ପାଟି ତୁଣ୍ଡ ବନ୍ଦ ହୋଇଗଲା । ସମସ୍ତେ ଚାହିଁ ରହିଲେ ସେହି ନଳିଗୋଡ଼ ହାଡ଼କୁ । ସେଥିରେ ମାଂସ ଲାଗିଛି, ମାଛି ବେଢ଼ିଛନ୍ତି ।

 

ଘୋସରା ପଡ଼ି ପଡ଼ି ଯାଇଛି ଘଞ୍ଚ ଅରମା ଭିତରକୁ, ଖାଲି କଣ୍ଟା ଲଟାର ବଣ, ନିବୁଜ ସେଠିକି ବାଟ ନାହିଁ ।

 

ଯାହା ମିଳିଲା ସେହିତକ ଧରି ବାହୁନି ବାହୁନି ସେମାନେ ଗାଁକୁ ଲେଉଟି ଲେଉଟି ଆସିଲେ । ଏଥର ତାର ଅନ୍ତ୍ୟେଷ୍ଟି କ୍ରିୟା ।

 

ପନ୍ଦର କୋଶ ଦୂରରୁ ଦଳେ ଆସିଛନ୍ତି ଚନ୍ଦ୍ରପୁରକୁ । ଜଗନ୍ନାଥଭାଇ ଦେଖିଲେ ଆଗରେ ଅଛନ୍ତି ରାମେୟା କୋମଟି, ଅଢ଼େଇଫୁଟ ଉଞ୍ଚ ବାମନଟିଏ ସେ, କିନ୍ତୁ କାହିଁ ହଜାରେ ଏକର ତାଷ ଜମିର ମାଲିକ । ଅତି ଚତୁର ବ୍ୟକ୍ତି । ତାଙ୍କ ପିଠିଆଡ଼େ ଅସୁର ଆକାର ବୈଶ୍ୟରାଳୁ, ତାଙ୍ଗୁଡ଼ୁରାଜୁ, ମସ୍ତବଡ଼ ମୁହଁରେ ମସ୍ତବଡ଼ ନିଶ ହଳେ, କାନରେ ସୁନା କୁଣ୍ଡଳ, ହାତରେ ସୁନା କଙ୍କଣ, ଖୁବ୍ ମୋଟା ଲୋକ, ଦେହଯାକ ଝାଳ ଫିଟିଯାଉଛି, ଚର୍ବି ବହୁଳ ମୁହଁରୁ କେରା କେରା ହୋଇ ଝାଳ ବୋହିଯାଉଛି । ଆଉ କେତେ ଓଡ଼ିଆ ମାଲିକ ଆସିଛନ୍ତି ସେ ଦଳରେ । ସବା ପଛରେ ପ୍ରହ୍ଲାଦ ସାହୁ, ପ୍ରହ୍ଲାଦ ପାଣିଗ୍ରାହୀ, ଦରବୁଢ଼ା ଭୂମିମାଲିକ ଦୁହେଁ । ବିଶ୍ୱନାଥ ଭାଇ ଖୁସିରେ ନମସ୍କାର ଓ ସମ୍ଭାଷଣ ଜଣାଇ ପାଛୋଟିବାକୁ ଗଲେ ।

 

ଏହି ଭୂମିମାଲିକମାନେ ଆପଣା ଜମିରୁ ଜମି କାଢ଼ି ଦେଇଦେଲେଣି ଭୂମିହୀନ ଲୋକଙ୍କୁ ବାଣ୍ଟିଦେବା ପାଇଁ । ଧୀରେ ଧୀରେ କେତେ ବଦଳିଗଲାଣି ତାଙ୍କ ମନ । ଭୂମି ଦେଲେଣି, ଭୂମି ତାଷ କରିବାକୁ ବଳଦ ଦାନ କଲେଣି, ସ୍ଥାନେ ସ୍ଥାନେ ଜମି ଉପରେ କୂଅ ଖୋଳିଦେଲେଣି, ଆପେ ଜମି ଦେଇସାରି ପ୍ରଚାର କରି ବୁଲିଲେଣି ଚାରିଆଡ଼େ, ଏ ସଦ୍‌ବିଚାର ଯେପରି ଅନ୍ୟମାନେ ବି ଭୂମିହୀନଙ୍କୁ ଭୂମି ବାଣ୍ଟିବା ପାଇଁ ଭୂମି ଓ ସମ୍ପତ୍ତି ଦାନ ଦେଇଦେବେ । ଏମାନେ କହିବୁଲିଲେଣି ଯେ ସମସ୍ତେ ସୁଖରେ ନ ରହିବାଯାକେ କେହି ଏକୁଟିଆ ହୋଇ ସୁଖରେ ରହିପାରିବ ନାହିଁ, ସବୁ ଜମି ସବୁ ସମ୍ପତ୍ତି କୋଠକରିଦେବା ଉଚିତ, ତା’ହେଲେ ପ୍ରୟୋଜନ ଅନୁସାରେ ଲୋକଙ୍କୁ ବାଣ୍ଟି ଦିଆଯିବ, ସମସ୍ତେ ବାଣ୍ଟି କୁଣ୍ଟି ଖାଇବେ, ଅଞ୍ଚଳ ଦୂରବସ୍ଥା ଦୂରହେବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଉନ୍ନତି ବି ଘଟିବ, ପରସ୍ପର ସହିତ ସ୍ନେହ ପ୍ରୀତି ବଢ଼ିବ ।

 

ଏକଥା କହୁଛନ୍ତି ଆଜି ଏମାନେ, ଯେଉଁମାନେ କାଲି ଭାଗଚାଷୀଙ୍କ ସଙ୍ଗେ ଯୁଦ୍ଧରେ ବ୍ୟାପୃତ ଥିଲେ–‘‘ଭଲକରି ଚାଷ କର, ବୋବ୍‌ବିଲି କି ବିଜୟନଗରରୁ ହାତୀପରି ବଳଦ ଆଣି ତାଷ କର, ଏକରକେ ଶଗଡ଼େ ଲେଖା କମ୍ପାନି ଖତ ପକାଅ, ତା’ହେଲେ ତୁମଆଡ଼ୁ ସମୁଦାୟ ଖର୍ଚ୍ଚ କଟି ତମକୁ ୩୦ ଭାଗରୁ ୧୨ ଭାଗ ଦେବୁଁ । ମାପିଦେବୁଁ ଆମ ମାଣରେ ।’’ ଦେବା ମାଣଟା ପାଏ ଛୋଟ, ଯେପରି ନେବା ମାଣଟା ଉଚିତ ମାଣଠୁ ପାଏ ବଡ଼ ।

କହୁଛନ୍ତି ସେହିମାନେ ଯେ ଭାଗଚାଷୀଠୁଁ ଜମି ଛଡ଼େଇ ନେଉଥିଲେ, ମୂଲ ଦେଉଥିଲେ ଦିନକୁ ଚାଳିଶି ତୋଳା ଚାଉଳ, ବର୍ଷକୁ ତେରମହଣ ଧାନ ଓ ନ’ଟଙ୍କା । ଛଳେ ବଳେ କୌଶଳେ ଯେଉଁମାନେ ପରଠୁ ଶୋଷି ନେଇ ପାରିଲେହିଁ ସୁଖୀ ଆଜି ତାଙ୍କମାନଙ୍କ ଭିତରୁ କାହାରି କାହାରି ହୃଦୟ ବଦଳି ଯାଇଛି ।

କେତେଠୁଁ ଅବଶ୍ୟ କଥା ଦି’ପଦ ବି ହୃଦୟକୁ ଗଳୁନାହିଁ, ଯଥା ହଜାର ହଜାର ଏକର ମାଡ଼ିବସିଥିବା ପଦମପୁର ଗାଁର ବ୍ରାହ୍ମଣମାନେ, ଯେଉଁଠି ମଉଜ୍‍ କରିବାପାଇଁ ବ୍ୟସନ ହେଉଛି ମକଦମା ଦାଏର୍ କରିବା, ଟଙ୍କା ଖର୍ଚ୍ଚ କରି ଏଘରୁ ସେଘରକୁ ଟେଲିଗ୍ରାମ୍ କରିବା, ଭାଗଚାଷୀଠୁ ଜମି ଛଡ଼େଇ ନେବା, ସାଧା କାଗଜରେ ଟିପ ନେବା, ପାଞ୍ଚଟା ପେଟ୍ରୋମ୍ୟାକ୍‌ସ ଓ ପଚାଶଟା ଲୋକ ସଙ୍ଗରେ ଧରି ମୟୂର ମାରିବାକୁ ବଣକୁ ଯିବା, ଅପମାନ ଦେବା, ମିଥ୍ୟା ଅପବାଦ ରଟେଇବା, ଜୁଲୁମ୍ ଜବରଦସ୍ତି ଓ ଗୁଣ୍ଡାମି କରିବା ।

ସେହି ଅନ୍ଧାରରେ ବି ଦିନେ ଆଲୁଅ ପଶିବ, ଜଗନ୍ନାଥଭାଇ ବିଶ୍ୱାସ କରନ୍ତି, ଯେପରି ଏଠି ପଶିଛି, ନ ହେଲେ ଗଦିର ଆରାମ ଛାଡ଼ି ସେମାନେ ଚାଲି ଚାଲି ଗାଁ ଗଣ୍ଡା ବୁଲନ୍ତେ କାହିଁକି ଅଣେ ବଣେ ? ଆଜି ଯେ ପରପାଇଁ ତ୍ୟାଗ କରୁଛି କାଲିକି ସେ ନିଜେ ଏକ କର୍ମୀ ପରକୁ ମତୋଉଛି ତ୍ୟାଗ କରିବା ପାଇଁ, ଅଭାବୀ ପାଇଁ ବ୍ୟବସ୍ଥା କରିବା ପାଇଁ, ଭୂମିହୀନଙ୍କୁ ଭୂମି ଦେବା ପାଇଁ । ଏହିପରି ଆଲୁଅରୁ ଆଲୁଅ ଲାଗି ଲାଗି ଚାଲିବ ପୃଥିବୀଯାକ ।

ପାଛୋଟିବାକୁ ଧାଇଁଗଲା ବେଳକୁ ମୁହଁ ଶୁଖେଇ ପ୍ରହ୍ଲାଦ ସାହୁ କହିଲେ–‘‘ଶନିବାର ଦିନ ଡୁମ୍ରିଗୁଡ଼ା ଗାଁରେ ଶିବ କନ୍ଧକୁ ବାଘ ଖାଇଗଲା ।’’

‘‘ଏଁ !’’ ସ୍ତବ୍‌ଧହୋଇ ଠିଆହେଲେ ଜଗନ୍ନାଥ ।

ସମସ୍ତେ ତୁନି ହୋଇ ଠିଆ ହୋଇଛନ୍ତି । କିଛି ସମୟ ପରେ ମୁହଁ ଆଖି ପୋଛିଦେଇ ସେ କହିଲେ-‘‘ଶିବଭାଇର ପବିତ୍ର ଆତ୍ମାକୁ କେହି ଖାଇ ପାରିବେ ନାହିଁ ଆତ୍ମା ଅମର, ଭଲ କାମର କୀର୍ତ୍ତି ଅମର....।’’ ଏ କଣ କହି ହୋଇଗଲା ? ତଥ୍ୟ ! ବାସ୍ତବତା ଉପରେ ତଥ୍ୟ ବ୍ୟାଖ୍ୟାନ ! ଶିବଭାଇକୁ ବାଘ ଖାଇସାରିଛି, ସେ ଆଉ ଫେରିବ ନାହିଁ, ଆତ୍ମା ପଛେ ନିଜର ଯତ୍ନ ନେଉଥାଉ କି ଅବା ଅନ୍ୟ ବାଟ ଘେନିଥାଉ ।

‘‘ଆସନ୍ତୁ ଯିବା ଜଗନ୍ନାଥଭାଇ, ଠିଆହୋଇ ରହିଲେ ଯେ !’’

‘‘ହଁ ଯିବା ।’’ କୁଆଡେ ଯିବା ଏ ଦୁନିଆରେ- ଯେଉଁଠି ନିର୍ଦ୍ଧୋଷ ମଣିଷକୁ ବାଘ ଖାଏ । ଜଣେ ଖାଏ ଆଉ ଜଣଙ୍କର ଦେହକୁ । ଯେଉଁଠି ଜଣକର ଝାଳବୁହା ପରିଶ୍ରମର ଫଳକୁ ଆଉ ଜଣେ ଝାମ୍ପ ମାରିନିଏ, ଯେଉଁଠି ଶାନ୍ତି ଓ ଅହିଂସାର ଦୂତ ଟଳିପଡ଼ନ୍ତି ଆତତାୟୀର ଗୁଳିଚୋଟରେ । କୁଆଡ଼େ ଯିବା, କି ତଥ୍ୟ କେଉଁ ପଥର କାନରେ ପ୍ରଚାର କରିବାକୁ, ଯେଉଁଠି ବାଘ ଖାଏ । ଶାନ୍ତି ଓ ଅହିଂସାର ସମାଜ ଦିନକରେ ଗଢ଼ି ହୁଏ ନାହିଁ, ଲାଗେ ବହୁଦିନ, ତାପରେ କେଉଁ ରାକ୍ଷସ ଶକ୍ତି ତା ଉପରେ ଯଦି ନିଆଁ କୁଢ଼ାଏ, ଭାଙ୍ଗେ ପରମାଣୁ ବୋମା, ଯଦି ବିଦ୍ୟା ଦିଗ୍‌ଗଜ ପଣ୍ଡିତମାନଙ୍କୁ ଆଉ ବିଷ୍ଣୁପ୍ରତିମା ସାଧୁସନ୍ଥ ଋଷିମାନଙ୍କୁ ଗୁରୁମାନଙ୍କୁ ଧରି ଧରି କିଏ ମୁହଁରେ ପୂରାଏ, ଆଉ କଡ଼କଡ଼ କରି ମଡ଼ମଡ଼ କରି ଚୋବେଇ ଚୋବେଇ ଖାଏ, ଯଦି ଜାଳିପୋଡ଼ି ଦିଏ ଦେଶକୁ ଦେଶ, ଜିଭ ଲହ ଲହ କରି ଚଟ୍ ଚଟ୍ ଠୋଠା ଫଡ଼୍‍ଫଡ଼୍‍ କରି ଖାଇ ଖାଇ ଏକନ୍ଦି ସେକନ୍ଦି ଧାଇଁ ବୁଲନ୍ତି ନିଆଁର ଘୋଡ଼ା, ଯଦି ଜଗତ ସାରା ସବୁ ଦୃଶ୍ୟ ନିଭେଇ ଦେଇ ଡୁବେଇ ଦେଇ ବହୁଥାଏ ଖାଲି ନିଆଁ ଧୂଆଁର ତୋଫାନ, ଆଉ ହତ୍ୟାର, ଆର୍ତ୍ତନାଦର, କୁଆଡ଼େ ଯିବା ? କେତେଥର ମଣିଷ ଗଢ଼ିଛି ଶାନ୍ତିର ତପୋବନ, କେତେଥର ଆସିଛନ୍ତି ରାକ୍ଷସ । ମଣିଷ ତାର ଅମର ଆତ୍ମାକୁ ସାଇତି ରଖିଛି ଏକ ଭୟଭୀତ ଅତ୍ୟାଚାରିତ ଚାବୁକ ଚାଳିତ ବନ୍ଦୀ ଦେହରେ, ସାଇତି ରଖିଛି ଯେପରି ସାଇତି ଥିଲା ତିନି ସହସ୍ର ବର୍ଷର ପଦ୍ମ ମଞ୍ଜି, ତାର ଆଶା, ତାର ସ୍ୱପ୍ନ, ତାର ସ୍ନେହପ୍ରୀତି, ଦୟା ଦାକ୍ଷିଣ୍ୟର ସଂସ୍କୃତି, ଘଣା ପେଲିଛି, ପଥର ଭାଙ୍ଗିଛି, ମାଟି ତାଡ଼ିଛି ରକ୍ତାକ୍ତ ପାପୁଲିରେ, ଶିଙ୍କୁଳିର ବୋଝ ବୋହୁ ବୋହୁ ରଞ୍ଜାଳିଆ ମରୁଭୂମିରେ ଫୋପାଡ଼ି ଦେଇଛି ତାର ହାଡ଼ କେଇଖଣ୍ଡି । କେତେ ଥର ନଈ ଶୁଖିଯାଇଛି, ପାହାଡ଼ ଫାଟି ହୋଇଯାଇଛି ବାଲି, ମଣିଷର ଦୁଃଖ ସରିନାହିଁ, ଥାଟକୁ ଥାଟ ରାକ୍ଷସ ଆସିଛନ୍ତି ତା ପଛକୁ ତା’ ପଛ, କେତେକ ପୁରାଣର କେତେ ଇତିହାସର, କେତେ ଅତୀତର କେତେ ବର୍ତ୍ତମାନର, ନରଭୋଜୀ କ୍ରବ୍ୟାଦର ଦନ୍ତ କି ଧ୍ୱଂସକାମୀ ସଇତାନର ମାରଣାସ୍ତ୍ର ବାଛି ନାହିଁ ଏଇଟି ଶିଶୁ-ଦେହ କି ଯୁବତୀର ମୁହଁ କି ପଣ୍ଡିତଙ୍କ ମୁଣ୍ଡ । ଶାନ୍ତି ଅହିଂସାର ସମାଜ, ଯେପରି ଚିଲିକାର ଚଢ଼େଇ ଯେଉଁଠି ବିନା ଦୋଷରେ ଏକାଠି ଚାଳିଶି ପଚାଶ ଗୁଳି ଫୁଟେ, ନିରୀହ ଅତ୍ୟାଚାରିତଙ୍କ ଆର୍ତ୍ତନାଦରେ ଗଗନ ଫାଟେ, ବରଫରେ ପଶି ପକ୍ଷୀ ଶବ ଚଢ଼ାହୁଏ ରେଲ୍‍ରେ, କେତେଥର ସେହି ଶାନ୍ତି ଅହିଂସାର ନିରୀହ ଗୋଷ୍ଠୀର ଧଳା ଛାତିରେ ଚାଲୁଣି ଫୁଟାଇ ଉଠିଛି ପଡ଼ିଛି ସଇତାନର ବର୍ଚ୍ଛା ।

ଯିବା ଆସନ୍ତୁ ଆଜ୍ଞା, କଣ କେମିତି କରିବା ଆଲୋଚନା କରିବା । ଏଥର ସଂଗ୍ରହ କରାହୋଇଛି ସାତ ହଜାର ଏକର ଜମି ପାଇଁ ଦାନପତ୍ର । ଅବଶ୍ୟ ସେଥିରୁ ବହୁତ ଅଛି ପଥୁରିଆ ଜମି, ବୁଦା, ଜଙ୍ଗଲ ଓ ଢିପ, କିନ୍ତୁ ଆପଣ ଏ କଥା ତ ମାନିବେ ଯେ ଲୋକଙ୍କ ହୃଦୟ ପରିବର୍ତ୍ତନ ହୋଇଛି, ସେମାନେ ବୁଝିଲେଣି ଯେ ସମସ୍ତେ ବାଣ୍ଟିକୁଣ୍ଟି ଖାଇ ସୁଖରେ ଚଳିଲେ ସମସ୍ତିଙ୍କର ଭଲ, ଜଣେ ଖାଉଥିବ ଜଣେ ଗଡ଼ି ମରୁଥିବ ଏ ପାପ, ଏଥିରେ ଅଶାନ୍ତି, ଏ ସବୁ ଅନର୍ଥର ମୂଳ ।’’

ଆଃ ! ଜଳଜଳ ହୋଇ ଦିଶୁଛି ତାର ଚେହେରାଟା । କେଡ଼େ ଜୀଅନ୍ତା ଦିଶୁଥିଲା । ସେ ଥିଲା କର୍ମୀ । ଡୁମ୍ରିଗୁଡ଼ାରେ କନ୍ଧ ଯେତେବେଳେ ଅନ୍ଧ ନିଦରେ ଶୋଇରହିଥିଲେ ଆଗ ନିଦ ଭାଙ୍ଗିଥିଲା ତାର, ତା’ପରେ ସେ ଲାଗି ରହିଥିଲା ଏ ସଂସାରଟାକୁ ଟିକିଏ ସୁନ୍ଦର କରିବାପାଇଁ । ଦିଶିଯାଉଛନ୍ତି ଶିବ କନ୍ଧ, ବିଶ୍ୱନାଥ କନ୍ଧ, ଆଉ ମୁକ୍ତା, ଆଉ ଡୁମ୍ରିଗୁଡ଼ା ଗାଁ ।

କେତେବେଳୁ ସ୍ୱପ୍ନରେ ଚାଲି ଚାଲି ସେ ଚାଲି ଆସିଛନ୍ତି । ଚନ୍ଦ୍ରପୁର ପାଖ ପବିତ୍ର ପଣ୍ଡୁନଦୀରେ ବୁଡ଼ ପାରି ସମସ୍ତେ ନଈ କୂଳରେ ରୁଣ୍ଡିଛନ୍ତି ପ୍ରାର୍ଥନା ସଭାରେ । ବୃଦ୍ଧ ପ୍ରହ୍ଲାଦ ସାହୁ ପ୍ରାର୍ଥନାରେ ଆଚାର୍ଯ୍ୟ ହୋଇଛନ୍ତି–

‘‘ଓଁ ତତ୍‌ସତ୍‌ ଶ୍ରୀ ନାରାୟଣତୁ ପୁରୁଷୋତ୍ତମ ଗୁରୁ ତୁ

ସିଦ୍ଧ ବୁଦ୍ଧ ତୁ ସ୍କନ୍ଦ ବିନାୟକ ସବିତା ପାବକ ତୁ

ବ୍ରହ୍ମ ମଜ୍‌ଦ ତୁ ୟହ ଶକ୍ତି ତୁ ଇଶୁପିତା ପ୍ରଭୁ ତୁ

ରୁଦ୍ର ବିଷ୍ଣୁ ତୁ ରାମକୃଷ୍ଣ ତୁ ରହୀମ୍ ତାତ ତୁ

ବାସୁଦେବ ଓ ବିଶ୍ୱଦେବ ତୁ ଚିଦାନନ୍ଦ ହରି ତୁ

ଅଦ୍ୱିତୀୟ ତୁ ଅକାଳ ନିର୍ଭୟ ଆତ୍ମଲିଙ୍ଗ ଶିବ ତୁ ।

ହେ ଭଗବାନ୍, ତୋରିଠି ଉତ୍ପତି ଲଭି ତୋରିଠି ବିଲୟ ଲଭିଛି ଯେଉଁ ଆତ୍ମା ତୁ ତାର ସଦ୍‌ଗତି କର ।’’

ଶୁଭ କାମନା ଆର୍ତ୍ତନାଦ ହୋଇ ବାହାରୁଛି ଅନ୍ତର ଭିତରୁ । ପଣ୍ଡୁ ନଦୀ ପାଣିରେ ସୂର୍ଯ୍ୟ ଭାସୁଛି । ଆରପାଖେ ସେ ବଣରେ ବି ବାଘ ଅଛି ।

ଜଗନ୍ନାଥ ଭାଇ ଦେଖୁଥିଲେ, ସତେ ଯେପରି ପଣ୍ଡୁନଦୀରେ ଗାଧୋଇ ଉଠିଆସୁଛି ଶିବଭାଇ ।

କହୁଛି ଯେଉଁଠି ଅଛି ମନୁଷ୍ୟର ସେବାକରିବାକୁ ମନୋଭାବ, ତାର ଅଭାବ ମେଣ୍ଟାଇବାକୁ ପ୍ରଚେଷ୍ଟା ଶୋଷଣହୀନ ହିଂସାବିହୀନ ସମବଣ୍ଟନ ମୂଳକ ନିର୍ଭୀକ ସମାଜ ପ୍ରତିଷ୍ଠାପାଇଁ ସ୍ୱପ୍ନ, ସେଠି ମୁଁ ଅଛି । ସବୁ କର୍ମୀଙ୍କ ସଙ୍ଗେ ଅଛି, ରହିଆସିଛି ଯୁଗେ ଯୁଗେ-ସର୍ବଦା ମୁଁ ଅଛି, ମୁଁ ମରିନାହିଁ ।’’

ବାଘ ଖାଇଗଲା ! ଓଃ

ମରିଗଲା ଅଃ !

କେଡ଼େ ଭଲ ଲୋକଟିଏ ଥିଲା ! ପରର ଭଲ କରିବାକୁ ଲାଗିପଡ଼ିଥାଏ ସବୁବେଳେ ଅଥଚ କେବେ କାହାଠୁ ନା ଖୋଜିନାହିଁ ।

ପଞ୍ଚୁକୋଶରେ ମଣିଷଟାଏ ତ ! ଆଉ କିଏ ହେବ ତା’ ପରି ! ପରପାଇଁ ସବୁ ସହିବ, ସବୁ କରିବ, ନିଜ କଥା ମନେ ବି ନ ଥାଏ !

ଶୁଣିଛ ତା କଥା ? ସେ କହୁଥିଲା, ଆମ ଭିତରୁ ଆମ ଉନ୍ନତିର ଉତ୍ସ ବୁହାଇ ଦେବାକୁ ହେବ, ନ ହେଲେ ପଦାରୁ ତା ହୁଏନାହିଁ । ଆମ ନିଜ ମନ ନ ବଦଳିଲେ, ଆମେ ନିଜେ ଅଣ୍ଟା ନ ଭିଡ଼ିଲେ କିଛି ହେବନାହିଁ । ଆମେ ସବୁଦିନେ ବଣର ମାଙ୍କଡ଼ ପରି ହୋଇ ରହିଥିବା । କହିଛି ଏପରି କଥା ଆଉ କେହି କନ୍ଧ ?

ସେମାନେ ସ୍ମରଣରେ କୀର୍ତ୍ତନରେ ଘରେ ଘରେ ତାର ରୂପ ଗଢ଼ିଥିଲେ, ସେଥିରେ ଜୀବନ୍ୟାସ ଦେଇଥିଲେ ।

ତା’ର ଶରୀର ଆଉ ନାହିଁ । ସେ ଗୋଟାଏ ନାଁ । ତାକୁ କେହି ଦେଖି ପାରିବେ ନାହିଁ, ଯେ ତାକୁ ଅନୁଭବ କରିବେ ସେ କେବଳ ସ୍ମୃତିଦ୍ୱାରା ।

ଏଇ ତା’ରି ଚିହ୍ନା ଗାଁଟି ପଡ଼ିରହିଛି ଡୁମ୍ରିଗୁଡ଼ା । ସଞ୍ଜ ଜହ୍ନ ପଡ଼ିଛି । ପାହାଡ଼ ଦିଶୁଛି ଅତି ସୁନ୍ଦର–ଯେପରି କି ଏକ ପ୍ରକାଣ୍ଡ ବୋଇତ ଭାସୁଛି କୁହୁଡ଼ିଆ ଜହ୍ନ ଆଲୁଅରେ । ତା ସେକରେ ସରୁ ରେଲ୍‌ଲାଇନ ଦି ଧାଡ଼ି, ତାର ବନ୍ଧଟା ହିଁ ବାରି ହେଉଛି । ତା ତଳେ ଉପତ୍ୟକାର ଖାଲ, ଯେପରି କି ଜହ୍ନ ଆଲୁଅ ଓ କୁହୁଡ଼ିକୁ ଧରି ରଖିବା ପାଇଁ ଏକ ପାତ୍ର ।

ଗାଁଠୁ ଖଣ୍ଡେ ଛାଡ଼ି ସରକାରି ଧାନ ଗୋଲାର କୋଠା, ଲୁହା ପତ୍ର ଛାତ ଓ ଇଟା କାନ୍ଥ ମିଶି ଗୋଟିଏ ସାଧାରଣ ଘର, ଯଦିଚ ଖୁବ୍ ଓସାର ଓ ଉଞ୍ଚ । କିନ୍ତୁ କୁହୁଡ଼ିଆ ଜହ୍ନ ଆଲୁଅରେ ସେ ଘର ଦିଶୁଛି ସ୍ଥାପତ୍ୟ ପରି, କାରଣ ସେ ସବୁଯାକ ଏ ଆଖପାଖରେ ଦୁର୍ଭିକ୍ଷ ନାହିଁ । ଚଢ଼ା ସୁଧରେ ଧାନ ଋଣ ଦେବାର ନାହିଁ । ଏଇ କୋଠା ଗଢ଼ା ହେଲାବେଳେ ସେ ନିଜେ ଇଟା ପକାଇଛି, ଇଟା ପଥର ବୋହିଛି, କାରଣ ଏ ଗାଁର ତାଜମହଲ, ପୁଣି ଗାଁର ବିଦ୍ୟୁତ୍‍ । ତା ସେପାଖେ ଯେଉଁଠି ମିଟିମିଟି ଲଣ୍ଟନ ଆଲୁଅ ଦିଶୁଛି ସେଇଟି ଗାଁ ଇସ୍କୁଲ । ତାକୁ ବି ଠିଆ କରିବାକୁ ତାର କେତେ ଅକ୍ଳାନ୍ତ ପରିଶ୍ରମ । ରାତିରେ ବି ସେଠି ପାଠପଢ଼ା ହୁଏ, ଆଖପାଖର ପିଲାଏ ଆସନ୍ତି । ତେଣିକି ପାଏ ଓସାରର ତାଷ କ୍ଷେତ, କୁମି ପିଠିଆ ହୋଇ ରହିଛି, ତାପରେ ଟିକିଏ ଉଞ୍ଚ କୁଦ ଉପରେ ଗାଁ ଦୁଇ ଧାଡ଼ି ବସ୍ତି । ମଝିରେ ଗାଁଯାକର ଅଗଣା ।

ଗାଁ ମଝିରେ ତା’ର ଘର । ମୁକ୍ତା କାନ୍ଦି କାନ୍ଦି ଦୁଆର ମୁହଁ ପାଖେ ତଳେ ଶୋଇପଡ଼ିଛି । ଶୀତୁଆ ପବନ ଟିକିଏ ଖେଳିବୁଲିଲା, ତା’ର ଲୁଗା କାନିକୁ ଧରି ଏକର ସେକର କଲା, ନା ସେ ଉଠିବ ନାହିଁ । ଦିନଯାକ କାନ୍ଦିଛି, ଦୁଃଖ ସହିତ କ୍ଳାନ୍ତି ମିଶିଯାଇଛି ।

ଗାଁ ମୁଣ୍ଡରେ ଆଶ୍ରମ ଘର, ସାମ୍ନା ପିଣ୍ଡା ଉପରେ ଗାଲରେ ହାତ ଦେଇ ଦୂରକୁ ଚାହିଁ ଅପା ବସି ରହିଛି । ବିରସ ମୁହଁ । ମୁଣ୍ଡ ପାଖେ ହାତବୁଣା ଖଦିର ଓଢ଼ଣା କାକର ପବନରେ ଫଡ଼୍‍ଫଡ଼୍‍ ହୋଇ ଥରୁଛି । ଅପାର ଧ୍ୟାନ ଭାଙ୍ଗୁ ନାହିଁ । ଗାଁ ଦୁଆରେ ପୋଢ଼ ଗୋରୁ ବନ୍ଧା ହୋଇଛନ୍ତି । ମଝିରେ ଠିଆ ହୋଇଛି ପ୍ରାଚୀନ ଶଳ୍ପ ଗଛ ଦିଟା । ସିଧାସଳଖ ଠିଆହୋଇଛି । କେତେ କଥା ଦେଖୁଛି ସେ ଗଛ ।

ଘରେ ଘରେ ରନ୍ଧାଶାଳର ନିଆଁ ଦିଶୁଛି । ଏଥର ସମସ୍ତେ ଶୋଇବାକୁ ଯିବେ ।

ଯେମିତି ଥିଲା ସେମିତି ଅଛି ଏ ପୁରୁଣା ଗାଁଟି ।

ଦୂରରୁ ତୋଫାନ ମାଡ଼ିଆସୁଛି, ତୋଫାନ ନୁହେଁ, ବିଜୟନଗରଆଡ଼ୁ ରାୟପୁର ଯାଏ ଯେଉଁ ପ୍ୟାସେଞ୍ଜର ଯାଏ ସେହି ଆସୁଛି । ବହୁଦୂର ବାଟ ଯିବ ଏ ଗାଡ଼ି ।

ପର୍ବତରେ ପ୍ରତିଧ୍ୱନି କରି କରି ଧାଇଁଚାଲିଲା । ତା ଶବ୍ଦ ଚହଳରେ ହୁରି ପଡ଼ିଗଲା ।

ତାପରେ ସେ ଚାଲିଗଲା, ଶବ୍ଦ କ୍ଷୀଣ ହୋଇଗଲା, ଦୂରେଇ ଗଲା, ମିଳେଇ ଗଲା । ଦୂରର ତୋଫାନ ଦୂରକୁ ଚାଲିଗଲା । ଆଉ ସେ ନାହିଁ । ଝଲ୍‌ଝଲ୍‌ ଜହ୍ନ ଆଲୁଅ ଗାଁଟି କେଡ଼େ ହସ ହସ ନିଦୁଆ ନିଦୁଆ ଦିଶୁଛି । ପର୍ବତ ଦିଶୁଛି କେଡ଼େ ସୌମ୍ୟ ଶାନ୍ତ । ସବୁ ସୁନ୍ଦର ଦିଶୁଛି ।

କେବଳ ସେ ନାହିଁ....ଚାଲିଯାଇଛି ।

Image